ପ୍ରମୂଖ ଖବର

ବିଭ୍ରାଟ ଭୟରେ ବିଶୃଙ୍ଖଳାକୁ ଅଣଦେଖା ! ରଥଯାତ୍ରା ସମୀକ୍ଷା ନାହିଁ କି କାର୍ଯ୍ୟାନୁଷ୍ଠାନ

ପୁରୀ,୨୭/୦୭: ଦାରୁବ୍ରହ୍ମଙ୍କ ନୀତିକାନ୍ତିରେ ବାରମ୍ବାର ଅବହେଳା । କୋଟି  କୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ବି  ପଦାଘାତ । ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାରେ ବେକାବୁ ହେଲା ବିଶୃଙ୍ଖଳା । ଚଳିତ ବର୍ଷ ରଥାରୂଢ଼ ମହାପ୍ରଭୁଙ୍କୁ ସୁନାବେଶରେ ଦେଖିବାକୁ କୋଟି କୋଟି ଭକ୍ତ ପ୍ରତୀକ୍ଷା କରିଥିଲେ । ଲକ୍ଷାଧିକ ଭକ୍ତ ବଡ଼ଦାଣ୍ଡରେ ଦଣ୍ଡାୟମାନ ଥିଲାବେଳେ ଟିଭି ପରଦା ସମ୍ମୁଖରେ କୋଟି କୋଟି ଭକ୍ତ ପ୍ରତୀକ୍ଷା  କରୁଥିଲେ । ଏପଟେ ସେବାୟତଙ୍କ ଦ୍ୱନ୍ଦ ନେଇ ଅଟକି ରହିଥିଲା ଠାକୁରଙ୍କ ନୀତି । ବଡ଼ଠାକୁରଙ୍କ  ସୁନାବେଶ ଆରମ୍ଭ ପୂର୍ବରୁ ଦ୍ୱନ୍ଦ୍ୱ ସୃଷ୍ଟି  ହୋଇଥିଲା । ବିବାଦ ନତୁଟିବାରେ ଶ୍ରୀବିଗ୍ରହଙ୍କ  ନୀତି ବିଳମ୍ବ ହେଲା । ବିଶୃଙ୍ଖଳାକାରୀଙ୍କ  ପାଇଁ ଶ୍ରୀମନ୍ଦିର ସେବାୟତ ସମାଜ ବଦ୍‌ନାମ  ହେଲା । ବେଶ ବିଳମ୍ବ ହେବାରେ ବେଶ୍‌  କିଛି ସମୟ ଧରି ନିରାଶ ହେଲେ ଭକ୍ତ । 

ମିଳିଥିବା ସୂଚନା ଅନୁଯାୟୀ ସେଦିନ ନୀତି ସଅଳ ହୋଇ ଠାକୁରଙ୍କ ସୁନାବେଶ ଶୀଘ୍ର କରିବାକୁ ସମସ୍ତ ପ୍ରସ୍ତୁତି ଥିଲା । ଶ୍ରୀବଳଭଦ୍ରଙ୍କ ସୁନାବେଶ ଆରମ୍ଭ ପୂର୍ବରୁ ପ୍ରମୁଖ ଦଇତାପତି  ସେବାୟତ ଠାକୁରଙ୍କ ସ୍ୱର୍ଣ୍ଣ ଅଳଙ୍କାର ସଂସ୍କାରକୁ ନେଇ ପ୍ରଶ୍ନ ଉଠାଇଥିଲେ । ଶ୍ରୀମନ୍ଦିର ପରମ୍ପରାକ୍ରମେ ଭିତର ମହାପାତ୍ର ସ୍ୱର୍ଣ୍ଣ  ଅଳଙ୍କାର ସଂସ୍କାର ପରେ ଠାକୁରଙ୍କୁ ଲାଗି ହେବା  କଥା ସିଂହାରୀ ସେବକ କହିଥିଲେ । ସଂସ୍କାର ଓ  ତନଖି ପରେ ସୁନାବେଶ ଆରମ୍ଭ ନିୟମ । ମୁଖ୍ୟ  ବାଡ଼ଗ୍ରାହୀ ଓ ପୁଷ୍ପାଳକ ସେବକ ଠାକୁରଙ୍କୁ ବେଶ କରିଥାନ୍ତି । ଏହାକୁ ନେଇ ବୁଝାମଣା  ନହେବାରେ ଠାକୁରଙ୍କ ନୀତି ବନ୍ଦ ରହିଲା । ଖବର ପାଇ ଶ୍ରୀମନ୍ଦିର କମାଣ୍ଡର ଓ ପ୍ରଶାସକ  ବିଧି ମୁତାବକ ନୀତି ଆଗେଇବାକୁ କହିଲେ ।  ପୁଣି କିଛି ସମୟ କଥାକଟି ପରେ ଠାକୁରଙ୍କ ବେଶ ଆରମ୍ଭ ହୋଇଥିଲା । ସେତେବେଳକୁ  ଠାକୁରଙ୍କ ନୀତି ବେଶ୍‌ କିଛି ସମୟ ବିଳମ୍ବ  ହୋଇଯାଇଥିଲା । ଏହାକୁ ସମସ୍ତେ ମିଳିମିଶି  ଚାପି ଦେବାରେ ବିଶୃଙ୍ଖଳା ପ୍ରଘଟ ହୋଇ ନଥିଲା । 

ଦିନକୁ ଦିନ ଲମ୍ବୁଛି ଶ୍ରୀମନ୍ଦିର ନୀତି  ବିଭ୍ରାଟ ତାଲିକା । ଚଳିତ ବର୍ଷ ରଥ ଯାତ୍ରାରେ  ସୀମାପାର ହୋଇଗଲା ନୀତିକାନ୍ତିରେ ବିଶୃଙ୍ଖଳା ।  ଅଣସରରେ ହେଲା ମହାପ୍ରଭୁଙ୍କ ସେନାପଟା  ଲାଗି । ନେତ୍ରଦାନ ପୂର୍ବରୁ ପହଣ୍ଡି ପାଇଁ ପ୍ରସ୍ତୁତ  ହୋଇଗଲେ ଠାକୁରେ । ଅବହେଳାରୁ ରଥାରୂଢ଼  ବଡ଼ଠାକୁରଙ୍କ ମଳିନ ଶ୍ରୀମୁଖ ଦର୍ଶନ କରି କ୍ଷୋଭ  ପ୍ରକାଶ କଲେ ଲକ୍ଷ ଲକ୍ଷ ଭକ୍ତ । ଆଡ଼ପ ପହଣ୍ଡି  ସମୟରେ ଚାର ଉପରେ ପଛପାଶ୍ୱର୍ର ଭାର  ସମ୍ଭାଳିବା ନିମନ୍ତେ ଲାଗିଥିବା ପାଟଡୋର ଖସି  ଯିବା ଫଳରେ ବଡ଼ଠାକୁର ଖସି ପଡ଼ିଲେ । ସାରା  ବିଶ୍ୱବାସୀ ଠାକୁରଙ୍କ ଏଭଳି ସ୍ଥିତି ଦେଖି କ୍ଷୁବ୍ଧ  ହେଲେ । ନୀଳାଦ୍ରି ବିଜେରେ ମହାପ୍ରଭୁଙ୍କ ପହଣ୍ଡି  ପୂର୍ବରୁ ବର୍ଷା ହୋଇଥିଲା । ଓଦା ଚାରମାଳରେ  ପ୍ରଭୁଙ୍କ ପହଣ୍ଡି ସମୟରେ ପଛ ଡୋରକୁ ରଥର  ବିଭିନ୍ନ ଅଂଶରେ ଗୁଡ଼ାଇ ଯେପରି ସାବଧାନତା  ଅବଲମ୍ବନ କରାଗଲା ଶ୍ରୀବଳଭଦ୍ରଙ୍କ ଆଡ଼ପ  ପହଣ୍ଡି ସମୟରେ ମଧ୍ୟ ସେଭଳି ସତର୍କତା  ଅବଲମ୍ବନ କରାଯାଇପାରିଥାନ୍ତା । ଆଡ଼ପମଣ୍ଡପ  ପହଣ୍ଡି ବିଜେ ରାତିରେ ଗୁଣ୍ଡିଚା ମନ୍ଦିରରେ  ଯାତ୍ରୀଙ୍କ ପ୍ରବେଶ ନେଇ ସେବାୟତଙ୍କ  ଭିତରେ ପାଟିତୁଣ୍ଡ ହୋଇଥିଲା । ପୁଣି  ମହାପ୍ରଭୁଙ୍କ ସୁନାବେଶ ପୂର୍ବରୁ ଦ୍ୱନ୍ଦ୍ୱ ଉପୁଜିଲା ।  

ଏଠାରେ ସୂଚନାଯୋଗ୍ୟ, ଗତବର୍ଷ ରଥ  ଯାତ୍ରାରେ ପରଦିନ ଭୋର୍‌ରୁ ହୋଇଥିଲା  ହେରାପଞ୍ଚମୀ ନୀତି । ମହାପ୍ରଭୁଙ୍କ ନୀତି  ବିଭ୍ରାଟକୁ ଗୁରୁତର ସହ ନିଆ ଯାଉ ନ ଥିବାରୁ  ଶ୍ରୀମନ୍ଦିରରେ ବିଶୃଙ୍ଖଳା ଆହୁରି ବଢ଼ୁଛି । ତର୍ଜମା  କି ସମୀକ୍ଷା ନହେବାରେ ବିଶୃଙ୍ଖଳିତଙ୍କୁ ଦଣ୍ଡ  ମିଳୁନି ନାହିଁ କି ନିଷ୍ଠାପରଙ୍କୁ ପ୍ରଶଂସା । ଶ୍ରୀମନ୍ଦିର  ସେବାୟତ ବିଶୃଙ୍ଖଳିତ! ପ୍ରଶାସକ ହୁଗୁଳା ।  ବିଶୃଙ୍ଖଳାକାରୀଙ୍କୁ ପ୍ରଶାସନ ଡରୁଥିବା ନେଇ ଆଲୋଚନା ହେଉଛି । ଏହାଦ୍ୱାରା ବଡ଼ଦେଉଳ  ପ୍ରତି ଭକ୍ତର ଭାବାବେଗ ହ୍ରାସ ପାଉଛି । କିଛି  ବିଶୃଙ୍ଖଳାକାରୀଙ୍କ ପାଇଁ ଶ୍ରୀମନ୍ଦିର ସେବକ ସମାଜ ବଦ୍‌ନାମ୍‌ ହେଉଛନ୍ତି । ଏନେଇ ଜଣେ  ବରିଷ୍ଠ ସେବାୟତ ଉଦ୍‌ବେଗ ପ୍ରକାଶ କରି କୁହନ୍ତି  ମହାପ୍ରଭୁଙ୍କ ନୀତି ଯାହା ସବୁ ଶାସ୍ତ୍ର ସମ୍ମତ । ଯଦି  କେଉଁଠି କିଛି କାହା ପକ୍ଷରୁ ବିଭ୍ରାଟ ହୁଏ ତୁରନ୍ତ  ଏହାର ସମୀକ୍ଷା ତଥା ପୁଙ୍ଖାନୁପୁଙ୍ଖ ଆଲୋଚନା  ହେବା କଥା । ଆଗକୁ ସମସ୍ୟା ନହେବା ପାଇଁ  ବିଶୃଙ୍ଖଳାକାରୀଙ୍କୁ ନିୟମ ଅନୁସାରେ ତାଗିଦ୍‌  କରାଯିବା କଥା । ଶ୍ରୀମନ୍ଦିର ପରିଚାଳନା କମିଟି  ସଦସ୍ୟ ମାଧବ ମହାପାତ୍ର କୁହନ୍ତି ବିଭ୍ରାଟ  ପରେ କାହା ପ୍ରତି କଣ କାର୍ଯ୍ୟାନୁଷ୍ଠାନ ହେଉଛି  କି ନାହିଁ ଅଲଗା କଥା । ଗତ ଥର ରଥ ଯାତ୍ରା  ପରେ ଆଲୋଚନାରେ ସବୁ କିଛି ସମୀକ୍ଷା  ହୋଇଥିଲା । ପ୍ରଥମେ ଶ୍ରୀମନ୍ଦିର ପରିଚାଳନା  କମିଟି ବୈଠକରେ ଆଲୋଚନା ହେବ । ପରେ  ଛତିଶା ନିଯୋଗରେ ଆଲୋଚନା ହୁଏ । ଏବେ  ରଥ ଯାତ୍ରା ସରିଲା । ଶୀଘ୍ର ସମୀକ୍ଷା ବୈଠକ  କରାଯିବା ଦରକାର ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.