ଡେରାବିଶ,୩୦/୩: ଡେରାବିଶ ବ୍ଲକ୍ ଅନ୍ତର୍ଗତ ବେଣୀପୁର ଓ ରଘୁଦେଇପୁର ପଞ୍ଚାୟତରେ ପାଣି ପାଇଁ ଲାକେ ଡହଳ ବିକଳ ହେଉଛନ୍ତି । ଗ୍ରୀଷ୍ମ ପ୍ରକୋପ ଆରମ୍ଭ ନ ହେଉଣୁ ବିଭିନ୍ନ ସ୍ଥାନରୁ ଜଳକଷ୍ଟ ନେଇ ଅଭିଯୋଗ ହୋଇଛି । ବସୁଧା ଓ ଓଭରହେଡ୍ ପାଣିଟାଙ୍କିର ବଡ଼ ବଡ଼ ପ୍ରକଳ୍ପ ଧାର୍ଯ୍ୟ ଅବଧି ସରିଲା ପରେ ମଧ୍ୟ କାମ ଶେଷ ହେଉ ନଥିବା ଦେଖିବାକୁ ମିଳୁଛି । ଏହି ସମୟରେ କେତେକ ସ୍ଥାନରେ ସରକାରୀ ନଳକୂଅ ଅଚଳ ଅବସ୍ଥାରେ ପଡ଼ି ରହିଛି । କେତେକ ଜାଗାରେ ନଳକୂଅରୁ ଲୌହ ମିଶା ପାଣି ଏବଂ ପଙ୍କୁଆ ପାଣି ବାହାରୁ ଥିବାରୁ ଲୋକଙ୍କ କାମରେ ଲାଗୁ ନାହିଁ । ଏମିତି ଦେଖିବାକୁ ମିଳିଛି ରଘୁଦେଇପୁର ପଞ୍ଚାୟତର କଂସାରି ପାଟଣା ଗ୍ରାମର ହାଟ ପଡ଼ିଆଠାରେ । ଏହି ପ୍ରକଳ୍ପ ଧାର୍ଯ୍ୟ ଅବଧି ମଧ୍ୟରେ ଶେଷ ହୋଇ ନଥିବା ବେଳେ କେତେକ ଘରକୁ ପାଇପ୍ ସଂଯୋଗ ଦିଆଯାଇନାହିଁ ।
ସେହିଭଳି ବେଣୀପୁର ପଞ୍ଚାୟତର ସଦାନନ୍ଦପୁର ଗ୍ରାମ ହାଟ ପଡ଼ିଆଠାରେ ହୋଇଥିବା ଓଭରହେଡ୍ ପାଣି ଟାଙ୍କି କାମ ସରିଥିଲେ ସୁଦ୍ଧା ପାଇପ୍ ଲାଇନ୍ ସଂଯୋଗରେ ଖାମଖିଆଲି ନୀତି ଯୋଗୁଁ ଏବେ ପର୍ଯ୍ୟନ୍ତ ଘରକୁ ଘର ପାଣି ପାଇପ୍ ସଂଯୋଗ ହୋଇନାହିଁ । ସଦାନନ୍ଦପୁର ଗ୍ରାମର ଗୋବରୀ ନଦୀ ବ୍ରିଜ୍ ନିକଟରେ ହୋଇଥିବା ବସୁଧା ପାନୀୟ ଜଳ ପ୍ରକଳ୍ପ ପାଇଁ ଦୀର୍ଘ ବର୍ଷ ହେବ ପୁରୁଣା ପାଇପ୍ରେ ନୂଆ ପ୍ରକଳ୍ପ କାମ କରୁଥିବା ବେଳେ ଏ ପର୍ଯ୍ୟନ୍ତ କାମ ସରୁ ନଥିବା ଅଭିଯୋଗ ହେଉଛି । ଠିକାଦାରଙ୍କ ମନମାନି ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ହଜାର ହଜାର ଲୋକ ପାଣି ପାଇଁ ଡହଳବିକଳ ହେଉଥିବା ଅଭିଯୋଗ ହେଉଛି । ସରକାର ଲୋକଙ୍କୁ ସୁବିଧାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବ୍ୟାପକ ଅର୍ଥ ବ୍ୟୟ କରୁଥିବା ବେଳେ ଡେରାବିଶ ବ୍ଲକ୍ରେ ଏସବୁ ପ୍ରତି ସତେ ଯେମିତି ଆଖି ବୁଜି ଦିଆଯାଇଛି । ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତେ୍ୱ ବିଭାଗୀୟ ଅଧିକାରୀମାନେ ଚୁପ୍ ରହୁଛନ୍ତି । ଫଳରେ ଲୋକେ ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀଘ୍ର ପାଣି ସମସ୍ୟାର ସମାଧାନ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।