ଭୁବନେଶ୍ୱର,୨୮/୦୫: ରାଜ୍ୟକୁ ଫେରିଲା କରୋନା । ଓଡ଼ିଶାରେ ଦ୍ୱିତୀୟ କୋଭିଡ ପଜିଟିଭ ଚିହ୍ନଟ । ଲକ୍ଷଣଯୁକ୍ତ ବ୍ୟକ୍ତି ଆଣ୍ଟିଜେନ ପରୀକ୍ଷାରୁ ଚିହ୍ନଟ ହୋଇଛନ୍ତି । ତେବେ ଆଣ୍ଟିଜେନ୍ କିଟ୍ କେତେ କାମ କରୁଛି, ତାହା ପରୀକ୍ଷା କରିବାକୁ ଆଣ୍ଟିଜେନ କିଟ୍କୁ RMRCକୁ ପଠାଯାଇଛି । ଅପରପକ୍ଷରେ ଉକ୍ତ ବ୍ୟକ୍ତିଙ୍କର RTPCR ପରୀକ୍ଷା କରାଯିବ । RTPCR ରିପୋର୍ଟ ଆସିବା ପରେ ତାଙ୍କୁ କୋଭିଡ୍ ହୋଇଛି ନା ନାହିଁ ସ୍ପଷ୍ଟ କରିବ ସ୍ଵାସ୍ଥ୍ୟ ବିଭାଗ । ନିକଟରେ ହଂକଂ, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଚୀନ୍ ସମେତ ଏସୀୟ ଦେଶ ଏବଂ ସହରଗୁଡ଼ିକରେ ସଂକ୍ରମଣ ମାମଲା ବଢ଼ିବା ପରେ ଭାରତରେ ରି-ଏଣ୍ଟ୍ରି ହୋଇଛି । ଏବେ ରାଜ୍ୟରେ କରୋନା ଫେରିବା ପରେ ଏହା ଚିନ୍ତାର କାରଣ ପାଲଟିଛି ।
କହିରଖୁ କି, ଗତ ୨୨ ତାରିଖରେ ଭୁବନେଶ୍ୱରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତ ଜଣକ ନିକଟରେ ଦିଲ୍ଲୀରୁ ଫେରିଥିଲେ । କୋଭିଡ୍ ଆକ୍ରାନ୍ତ ଭାବରେ ଚିହ୍ନଟ ହେବା ପରେ ସେ କ୍ୱାରେଣ୍ଟାଇନରେ ରହିଥିଲେ । ଚିକିତ୍ସା ପାଇଁ ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଥିଲା।