ପୁରୀ,୧୪/୦୬: ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ । ଶୁକ୍ରବାର ରଥ କାର୍ଯ୍ୟରେ ଯୋଗ ଦେଇଛନ୍ତି ଦରଜୀ ସେବକ । ରଥକୁ ସୁସଜ୍ଜିତ କରିବା ପାଇଁ କନାମଣ୍ଡଣି କାମର ଶୁଭାରମ୍ଭ ହୋଇଛି । ୧୨୫୦ ମିଟର ନାଲି, ସବୁଜ, ହଳଦିଆ ଓ କଳା କନାରେ ରଥତ୍ରୟ ମଣ୍ଡଣି ହେବ। ରଥ ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତିନି ରଥରେ ଦ୍ୱିତୀୟ ଭୂଇଁ ଉଠି ଖଳାରେ ୩ୟ ଭୂଇଁ ଫ୍ରେମ୍ ପଡ଼ି ଖୋଲାଯାଇଛି ।
ଶନିବାର ରଥରେ ତୃତୀୟ ଭୂଇଁ ଟୁଙ୍ଗୁରା ହେବ । ରଥର ବଡ଼ ପୋଟଳ ତିଆରି ଆରମ୍ଭ ହୋଇଛି । ୧୩ ପରସ୍ତ ପୋଟଳ ରଥରେ ଲାଗିବ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାରମ୍ପରିକ ଦରଜୀ ସେବକଙ୍କ ଦ୍ୱାରା କନା ମଣ୍ଡଣି କାର୍ଯ୍ୟ ହେଉଛି । ଠାକୁରଙ୍କ ମାହାର୍ଦ୍ଦ ସହ ରଥ କନା, କଇଁଚୀ, ସୂତା, ଗଜ ଆଦି ସମସ୍ତ ସିଲେଇ ଉପକରଣ ଏକତ୍ର ରଖି ଦୀପ ଧୂପ ଦେଇ ଶ୍ରୀଜଗନ୍ନାଥଙ୍କୁ ସୁମରଣା କରି କାର୍ଯ୍ୟ ଅନୁକୂଳ ହେଲା। ପ୍ରକାଶ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ମହାପ୍ରଭୁଙ୍କ କାର୍ଯ୍ୟ ଚାଲିଛି ।
ଶ୍ରୀ ମହାପାତ୍ର କୁହନ୍ତି ରଥର ବତା ଓ ବିଳାଶପଟି ତିଆରିରୁ କନାମଣ୍ଡଣୀ କାମର ଶୁଭାରମ୍ଭ ହୋଇଛି । ପ୍ରଥମ କାମ ଭାବେ ରଥର ବତା(୨୪) ଓ ବିଳାଶପଟି(୭୨)ଟି କରାଯାଉଛି । ପ୍ରତି ରଥରେ ୮ଗୋଟି ବତା ଲାଗିବ । ରଥର ଉପର ଅଂଶ ପାରାଭାଡ଼ିଠାରୁ ତଳକୁ ଲମ୍ବିବ ବତା । ଗୋଟିଏ ବତାରେ ତିନୋଟି କରି ବିଳାସପଟି ଲାଗିବ । ପାରମ୍ପରିକ ଶୈଳୀରେ ଜରି, ଜମ୍ୱୁରା ଓ ଲେସ ଦେଇ ଏସବୁକୁ ପ୍ରସ୍ତୁତ କରାଯିବ । ତାଳଧ୍ୱଜ ପାଇଁ ସବୁଜ ଓ ନାଲି ରଙ୍ଗର ୪୨୫ମିଟର, ନନ୍ଦିଘୋଷ ପାଇଁ ହଳଦିଆ ଓ ନାଲି ରଙ୍ଗର କନା ୪୨୫ ମିଟର ଓ ଦର୍ପଦଳନ ପାଇଁ କଳା ଓ ନାଲି ରଙ୍ଗର ୪୦୦ମିଟର କନା ଆବଶ୍ୟକ ହୋଇଥାଏ । ମୁଖ୍ୟ ବିଶ୍ୱକର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥତ୍ରୟର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।