ଭୁବନେଶ୍ୱର, ୬।୧/ପ୍ରଫୁଲ୍ଲ କୁମାର ମହାନ୍ତି: ପ୍ରାୟ ୧୦୮ବର୍ଷ ତଳେ ପ୍ରଖ୍ୟାତ ଆଇରିସ୍ କବି ଉଇଲିୟମ ବଟଲର୍ ୟେଟ୍ସ ଲେଖିଥିଲେ ‘କେନ୍ଦ୍ରର ଧାରଣ ଶକ୍ତି ଆଉ ନାହିଁ, ସବୁ ଜିନିଷ ଭାଙ୍ଗିପଡ଼ିଛି’ । ଚିନୁଆ ଏ ଚିକି ନୋବେଲ ପୁରସ୍କାର ପାଇଥିଲେ ‘ଥିଙ୍ଗସ୍ ଫଲ୍ ଆପାର୍ଟ’ ଉପନ୍ୟାସ ଲାଗି ୧୯୨୩ ମସିହାରେ । କିନ୍ତୁ ଆମ ପୃଥିବୀ ଏପର୍ଯ୍ୟନ୍ତ ଖଣ୍ଡ ଖଣ୍ଡ ହୋଇ ଖସି ପଡ଼ୁନାହିଁ ଶିବ କାନ୍ଧେଇଥିବା ସତୀ ଦେହରୁ ମାଂସ ହାଡ଼ ଖସିଲା ପରି । ବାସୁକୀର ମୁଣ୍ଡରୁ ମଧ୍ୟ ଖସିନାହିଁ ପୃଥିବୀ କିମ୍ବା ଆଟଲାସ୍ ହାତରୁ ଆମର ବିଶ୍ୱ । ପ୍ରତ୍ୟେକ ଶତାବ୍ଦୀରେ ବିଭିନ୍ନ ବର୍ଗର ଲୋକେ ପୃଥିବୀର ଶାନ୍ତି ଘୋଷଣା କରନ୍ତି । ଗତ ଶତାବ୍ଦୀରେ ହେଲବପ୍ କଥା ଅନେକେ ଶୁଣିନଥିବେ । ଆମେରିକା-ୟୁରୋପରେ ଅନେକ ଲୋକ ସ୍ୱର୍ଗୀୟ ଜାହାଜକୁ ଅପେକ୍ଷା କରିଥିଲେ ଧରାତ୍ୟାଗ କରିବା ପାଇଁ । ଯୁଗେ ଯୁଗେ ପୃଥିବୀ ଧ୍ୱଂସ ହୁଏ ବୋଲି ଲୋକେ କହନ୍ତି ବୋଧହୁଏ ନବଯୁଗ ପରିକଳ୍ପନାର ଆଭାସ ନେବାପାଇଁ । କିନ୍ତୁ, ଅନ୍ତତଃ ଏପର୍ଯ୍ୟନ୍ତ କୌଣସି ଭୌଗୋଳିକ ବିଭ୍ରାଟ ହୋଇ କିଛି ଘଟିନାହିଁ ।
ବିଜ୍ଞାନ ଅନୁସାରେ, ଯାହା ଆମେ ଦେଖୁ ସେପରି ସୌରପୁଞ୍ଜ ବିଶ୍ୱବ୍ରହ୍ମାଣ୍ଡରେ ଲକ୍ଷ ଲକ୍ଷ ଅଛି । ସବୁ ସୌରମଣ୍ଡଳ ଧ୍ୱଂସ ହେବ । ଆମ ପୃଥିବୀ ମଧ୍ୟ ନିଶ୍ଚୟ ଧ୍ୱଂସ ହେବ । କିନ୍ତୁ ଆମେ ଯେଉଁମାନେ ବର୍ତ୍ତମାନ ଜୀବିତ ସେମାନେ ଆଶ୍ୱସ୍ତ ହେବା ଉଚିତ ଯେ ଏପର୍ଯ୍ୟନ୍ତ ମଣିଷ ଧ୍ୱଂସ ହୋଇନାହିଁ କି ପୃଥିବୀ ଛିଣ୍ଡି ପଡ଼ିନାହିଁ । ବରଂ ଲୋକସଂଖ୍ୟା ଏବେ ପ୍ରାୟ ୮ ବିଲିୟନ । ଷ୍ଟିଭେନ ୱେଇନବର୍ଗଙ୍କ ମତାନୁସାରେ, ଆମର ବିଶ୍ୱ ଏପର୍ଯ୍ୟନ୍ତ ପ୍ରସାରଣ ପ୍ରକ୍ରିୟା ଜାରି ରଖିଛି । ତେବେ ଆଉ କ’ଣ କୃଷ୍ଣ ଆସିବେ ନାହିଁ ? ସମ୍ଭବାମି ଯୁଗେ ଯୁଗେ କ’ଣ ହେବନାହିଁ ? ତାହାହେଲେ ଏତେସବୁ କବି, ଦାର୍ଶନିକ, ଧର୍ମଗୁରୁ ଓ ବୈଜ୍ଞାନିକ କାହିଁକି ଧ୍ୱଂସଚିତ୍ର ଛନ୍ଦାୟିତ କରୁଛନ୍ତି ବିଭିନ୍ନ ଭଙ୍ଗୀରେ? ଆପଣ ଭାବୁଥିବେ ମୁଁ କାହିଁକି ଏପରି କଥା କହୁଛି ? ତେଣୁ ପ୍ରଥମରୁ କହିରଖୁଛି ଯେ ମୁଁ କେନ୍ଦ୍ର ସରକାର ବା ଶାସନ କଥା କହୁନାହିଁ । ମୋର କହିବା କଥା ହେଲା, ବିଶ୍ୱର କେନ୍ଦ୍ରଚ୍ୟୁତି । ଯଦି ଏ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂର୍ଣ୍ଣାୟମାନ ଏହାର ନିଶ୍ଚୟ ଏକ ଅକ୍ଷଦଣ୍ଡ ଅଛି ଯେହେତୁ ପୃଥିବୀ ଘୂରି ଘୂରି ଗତିକରେ । ଭାରତୀୟ ଶାସ୍ତ୍ର ଓ ଆଧୁନିକ ବିଜ୍ଞାନ ଉଭୟ ଏହି ସତ୍ୟ ସ୍ୱୀକାର କରନ୍ତି । ଆମ ପୃଥିବୀର ଅକ୍ଷ ଏକ କାଳ୍ପନିକ ରେଖା, ଯାହାର ଉପର ବିନ୍ଦୁ ଜେନିଥ୍ ଓ ନିମ୍ନବିନ୍ଦୁ ନାଦିର୍ କୁହାଯାଏ । ପୃଥିବୀ ଏକ ଡିସି ଢଳି ଗତିକରେ ଏବଂ ଋତୁ ପରିବର୍ତ୍ତନ ହୁଏ । ସୂର୍ଯ୍ୟରଶ୍ମି ତେଜ ଅନୁପାତରେ ଋତୁ ବଦଳେ । ଏହାହିଁ ବିଶ୍ୱର କେନ୍ଦ୍ର ।
ପୃଥିବୀର କେନ୍ଦ୍ରବିନ୍ଦୁର ରେଡିୟସ୍ ୩୪୮୫ କିମି. ଏବଂ ଏହା ପୃଥିବୀର ୧୯୦୦ କିମି. ଗଭୀରରେ ରହିଛି । ଏହା ସବୁଠାରୁ ଉତ୍ତପ୍ତ, ଏହି କେନ୍ଦ୍ରାଞ୍ଚଳ ହିଁ ବିଶ୍ୱର ଭାରସାମ୍ୟ ରକ୍ଷାକରେ । ଏହି ଭାରସାମ୍ୟ ମଣିଷ ସମାଜରେ ମଧ୍ୟ ପରିଲକ୍ଷିତ ହୁଏ । ଅକ୍ଷଦଣ୍ଡର ମଝିରେ ଏହା ଯଦି ଠିକ୍ ଭାବେ ରହିନପାରେ ଅର୍ଥାତ୍ ବେଶୀ ଢଳିଯାଏ ତେବେ ବିଶ୍ୱରେ ବିଭ୍ରାଟ ଘଟେ । ଅବଶ୍ୟ ଏସବୁ ଦର୍ଶନ ଓ ବିଜ୍ଞାନର କଳ୍ପନା ଏବଂ ପରୀକ୍ଷିତ ତଥ୍ୟ । ଏହି ତଥ୍ୟ ନେଇ ୟେଟ୍ସ ‘ଦ ସେକେଣ୍ଡ କମିଂ’ରେ ଲେଖିଥିଲେ- କେନ୍ଦ୍ର ଆଉ ଧାରଣ କରିପାରୁନାହିଁ । ତେଣୁ ସବୁ କଥା ବା ସବୁ ମୂଲ୍ୟବୋଧ ବିକ୍ଷିପ୍ତ ହୋଇପଡ଼ିଛି । ୟେଟ୍ସ ଅବଶ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭର ପ୍ରାୟ ଛଅ ମାସ ପୂର୍ବରୁ ପ୍ରାଣତ୍ୟାଗ କରିଥିଲେ (୧୯୩୯) । ତେଣୁ ସେ ଆଲାଏଡ୍ ପାୱାରର କରାଳ ଲୀଳା ଦେଖିନାହାନ୍ତି, କିନ୍ତୁ ତାହା ଘଟିବ ବୋଲି ଆଶଙ୍କା କରୁଥିଲେ । ଜର୍ମାନୀ ଓ ଇଟାଲିର ହିଟଲର୍ ଓ ମୁସୋଲିନି ମିଶି ଏକ୍ସିମ୍ ଶକ୍ତି ଗଠିତ ହୋଇଥିଲା ଏବଂ ତାହା ୟୁରୋପ ଓ ସମଗ୍ର ବିଶ୍ୱରେ ମଣିଷର ଅନ୍ନ ପାଇଁ ଧ୍ୱଂସଲୀଳା ଆରମ୍ଭ କରିଥିଲା । ଏହାର ବିରୋଧୀ ଶକ୍ତି ଭାବେ ଆଲାଏଡ୍ ପାୱାର ବା ମିଳିତ ମିତ୍ରଶକ୍ତି ପ୍ରତିରୋଧ କରି ବିଜୟୀ ହୋଇଥିଲା । ଏହାର ମୁଖ୍ୟ କର୍ମବୀର ଥିଲେ ଚର୍ଚ୍ଚିଲ । ୨୦୨୪ର ବିଶ୍ୱ ବର୍ତ୍ତମାନ ସେହି କେନ୍ଦ୍ରଚ୍ୟୁତ ଦିଗକୁ ଗତିକରୁଛି ବୋଲି ଅନୁଭବ ହେଉଛି । ଅବସ୍ଥା ଯୁଦ୍ଧ, ଧର୍ମବିଦ୍ୱେଷ, ରାଜନୀତିକ କନ୍ଦଳ ଏବଂ ଅଶାନ୍ତି ତଥା ଆଶଙ୍କାରେ ସମଗ୍ର ବିଶ୍ୱ ଏବେ ପୀଡ଼ିତ । ଏହା ସ୍ପଷ୍ଟ ସୂଚାଏ ଯେ, ବିଶ୍ୱର ନୈତିକ ଭାରକେନ୍ଦ୍ର ଏବେ ନିଜ କକ୍ଷରେ ନାହିଁ । ବିଶ୍ୱ ମାନବକୁ ଧାରଣ କରେ ମାତ୍ରାଶୃଙ୍ଖଳାର ନୈତିକତା ସନ୍ତୁଳନ । ଧରାଂ ଧାରୟତି ଇତି ଧର୍ମ, ସେହି ମର୍ମରେ ଭାରତରେ କୁହାଯାଇଛି ।
ମାତ୍ରାନୈତିକତାର ବିଭ୍ରାଟର ପରିମାଣ ମାପେ, ଏହାଦ୍ୱାରା ସନ୍ତୁଳନ କେତେ ମାତ୍ରାରେ ବିଗିଡ଼ି ଯାଇଛି କଳନା କରିହୁଏ ଏବଂ ଭବିଷ୍ୟବାଣୀ ମଧ୍ୟ କରାଯାଇପାରେ ଯେ ବିଶ୍ୱରେ କ’ଣ ହେବ । ମୁଁ ନୈତିକତା ଶବ୍ଦକୁ ଅତି ବ୍ୟାପକ, ବିରାଟ ଅର୍ଥରେ ବ୍ୟବହାର କରୁଛି । ପ୍ରତ୍ୟେକ ବ୍ୟକ୍ତି ଯେଉଁ ନୈତିକତା କଥା କୁହେ ତାହା ଏହି ନୈତିକ ବିଶ୍ୱର ପ୍ରତିଫଳନ କେବଳ । ଉଦାହରଣ ସ୍ୱରୂପ, ଦୁର୍ଯ୍ୟୋଧନର ସେହି ବାକ୍ୟ ସ୍ମରଣ କରାଯାଉ- ବିନା ଯୁଦେ୍ଧ ସୂଚ୍ୟଗ୍ର ମେଦିନୀ ଦେବିନାହିଁ । ମେଦିନୀ ସମଗ୍ର ବିଶ୍ୱକୁ ବୁଝାଏ । ଯେଉଁ ବିଶ୍ୱ ମାଟି, ପାଣି, ଜଳ, ବାୟୁ ଓ ଆକାଶ ପାଇଁ ଉପାଦାନକୁ ନେଇ ଗଠିତ । ମଣିଷ ମଧ୍ୟ ସେହି ପଞ୍ଚ ଉପାଦାନରେ ଏକ ମୂର୍ତ୍ତି । ତେବେ ମଣିଷର କ’ଣ ଅଧିକାର ଅଛି ମେଦିନୀର ପ୍ରଭୁ (ମାଲିକ, ଅଧିକାରୀ) ଭାବେ କଥା କହିବା ଲାଗି? ଦୁର୍ଯ୍ୟୋଧନର ଏହି ନୈତିକ ଉଲ୍ଲଙ୍ଘନ ବିଶ୍ୱବିଧ୍ୱଂସୀ କୁରୁକ୍ଷେତ୍ର ସୃଷ୍ଟିକରି ଗୋଟିଏ ସଭ୍ୟତାକୁ ଧ୍ୱଂସ କଲା । ୨୦୨୪ର ବିଶ୍ୱ ସେଭଳି ଏକ ନୈତିକ ବିଭ୍ରାଟ ଯୋଗୁଁ ଅଶାନ୍ତ, ତ୍ରସ୍ତ ଏବଂ ନିଶ୍ଚୟ ଆଶଙ୍କିତ ।
ଅନ୍ତଃଦୃଷ୍ଟିସମ୍ପନ୍ନ ବ୍ୟକ୍ତି ବର୍ତ୍ତମାନ ବୁଝିପାରେ ଯେ, ଦୁଇ ପ୍ରକାର ଯୁଦ୍ଧ ପୃଥିବୀକୁ ଅସ୍ଥିର କରୁଛି । ପ୍ରଥମ ଅସ୍ତ୍ରଯୁଦ୍ଧ, ଯାହା ପ୍ରାୟ ତିନିବର୍ଷ ହେଲା ରୁଷିଆ ଓ ୟକ୍ରେନ ମଧ୍ୟରେ ଚାଲିଛି । ଇସ୍ରାଏଲ-ଗାଜା-ଲେବାନନ କବ୍ଜାରେ । ଯୁଦ୍ଧବିରତି ଇସ୍ରାଏଲ ଘୋଷଣା କଲେ ମଧ୍ୟ ଦକ୍ଷିଣ ଲେବାନନରୁ ପୁଣି ହିଜବୋଲା ମିଶାଇଲ ଆକ୍ରମଣ କରିଛି । ଇରାନ ପଛରେ ରହି କେବଳ ନିଜର ଓ ବିଶ୍ୱର କ୍ଷତି କରୁଛି । ଆମେରିକା ଅସ୍ତ୍ରରେ ଜେଲେନସ୍କି ଯୁଦ୍ଧ କରି ନିଜ ଦେଶକୁ ୧୦୦ବର୍ଷ ପଛକୁ ନେଇଯାଇଛନ୍ତି । ଆଜି ଯୁଦ୍ଧ ବନ୍ଦ ହେଲେ ବି ୟୁକ୍ରେନ ଯୁଦ୍ଧ ପୂର୍ବ ଅବସ୍ଥାକୁ ଯିବାଲାଗି ୫୦ବର୍ଷ ଲାଗିବ । ସେହିପରି ଇରାନ ଗାଜାଲେବାନନ ଆତଙ୍କୀଙ୍କୁ ଅସ୍ତ୍ର-ଧନ ଦେଇ ଯୁଦ୍ଧ ଦେଖୁଛି । ଏମାନେ ବୁଝନ୍ତିନାହିଁ ଯେ ନିଜକୁ ଧ୍ୱଂସ କରିବା ସହ ଏମାନେ ବିଶ୍ୱକୁ କିପରି ଧକ୍କା ଦେଉଛନ୍ତି । ଦୁଇଟିଯାକ ଯୁଦ୍ଧ ଅକାରଣ ଯୁଦ୍ଧ । ଆମେରିକାରେ ଯେଉଁ ବାମପନ୍ଥୀ ଉଦାରବାଦୀମାନେ ବାଉଣ୍ଡରୀହୀନ ପୃଥିବୀମୁକ୍ତ ଅଭିବ୍ୟକ୍ତି ଓ ବିଶ୍ୱବଜାର ଅର୍ଥନୀତିର ଆଦର୍ଶ ନେଇ ଦକ୍ଷିଣପନ୍ଥୀ, ଦେଶପ୍ରେମୀ ଐତିହ୍ୟବାଦୀ, ଆତ୍ମନିର୍ଭରଶୀଳ ଆଦର୍ଶରେ ବିରୋଧ କରନ୍ତି । ଏହା ଅସ୍ତ୍ରଶସ୍ତ୍ର ସିଧା ବ୍ୟବହାର ନକରି ପରୋକ୍ଷରେ ବ୍ୟବହାର କରେ । ଏହି ଆଦର୍ଶକୁ ୱିକିଜିମ୍ କହନ୍ତି । ଆମେରିକାର ବାଇଡେନ ସରକାର ଏହାର ସମର୍ଥକ । ନାଟୋ ସଦସ୍ୟ ଦେଶମାନେ ମଧ୍ୟ ଏହି ଯୁଦ୍ଧ ତାଙ୍କର ଶକ୍ତି ଅନୁସାରେ ଚଳେଇଛନ୍ତି । ଏମାନଙ୍କର ଲକ୍ଷ୍ୟ ହେଲା ରିପବ୍ଲିକାନ (ଟ୍ରମ୍ପ) ନଆସନ୍ତୁ ଏବଂ ଭାରତର ମୋଦି ସରକାରର ପତନ ହେଉ ।
ଭାରତକୁ ଦୁର୍ବଳ କରିବା ଲାଗି ଆମେରିକା ଶେଖ୍ ହାସିନାଙ୍କୁ ବଙ୍ଗଳାଦେଶରୁ ହଟାଇଛି । ପାକିସ୍ତାନ, ଆଦର୍ଶଶୂନ୍ୟ ହୋଇ ଅମାନବିକତା ଆଡ଼କୁ ମୁହଁଉଛି । ଗତ ଦୁଇବର୍ଷ ହେଲା ଆମେ ଦେଖୁଚୁ ଯେ ଭାରତ ଭିତରୁ ହିଁ ହିନ୍ଦୁବିରୋଧୀ ବାକ୍ୟ-ମେଣ୍ଟ ଆରମ୍ଭ ହୋଇଛି । ଭାଷାକୁ ନେଇ ଓ ଜାତିକୁ ନେଇ ଭାରତକୁ ଖଣ୍ଡ ଖଣ୍ଡ କରିବା ଉଦ୍ୟମ ଲାଗିରହିଛି । ତୃତୀୟ ହେଲା, ସାଇବର ଠକେଇ ଆକ୍ରମଣ । ଭାରତର ଲୋକଙ୍କୁ ଠକିବା ଲାଗି କାମ୍ବୋଡିଆ ପ୍ରଭୃତି ଛୋଟ ରାଷ୍ଟ୍ରରେ (ମିଆନମାର ମଧ୍ୟ) ଚେଷ୍ଟା କରିଛି ଏବଂ ପ୍ରାୟ ୧୦୦୦ କୋଟି ଟଙ୍କା ସେମାନେ ଠକି ସାରିଲେଣି । ଚୀନକୁ ଦୁର୍ବଳ କରିବା ଲାଗି ଯେଉଁ ଚକ୍ରାନ୍ତ ଚାଲିଛି ସେଥିପାଇଁ ଚୀନ ନିଜେ ଦାୟୀ । ରୁଷିଆ ଉପରେ କଟକଣା ଲଗାଇ ତାକୁ ମଧ୍ୟ ଦୁର୍ବଳ କରାଯାଇଛି ।
ଏସବୁର ଅର୍ଥ ହେଲା, ବିଶ୍ୱର ସ୍ୱାଭାବିକ ଗତି-ପ୍ରଗତି ବ୍ୟାହତ କରିବା ଲାଗି ଏକ ଧ୍ୱଂସମୁଖୀ ଆଦର୍ଶ କାମ କରୁଛି । ଏଥିସହିତ ମିଡିଆ (ନ୍ୟୁୟର୍କ ଟାଇମ୍ସ, ବିବିସି) ସଂପୃକ୍ତ । ଅସ୍ତ୍ର ଉତ୍ପାଦନକାରୀ ମଧ୍ୟ ବିଶ୍ୱକୁ ଯୁଦ୍ଧରତ କରିବା ଲାଗି ପ୍ରୋତ୍ସାହନ ଦେଉଛନ୍ତି । ଫଳରେ ବିଶ୍ୱ ନିମ୍ନଗାମୀ ହେଉଛି । ମୁଦ୍ରାସ୍ଫୀତି, ଅନ୍ନାଭାବ, ବନ୍ଧୁତ୍ୱହାନି ହୋଇ ଦାରିଦ୍ର୍ୟ ଦିଗକୁ ଆମେ ମୁହାଁଇଛୁ । ଆଜିର ବିଶ୍ୱ କୋଳାହଳମୟ, ଯେହେତୁ ଆଦର୍ଶର ସଂଘାତ ଯୋଗୁଁ ଅନେକ ଶବ୍ଦ ପ୍ରଦୂଷଣ ଆମକୁ ପୀଡ଼ିତ କରୁଛି । ଏହାଛଡ଼ା ଆଉରି ଅନେକ କାରଣ ଅଛି ଯାହାର ଉଲ୍ଲେଖ ବା ଆଲୋଚନା କରିବାଲାଗି ଏହି ପ୍ରବନ୍ଧରେ ସ୍ଥାନ ନାହିଁ । କିନ୍ତୁ ଆମକୁ ସଚେତନ ହେବାକୁ ହେବ ଯେ ବାସ୍ତବରେ ଆମର ବିଶ୍ୱକେନ୍ଦ୍ର ବର୍ତ୍ତମାନ ଦୁର୍ବଳ । ଏହା ବିଶ୍ୱକୁ ଧାରଣ କରିବା ଲାଗି ସମର୍ଥ ନୁହେଁ । ବିନ୍ଦୁରୁ ବିକ୍ଷିପ୍ତ ହୋଇ ଆମେ ବଳୟ ପରିଧି ଲଂଘିବା ଆରମ୍ଭ କରିଚୁ । ଯେଉଁ କେନ୍ଦ୍ରବିନ୍ଦୁ କଥା ମୁଁ କହୁଛି ତାହା ଏକ ନୈତିକ ଶକ୍ତି । ମଣିଷ ପ୍ରକୃତିର ନ୍ୟାୟକୁ ନେଇ ଯୁକ୍ତି କରେ ।
ଏରିଷ୍ଟୋଟଲ ‘ମ୍ୟାନ ଇଜ୍ ଏ ରେସନାଲ ଆନିମଲ’ କହିବା ପଛର ମୂଳ କଥା ହେଲା, ମଣିଷ ଏକ ଯୌକ୍ତିକ ନୈତିକତାରେ ବିଶ୍ୱାସ କରେ । ବିଦ୍ୟାଲାଭ କରିନଥିବା ବ୍ୟକ୍ତି ମଧ୍ୟ ସତ୍ୟ ନ୍ୟାୟ ଯୁକ୍ତିର ସମ୍ୟକ ସମୀକରଣ ଦେଖିପାରେ । ଗୋଟିଏ ବିବେକୀ ଶକ୍ତି ହିସାବରେ ମଣିଷ ନ୍ୟାୟ ସତ୍ୟ ଯୁକ୍ତିର କେନ୍ଦ୍ରଶକ୍ତିର ବଳୟ ବା ପରିଧି ଦିଗରେ ଗତିକରେ । ବିନ୍ଦୁର ପ୍ରସାରଣ ହିଁ ବଳୟ । ଆମେ ଏହି ମାନସିକତାକୁ କେନ୍ଦ୍ରାଭିମୁଖୀ କହୁ, ଯେହେତୁ ମଣିଷ ସବୁବେଳେ କେନ୍ଦ୍ର ବାହାରେ ରହେ ଆତ୍ମପ୍ରସାରଣ କରି । ତେଣୁ ସେ କେନ୍ଦ୍ରାଭିମୁଖୀ ହେଲେହିଁ ସାର୍ଥକତା ପାଏ । ସଭ୍ୟତା, ସାହିତ୍ୟ, ସଂସ୍କୃତି ରାଜନୀତି ଆଦି ଉନ୍ନତ ଜୀବନବିଭାବ କେନ୍ଦ୍ରମୁଖୀ ହୋଇ ମଣିଷ ବିଶ୍ୱର ନିବିଡ଼ତା ପ୍ରଦର୍ଶନ କରନ୍ତି । କିନ୍ତୁ ଯଦି କୌଣସି ନକଲି, ଛଦ୍ମଶକ୍ତି ମଣିଷକୁ କେନ୍ଦ୍ରରୁ ପରିଧି ଆଡ଼କୁ ଠେଲେ ସେଥିରେ ବିଶୃଙ୍ଖଳା ସୃଷ୍ଟିହୁଏ । କାରଣ ଏହି ଶକ୍ତି ଏକ ବଳପ୍ରୟୋଗ ବା ଛଦ୍ମବେଶୀ ଶକ୍ତି ।
ଆଜିର ବିଶ୍ୱରେ ଏଇ ଦୁଇପ୍ରକାର ଶକ୍ତିର ସଂଘାତ ଘଟୁଛି । ଅବଶ୍ୟ ଏହା କେବଳ ବିଂଶ ବା ଏକବିଂଶ ଶତାବ୍ଦୀରେ ଘଟୁନାହିଁ । ଯୁଦ୍ଧ, ଚକ୍ରାନ୍ତ ଇତ୍ୟାଦି ସୃଷ୍ଟି ଆରମ୍ଭରୁ ରହିଛି । କିନ୍ତୁ ବର୍ତ୍ତମାନର ଜ୍ଞାନକୌଶଳ ଯେହେତୁ ଆଗ ଅପେକ୍ଷା ଶକ୍ତିଶାଳୀ ଏହାର ପରିଣତି କେବଳ ଧ୍ୱଂସ । ସାହିତ୍ୟରେ ଯେଉଁ ନୀତିବଳ ଥିଲା ତାହା ନାହିଁ । ସମାଜରେ କୌଣସି ଶକ୍ତି ସମସ୍ତଙ୍କୁ ବାନ୍ଧି ରଖିପାରୁନାହିଁ । ସେହିପରି ବିଶ୍ୱ ରାଜନୀତିରେ କୌଣସି ଶକ୍ତି ନାହିଁ, ଯାହା କେନ୍ଦ୍ରାଭିମୁଖୀ ଓ ଛଦ୍ମବଳକୁ ଏକ ନ୍ୟାୟିକ, ଯୌକ୍ତିକ ସମୀକରଣ ଦେଇ ସନ୍ତୁଳିତ କରିପାରିବ । ମାର୍ଟିନ ଲୁଥର କିଙ୍ଗ କହିଥିଲେ ‘ଇତିହାସର ବୃତ୍ତାକାର ଗତି (ଧନୁ ପରି ଆକାର) ବହୁତ ଦୀର୍ଘ, କିନ୍ତୁ ତାହା ନୈତିକତା ଦିଗକୁ ନଇଁଆସେ’ । ଏହି ନ୍ୟାୟ ସତ୍ୟ ଯୁକ୍ତି ଆମେ ପ୍ରାୟ ହରାଇ ବସିଛୁ । ତେଣୁ ଆମେ ସବୁ ମାନବଧର୍ମୀ ମୂଲ୍ୟବୋଧରୁ ବିଚ୍ୟୁତ । ଯଦି ଆମେ ସତର୍କ ହୋଇ ପରିବର୍ତ୍ତନ ନକରୁ ଧ୍ୱଂସ ଅନିବାର୍ଯ୍ୟ ।