ଆମର ଶକ୍ତି ହେଉଛି ଆମର ଗଣତନ୍ତ୍ର ଓ ତାର ମୂଳ ଭାବନା । ବିଭିନ୍ନ ରାଜନୈତିକ ଦଳମାନଙ୍କର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆବଶ୍ୟକତା କ’ଣ, ସେମାନଙ୍କର ଦେଶ ପାଇଁ ଦାୟିତ୍ୱ ବା କର୍ତ୍ତବ୍ୟ କ’ଣ ଏହା ଉପରେ ବିଶେଷ ଭାବରେ ତର୍ଜମା ହେବାର ଆବଶ୍ୟକତା ରହିଛି । କେବଳ ନିର୍ବାଚନ ଜିତିବା ପାଇଁ ରାଜନୈତିକ ଦଳର ସୃଷ୍ଟି ନୁହେଁ ।
ନିର୍ବାଚନ ହେଉଛି ଗଣତାନ୍ତ୍ରିକ ପ୍ରକିୟାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରକିୟା । ଏଥିରେ ସୁଧାର ଆଣିବା ପାଇଁ ପ୍ରୟାସ ହେବା ସବୁବେଳେ ସ୍ୱାଗତଯୋଗ୍ୟ । ଏବେ କେନ୍ଦ୍ର କ୍ୟାବିନେଟ ଏକ ଐତିହାସିକ ନିଷ୍ପତ୍ତି ନେଇ ସାରା ଦେଶରେ ଗୋଟିଏ ସମୟରେ ନିର୍ବାଚନ କରିବା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ଏନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା ଏବଂ ସେହି କମିଟିର ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ସେହି ଉଚ୍ଚସ୍ତରୀୟ କମିଟି ପାଖରେ ଦେଶର ପ୍ରମୁଖ ୪୭ଟି ରାଜନୈତିକ ଦଳ ମତ ଦେଇଥିଲେ, ଯେଉଁଥିରୁ ୩୨ଟି ରାଜନୈତିକ ଦଳ ଏକସମୟରେ ନିର୍ବାଚନ ସପକ୍ଷରେ ମତ ଦେଇଛନ୍ତି । କେବଳ ରାଜନୈତିକ ଦଳ ନୁହନ୍ତି ବରଂ ସାଧାରଣ ଜନତାଙ୍କ ଠାରୁ ନେଇ ପୂର୍ବତନ ବିଚାରପତି, ବିଭିନ୍ନ ଆଇନ କମିଶନଙ୍କ ସୁପାରିସ, ଅନେକ ପୁରୁଣା ମାମଲାର ରାୟକୁ ମଧ୍ୟ ରିପୋର୍ଟ ପ୍ରସ୍ତୁତି ସମୟରେ ସଂଜ୍ଞାନକୁ ନିଆଯାଇଛି । ଏହାକୁ ଲାଗୁ କରିବା ପାଇଁ ଯେହେତୁ ସାମ୍ବିଧାନିକ ସଂଶୋଧନର ଆବଶ୍ୟକତା ରହିଛି³ ତେଣୁ ଏହାକୁ ସଂସଦରେ ଦୁଇ-ତୃତୀୟାଂଶ ସମର୍ଥନରେ ପାରିତ କରାଇବା ସହିତ ଅଧାରୁ ଅଧିକ ରାଜ୍ୟର ବିଧାନସଭାରେ ମଧ୍ୟ ବହୁମତରେ ପାରିତ କରିବାକୁ ପଡ଼ିବ । ଯଦି ଏହା ଦେଶରେ ଲାଗୁ ହୁଏ, କେବଳ ଆମ ଦେଶ ପାଇଁ ଏହା ଏକ ଐତିହାସିକ ନିଷ୍ପତ୍ତି ହେବନାହିଁ, ବରଂ ବିଶ୍ୱର ଅନେକ ଦେଶ ଯେଉଁମାନେ ବାରମ୍ବାର ନିର୍ବାଚନର ଅସୁବିଧାରୁ ମୁକୁଳିବା ପାଇଁ ରାସ୍ତା ଖୋଜୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ଏକ ମଡେଲ ହେବ । ଯେଉଁ ପ୍ରମୁଖ କାରଣଗୁଡ଼ିକ ପାଇଁ ଦେଶରେ ଗୋଟିଏ ସମୟରେ ନିର୍ବାଚନ କରିବାର ଆବଶ୍ୟକତା ରହିଛି ତାହା ହେଉଛି ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ହେଉଥିବା କାରଣରୁ ରାଜକୋଷରୁ ଅଧିକ ଖର୍ଚ୍ଚ ହେଉଛି, ବାରମ୍ବାର ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବାରୁ ପ୍ରଶାସନିକ ଏବଂ ବିକାଶମୂଳକ କାମରେ ବାଧା ଉପୁଜୁଛି । ଅଲଗା ଅଲଗା ସମୟରେ ନିର୍ବାଚନ ହେଉଥିବାରୁ ଗୋଟିଏ ରାଜ୍ୟରେ ୫ବର୍ଷରେ ୩ରୁ ୪ଥର ପର୍ଯ୍ୟନ୍ତ ଆଚରଣ ବିଧି କଟକଣା ଲାଗୁ ହେଉଛି । ଯଦି ଗୋଟିଏ ରାଜ୍ୟ ୫ବର୍ଷରେ ୩ଥରରୁ ନେଇ ୪ଥର ପର୍ଯ୍ୟନ୍ତ ନିର୍ବାଚନ ସାମ୍ନା କରେ ତାହେଲେ ନିର୍ବାଚନ ପରିଚାଳନାରେ ମଧ୍ୟ ଅଧିକ ସରକାରୀ କର୍ମଚାରୀମାନଙ୍କ କର୍ମ ଦିବସ ନିର୍ବାଚନରେ ବ୍ୟୟ ହୋଇଥାଏ । କିନ୍ତୁ ଯଦି ଗୋଟିଏ ଥରରେ ସବୁ ପ୍ରକାର ନିର୍ବାଚନ ପ୍ରକ୍ରିୟା ସରିପାରନ୍ତା ତାହେଲେ ଦେଶର ପ୍ରଶାସନିକ କଳ, ସୁରକ୍ଷା ବାହିନୀ ଆଦିର ମାନବ ସମ୍ବଳର ସଂଚୟ ହେବ । ନିର୍ବାଚନରେ ଶିକ୍ଷକମାନେ ପରିଚାଳନା ଦାୟିତ୍ୱ ତୁଲାଉଥିବାରୁ ପ୍ରତିବର୍ଷ ନଷ୍ଟ ହେଉଥିବା ଶିକ୍ଷାଦାନର କାର୍ଯ୍ୟ ଦିବସ ମଧ୍ୟ ବଞ୍ଚିଯିବ । କେବଳ ସେତିକି ନୁହେଁ, ବାରମ୍ବାର ନିର୍ବାଚନକୁ ସାମ୍ନା କରୁଥିବାରୁ ରାଜନୈତିକ ଦଳମାନଙ୍କର ଖର୍ଚ୍ଚ ମଧ୍ୟ ବଢୁଛି ଯାହା ସେମାନଙ୍କୁ ବାଧ୍ୟ କରୁଛି ଅଧିକ ଆୟ ଯୋଗାଡ଼ କରିବା ପାଇଁ । ବାରମ୍ବାର ନିର୍ବାଚନକୁ ସାମ୍ନା କରୁଥିବାରୁ ରାଜନୈତିକ ଦଳମାନଙ୍କର କାର୍ଯ୍ୟକଳାପମାନ କେବଳ ନିର୍ବାଚନ କେନ୍ଦ୍ରିତ ହୋଇଯାଉଛି ଏବଂ ନିର୍ବାଚନ ଲଢ଼ିବା ଛଡ଼ା ଯେ, ରାଜନୈତିକ ଦଳମାନଙ୍କର ଅନେକ ସାମାଜିକ ଦାୟିତ୍ୱ ଅଛି ତାହା ସେମାନେ ଭୁଲିଯିବା ପାଇଁ ବାଧ୍ୟ ହେଉଛନ୍ତି । ଆଉ ଏକ ମୁଖ୍ୟ କାରଣ ହେଉଛି ଯେ, ବର୍ଷର ସବୁ ସମୟରେ ଗଣମାଧ୍ୟମରୁ ନେଇ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ନିର୍ବାଚନ ବିଷୟ ସବୁଠାରୁ ବେଶୀ ଚର୍ଚ୍ଚାରେ ରହୁଛି ଏବଂ ଦେଶର ଅନ୍ୟ ପ୍ରମୁଖ ବିଷୟ ଉପରେ ଚର୍ଚ୍ଚା କମ୍ ହେଉଛି । ଅନାବଶ୍ୟକ ଓ ଅପ୍ରତ୍ୟାଶିତ ନିର୍ବାଚନକୁ ମଧ୍ୟ ରୋକିହେବ³ ଯଦି ଦେଶରେ ଏହି ଆଇନ ଲାଗୁ ହୋଇଯାଏ । ଆମ ରାଜ୍ୟ ଓଡ଼ିଶାରେ ତତ୍କାଳୀନ ରାଜନୈତିକ ଅସ୍ଥିରତା କାରଣରୁ ୧୯୭୧ରୁ ୧୯୮୦ ଭିତରେ ପ୍ରତି ୩ ବର୍ଷରେ ଥରେ ବିଧାନସଭା ନିର୍ବାଚନ ହୋଇଥିଲା । ଓଡ଼ିଶା ଭଳି ଗରିବ ରାଜ୍ୟ ମାତ୍ର ୯ ବର୍ଷରେ ୪ ଥର ବିଧାନସଭା ନିର୍ବାଚନର ବ୍ୟୟ ସମ୍ଭାଳିଥିଲା । ଏମିତି ଘଟଣା ଅନେକ ରାଜ୍ୟରେ ହୋଇଛି । ୫ ବର୍ଷରେ ହେଉଥିବା ସମସ୍ତ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଏବେ ହାରାହାରି ଭାବରେ ୧୫ ହଜାର କୋଟି ଟଙ୍କା ସରକାରଙ୍କୁ ବ୍ୟୟ କରିବାକୁ ପଡୁଛି । କିନ୍ତୁ ଯଦି ଗୋଟିଏ ସମୟରେ ଦେଶରେ ସମସ୍ତ ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନ ହୁଏ, ତାହେଲେ ଏହା ୫ ହଜାର କୋଟି ଟଙ୍କାରେ ହୋଇପାରିବ । ଏକକ ନିର୍ବାଚନ ମଧ୍ୟ ଆଞ୍ଚଳିକ ତୁଷ୍ଟୀକରଣ ରାଜନୀତିର ସମାପ୍ତି କରାଇ ପାରିବ । ଖାଲି ସେତିକି ନୁହେଁ, ଦେଶରେ ଧର୍ମ ବା ଜାତିବାଦର ଯେଉଁ ଧ୍ରୁବିକରଣ ହେଉଛି ତାହା ପଛରେ ଏକ କାରଣ ମଧ୍ୟ ନିର୍ବାଚନ । ସ୍ୱାଭାବିକ ଭାବରେ ପାଞ୍ଚବର୍ଷରେ ଥରେ ନିର୍ବାଚନ ହେଲେ ଏହି ଧ୍ରୁବିକରଣ କମିପାରିବ । ଦେଶରେ ଏକକ ନିର୍ବାଚନ ନୂଆ ନୁହେଁ । ୧୯୫୨ରୁ ୧୯୬୭ ପର୍ଯ୍ୟନ୍ତ କ୍ରମାଗତ ଚାରି ପର୍ଯ୍ୟାୟରେ ଦେଶରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକସମୟରେ ହୋଇଥିଲା । ଯେଉଁ ବିରୋଧୀ ଦଳମାନେ ଏକ ସମୟରେ ନିର୍ବାଚନ ହେଲେ ଦେଶର ସଂଘୀୟ ବ୍ୟବସ୍ଥା ବିପଦରେ ପଡ଼ିବ, ସମ୍ବିଧାନ ବିରୋଧୀ ଓ ରାଜ୍ୟମାନଙ୍କର ସ୍ୱାର୍ଥ ବିରୋଧୀ ହେବ ବୋଲି କହୁଛନ୍ତି, ସେମାନେ ତାହେଲେ କ’ଣ ଏହା କହିବେ କି, ଦେଶର ପ୍ରଥମ ଚାରିଟି ନିର୍ବାଚନ ସଂଘୀୟ ବ୍ୟବସ୍ଥା ବିରୋଧରେ ହୋଇଥିଲା ଓ ଏହା ଅସମ୍ବିଧାନିକ ବି ଥିଲା । ସେପରି କେହି କହିପାରିବେ ନାହିଁ । ବରଂ ଏହା ସ୍ୱୀକାର କରିବାକୁ ପଡ଼ିବ ଯେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଏକ ବ୍ୟବସ୍ଥାଗତ ତ୍ରୁଟିର ଫଳାଫଳ, ଯାହାର ସମାଧାନ ଆବଶ୍ୟକ । ୧୯୮୩ ମସିହାରେ ନିର୍ବାଚନ କମିଶନ ରିପୋର୍ଟରେ ଏକସମୟରେ ନିର୍ବାଚନ ପୁନଃ ପ୍ରଚଳନ ସପକ୍ଷରେ ମନ୍ତବ୍ୟ ଦେଇଥିଲେ । ୧୯୯୯ରେ ଜାତୀୟ ଆଇନ କମିଶନ ତାଙ୍କର ୧୭୦ତମ ରିପୋର୍ଟରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଏକକାଳୀନ ନିର୍ବାଚନ ସପକ୍ଷରେ ଯୁକ୍ତି କରିଥିଲେ । ୨୦୧୫ରେ ଜାତୀୟ ଆଇନ କମିଶନ ତାଙ୍କର ରିପୋର୍ଟରେ ଓ ପାର୍ଲିଆମେଣ୍ଟର ଷ୍ଟାଣ୍ଡିଂ କମିଟି ତାଙ୍କର ୭୯ତମ ରିପୋର୍ଟରେ ବି ଏହି ସମାନ ବିଷୟ ରଖିଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଏହା ସପକ୍ଷରେ କହିଥିଲେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନର ଉଦ୍ଦେଶ୍ୟ ମହତ । ଏହାଦ୍ୱାରା ନିର୍ବାଚନରେ ସମୟ ଓ ଉଭୟ ସରକାରୀ ଏବଂ ରାଜନୈତିକ ଦଳମାନଙ୍କର ସମ୍ବଳର ଅପଚୟକୁ କମ୍ କରାଯାଇପାରିବ । ଦେଶରେ ଏହି ବ୍ୟବସ୍ଥାକୁ ପ୍ରଚଳନ କରିବାକୁ ହେଲେ ସମ୍ବିଧାନର ଧାରା ୮୩ ଓ ୮୫³ ଯାହା ସଂସଦର କାର୍ଯ୍ୟକାଳ ସହିତ ସମ୍ବନ୍ଧିତ ଧାରା୧୭୨ ଓ ୧୭୪, ଯାହା ରାଜ୍ୟମାନଙ୍କର ବିଧାନସଭାର କାର୍ଯ୍ୟକାଳ ସହିତ ଜଡ଼ିତ, ଧାରା-୩୫୬ (ରାଷ୍ଟ୍ରପତି ଶାସନ), ଧାରା୩୨୪ (ନିର୍ବାଚନ କମିଶନଙ୍କ ସମ୍ପର୍କିତ), ଜନପ୍ରତିନିଧି ନିୟମ ୧୯୫୧ ଆଦିରେ ସଂଶୋଧନ କରିବାକୁ ପଡ଼ିବ । ଆମର ଶକ୍ତି ହେଉଛି ଆମର ଗଣତନ୍ତ୍ର ଓ ତାର ମୂଳ ଭାବନା । ବିଭିନ୍ନ ରାଜନୈତିକ ଦଳମାନଙ୍କର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆବଶ୍ୟକତା କ’ଣ, ସେମାନଙ୍କର ଦେଶ ପାଇଁ ଦାୟିତ୍ୱ ବା କର୍ତ୍ତବ୍ୟ କ’ଣ ଏହା ଉପରେ ବିଶେଷ ଭାବରେ ତର୍ଜମା ହେବାର ଆବଶ୍ୟକତା ରହିଛି । କେବଳ ନିର୍ବାଚନ ଜିତିବା ପାଇଁ ରାଜନୈତିକ ଦଳର ସୃଷ୍ଟି ନୁହେଁ । ଗଣତନ୍ତ୍ରରେ ଜନମତକୁ ସୁଯୋଗ ଦେବା ପାଇଁ ନିର୍ବାଚନ ହେଉଛି ଏକ ପ୍ରକିୟା ବା ବ୍ୟବସ୍ଥା, ଯେଉଁଥିରେ ଲୋକମାନେ ସେମାନଙ୍କର ପ୍ରତିନିଧି ବାଛିବେ । ହେଲେ ଏହା ଯଦି ବୋଝ ହୋଇଯିବ ବା ରାଜକୋଷକୁ ଅଯଥାରେ ଖର୍ଚ୍ଚାନ୍ତ କରାଇବ, ଦେଶର ବିକାଶରେ ବାଧକ ସାଜିବ, ତାହେଲେ ଏହା କେବେବି ଗ୍ରହଣୀୟ ହେବନାହିଁ । ତେଣୁ ରାଜନୈତିକ ଦଳମାନେ, ବୁଦ୍ଧିଜୀବୀମାନେ ଏହା ଉପରେ ବ୍ୟାପକ ଆଲୋଚନା କରିବାର ସମୟ ଆସିଛି ।