ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଅଲୋଡ଼ା ଈଶ୍ୱର...

ଭୁବନେଶ୍ୱର: ପରିପୂର୍ଣ୍ଣ ପରିବାର । ଜୀବନ କିନ୍ତୁ ନିରୋଳା ଆଉ ନିଃସଙ୍ଗ ।  ଝାଉଁଳି ପଡ଼ିଛି ଝଟକୁଥିବା ସ୍ୱପ୍ନ । ଭୁଶୁଡ଼ି ଯାଇଛି ବିଶ୍ୱାସର ବାଲିବନ୍ଧ । ଭରସା ଭାଙ୍ଗିଯିବାର ଦୁଃଖକୁ ଧରି ଜୀବନ ତ ଜିଅଁନ୍ତି । ହେଲେ ନିଇତି ମରୁଥାନ୍ତି । ଦୁଃଖରେ ମନ ଛଟପଟ । ଆଖି ଲୁହ  ପିଉଛି ଓଠ । ଦଶ ମାସ ଗର୍ଭରେ ଧରି ଜନ୍ମ ଦେଇଥିବା ମା’କୁ  ମିଳୁନି ପଦୁଟିଏ ସ୍ନେହବୋଳା କଥା । ତମାମ ଜୀବନ ନିଜକୁ ତିଳ  ତିଳ କରି ଜାଳିଥିବା ବାପାଙ୍କୁ ଦେଖିଲେ ମୁହଁ ବୁଲାଇ ନେଉଛି  ପୁଅ । ଅଲୋଡ଼ା ଈଶ୍ୱର ଆଜି ଜୀବନରାସ୍ତାର କ୍ଲାନ୍ତ ପଥିକ । କ’ଣ ବା କରିପାରିବେ? କିଏ ପତ୍ନୀକୁ ହରାଇଛି, ଆଉ କିଏ  ପତିଙ୍କୁ । ଭାଗବଣ୍ଟାରେ ବାପା ଯଦି ବଡ଼ପୁଅ ପାଖରେ ମା’ସାନପୁଅ ପାଖରେ । ଦହଗଞ୍ଜ ଜୀବନରେ ଏ ବିଛେଦ କଟା ଘା’ରେ ବୋଳୁଛି  ଚୂନ । ନା କହି ହେଉଛି, ନା ସହି ହେଉଛି । ତୁଣ୍ଡ ଖୋଲିଲେ  ମହାଭାରତ । ଶେଷ ଅବସ୍ଥାରେ ସେମାନେ ତ ଏବେ ଅପାଂକ୍ତେୟ  ଆଉ ଅଲୋଡ଼ା । ଏକଲାପଣ ହିଁ ଏକମାତ୍ର ସାଥୀ । ବୃଦ୍ଧାବସ୍ଥାରେ ବାପ-ମାଆଙ୍କ ପାଇଁ ଏଇ ତ ଜୀବନ । 

ହୁଗୁଳା ହେଉଛି ସଂପର୍କ 

ସମୟ ବଦଳୁଛି। ହୁଗୁଳି ଯାଉଛି ସଂପର୍କର ନିବିଡ଼ତା । ବାର୍ଦ୍ଧକ୍ୟ  ପାଲଟିଯାଉଛି ବୋଝ । ହଜିଗଲାଣି ଯୌଥ ପରିବାରର ଥାଟପଟାଳି । ଜୀବନରେ ରଙ୍ଗ ନାହିଁ କି ରସ । ଯେଉଁ ପୁଅ ଝିଅଙ୍କୁ ପାଞ୍ଚ ଜଣରେ  ଜଣେ ମଣିଷ କରିବାକୁ ବାପା-ମାଆ ନିଜ ଜୀବନକୁ ସମର୍ପିତ  କରିଥାନ୍ତି ବୃଦ୍ଧାବସ୍ଥାରେ ସେମାନେ ଶାନ୍ତିରେ ବଞ୍ଚି ପାରୁନାହାନ୍ତି ।  ନା ହସହସ ମିଠା କଥା, ସେବା, ସମ୍ମାନ କିଛି ମିଳୁଛି । କିଏ  ଦହଗଞ୍ଜ ହୋଇ ଘରେ ଭାଗ୍ୟକୁ ଆଦରି ପଡ଼ି ରହୁଛନ୍ତି । ଗୋଟିଏ  ଛାତ ତଳେ ପୁଅ-ବୋହୂଙ୍କ ସହ ରହି ମଧ୍ୟ ଯୋଜନ ଦୂରତାରେ  କଟୁଛି ଜୀବନ । ଆଉ କାହାର ଠିକଣା ପାଲଟିଛି ଜରାନିବାସ ।  ନିଜ ପିଲାଙ୍କ ସୁଖ, ସ୍ୱପ୍ନ ପାଇଁ ନିଜ ସ୍ୱପ୍ନକୁ ସମାଧି ଦେଇଥିବା  ମଣିଷଙ୍କ ଦାନର ଏହା କ’ଣ ପ୍ରତିଦାନ? ଜଣେ ଅଧେ ନୁହଁ,  ଦେଶର ୭୦ ପ୍ରତିଶତରୁ ଅଧିକ ପରିବାରରେ ଏ ଅବସ୍ଥା । ବୟସ୍କ  ବାପା-ମାଆଙ୍କ ଛାତି ଭିତରର ଅସହାୟ ସ୍ୱର କେମିତି ପିଲାଙ୍କ  କାନକୁ ବାଜେନି? ଭାରତୀୟ ପାରିବାରିକ ମୂଲ୍ୟବୋଧ ଆଜି  ଧରାଶାୟୀ । ବୟସର ଅପରାହ୍ନରେ ନିଃଶ୍ୱାସ ଟିକକ ପାଇଁ ନାହିଁ  ଥିବା ଯନ୍ତ୍ରଣା । ଜୀବନ ଜିଇଁବାକୁ ଦୁଃଖ ଓ ମନର ଭାବନା ସହ  ଲଢ଼େଇ । ମାନସିକ ଯନ୍ତ୍ରଣା ଓ ରୋଗରୁ ଶରୀର ରାହା ଟେକୁଛି ।  ଆହା କହିବାକୁ କିଏ ବା ଅଛି ? 

ବିଳାସମୟ କୋଠାରୁ  ଚାଳ-ସବୁଠି ନିର୍ଯାତନା

ଭଙ୍ଗା ମନରେ ସକାଳର ସୂର୍ଯ୍ୟ ଉଏଁ । ଭଙ୍ଗା ହୃଦୟରେ ହଜିଯାଏ  ରାତିର ନିଦ । ଅପାସୋରା ଅନୁଭୂତି, ଭଙ୍ଗା ସ୍ମୃତି ଛାଇ ଭଳି  ଗୋଡ଼ାଏ । ହାୟ! ନିଜ ପୁଅଙ୍କୁ ନେଇ କେତେ ସ୍ୱପ୍ନ ଆଉ କେତେ  ଅହଂକାର ନଥିଲା? ମାତ୍ର ସବୁ କେମିତି ମିଳେଇଗଲା । ଠିକ୍‌ ପାଣି  ଫୋଟକା ପରି । ପରିବାରରୁ ସମ୍ମାନ, ସେବା, ସହଯୋଗ ମିଳୁନି ।  ସମାଜ ବି ଭିନ୍ନ ଦୃଷ୍ଟିରେ ଦେଖୁଛି । ସାରା ଦେଶରେ ଏବେ ଅଧିକାଂଶ  ବୟସ୍କ ବ୍ୟକ୍ତିଙ୍କ ଏହା ହିଁ ହେଉଛି ଭାଗ୍ୟ । କିଛି ପୁଅ ଝିଅ ତ ନିଶ୍ଚୟ  ବାପା-ମାଆଙ୍କୁ ବେଶ୍‌ ହସରେ ଖୁସିରେ ଆଉ ଯତ୍ନରେ ରଖିଛନ୍ତି ।  ଭଲମନ୍ଦ ବୁଝୁଛନ୍ତି । ମାତ୍ର ଆମ ଦେଶର ସିଂହଭାଗ ବାପା-ମାଆଙ୍କ  ଭାଗ୍ୟରେ ଏମିତି ପୁଅ କି ଝିଅ କ’ଣ ଅଛନ୍ତି? ହେଲପ୍‌ ଏଜ୍‌  ଇଣ୍ଡିଆର ସର୍ଭେ କହୁଛି, ୭୦ ପ୍ରତିଶତ ବୟସ୍କ କଲବଲ ଜୀବନ  ଜିଉଁଛନ୍ତି । ବ୍ୟାଙ୍କ ଖାତାରେ ଜମା ନାହିଁ କି ବ୍ୟକ୍ତିଗତ ସଂପତ୍ତି । ସ୍ୱାସ୍ଥ୍ୟ  ବୀମା ନାହିଁ କି ପରିବାରରୁ ମିଳୁନି  ମିଠା କଥା । ୪୦ ପ୍ରତିଶତ ତ ଖୋଦ  ପରିବାର ଲୋକଙ୍କ ଦ୍ୱାରା ନିର୍ଯାତିତ  ହେଉଛନ୍ତି । 

ବିଳାସମୟ କୋଠା ହେଉ  ଅବା ଚାଳ ଘର ସବୁଠି ଏ ନିର୍ଯାତନାର  କାହାଣୀ ଆଉ ଅସହାୟତାର ନିର୍ମମ  ସ୍ୱର । କାଁ ଭାଁ ବାହାରକୁ ଆସୁଛି । ଅଧାରୁ  ଅଧିକ ବନ୍ଦ କୋଠରୀ ଭିତରେ ଚାପି ହୋଇ ରହୁଛି । ଆମ ଦେଶରେ ପାରିବାରିକ ସଂପର୍କର ନିବିଡ଼ତା ଓ ବନ୍ଧନ ହେଉଛି  ବଡ଼ ପୁଞ୍ଜି । ମାତ୍ର ସମୟ ସହ ତାଳ ଦେଇ ଏ ବନ୍ଧନ ଶିଥିଳ  ହୋଇଯାଉଛି । ଭରା ଦେଇ ଉପରକୁ ଉଠିଗଲେ, ତଳ ମଣିଷ  ଅଲୋଡ଼ା ହୋଇ ପଡ଼ନ୍ତି । ସେମାନଙ୍କର ଆଉ କ’ଣ ବା କାମ?  ଆମ ବୟସ୍କ ମଣିଷଙ୍କ ଅବସ୍ଥା ଏବେ ଠିକ୍‌ ସେଇ ତଳ ମଣିଷ  ଭଳି । ପିଲାମାନଙ୍କ ଭବିଷ୍ୟତ ପାଇଁ ନିଜର ବର୍ତ୍ତମାନକୁ ଭୁଲି  ଯାଆନ୍ତି । ଜୀବନର ଶେଷ ଅବସ୍ଥାରେ କିନ୍ତୁ ସେଇ ପିଲାମାନେ  ହାତ ଛାଡ଼ିଦିଅନ୍ତି । ସମାଜ ବି ବୟସ୍କଙ୍କ ତ୍ୟାଗ ଓ ଅଭିଜ୍ଞତାକୁ  ଯେତିକି ସମ୍ମାନ ଦେବା କଥା ଦେଉନି । ବଳ ବୟସ ଯେତିକି  ଗଡ଼ିଯାଏ, ସେମାନେ ସେତିକି ବୋଝ ପାଲଟି ଯାଆନ୍ତି। ପରିବାର  ପାଇଁ, ସମାଜ ପାଇଁ ବି । ଦିନକୁ ଦିନ ବୟସ୍କଙ୍କ ପ୍ରତି ପରିବାର ଓ  ସମାଜର ନକାରାତ୍ମକ ବ୍ୟବହାର ମହାମାରୀ ଭଳି ମାଡ଼ି ଚାଲିଛି ।  ଆମ ଅଜାଣତରେ ଏହା ଛିଡ଼ା କରାଇଛି ସାମାଜିକ ସଂକଟ । 

ଆଇନ ଅଛି, ସଚେତନତା ନାହିଁ 

କେହି ଜଣେ କହୁଥିଲେ, ଯଦି ଶହେ ବର୍ଷର ବାପା ପୁଅକୁ  ଡାକ ଛାଡ଼େ, ଆଉ ୭୦/୭୫ ବୟସର ବୃଦ୍ଧ ପୁଅ ଆଜ୍ଞା  କହୁଥିବ ତେବେ ସେ ବାପା ଦଶରଥଠୁ କମ୍‌ ନୁହଁ କି ପୁଅ  ବି ରାମଚନ୍ଦ୍ରଙ୍କଠୁ କମ୍‌ ନୁହଁ । ସତ ନୁହଁ କି? ହେଲେ ଆଜି  ଦଶରଥ ଓ କୌଶଲ୍ୟାମାନଙ୍କ ଭାଗ୍ୟ ପଥର ତଳେ । ଆଧୁନିକ  ଜୀବନ ଶୈଳୀ, କ୍ୟାରିୟରରେ ଆଗକୁ ଯିବାକୁ ତଗଡ଼ା  ପ୍ରତିଯୋଗିତା, ରାତାରାତି ଧନୀ ହେବାର ମୋହ ପଛରେ ଧାଉଁଛି ଜୀବନ । ପ୍ରଥମ ହେବାର ମାୟାରେ ମଣିଷ ବାୟା । ବୃଦ୍ଧ  ବାପା-ମାଆଙ୍କ ପାଇଁ ସମୟ କାହିଁ? ବୟସ୍କଙ୍କ ଭରଣପୋଷଣ  ଓ ମଙ୍ଗଳ ପାଇଁ ସରକାର ଆଇନ ଆଣିଛନ୍ତି । ହେଲେ ଏ  ଆଇନ ନେଇ କେତେଜଣ ସଚେତନ ଅଛନ୍ତି? ମେଣ୍ଟେନାନସ୍‌  ୱେଲଫେୟାର ଅଫ ପ୍ୟାରେଣ୍ଟସ୍‌ ଆଣ୍ଡ ସିନିୟର ସିଟିଜେନ୍‌ସ  ଆକ୍ଟ-୨୦୦୭ ସଂପର୍କରେ ୮୦ ପ୍ରତିଶତ ବୟସ୍କ ଅଜ୍ଞ । ନିଜ ଅଧିକାର ପାଇଁ ଲଢ଼ିବା ବଦଳରେ ସହିଯିବାକୁ ଠିକ୍‌ ମଣନ୍ତି । ସମାଜ କ’ଣ ଭାବିବ? ଏ ଭୟରେ କିଛି ପିଲା ବି ବୃଦ୍ଧ  ଅବସ୍ଥାରେ ବାପା-ମାଆଙ୍କ ଭଲମନ୍ଦ ବୁଝନ୍ତି । ମାତ୍ର ଇଛା ନଥାଏ  କି ଆନ୍ତରିକତା । ଏହା ହିଁ ବୟସ୍କମାନଙ୍କୁ ବେଶୀ କଷ୍ଟ ଦିଏ ।  ଅସହାୟପଣରେ ବୁଡ଼ି ଯାଆନ୍ତି । ଜୀବନ ଯନ୍ତ୍ରଣାମୟ ଲାଗେ । ରୋଗଗ୍ରସ୍ତ ଶରୀର ପାଇଁ ଔଷଧ ତ ଖାଆନ୍ତି । ହେଲେ ସବୁଠାରୁ  ବଡ଼ ଔଷଧ ‘ଭରସା’ ଭାଙ୍ଗି ଚୁରମାର୍‌ । ପୁଅ-ବୋହୂଙ୍କ ଦାଉ  ସହନ୍ତି । ଭାଗ୍ୟକୁ ନିନ୍ଦନ୍ତି । କଲା କର୍ମର ଫଳ ଭାବନ୍ତି । ହେଲେ  ଆଇନର କବାଟ ଠକ ଠକ କରନ୍ତିନି । ବୋଧହୁଏ ବାପା-ମାଆମାନେ ହିଁ ଏଇଆ । ଅଧା ଜୀବନ ଖଟିବେ, ବୟସର  ଅପରାହ୍ନରେ ପିଲାଙ୍କଠୁ ସହିବେ । 

ବାପା-ମାଆ ବଡ଼ ସଂପତ୍ତି 

ମାଆ ହେଉଛି ଦୁନିଆରେ ଶ୍ରେଷ୍ଠ ଯୋଦ୍ଧା । ତାଙ୍କ ଆଶୀର୍ବାଦ ହିଁ ପିଲା  ପାଇଁ ରକ୍ଷାକବଚ । ଜୀବନ ଜିଇଁବାକୁ ବାପାଙ୍କ ସଂପତ୍ତି ନୁହେଁ, ଛାଇ ହିଁ  ଯଥେଷ୍ଟ । ହେଲେ ସମୟ ଆଜି ବୁଢ଼ା ବାପା ଆଉ ବୁଢ଼ି ମାଆଙ୍କୁ ବୋଝ  କରି ଦେଇଛି । ପିଲାମାନେ ବାପା-ମାଆଙ୍କୁ ଛାଡ଼ି ଦେଇଥାନ୍ତି । ହେଲେ  ବାପା-ମାଆ ନିଜ ଛୁଆଙ୍କୁ ଛାଡ଼ି ପାରନ୍ତିନି । ମନରେ ସାତଭାୟାର  ସମୁଦ୍ର ମନ୍ଥନ । ଆଖିରେ ଅସହାୟତାର ଲୁଣିପାଣି ।  

ହତାଦର କରୁଥିବା ପୁଅମାନଙ୍କୁ  ବୋଉର ଲୁହ ଡବଡବ ଆଖି,  ପାଣ୍ଡୁର ମୁହଁ କେମିତି ଦେଖାଯାଏନି?  କିଛି କହିବାକୁ ଚାହିଁ ମଧ୍ୟ ଅଭିମାନ ଓ ସ୍ୱାଭିମାନରେ ନିଜ ଓଠକୁ ଚାପି  ରହୁଥିବା ବୃଦ୍ଧ ବାପା ଆଖିର ଭାଷାକୁ  ପୁଅଟିଏ କେମିତି ମୁହଁ ମୋଡ଼େ?  ଯେଉଁ ହାତ ଧରି ଜୀବନ ରାସ୍ତାରେ ବାଟ ଚାଲିବାକୁ ସକ୍ଷମ ହେଲେ,  ସେଇ ପୁଅମାନେ ଅପରାହ୍ନରେ ବାପର ହାତ କେମିତି ଛାଡ଼ି  ଦିଅନ୍ତି । ଇଏ କି ପୁଅପଣିଆ? କି ପ୍ରତିଦାନ?? ପ୍ରତିଟି ପୁଅଙ୍କୁ  ମନେ ରଖିବାକୁ ହେବ କାଲି ସିଏ ବି ବାପା ହେବେ ଆଉ ସିଏ  ବି ବୁଢ଼ା ହେବେ । ସେ ସମୟ ଆସିଲେ ହିଁ ବୁଝିପାରିବେ ପୁଅ  ମୁହଁ ଛିଞ୍ଚାଡ଼ି ଦେଲେ କେମିତି ଛାତି କୋରି ହୋଇଯାଏ । ବିଶ୍ୱାସ  ଓ ଭରସା ଭାଙ୍ଗିଯାଏ । 

ହଁ... ମନେ ପଡ଼ୁଛି କେହି ଜଣେ କହିଥିଲେ, ନିଜ କାମଠୁ  ବଳି ବଡ଼ ଶକ୍ତି କିଛି ନାହିଁ । ଲୋକଙ୍କ ଭଲପାଇବାଠୁ ବଳି  ସମ୍ମାନ ଏବଂ ପରିବାରଠୁ ବଳି ବଡ଼ ସଂପତ୍ତି ଦୁନିଆରେ କିଛି  ନାହିଁ । କିଛି ବି ନାହିଁ । ମନେ ରଖିବାକୁ ହେବ, ଆପଣ ନିଜେ  ପରିବାର ବାଛିନାହାନ୍ତି । ସ୍ୱୟଂ ଈଶ୍ୱରଙ୍କ ଧାର୍ଯ୍ୟ ନିଷ୍ପତ୍ତିରେ  ଏକ ପରିବାରରେ ଜନ୍ମ ନେଇଛନ୍ତି । ସକାଳ ସଂଜରେ ନିଜ  ପିଲାଛୁଆଙ୍କ ସୁନ୍ଦର ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛନ୍ତି ।  ଭବିଷ୍ୟତ ଯୋଜନା କରୁଛନ୍ତି । ମନ୍ଦିର ଯାଉଛନ୍ତି । ମାତ୍ର ଘରେ  ଥିବା ଭଗବାନଙ୍କୁ ଆପଣ ନିର୍ମମ ଛଟପଟ କରୁଛନ୍ତି । ଈଶ୍ୱର ସବୁ ଦେଖୁଛନ୍ତି । ସହିବେ ତ ?

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.