ନୂଆଦିଲ୍ଲୀ,୧୧/୦୪: ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିଲା ସବୁଠୁ ଭୟଙ୍କର ଆକ୍ରମଣ । ଯେଉଁଥିରେ ଦୋହଲି ଯାଇଥିଲା ମୟାନଗରୀ । ଏହି ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ଭାରତ ଫେରିଛି । ଏହି ଆଟାକ୍ରେ ଶହିଦ୍ ହୋଇଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜଣେ ଥିଲେ ମେଜର ସନ୍ଦୀପ ଉନିକ୍ରିଷ୍ଣାନ୍ । ଆତଙ୍କୀଙ୍କ ସହ ଲଢି ବଳିଦାନ ଦେଇଥିଲେ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ଼ କମାଣ୍ଡ ସନ୍ଦୀପ । ତହବୁର ରାଣାର ଭାରତ ପ୍ରତ୍ୟର୍ପଣ ନେଇ ସନ୍ଦୀପଙ୍କ ବାପା ଗଣମାଧ୍ୟମ ଜରିଆରେ ପ୍ରତିକ୍ରିୟା ରଖିଥିଲେ । ଏହା ଭାରତର କୂଟନୈତିକ ସଫଳତା । ମୋ ପୁଅ ୨୬/୧୧ ପୀଡ଼ିତ ନୁହେଁ, ସେ ତା'ର ଡ୍ୟୁଟି କରିଛି ବୋଲି କହିଛନ୍ତି ମେଜର ସନ୍ଦୀପଙ୍କ ବାପା ।
'ସନ୍ଦୀପ ୨୬/୧୧ ପୀଡ଼ିତ ନୁହେଁ'- ୨୬/୧୧ ମୁମ୍ବାଇ ଆକ୍ରମଣରେ ଅନ୍ୟତମ ଅଭିଯୁକ୍ତ ତହବୁର ରାଣା ଭାରତ ଫେରିଛି । ଏହାପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ଆକ୍ରମଣରେ ଶହିଦ୍ ହୋଇଥିବା ମେଜର ସନ୍ଦୀପଙ୍କ ବାପା । ସେ କହିଛନ୍ତି, ''ଆମେରିକା ସହ ଆଲୋଚନା ପରେ ସେ ଭାରତ ଫେରିବା ଚର୍ଚ୍ଚା ହେଉଥିଲା । ତହବୁର ଭାରତ ଫେରିବା କେବଳ ଏକ କୂଟନୈତିକ ସଫଳତା ନୁହେଁ ଏହା ସାଧାରଣ ଜନତାଙ୍କ ପାଇଁ ପ୍ରତିଶୋଧ । ଏହି ବିଜୟ ଲମ୍ବା ସମୟ ପରେ ଭାରତକୁ ମିଳିଛି ।''
୧୬ ବର୍ଷ ପରେ ପୁଅର ବଳିଦାନକୁ ନେଇ ସନ୍ଦୀପଙ୍କ ବାପା କହିଛନ୍ତି, ''ମୋ ପୁଅ ୨୬/୧୧ ପୀଡ଼ିତ ନୁହେଁ । ସେ ଜଣେ ସୁରକ୍ଷାକର୍ମୀ ଥିଲା ଯିଏ କି ତାର କର୍ତ୍ତବ୍ୟ କରିଛି । ଭାରତୀୟ ଲୋକଙ୍କ ଅସୁବିଧା ସମୟରେ ସେ ତାଙ୍କ ସାଥିରେ ରହିଥିଲା । ଅସଲ ପୀଡ଼ିତ ସିଏ ଯେଉଁମାନେ ଆକ୍ରମଣର ଶିକାର ହୋଇଥିଲେ ଯେଉଁମାନେ ଜୀବନ ହରାଇଥିଲେ । ସନ୍ଦୀପ ପୀଡ଼ିତ ନୁହେଁ ସେ କେବଳ ତାର ଡ୍ୟୁଟି କରିଛି ।''
ଅଧିକ ପଢନ୍ତୁ...ଭାରତରେ ୨୬/୧୧ ମାଷ୍ଟରମାଇଣ୍ଡ ତହବୁର ରାଣା,୧୮ ଦିନିଆ ରିମାଣ୍ଡରେ ନେଲା NIA
୨୦୦୮ ନଭେମ୍ବର ୨୬ରେ ଚଳଚଞ୍ଚଳ ହୋଇଥିଲା ମାୟାନଗରୀ ମୁମ୍ବାଇ । କେହି କିଛି ବୁଝିବା ଆଗକୁ ଆତଙ୍କୀ ଖେଳିଥିଲେ ରକ୍ତର ହୋଲି । ତାଜ ହୋଟେଲ, ଛତ୍ରପତି ଶିବାଜୀ ଟର୍ମିନାଲ ଏବଂ କାମା ହସ୍ପିଟାଲରେ ଆଖିବୁଜା ଗୁଳିମାଡ଼ କରିଥିଲେ । ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଏ-ତୋଇବାର ୧୦ ଆତଙ୍କୀ ଏହି ଆକ୍ରମଣ କରିଥିଲା । ଏହା ୪ ଦିନ ଧରି ଚାଲିଥିଲା । ଆକ୍ରମଣରେ ପ୍ରାୟ ୧୭୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଯେଉଁଥିରେ ୯ ଜଣ ଆକ୍ରମଣକାରୀ ସାମିଲ ଥିଲେ । ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଦୀର୍ଘ ୧୬ ବର୍ଷ ପରେ ଭାରତ ପ୍ରତ୍ୟର୍ପଣ କରିଛି ମାଷ୍ଟରମାଇଣ୍ଡ ତହବୁର ରାଣା । ପଚରାଉଚରା ପାଇଁ ରାଣାକୁ ୧୮ ଦିନିଆ ରିମାଣ୍ଡରେ ନେଇଛି ଏନଆଇଏ । ଆଇନଗତ ବିକଳ୍ପ ଓ ପ୍ରତ୍ୟର୍ପଣର ଲମ୍ବା ଲଢ଼େଇ ପରେ ଭାରତର କାଠଗଡ଼ାକୁ ଆସିଛି ତହବୁର ରାଣା ।