ପ୍ରମୂଖ ଖବର
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ

ପୁରୀ,୦୧/୦୭: କୁହାଯାଏ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରି ଭାଗ ସଦୃଶ ‘ରଥ କନକମୁଣ୍ଡି’ । ଏହା ଚର୍ତୁଭୁଜାକାର । ଚାରି ନାହାକାରୁ ଚାରିପଟୁ ୪ଟି ଲେଖାଏଁ କାଣ୍ଡ  କନକମୁଣ୍ଡିରେ ଫିଟିଂ ହୋଇଥାଏ ।  ଏସବୁ ସଂଯୁକ୍ତ ହେଲାପରେ ଗମ୍ବୁଜାକୃତି  ହୋଇଯାଏ । ରଥାରୁଢ଼ ଶ୍ରୀବିଗ୍ରହଙ୍କ  ଶ୍ରୀମସ୍ତକ ଉପରେ ରୁହେ କନକମୁଣ୍ଡି ।  ବିଶ୍ୱକର୍ମାମାନେ ରବିବାର ରଥର  କନକମୁଣ୍ଡି କାର୍ଯ୍ୟ ସାରିଛନ୍ତି । ଏଣିକି  ଏହାର ଚତୁଃପାଶ୍ୱର୍ରେ ପିତ୍ତଳ ଚାଦର  ବୁଲିବ । ଯେପରି ରଥରେ ଅବସ୍ଥାନ  ସମୟରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଓଦା  ହେବ ନାହିଁ । 

ରଥଯାତ୍ରାକୁ ରହିଲା ମାତ୍ର ୬ ଦିନ ।  ରଥ ନିର୍ମାଣ ଏବେ ଶେଷ ପର୍ଯ୍ୟାୟରେ ।  ରଥଖଳାରେ ଠାକୁରଙ୍କ ଚକା ବେଦି  ନିର୍ମାଣ ଆରମ୍ଭ ହୋଇଛି । ଚକା ବେଦିରେ  ଶ୍ରୀବିଗ୍ରହ ବିଜେ ହେବେ । ରଥରେ ପଟା  ପଡ଼ିବା କାର୍ଯ୍ୟ ଶେଷ ହେଉଛି । ରଥଖଳା  ପାଶ୍ୱର୍ ବଡ଼ଦାଣ୍ଡରେପହଞ୍ଚିଛି ତିନି ରଥର  ୧୨ଟି ଅଶ୍ୱ । ଏହାର ମରାମତି ପରେ  ଚିତ୍ରକରମାନେ ରଙ୍ଗ କରିବେ । ରଥ  ଉପରେ ଠାକୁରଙ୍କ ସିଂହାସନ କାମ ଚାଲିଛି । ବିଶ୍ୱକର୍ମାମାନେ ପଟା ବାଡ଼େଇ  ସିଂହାସନ ବୁଜିଛନ୍ତି । ଏହି ସ୍ଥାନରେ  ଗାଈପଲ ଚିତ୍ର ହେବ । ପୂର୍ବରୁ ଧମକ ଉପରେ ଜଗତପୃଷ୍ଠଶ୍ରେଣୀ ରଖିଥିଲେ ।  ତା’ଉପରେ ପଟା ପଡ଼ି ସିଂହାସନ ପରିଛା  ପଡ଼ିଲା । ପୁଣି ପଟା ପଡ଼ି ଚକା ପଡ଼ିବ । 

ଚକା ବେଦିରେ ଠାକୁରେ ଅବସ୍ଥାନ  କରିବେ । ବେଦି ପଛପଟେ ରହିବ  ପ୍ରଭା । ପ୍ରଥମେ ବିଶ୍ୱକର୍ମାମାନେ  ପ୍ରଭାକାମ ସାରିଥିଲେ । ତାପରେ ରୂପକାରମାନେ ସେଥିରେ କିର୍ତ୍ତୀମୁଖ ଓ  ଉଭୟ ପାଶ୍ୱର୍ରେ ମଗରମୁଣ୍ଡ କରିବେ ।  କମାର ସେବକମାନେ ଓଲଟ ଶୁଆ ଫିଟିଂ  ପାଇଁ ନାରାଜ କଣ୍ଟା ୧୨ ଓ କଳସ ଫିଟିଂ  ପାଇଁ ବାଗିଆ କଣ୍ଟା ୩୬ଟି ତିଆରୁଛନ୍ତି ।  ଚିତ୍ରକରମାନେ ରଥର ବିଭିନ୍ନ ଅଂଶକୁ  ରଙ୍ଗଦେଇ ସୌନ୍ଦର୍ଯ୍ୟପୂର୍ଣ୍ଣ କରୁଛନ୍ତି ।  ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ମହଲାରେ  ଦର୍ଜୀ ସେବକମାନେ ରଥ କନାମଣ୍ଡଣୀ  କାର୍ଯ୍ୟ ଆଗେଇ ନେଉଛନ୍ତି ।  

ତାଳଧ୍ୱଜର କଳା, ନନ୍ଦିଘୋଷର  ଶ୍ୱେତ ଓ ଦର୍ପଦଳନର ଲୋହିତ ବର୍ଣ୍ଣ  ଅଶ୍ୱ ତିନି ରଥକୁ ଟାଣିବେ ୧୨ ଅଶ୍ୱ ।  ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ୪ ଅଶ୍ୱର  ରଙ୍ଗ କଳା । ସେମାନଙ୍କ ନାମ ଶଙ୍ଖ,  ସୁଚିତ୍ର, ଅଙ୍ଗଦ ଓ ମେଘନାଦ । ଦେବୀ  ସୁଭଦ୍ରାଙ୍କ ଦର୍ପଦଳନ ରଥର ୪ ଅଶ୍ୱର ରଙ୍ଗ ଲୋହିତ ତଥା ନାଲି । ସେମାନଙ୍କ ନାମ  ରୋଚିକା, ମୋଚିକା, ଜିତା ଓ ଅପରାଜିତା ।  ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଶ୍ୱର  ବର୍ଣ୍ଣ ଶ୍ୱେତ ତଥା ଧଳା । ଅଶ୍ୱମାନଙ୍କ ନାମ  ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦ୍ୱାଶ ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.