ନୂଆଦିଲ୍ଲୀ, ୨୫।୮: ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ଷମା ମାଗିଲେ ବଡ଼ ହାସ୍ୟ ଅଭିନେତା । ସୋମବାର ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉପରେ ସମ୍ୱେଦନହୀନ ଉପହାସ କରିବାକୁ ନେଇ ଷ୍ଟାଣ୍ଡ ଅପ୍ କମେଡିଆନଙ୍କୁ ସୁପ୍ରିମକୋର୍ଟ ଭତ୍ସନା କରିଛନ୍ତି । କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏପରି ମନ୍ତବ୍ୟ କେବଳ ସମାଜିକ ଭାବନାକୁ ଆଘାତ ଦେଉନି, ବରଂ ଜଣେ ବ୍ୟକ୍ତିର ସ୍ୱାଧୀନତାର ସାମୀକୁ ମଧ୍ୟ ଅତିକ୍ରମ କରୁଛି ।
ମାମଲା କ’ଣ ?
ଏହି ବିବାଦ ଏସ୍ଏମଏ କ୍ୟୋର୍ ଫାଉଣ୍ଡେସନ ଦ୍ୱାରା ଦାୟର କରାଯାଇଥିବା ଯାଚିକା ସହ ଜଡ଼ିତ । ଯେଉଁଥିରେ ହାସ୍ୟ ଅଭିନେତା ସମୟ ରାଇନା, ବିପୁଲ ଗୋୟଲ, ବଲରାଜ ପରମଜିତ ସିଂ ଘଇ, ସୋନାଲି ଠକ୍କର ଓ ନିଶାନ୍ତ ଜଗଦୀଶ ତନୱରଙ୍କ ଉପରେ ଭିନ୍ନକ୍ଷମଙ୍କୁ ଉପହାସ କରିବାର ଅଭିଯୋଗ ହୋଇଥିଲା । ଆବେଦନରେ କୁହାଯାଇଛି ଯେ, ଏହି କଳାକାରମାନେ ସେମାନଙ୍କ କାର୍ଯ୍ୟକ୍ରମ ଓ ସୋସିଆଲ ମିଡିଆରେ ଏପରି ମନ୍ତବ୍ୟ ଦେଇଛନ୍ତି, ଯାହା ଭିନ୍ନକ୍ଷମ ବ୍ୟକ୍ତିଙ୍କ ସମ୍ମାନକୁ ଆଘାତ ପହଞ୍ଚାଇଥାଏ ।
ଶୁଣାଣି ସମୟରେ ଜଷ୍ଟିସ ସୁର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟା ବାଗଚୀଙ୍କ ଦୁଇ ଜଣିଆ ଖଣ୍ଡପୀଠରେ ଧାରା ୧୯ ଓ ଧାରା ୨୧କୁ ଉଦ୍ଧୃତ କରି କହିଥିଲେ, ଯେତେବେଳେ ଏହା ଅନ୍ୟ ସମ୍ପ୍ରଦାୟର ସମ୍ମାନକୁ ଆଘାତ କରେ, ସେତେବେଳେ ମର୍ଯ୍ୟାଦାର ଅଧିକାର ସର୍ବୋପରି ହେବ । କୋର୍ଟ ଏହି ହାସ୍ୟ ଅଭିନେତାମାନଙ୍କୁ କେବଳ କୋର୍ଟ ସମ୍ମୁଖରେ ନୁହେଁ ବରଂ ୟୁଟ୍ୟବ୍ରେ ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ ଏଭଳି ମଧ୍ୟ ଚେତାବନୀ ଦେଇଥିଲେ ଯେ, ଯଦି ଭବିଷ୍ୟତରେ ଦ୍ୱିତୀୟ ଥର ପାଇଁ ଏଭଳି କାର୍ଯ୍ୟର ପୁନରାବୃତ୍ତି ହୁଏ, ତେବେ ସେମାନଙ୍କୁ ଜୋରିମାନା ଦେବାକୁ ପଡ଼ିବ ।
ନିର୍ଦ୍ଦେଶାବଳୀ ପ୍ରସ୍ତୁତ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ:
ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପମାନଜନକ କିମ୍ୱା ପକ୍ଷପାତପୂର୍ଣ୍ଣ ବିଷୟବସ୍ତୁକୁ ନିଷିଦ୍ଧ କରିବା ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ କହିଥିଲେ । ମହିଳା, ଶିଶୁ, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମମାନଙ୍କୁ ଅପମାନିତ କରୁଥିବା ଭାଷଣକୁ କଡ଼ାକଡ଼ି ନିଷେଧ କରିବାର ଆବଶ୍ୟକତା ରହିଛି ।