ପୁରୀ,୨୩/୦୬: ଆସନ୍ତା ୨୬ ତାରିଖରେ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ହେବାକୁ ଯାଉଛି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରଥଯାତ୍ରା ସୁପରିଚାଳନା ନିମନ୍ତେ ବିସ୍ତୃତ ସମୀକ୍ଷା ହେବ । ବୈଠକରେ ଆଇନ ବିଭାଗ ସଚିବ, ଆରଡିସି, ପୁଲିସ ବିଭାଗର ଅଧିକାରୀ, ଜିଲ୍ଲାପାଳ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଗୋପବନ୍ଧୁ ଆୟୁର୍ବେଦ ମେଡିକାଲ କଲେଜ ପରିସର ସଭାକକ୍ଷରେ ବୈଠକ ହେବ ।
ଅନ୍ୟପଟେ ଏହା ପୂର୍ବଦିନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ହେବାକୁ ଯାଉଛି । ପରିଚାଳନା କମିଟି ବୈଠକ ବସିବା ପୂର୍ବଦିନ ଅର୍ଥାତ୍ ୨୪ ତାରିଖରେ ନୀତି ସବ୍କମିଟି ବୈଠକ ଓ ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବାକୁ ଯାଉଛି । ନୀଳାଦ୍ରି ଭକ୍ତ ନିବାସଠାରେ ଏହି ବୈଠକ ହେବ ।
ରଥଯାତ୍ରା ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ନୀତି ସବ୍ କମିଟି ଓ ଛତିଶା ନିଯୋଗ ବୈଠକରେ ଆଲୋଚନା କରାଯାଇ ଅନୁମୋଦନ ଦିଆଯିବ । ଯାହା ପରେ ଏହି ନିଷ୍ପତ୍ତିକୁ ଆଲୋଚନା କରି ଚୂଡ଼ାନ୍ତ ମୋହର ପରିଚାଳନା କମିଟି ଲଗାଇବ । ପରିଚାଳନା କମିଟିର ଚୂଡ଼ାନ୍ତ ନିଷ୍ପତ୍ତି ପରେ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ହେବ । ଏଥିରେ ରଥ ପ୍ରସ୍ତୁତି, ଆଇନ ଶୃଙ୍ଖଳା, ନୀତି ନିର୍ଘଣ୍ଟ, ପରିମଳ ବ୍ୟବସ୍ଥା ପ୍ରଭୃତି ସବୁ ଦିଗ ଉପରେ ଆଲୋଚନା ହେବ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଇନମନ୍ତ୍ରୀ ଏହା ଉପରେ ପଦକ୍ଷେପ ନେବେ।