ଭୁବନେଶ୍ୱର, ୨୯/୦୫: ଗୁରୁବାର ସନ୍ଧ୍ୟା ଧୂପ ବଢ଼ିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ନିମନ୍ତେ ଆଦ୍ୟ ନୀତି ମଙ୍ଗଳକୃତ୍ୟ ଅନଷ୍ଠିତ ହେବ । ସ୍ୱତନ୍ତ୍ର ଶଙ୍ଖୁଡ଼ି ଭୋଗ ନେଇ ସେବାୟତମାନେ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରିବାକୁ ଯିବେ । ମଙ୍ଗଳକୃତ୍ୟରେ ଯୋଡ଼ି ମହୁରୀ ଏବଂ ଢାଲ ବାଦ୍ୟକାରଙ୍କ ସହିତ ପାଳିଆ ବଡୁ, ପୂଜାପଣ୍ଡା, ପତ୍ରି, ବ୍ରାହ୍ମଣ ସାନ୍ତରା, ବଡୁ ସାନ୍ତରା ସାମିଲ ହେବେ । ଏମାନେ ବିନ୍ଧ୍ୟବାସିନୀ, କାତ୍ୟାୟିନୀ, ମୋହିନୀ, ଦ୍ୱାରଭାଷିନୀ, କପାଳୀ, ବୈତାଳି, ରାମାୟଣୀ ଏବଂ ଉତ୍ତରାୟଣୀଙ୍କୁ ନିମନ୍ତ୍ରଣ କରି ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ।
ଶୁକ୍ରବାର ଠାକୁରଙ୍କ ସମସ୍ତ ନୀତି ବଢ଼ିବା ପରେ ଗୌରୀଙ୍କ ମନ୍ଦିର ଅଭିମୁଖେ ବରାନୁଗମନ କରିବେ । ସନ୍ଧ୍ୟାରେ ସମସ୍ତ ସେବାୟତଙ୍କ ତରଫରୁ ଭୋଜିଭାତର ଆୟୋଜନ କରାଯିବ । ସେହିପରି ମନ୍ଦିର ପ୍ରଶାସନ ମଧ୍ୟ ୨୦୦ ଜଣ ବରଯାତ୍ରୀଙ୍କ ଭୋଜି ପାଇଁ ବ୍ୟବସ୍ଥା କରିଛନ୍ତି । ଏଥର ମଧ୍ୟ ରାସଣିରେ ଡିଜେ ଆଉ ବାଣକୁ ନିଷିଦ୍ଧ କରାଯାଇଛି।