ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଏସ୍‌ଏଚ୍‌ଜିଙ୍କ ପାଇଁ ଧାନକିଣାରେ କଟକଣା, ଦକ୍ଷତା ପରଖିବାକୁ ନିର୍ଦ୍ଦେଶ

ବ୍ୟାସନଗର, ୨୦।୭: ରାଜ୍ୟରେ ସରକାର ବଦଳିବା ପରେ ଅନେକ ବିଭାଗରେ ପରିବର୍ତ୍ତନର ଆଭାସ ମିଳିଲାଣି । ଆଇନ କାନୁନ୍‌ ବଦଳିବା ସହିତ କାର୍ଯ୍ୟଶୈଳୀରେ ମଧ୍ୟ ପରିବର୍ତ୍ତନ ହେଲାଣି । ବିଶେଷକରି ମିଶନ ଶକ୍ତିର ପ୍ରଭାବ ବିଭିନ୍ନ କ୍ଷେତ୍ରରେ କମିବାକୁ ଲାଗିଲାଣି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକର ଭାଗିଦାରୀରେ ବ୍ରେକ୍‌ ଦିଆଯାଇଥିବା ପରିଲକ୍ଷିତ ହେଉଛି । ଯାହାର ନମୁନା ଚଳିତ ବର୍ଷର ଧାନକିଣାରୁ ଜଳଜଳ ଦିଶିଲାଣି । ଚାଷୀଙ୍କ ଠାରୁ ଧାନ କିଣିବା ନିମନ୍ତେ ଖୋଲାଯାଉଥିବା ମଣ୍ଡିରେ ସମବାୟ ସମିତି ସହିତ ଏସ୍‌ଏସ୍‌ଜିଗୁଡ଼ିକୁ ସାମିଲ କରାଯାଉଥିଲା । ପ୍ରତ୍ୟେକ ବ୍ଲକରେ ସମିତି ସହିତ କିଛି ଏସ୍‌ଏସ୍‌ଜି ଧାନ ମଣ୍ଡି ଖୋଲିବାକୁ ଅନୁମତି ପାଉଥିଲେ । କିନ୍ତୁ ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ଧାନ ମଣ୍ଡି ତାଲିକାରୁ ଏସ୍‌ଏସ୍‌ଜିଙ୍କ ସଂଖ୍ୟା ଢ଼େର କମିବାର ଆଶଙ୍କା ସୃଷ୍ଟି ହେଲାଣି । 

ଜୁଲାଇ ୧୨ତାରିଖରେ ସରକାରଙ୍କ ଯୋଗାଣ ବିଭାଗରୁ ଜିଲ୍ଲାପାଳଙ୍କୁ ଆସିଥିବା ଏକ ପତ୍ର(ସଂଖ୍ୟା-୧୦୦୪୭) ରେ ଧାନକିଣାରେ ସାମିଲ ହେଉଥିବା ଏସ୍‌ଏସ୍‌ଜି କିମ୍ବା ପାଣି ପଞ୍ଚାୟତଗୁଡ଼ିକର ମୂଲ୍ୟାଙ୍କନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଧାନକିଣାରେ ସେମାନଙ୍କ ଯୋଗଦାନ ଏବଂ ଦକ୍ଷତାକୁ ଜିଲ୍ଲାପାଳ ପରଖିବା ପରେ ନିଷ୍ପତ୍ତି ନେବାକୁ କୁହାଯାଇଛି । ଯେଉଁମାନେ ଦକ୍ଷତା ପ୍ରଦର୍ଶନରେ ଦୁର୍ବଳ ରହିଥିବେ ତାଙ୍କ ବଦଳରେ ନୂତନ ଏସ୍‌ଏସ୍‌ଜିକୁ ସାମିଲ କରିବାକୁ ପତ୍ରରେ ଉଲ୍ଲେଖ କରାଯାଇଛି । ଫଳରେ ଯାଜପୁର ଜିଲ୍ଲା ପ୍ରଶାସନ ଚଳିତ ବର୍ଷ ଖରିଫ ଋତୁର ଧାନକିଣା ପାଇଁ ଏସ୍‌ଏସ୍‌ଜି ଗୁଡ଼ିକୁ ଅଦ୍ୟାବଧି ଅନୁମତି ନେଇନଥିବା ଜଣାପଡ଼ିଛି । ଯାଜପୁର ଜିଲ୍ଲାର ୧୦ଗୋଟି ବ୍ଲକର ୧୨୨ଟି ସମବାୟ ସମିତି ସହିତ ୫୧ଟି ଏସ୍‌ଏସ୍‌ଜି ଧାନ ମଣ୍ଡି ଖୋଲିବାକୁ ଅନୁମତି ପାଇଥିଲେ । ଜିଲ୍ଲାରେ ୧୭୩ଗୋଟି ଧାନ ମଣ୍ଡିରେ ପଞ୍ଜିକୃତ ୫୩ହଜାର ୧୯୧ଜଣ ଚାଷୀ ଧାନ ବିକ୍ରି କରିଥିଲେ । ଯେଉଁଥିରେ ପ୍ରାୟ ୩୦% ଚାଷୀ ଏସ୍‌ଏସ୍‌ଜି ଜରିଆରେ ଧାନ ବିକ୍ରିରେ ସାମିଲ ହୋଇଥିଲେ । 

ଚଳିତ ବର୍ଷର ଖରିଫ୍‌ ଋତୁ ନିମନ୍ତେ ଧାନ ମଣ୍ଡି ଖୋଲିବାର ପ୍ରକ୍ରିୟା ୧୫ତାରିଖରୁ ଆରମ୍ଭ ହୋଇସାରିଛି । ଜିଲ୍ଲାର ପ୍ରାୟ ୧୨୯ଟି ସମବାୟ ସମିତିରେ ଧାନ ମଣ୍ଡି ଖୋଲିବାକୁ ପ୍ରଶାସନ ଅନୁମତି ଦେଇସାରିଛି । ସେଥିପାଇଁ ସମିତି କାର୍ଯ୍ୟାଳୟଗୁଡ଼ିକରୁ ଚାଷୀ ପଞ୍ଜିକରଣ ଫର୍ମ ସଂଗ୍ରହ ସହିତ ଦାଖଲ କରୁଥିବା ଜଣାପଡ଼ିଛି । ସମିତି କର୍ମଚାରୀ ଗତ ୧୮ତାରିଖରୁ ପଞ୍ଜିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିସାରିଛନ୍ତି । ଜିଲ୍ଲାର କୌଣସି ଗୋଟିଏ ବି ଏସ୍‌ଏସ୍‌ଜି ଏବେ ସୁଦ୍ଧା ଧାନ ମଣ୍ଡି ଖୋଲିବାର ଅନୁମତି ପାଇନାହାନ୍ତି । ଏସ୍‌ଏସ୍‌ଜିର ବୈଧତା ଏବଂ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ରହିଥିବାରୁ ପ୍ରଶାସନ ତାହାର ପରୀକ୍ଷା ନିରୀକ୍ଷା କରୁଥିବା ଜଣାପଡ଼ିଛି । ଜିଲ୍ଲାପାଳଙ୍କ ପକ୍ଷରୁ ଧାନ ମଣ୍ଡି ଖୋଲିଥିବା ଏସ୍‌ଏସ୍‌ଜି ଗୁଡ଼ିକର କାଗଜପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ପୂର୍ବରୁ ଧାନ ମଣ୍ଡି ଖୋଲୁଥିବା ଏସ୍‌ଏସ୍‌ଜିଙ୍କୁ ଆଉ ସୁଯୋଗ ମିଳିବ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ କିଛି ନୂଆ ଏସ୍‌ଏସ୍‌ଜିଙ୍କୁ ଧାନକିଣାରେ ସାମିଲ କରାଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ଏସ୍‌ଏସ୍‌ଜିରେ ପଞ୍ଜିକରଣ ନିମନ୍ତେ ଅପେକ୍ଷା କରିଥିବା ଚାଷୀ ଏବେ ସମିତି ଆଡ଼େ ମୁହାଁଇଲେଣି । 

ସୂଚନା ମୁତାବକ, ଏସ୍‌ଏସ୍‌ଜିକୁ ଧାନ ମଣ୍ଡି ଖୋଲିବାର ଅନୁମତି ଦେବା ପାଇଁ ରହିଥିବା ଆଇନକୁ ପୂର୍ବରୁ ସଠିକ୍‌ ଢ଼ଙ୍ଗରେ କାର୍ଯ୍ୟକାରୀ କରାଯାଇନଥିଲା । ଯେଉଁଠି ସମବାୟ ସମିତି ନଥିବ କିମ୍ବା ସମିତିର ଦକ୍ଷତା ଠାରୁ ଅଧିକ ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜିକରଣ କରୁଥିବେ ସେଠାରେ ଏସଏସଜିଙ୍କୁ ଧାନ ମଣ୍ଡି ଖୋଲିବାର ଅନୁମତି ଦିଆଯିବ । ତାହାପୁଣି ସେମାନଙ୍କ ଦକ୍ଷତାକୁ ବିଚାର କରିବା ପରେ ପ୍ରଶାସନ ନିଷ୍ପତି ନେଇପାରିବ ବୋଲି ବ୍ୟବସ୍ଥା ରହିଥିଲା । କିନ୍ତୁ ଯାଜପୁର ଜିଲ୍ଲାରେ ସାମିଲ ହୋଇଥିବା ୫୧ଗୋଟି ଏସଏସଜିଙ୍କ ମଧ୍ୟରୁ କୁଆଡ଼େ ୮୦% ଏସଏସଜିକୁ ବେଆଇନ ଭାବେ ଧାନ କଣିବାର ଅନୁମତି ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗ ଉଠିଥିଲା । 

କେବଳ ଯାଜପୁର ଜିଲ୍ଲା ନୁହେଁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଆସୁଥିବା ଏହିଭଳି ଅଭିଯୋଗକୁ ଆଧାର କରି ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା କୁହାଯାଉଛି । ସରକାରଙ୍କ ଏହି ନିର୍ଦ୍ଦେଶନାମା ଫଳରେ ଧାନ ମଣ୍ଡି ଖୋଲିବାର ଅନୁମତି ପାଉଥିବା ବଡ଼ଚଣାର ୧୭, ବିଞ୍ଝାରପୁର ୬, ଦଶରଥପୁରର ୯, ଧର୍ମଶାଳାର ୩, ଯାଜପୁରର ୮, କୋରେଇର ୬ଗୋଟି ଏସଏସଜିର ଭାଗ୍ୟ ଏବେ ସୁତା ଖିଅରେ ଝୁଲୁଛି । ବିଶେଷକରି କୋରେଇ ବ୍ଲକର ୬ଗୋଟି ଏସଏସଜିକୁ ଆଉ ଧାନ ମଣ୍ଡି ଖୋଲିବାର ଅନୁମତି ମିଳିବ ନାହିଁ ବୋଲି ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି । ଯଦିଓ ପଞ୍ଜିକରଣ ଫର୍ମ ଗ୍ରହଣ ଜୁଲାଇ ୩୧ତାରିଖ ଏବଂ ଚାଷୀଙ୍କ ଠାରୁ ପଞ୍ଜିକରଣ ଫର୍ମ ସଂଗ୍ରହ ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ ରହିଛି । ତେଣୁ ଯାଜପୁର ଜିଲ୍ଲା ପ୍ରଶାସନ ଏସଏସଜି ଗୁଡ଼ିକର ଦକ୍ଷତାକୁ ପରଖିବା ପରେ ଜିଲ୍ଲାର କିଛି ଏସଏସଜିକୁ ଧାନମଣ୍ଡି ଖୋଲିବାର ଅନୁମତି ଦେଇପାରେ ବୋଲି ଅନୁମାନ କରାଯାଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.