ଭୁବନେଶ୍ୱର, ୬।୧: ଆମେ ମାନବିକ ଅଧିକାରର ସୁରକ୍ଷା ଏବଂ ସମସ୍ତଙ୍କ ପାଇଁ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିବାକୁ ଡିଣ୍ଡିମ ପିଟୁଥିଲେ ସୁଦ୍ଧା ବାସ୍ତବତା ଯେ ତାହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏହି ସତ୍ୟକୁ ସ୍ୱୀକାର କରିବାକୁ ପଡ଼ିବ । କିନ୍ତୁ ଆଚରଣ ଓ ଉଚ୍ଚାରଣ ମଧ୍ୟରେ ଥିବା ଏହି ବୈଷମ୍ୟ ଦୁନିଆକୁ ଧ୍ୱଂସ ମୁହଁକୁ ଯେପରି ଟାଣି ନନିଏ ତାହା ସୁନିଶ୍ଚିତ କରିବା ମଧ୍ୟ ଆମ ସମସ୍ତଙ୍କର ଦାୟିତ୍ୱ, ସେକଥା ଭୁଲିଯିବା ଉଚିତ ନୁହେଁ ।
୨୦୨୪ ମସିହା ଶେଷ ସୁଦ୍ଧା ବିଶ୍ୱରୁ ୟୁକ୍ରେନ୍ ଏବଂ ଗାଜା ଯୁଦ୍ଧର ଅବସାନ ଘଟିବ ବୋଲି ଆଶାବାଦୀମାନେ ଦୃଢ଼ତାର ସହିତ ବିଶ୍ୱାସ କରୁଥିଲେ । କିନ୍ତୁ ସେମାନଙ୍କର ଉଭୟ ଅନୁମାନ ଭୁଲ୍ ବୋଲି ପ୍ରମାଣିତ ହୋଇଛି । ଆଶାବାଦୀମାନଙ୍କ ମନରୁ କିନ୍ତୁ ବିଶ୍ୱାସ ତୁଟିନାହିଁ । ସେମାନେ ମତ ପୋଷଣ କରିଛନ୍ତି ଯେ ୨୦୨୫ ମସିହାରେ ଉଭୟ ଯୁଦ୍ଧର ଅବଶ୍ୟ ଅବସାନ ଘଟିବ । ସେମାନଙ୍କୁ ତୁଣ୍ଡ ସୁତୁଣ୍ଡ ହେଉ ବୋଲି ଆଶା କରିବା ଉଚିତ ହେବ । ବିଶ୍ୱବାସୀ ଯୁଦ୍ଧ ବନ୍ଦ ପାଇଁ ଏପରି କାମନା କରିଆସୁଥିଲେ ସୁଦ୍ଧା ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିବା ପକ୍ଷଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ଘଟିବା ପରି ମନେହୁଏନାହିଁ । ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିଲା ୨୦୨୨ ମସିହା ଫେବ୍ରୁଆରୀ ୨୨ ତାରିଖ ଦିନ ।
ସଦ୍ୟତମ ଆକଳନ ଅନୁସାରେ, ଏହି ଦୁଇବର୍ଷର ଯୁଦ୍ଧରେ ରୁଷିଆର ପ୍ରାୟ ସାଢ଼େ ଚାରିଲକ୍ଷ ସୈନିକ ମୃତାହତ ହୋଇଛନ୍ତି ଏବଂ ଏହି ସମୟ ମଧ୍ୟରେ ୟୁକ୍ରେନ୍ ହରାଇଛି ପ୍ରାୟ ୪୩ ହଜାର ସୈନିକ । ଏହି ପରିସଂଖ୍ୟାନରେ ସତ୍ୟତା ଯାହା ହେଉ ନା କାହିଁକି ଗତ ଦୁଇ ବର୍ଷ ମଧ୍ୟରେ ଏହି ଯୁଦ୍ଧରେ ରୁଷିଆକୁ ବିପୁଳ ସଂଖ୍ୟକ ସେନାଙ୍କୁ ମୃତାହତ ହେବାକୁ ପଡ଼ିଛି । ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କିନ୍ତୁ ଦୁଇଟି ସଫଳତାକୁ ନେଇ ସନ୍ତୋଷ ରହିଥିବା ପରି ପ୍ରତୀୟମାନ ହୁଏ । ସେଥିରୁ ପ୍ରଥମଟି ହେଉଛି ୟୁକ୍ରେନ୍କୁ ଏକ ପ୍ରକାର ଧ୍ୱଂସସ୍ତୂପରେ ପରିଣତ କରିବାରେ ରୁଷ୍ ସେନା ସକ୍ଷମ ହୋଇଛନ୍ତି ଏବଂ ରୁଷିଆ ପ୍ରତିଦିନ ପ୍ରାୟ ୧୪ ବର୍ଗ କିଲୋମିଟର ଭୂମି ଅଧିକାର କରିଚାଲିଛି । ଯେକୌଣସି ଯୁଦ୍ଧରେ ଏହି ଦୁଇଟି ଲକ୍ଷ୍ୟ ହିଁ ମହତ୍ତ୍ୱ ବହନ କରିଥାଏ । କିନ୍ତୁ ବାସ୍ତବତା କହେ, ଏହି ଯୁଦ୍ଧ ଦୁଇ ଦେଶକୁ ଏକପ୍ରକାର ରଣକ୍ଳାନ୍ତ କରିସାହିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ଆଡ଼କୁ ଯେପରି ଅନେକ ୟୁରୋପୀୟ ରାଷ୍ଟ୍ରରେ (ରୁଷିଆ ସମେତ) ସୈନ୍ୟ ସଂକଟ ଦେଖାଦେଇଥିଲା ଏବଂ ସ୍ୱଳ୍ପ ବୟସ୍କ କିଶୋରମାନଙ୍କୁ ସୁଦ୍ଧା ସେନାରେ ବାଧ୍ୟତାମୂଳକ ଭାବରେ ସାମିଲ କରାଯାଇଥିଲା ଏବେ ପୁଣି ଥରେ ଇତିହାସର ପୁନରାବୃତ୍ତି ହେବା ପରି ପ୍ରତୀୟମାନ ହୁଏ । ଏବେ ରୁଷିଆ ଯୁଦ୍ଧରେ ଲଢ଼ିବା ସକାଶେ ଉତ୍ତର କୋରିଆରୁ ସୈନ୍ୟଙ୍କୁ ଭଡ଼ାରେ ଆଣିଛି ବୋଲି ଅଭିଯୋଗ ହୁଏ ।
ଏକ ଆକଳନ ଅନୁସାରେ ପ୍ରାୟ ୧୧ ହଜାର ଉତ୍ତର କୋରିଆ ସୈନିକ ରୁଷ ପାଇଁ କୁର୍ସ୍କ ଅଞ୍ଚଳରେ ୟୁକ୍ରେନ୍ ବିରୁଦ୍ଧରେ ଲଢ଼େଇ କରୁଛନ୍ତି । ସେହିଭଳି ନିଜ ମାତୃଭୂମିର ସୁରକ୍ଷା ସକାଶେ ୟୁକ୍ରେନ୍ରେ ସୈନ୍ୟଙ୍କ ଢେର୍ ଅଭାବ ଦେଖାଦେଇଛି । ତେଣୁ ଅଳ୍ପ ବୟସର କିଶୋର କିଶୋରୀମାନଙ୍କୁ ବନ୍ଧୁକ ଧରି ସୀମାନ୍ତରେ ଲଢ଼ିବା ସକାଶେ ବାଧ୍ୟ କରାଯାଉଛି । ନିକଟରେ ଫ୍ରାନ୍ସରେ ଯୁଦ୍ଧ ତାଲିମ ଗ୍ରହଣ କରି ଫେରିବା ପରେ ପ୍ରାୟ ୧୪୦୦ରୁ ଅଧିକ ସୈନିକ ରୁଷିଆକୁ ଖସି ପଳାଇଛନ୍ତି । ସେମାନେ ଯେ ଯୁଦ୍ଧ କରିବାକୁ ଅନିଚ୍ଛୁକ ତାହା ସେମାନଙ୍କ ଆଚରଣରୁ ସ୍ପଷ୍ଟ ହୋଇଛି । ଅର୍ଥାତ୍, ଯୁଦ୍ଧ ପାଇଁ ଉଭୟ ପକ୍ଷର ସାଧାରଣ ନାଗରିକମାନେ ଆଦୌ ଇଚ୍ଛୁକ ନୁହନ୍ତି । ସେମାନେ ଏଭଳି ବିପଦ, ଅନିଶ୍ଚିତତା ଆଡ଼ୁ ମୁହଁ ଫେରାଇ ନେବାକୁ ଚାହାନ୍ତି । କିନ୍ତୁ ତାହା ସେମାନଙ୍କ କ୍ଷମତା ବାହାରେ । କେବଳ ଦୁଇ ଦେଶବାସୀଙ୍କ କ୍ଷମତା ବହିର୍ଭୂତ ନୁହେଁ, ବିଶ୍ୱବାସୀଙ୍କ ଆୟତ୍ତ ବାହାରେ । ୟୁକ୍ରେନ୍ ଅବା ଗାଜା ଯୁଦ୍ଧକୁ ରୋକିବା ସକାଶେ ଗତବର୍ଷ ଯେଉଁ ପ୍ରୟାସ କରାଯାଇଥିଲା ତାହା ପ୍ରଶଂସନୀୟ ହେଲେ ସୁଦ୍ଧା ସେଥିରୁ କୌଣସି ସୁଫଳ ମିଳିନାହିଁ ।
ଗାଜା ଯୁଦ୍ଧ ଯେଉଁଭଳି ଭାବରେ କ୍ଷେତ୍ରୀୟ ଯୁଦ୍ଧର ରୂପ ଧାରଣ କରିଥିଲା ଏବଂ ଇସ୍ରାଏଲ ବିପକ୍ଷରେ ହମାସ୍ ସହିତ ହେଜବୋଲ୍ଲା, ହାଉଥି, ଲେବାନନ ଓ ଇରାନ ସମେତ ଅନ୍ୟ ରାଷ୍ଟ୍ରମାନେ ଯୁଦ୍ଧ ଘୋଷଣା କରିଥିଲେ ତାହା ବିଶ୍ୱଯୁଦ୍ଧର ରୂପ ଧାରଣ କରିପାରେ ବୋଲି ଆଶଙ୍କା କରାଯାଉଥିଲା । ଇରାନ ଏବଂ ଇସ୍ରାଏଲ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଏବଂ ସେମାନଙ୍କ ପଛରେ ଆମେରିକା ଓ ରୁଷିଆ ଭଳି ଶକ୍ତିମାନେ ରହିଛନ୍ତି । ଗାଜା ଯୁଦ୍ଧ ନୁହେଁ ୟୁକ୍ରେନ ଯୁଦ୍ଧ ମଧ୍ୟ ପରୋକ୍ଷ ଶକ୍ତିମାନଙ୍କ ସହାୟତାରେ ଚାଲିଛି । ଏହା ଛାୟାଯୁଦ୍ଧ ଠାରୁ ସୁଦ୍ଧା ଅଧିକ । ଗାଜାରେ ଯେଉଁ କ୍ଷେପଣାସ୍ତ୍ରଟି ମାଡ଼ ହେଉଛି ଅଥବା ୟୁକ୍ରେନ୍ରେ ଯେଉଁ ତୋପରୁ ଗୋଳା ବିସ୍ଫୋରଣ ଘଟୁଛି ତାହା ଏହି ବୃହତ୍ ଶକ୍ତିମାନଙ୍କ ଦାନ । ସେମାନେ ନିଜ ନିଜ ପ୍ରତିରକ୍ଷା ସାମର୍ଥ୍ୟକୁ ବିଶ୍ୱବାସୀଙ୍କୁ ପ୍ରଦର୍ଶନ କରୁଛନ୍ତି । ପ୍ରତି ଅସ୍ତ୍ରର ମାରକ କ୍ଷମତା ପରୀକ୍ଷା କରୁଛନ୍ତି ।
ବିଶେଷଜ୍ଞମାନଙ୍କ ଆକଳନ ଯେ, ଯଦି ଏବେ ଯୁଦ୍ଧ ବନ୍ଦ୍ ହୁଏ ତେବେ ଗାଜା ପଟ୍ଟି ଏବଂ ୟୁକ୍ରେନ୍କୁ ଯୁଦ୍ଧ ପୂର୍ବର ଅବସ୍ଥାକୁ ଲେଉଟାଇ ଆଣିବା ସକାଶେ ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ଲାଗିବ । ଏଥିପାଇଁ ପ୍ରାୟ ୫୦୦ ବିଲିୟନରୁ ଅଧିକ ଡଲାର ବ୍ୟୟ କରିବାକୁ ହେବ । ଯୁଦ୍ଧ ଯୋଗୁ ଯେତିକି ଲୋକ ଉଦ୍ବାସ୍ତୁ ହୋଇଛନ୍ତି, ସେମାନେ ଓ ସେମାନଙ୍କ ଭବିଷ୍ୟତ ପିଢ଼ି ସବୁଦିନ ପାଇଁ ଶରଣାର୍ଥୀର ଦୟନୀୟ ଜୀବନ ବଞ୍ଚିବାକୁ ବାଧ୍ୟ ହେବେ । ଆମେ ମାନବିକ ଅଧିକାରର ସୁରକ୍ଷା ଏବଂ ସମସ୍ତଙ୍କ ପାଇଁ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିବାକୁ ଡିଣ୍ଡିମ ପିଟୁଥିଲେ ସୁଦ୍ଧା ବାସ୍ତବତା ଯେ ତାହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏହି ସତ୍ୟକୁ ସ୍ୱୀକାର କରିବାକୁ ପଡ଼ିବ । କିନ୍ତୁ ଆଚରଣ ଓ ଉଚ୍ଚାରଣ ମଧ୍ୟରେ ଥିବା ଏହି ବୈଷମ୍ୟ ଦୁନିଆକୁ ଧ୍ୱଂସ ମୁହଁକୁ ଯେପରି ଟାଣି ନନିଏ ତାହା ସୁନିଶ୍ଚିତ କରିବା ମଧ୍ୟ ଆମ ସମସ୍ତଙ୍କର ଦାୟିତ୍ୱ, ସେକଥା ଭୁଲିଯିବା ଉଚିତ ନୁହେଁ ।