ଭୁବନେଶ୍ବର,୧୦।୧୦ : ଜଣେ ରୋଗୀଙ୍କ ପୁଅ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଏସିବି ହେପାଟୋଲୋଜି ବିଭାଗ ଡାଟା ଏଣ୍ଟ୍ରି ଅପରେଟର ଧରାପଡିଛନ୍ତି। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ସ୍ମୃତି ରଞ୍ଜନ ସାହୁ। ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଥିବା ଔଷଧ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡି ବସିଥିଲା।
ହେପାଟାଇସି-ସିରେ ଆକ୍ରାନ୍ତ ହୋଇ ଜଣେ ହେପାଟୋଲୋଜି ବିଭାଗରେ ଚିକିତ୍ସିତ ହେଉଥିଲେ। ରୋଗୀଙ୍କ ପାଇଁ ଡାକ୍ତର ଲେଖିଥିବା ଔଷଧ ମାଗଣାରେ ସରକାର ପକ୍ଷରୁ ଯୋଗାଇ ଦିଆଯାଇଥାଏ। କିନ୍ତୁ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ଏହି ଔଷଧ ପାଇଁ ରୋଗୀଙ୍କ ପୁଅକୁ ୨ ହଜାର ଟଙ୍କା ଦେବାକୁ ଲାଞ୍ଚ ମାଗିଥିଲେ। ଟଙ୍କା ନ ଦେଲେ ଔଷଧ ମିଳିବ ନାହିଁ ବୋଲି କହିଥିଲେ। ଏ ସମ୍ପର୍କରେ ରୋଗୀଙ୍କ ପୁଅ ଭିଜିଲାନ୍ସରେ ଜଣାଇଥିଲେ। ଯୋଜନା ମୁତାବକ ଆଜି ସ୍ମୃତି ରଞ୍ଜନ ୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲେ। ତାଙ୍କ ଠାରୁ ଟଙ୍କା ଜବତ କରିଥିଲା। ସ୍ମୃତି ରଞ୍ଜନଙ୍କୁ ଭିଜିଲାନ୍ସ ଟିମ ଅଟକ ରଖି ପଚରାଉଚରା କରୁଛି।