ଭୁବନେଶ୍ୱର, ୨୮/୧୧ : ବିକ୍ରାନ୍ତ ମେସିଙ୍କ ଫିଲ୍ମ 'ସାବରମତି ରିପୋର୍ଟ' ଏବେ ଚର୍ଚ୍ଚାରେ। ଗୋଦ୍ରା ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଜବରଦସ୍ତ ରେସ୍ପନ୍ସ ମିଳୁଛି। ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରାଯାଉଛି। ଗୋଟିଏ ପରେ ଗୋଟିଏ ବିଜେପି ଶାସିତ ରାଜ୍ୟ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଉପରେ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି।
ଏହି କ୍ରମରେ ସାମିଲ ହୋଇଛନ୍ତି ରାଜ୍ୟର ମୋହନ ମାଝୀ ସରକାର। ଓଡ଼ିଶାରେ ସାବରମତୀ ରିପୋର୍ଟ ଟ୍ୟାକ୍ସ ଫ୍ରି ହୋଇଥିବା ନେଇ ଗୁରୁବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଂଗ ଗୃହରେ ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ 'ସାବରମତି ରିପୋର୍ଟ' ସମ୍ପର୍କରେ ଏକ ବଡ଼ ଘୋଷଣା କରିଥିଲେ। ଏହି ଚଳଚ୍ଚିତ୍ରଟି ମଧ୍ୟପ୍ରଦେଶରେ ଟିକସମୁକ୍ତ କରାଯାଇଛି। ଛତିଶଗଡରେ ଟିକସ ମୁକ୍ତ କରାଯାଇଛି। ଛତିଶଗଡରେ ଫିଲ୍ମ 'ସାବରମତି ରିପୋର୍ଟ'କୁ ଟ୍ୟାକ୍ସଫ୍ରି କରିବାକୁ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଘୋଷଣା କରିଛନ୍ତି।
ଏହି ଫିଲ୍ମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଜଣେ ୟୁଜର୍ସଙ୍କ ପକ୍ଷରୁ ସାବରମତୀ ରିପୋର୍ଟ ଉପରେ କରାଯାଇଥିବା ଟ୍ୱିଟ୍କୁ ରି-ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ସତ ସାମ୍ନାକୁ ଆସିଲା । ଏହା ଭଲ କଥା । ଏହି ଫିଲ୍ମ ଏଭଳି ଭାବେ ନିର୍ମାଣ କରାଯାଇଛି କି ଯାହାକୁ ସାଧାରଣ ଜନତା ମଧ୍ୟ ଦେଖିପାରିବେ । ମିଛ ହୁଏତ କିଛିଦିନ ପାଇଁ କାଏମ ରହିପାରେ, କିନ୍ତୁ ସତ ଦିନେ ନା ଦିନେ ସାମ୍ନାକୁ ଆସିବ ।