ରାଜନଗର,୨୪/୩(ଆପ୍ର): ରାଜନଗର ବ୍ଲକ୍ ସାନବଡ଼ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠେଶ୍ୱର ହାଇସ୍କୁଲ ଭାଟପଡ଼ାରେ ୫ ଦିନ ହେଲା ତାଲା ଝୁଲୁଛି। ସ୍କୁଲରେ ଥିବା ଜଣେ ମାତ୍ର ହିନ୍ଦୀ ଶିକ୍ଷକଙ୍କୁ ମାଟ୍ରିକ୍ ପରୀକ୍ଷା ଖାତା ଦେଖାରେ ଜିଲ୍ଲା ଶିକ୍ଷାଧିକାରୀ ନିଯୁକ୍ତି ଦେଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ସାନବଡ଼ ଗୋପାଳପୁର ପଞ୍ଚାୟତରେ ୧୯୮୨ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରୁ ଅନେକ ମେଧାବୀ ଛାତ୍ରଛାତ୍ରୀ ରାଜ୍ୟ ତଥା ରାଜ୍ୟ ବାହାରେ ଉଚ୍ଚ ପଦପଦବିରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି। ପୂର୍ଣ୍ଣ ସରକାରୀ ଅନୁଦାନପ୍ରାପ୍ତ ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପର୍ଯ୍ୟାୟକ୍ରମେ ଅବସର ନେଇ ସାରିଲେଣି। ସେମାନଙ୍କ ସ୍ଥାନରେ ନୂତନ ନିଯୁକ୍ତି ଦିଆଗଲା ନାହିଁ କିମ୍ବା ଅନ୍ୟ ବିଦ୍ୟାଳୟରୁ ଡେପୁଟେସନ୍ରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପାଠ ପଢ଼ାଇବାକୁ ମଧ୍ୟ ପଠାଗଲା ନାହିଁ।
ଏହି ବିଦ୍ୟାଳୟ ଉପରେ କେବଳ ସାନବଡ଼ଗୋପାଳପୁର ପଞ୍ଚାୟତର ଛାତ୍ରଛାତ୍ରୀ ନୁହନ୍ତି, ବନ୍ଧପଡ଼ା ଓ ବାଲିସାହିପାଟଣା ପଞ୍ଚାୟତର ଏକାଧିକ ଗ୍ରାମରୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଆସିଥାନ୍ତି। ୨୦୨୩ ମସିହାରୁ ଶିକ୍ଷକ ନିଯୁକ୍ତି ନହେବାରୁ ଏକମାତ୍ର ହିନ୍ଦୀ ଶିକ୍ଷକରେ ଚାଲିଥିଲା ପାଠପଢ଼ା। ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ସଂପୃକ୍ତ ହିନ୍ଦୀ ଶିକ୍ଷକ ସରୋଜକାନ୍ତ ଦେବତାଙ୍କୁ ଚଳିତ ମାସ ୧୯ ତାରିଖରୁ ମାଟ୍ରିକ ଖାତା ଦେଖା କାର୍ଯ୍ୟରେ ଯୋଗ ଦେବାକୁ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ଶିକ୍ଷକ ନଥିବାରୁ ହିନ୍ଦୀ ଶିକ୍ଷକ ଶ୍ରୀ ଦେବତା ୫ ଦିନ ହେଲା ବିଦ୍ୟାଳୟରେ ତାଲା ଝୁଲାଇ ଖାତା ଦେଖିବାକୁ ଯାଇଛନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶିକ୍ଷା ବିଭାଗର ବେପରୁଆ ଓ ଖାମଖିଆଲ ମନୋବୃତ୍ତି ପାଇଁ ଆମ ଭବିଷ୍ୟତ ନଷ୍ଟ ହେଉଛି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜଣେ ଶିକ୍ଷକରେ ଏହି ବିଦ୍ୟାଳୟ ଦୁଇବର୍ଷ ହେବ ଚାଲିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ପାଖରେ ଖବର ନରହିବା ଘଟଣା ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି। ଏସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ‘ବିଦ୍ୟାଳୟରେ ତାଲା ଝୁଲୁଥିବା ଖବର ମୋ ପାଖରେ ନାହିଁ। ଆପଣ ସେ ବିଦ୍ୟାଳୟର ଫଟୋ ଓ ତା’ ସଂପର୍କରେ ଲେଖି ପଠାନ୍ତୁ। ଏହା ପରେ ମୁଁ ଅନୁଧ୍ୟାନ କରି ପଦକ୍ଷେପ ନେବି ବୋଲି କହି ସଫେଇ ଦେଇଛନ୍ତି।