ସମ୍ବଲପୁର/ବରଗଡ଼,୦୧/୦୮: ଆଜି ସମ୍ବଲପୁରୀ ସାହିତ୍ୟର ଅନନ୍ୟ ସାଧକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ । ଅଗଷ୍ଟ ପହିଲାରେ ତାଙ୍କ ଜନ୍ମତିଥିକୁ ସମ୍ବଲପୁରୀ ଦିନ୍ ଭାବେ ରାଜ୍ୟ ସମେତ ଦେଶବିଦେଶରେ ପାଳନ କରାଯାଉଛି । ଏ ଅବସରରେ ଛାଇଯିବ ସମ୍ବଲପୁରୀ ସଂସ୍କୃତିର ଝଲକ୍ । ସମ୍ବଲପୁରୀ ଦିନ୍ ମଞ୍ଚରୁ ଆରମ୍ଭ କରି ସୋସିଆଲ୍ ମିଡିଆ ଯାଏ ପାରମ୍ପରିକ ସମ୍ବଲପୁରୀ ପୋଷାକରେ ଚମକିବ । ଏଥିପାଇଁ ବେଶ୍ କିଛିଦିନ ହେଲା ସମ୍ବଲପୁରୀ ବସ୍ତ୍ରର ବେପାର ଭଲ ଜମିଛି । କାରଣ ଏ ମାଟିର ବୁଣାକାରଙ୍କ ହାତ ତିଆରି ପୋଷାକ ହିଁ ସମ୍ବଲପୁରୀ ସଂସ୍କୃତିର ସବୁଠୁ ବଳିଷ୍ଠ ସନ୍ତକ ସାଜିଛି । ହେଲେ ସମ୍ବଲପୁରୀ ଅସ୍ମିତାର ଜାଗ୍ରତ ପ୍ରହରୀ ସାଜିଥିବା ବୁଣାକାରଙ୍କ ସ୍ଥିତିରେ କିନ୍ତୁ ସେଭଳି ଉନ୍ନତି ପରିଲକ୍ଷିତ ହେଉନାହିଁ । ସୂତାରେ ଜିଏସ୍ଟି ବୋଝ କାରଣରୁ କ୍ରମବର୍ଦ୍ଧିଷ୍ଣୁ ଦରବୃଦ୍ଧି ଏବଂ ବଜାରରେ ନକଲି ସମ୍ବଲପୁରୀ ବସ୍ତ୍ରର ଦବ୍ଦବା ବଢ଼ିବାରେ ଲାଗିଛି । କିନ୍ତୁ ବୁଣାକାରଙ୍କୁ ମିଳୁନି ଯଥେଷ୍ଟ ପ୍ରାପ୍ୟ । ଏଭଳି ସମସ୍ୟା ସେମାନଙ୍କ ଜୀବିକାକୁ ସଙ୍କଟରେ ପକାଇଲାଣି ।
କୃଷି ପ୍ରଧାନ ବରଗଡ଼ ଜିଲ୍ଲାରେ ଧାନ ଚାଷ ଆୟର ମୁଖ୍ୟସ୍ରୋତ ଥିବା ବେଳେ ବସ୍ତ୍ର ବୟନ ଦ୍ୱିତୀୟ ସର୍ବାଧିକ ଆୟର ସୂତ୍ର ରହିଆସିଛି । ବସ୍ତ୍ର ବୟନ କ୍ଷେତ୍ରରେ ଉତ୍କର୍ଷ ପାଇଁ ସମ୍ବଲପୁରୀ ବସ୍ତ୍ରାଳୟର ବିଶେଷ ଅବଦାନ ରହିଛି । କେଉଁ ଆବହମାନ କାଳରୁ ଅଞ୍ଚଳର ଭୁଲିଆ, କୋଷ୍ଟା, କୁଲି ଓ ଗଣ୍ଡା ଭଳି ଜାତିର ବୁଣାକାର ମୋଟା କପଡ଼ା ବୁଣାବୁଣି କରୁଥିଲେ ମଧ୍ୟ ଅସଙ୍ଗଠିତ ଥିବାରୁ ଆର୍ଥିକ ଏବଂ ସାମାଜିକ ଦୁଃସ୍ଥିତିରେ ବୁଡ଼ି ରହିଥିଲେ । କୃତାର୍ଥ ଆଚାର୍ଯ୍ୟଙ୍କ ନେତୃତ୍ୱ ତଥା ପଞ୍ଚସଖା କୃଷ୍ଣଚନ୍ଦ୍ର ପ୍ରଧାନ, ଶିବଶଙ୍କର ଆଚାର୍ଯ୍ୟ, ଗୌରଚନ୍ଦ୍ର ଦାଶ ଓ ବଳିଷ୍ଠ ପ୍ରଧାନଙ୍କ ସହଯୋଗରେ ୧୯୫୪ରେ ପ୍ରତିଷ୍ଠିତ ସମ୍ବଲପୁରୀ ବସ୍ତ୍ରାଳୟ ଆଜି ବିଶ୍ୱସ୍ତରକୁ ଛୁଇଁ ପାରିଛି । ୫୦୪ ସହଯୋଗୀଙ୍କୁ ନେଇ ଆରମ୍ଭ ଏହି ଅନୁଷ୍ଠାନର ସଭ୍ୟସଂଖ୍ୟା ୧୫ ହଜାରରେ ପହଞ୍ଚିଛି । ୨୦୦ ଟଙ୍କା ମୂଳଧନରୁ ବ୍ୟବସାୟ ପ୍ରାରମ୍ଭ କରିଥିବା ସଂସ୍ଥାଟି ୯୦ଟି ବୁଣାକାର ସମବାୟ ସମିତିର ପରିଶ୍ରମରୁ ୩୦ କୋଟି ମୂଳଧନ ଅତିକ୍ରମ କରିଛି । ୩୬ଟି ଲୁଗାବୁଣା କେନ୍ଦ୍ର ମାଧ୍ୟମରେ ସମ୍ବଲପୁରୀ ବସ୍ତ୍ରାଳୟ ରେଜିଷ୍ଟ୍ରୀଭୁକ୍ତ ୫୧୮୧ଟି ଡିଜାଇନରୁ ଏବେ ଆହୁରି ଅନେକ ନୂଆ ଜ୍ଞାନ କୌଶଳ ଛୁଇଁପାରିଛି । ୪୦ରୁ ଅଧିକ ବିକ୍ରି କେନ୍ଦ୍ର ଏବଂ ୪୪ଟି ସହଯୋଗୀ ପ୍ରାଥମିକ ତନ୍ତୁବାୟ ସମିତି ଏହାର ବ୍ୟବସାୟ ଦିଗରେ କାର୍ଯ୍ୟ କରୁଛି ।
ଗତ ପାଞ୍ଚ ଦଶନ୍ଧି ଧରି ବୁଣା ଚାଲିଥିବା ସପ୍ଟାପର, ତଅପୋଇ, ଅର୍ଚ୍ଚନା, ଅନୁରାଧା, ଚିତ୍ରୋତ୍ପଳା, ଚନ୍ଦ୍ରିକା, ହିମାଦ୍ରୀ, ଲାବଣ୍ୟବତୀ, ପଞ୍ଚବଟୀ, ଦାନ୍ତୀବୁଟା, ସୂର୍ଯ୍ୟକାନ୍ତୀ, ସ୍ୱର୍ଣ୍ଣରେଖା, ସନ୍ଧ୍ୟାତାରା, ତରଙ୍ଗିଣୀ, ଇନ୍ଦୁମତୀ, କଳିଙ୍ଗ ସୁନ୍ଦରୀ ଆଦି ଆକର୍ଷଣୀୟ ଡିଜାଇନ ପ୍ରସ୍ତୁତ ହୋଇପାରିଛି । କେବଳ ବରଗଡ଼ ଜିଲ୍ଲାର ୧୨୫୦୯ଟି ପରିବାରର ୪୫ ହଜାର ବୁଣାକାର ବସ୍ତ୍ର ବୟନ ଜରିଆରେ ପେଟପାଟଣା କରୁଛନ୍ତି । ୯୮ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଏଥିରେ ସାମିଲ ଅଛନ୍ତି । ଜିଲ୍ଲାରେ ୨୯୦ ଜଣ ମାଷ୍ଟର ଟ୍ରେନର କାର୍ଯ୍ୟରତ ଥିବା ବେଳେ କ୍ୟାମ୍ପ ମାଧ୍ୟମରେ ବୁଣାକାରଙ୍କୁ ଗୁଣବତ୍ତା ବୃଦ୍ଧି ତାଲିମ୍ ଦିଆଯାଉଛି ।
ଭାରତ ସରକାରଙ୍କ ଦ୍ୱାରା ୧୯୯୪ରେ ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ପାଇଥିବା ବରଗଡ଼ ସ୍ଥିତ ସମ୍ବଲପୁରୀ ବସ୍ତ୍ରାଳୟକୁ ଜିଓଟ୍ୟାଗ୍ ମାନ୍ୟତା ମିଳିବା ପରେ ଏହା ଏବେ ଆନ୍ତର୍ଜାତୀୟ ବ୍ରାଣ୍ଡ୍ ମାନ୍ୟତା ପାଇଛି । ସେହିଭଳି ଇଣ୍ଡିଆ ହ୍ୟାଣ୍ଡଲୁମ୍ ବ୍ରାଣ୍ଡ, ବ୍ରାଣ୍ଡ୍ ଅଫ୍ ଇଣ୍ଡିଆ ତରଫରୁ ସ୍ୱୀକୃତି ପାଇଥିବା ବସ୍ତ୍ରାଳୟ ଏବେ ଇ-ମାର୍କେଟିଂ ଜରିଆରେ ସମସ୍ତଙ୍କ ହାତ ପହଞ୍ଚକୁ ଆସିପାରିଛି । ନିଜର ୱେବସାଇଟ୍ ସମ୍ବଲପୁରୀବସ୍ତ୍ରାଳୟ.କମ୍ ଜରିଆରେ ବ୍ୟବସାୟ କରୁଥିବା ବସ୍ତ୍ରାଳୟ ଏବେ ଜିଓଓସିଓଓପି, ଆମାଜନ ସହ ସହବନ୍ଧିତ ହୋଇଛି । ରିଲାଏନ୍ସ ଓ ଟାଇଟାନ୍ ସହ ଚୁକ୍ତି ଅନୁଯାୟୀ ବିଭିନ୍ନ ସମ୍ବଲପୁରୀ ଯଥା ଶାଢ଼ି, ଡ୍ରେସ୍ ମେଟେରିଆଲ, ରୁମାଲ, ଲୁଙ୍ଗି, କୋଟ୍, ନେହେରୁ ଜାକେଟ ସମେତ ବହୁ ଉତ୍ପାଦ ବିକ୍ରି କରୁଛି । ସମ୍ବଲପୁରୀ ବସ୍ତ୍ରାଳୟ ସମବାୟ ସମିତି ଦେଶର ଅନ୍ୟତମ ସର୍ବବୃହତ୍ ପ୍ରାଥମିକ ବୁଣାକାର ସମବାୟ ସମିତି ଭାବେ ବିବେଚିତ ହୋଇଆସିଛି । ଏଥିରେ ୫୬୨୮ ଜଣ ତାଲିମପ୍ରାପ୍ତ ବୁଣାକାର ଥିବା ବେଳେ ଏମାନେ ୪୦ଟି ସମବାୟ କେନ୍ଦ୍ର ଦ୍ୱାରା ପରିଚାଳିତ ହେଉଛନ୍ତି । ଏହାବାଦ୍ ଘରୋଇ ସ୍ତରରେ ଲୁଗା ବୁଣୁଥିବା ବୁଣାକାରଙ୍କ ସଂଖ୍ୟା ଆହୁରି ୩୦ ହଜାର ଉପରେ ହେବ ।
ସମ୍ବଲପୁରୀ ହସ୍ତଶିଳ୍ପ ପ୍ରସ୍ତୁତି ପୋଷାକ ବିଦେଶ ମାଟିର ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଦେଶର ପ୍ରଧାନମନ୍ତ୍ରୀଙ୍କ ଶୋଭାବର୍ଦ୍ଧନ କରି ଆସିଛି। ଆକର୍ଷଣୀୟ ନିର୍ମାଣଶୈଳୀ ତଥା ବାନ୍ଧକଳା ହିଁ ଲୋକଙ୍କ ପାଇଁ ପ୍ରଥମ ପସନ୍ଦ ଭାବେ ଉଭା ହୋଇଛି । ଅତି ସରୁ ସୂତାରେ ସୁକ୍ଷ୍ମ କାରିଗରୀ ଦ୍ୱାରା ଆକର୍ଷଣୀୟ ଶାଢ଼ି ତଥା ପୋଷାକ ଆଜି ସାରା ବିଶ୍ୱକୁ ଚହଟାଇଲାଣି । ତେବେ କେନ୍ଦ୍ର ସରକାର ୨୦୧୭ ମସିହାରୁ ଲାଗୁ କରିଥିବା ଜିଏସ୍ଟି ପାଇଁ ସମ୍ବଲପୁରୀ ବସ୍ତ୍ରର ଦରବୃଦ୍ଧି ଆକାଶଛୁଆଁ ହୋଇଯାଇଛି ।
ଏକଦା ପଶ୍ଚିମ ଓଡ଼ିଶାର ଗାଁରୁ ସହର ଓ ଧନୀରୁ ଗରିବ ଯାଏ ସମସ୍ତଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର ଭାବେ ସମ୍ବଲପୁରୀ ପୋଷାକ ବ୍ୟବହାର ହୋଇ ଆସୁଥିଲା । ଗ୍ରାମାଞ୍ଚଳର ଗରିବ ମହିଳାମାନେ ଦାରିଦ୍ର୍ୟ ଭିତରେ ସମ୍ବଲପୁରୀ ଶାଢ଼ିରେ ହିଁ ଦିନ ବିତାଉଥିଲେ । ହେଲେ ଦିନକୁ ଦିନ ବଢୁଥିବା ଦର ଯୋଗୁଁ ଗରିବ ଶ୍ରେଣୀଙ୍କ ହାତପାଆନ୍ତାରୁ ସମ୍ବଲପୁରୀ ପୋଷାକ ଦୂରେଇବାରେ ଲାଗିଛି । ଦରବୃଦ୍ଧି ସୁଯୋଗରେ ରାଜସ୍ଥାନୀ, ବନାରସୀ ଶାଢ଼ି ସମ୍ବଲପୁରୀ ଡିଜାଇନର ନକଲ କରି ବଜାରକୁ ପଶୁଛନ୍ତି । ଇ-କମର୍ସ ସଂସ୍ଥାଗୁଡ଼ିକରେ ବି ସମ୍ବଲପୁରୀ ଭଳି ଦେଖାଯାଉଥିବା ଅବିକଳ ଶାଢି ଓ ପୋଷାକ ଜୋର୍ସୋରରେ ବିକ୍ରି ହେଉଛି । ଏଭଳି ମୌଳିକ ସମସ୍ୟା ବୁଣାକାରଙ୍କ ଜୀବିକାକୁ ବେଶି ପ୍ରଭାବିତ କରୁଛି ।
ସେପଟେ ବଜାର ଦର ତୁଳନାରେ ବୁଣାକାରଙ୍କୁ ପ୍ରାପ୍ୟ ଯଥେଷ୍ଟ କମ୍ ମିଳୁଥିବା ଅଭିଯୋଗ ହେଉଛି । ୧୦ ବର୍ଷ ତଳେ ଯୋଡା ପିଛା ଅର୍ଥାତ ୨ ଖଣ୍ଡ ଶାଢି ନିର୍ମାଣ ପାଇଁ ମଜୁରି ମାତ୍ର ୨୫୦ ଟଙ୍କା ମିଳୁଥିଲା । ବର୍ତ୍ତମାନ ସେହି ସମାନ ଶାଢିର ଦର ୪ ଗୁଣା ବଢିଛି । ହେଲେ ମଜୁରୀ ସେହି ଅନୁପାତରେ ବଢ଼ିନି । ପୁଣି ଗୋଟିଏ ଯୋଡ଼ା ଶାଢ଼ି ତିଆରିରେ ଗୋଟିଏ ପରିବାରର ପ୍ରାୟ ୨ରୁ ୩ ଜଣ ସଦସ୍ୟ ନିୟୋଜିତ ହେବା ସତ୍ତେ୍ୱ ପ୍ରାୟ ସପ୍ତାହେ ଲାଗୁଛି । ମାସକରେ ସାଧାରଣ ଶାଢି ମାତ୍ର ୪ରୁ ୫ ଯୋଡ଼ା ତିଆରି ହିଁ ସମ୍ଭବ । ଏହି ଆଧାରରେ ଆୟ ୧୦ ହଜାର ମଧ୍ୟରେ ସୀମିତ ରହୁଛି ବୋଲି ମତ ଦେଇଛନ୍ତି କେତେଜଣ ବୁଣାକାର । କେବଳ ହାତଗଣତି ଡିଜାଇନର ଶାଢ଼ିରେ କିଛିଟା ଲାଭ ମିଳୁଥିଲେ ହେଁ ଏଥିରେ ପରିଶ୍ରମ ଢେର ଅଧିକ ବୋଲି ସେମାନେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଆଇଆଇଏମ୍ ସମ୍ବଲପୁର ବୁଣାକାରଙ୍କ ଉନ୍ନତି ପାଇଁ ବିଭିନ୍ନ ଅନଲାଇନ୍ ସଂସ୍ଥା ସହ ଏମ୍ଓୟୁ କରିବା ସହ ଏହାର ପ୍ରଚାର ପ୍ରସାର ଓ ତାଲିମ ସକାଶେ ଅନେକ ପଦକ୍ଷେପ ହାତକୁ ନେଇଛି । ହେଲେ ବୁଣାକାରଙ୍କୁ ତାଙ୍କ ଉଚିତ ପ୍ରାପ୍ୟ ନ ମିଳିବା ଯାଏ ଏହି ଅସ୍ମିତାର ସନ୍ତକ ସଙ୍କଟ ଦେଇ ଗତି କରିବା ଥୟ ବୋଲି ବରିଷ୍ଠ ବୁଣାକାର ମତ ଦେଇଛନ୍ତି ।