ନୂଆଦିଲ୍ଲୀ,୧୭/୦୭: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବଡ଼ ଝଟକା ଲାଗିଛି । ସୁନା ଚୋରାଚାଲାଣ ମାମଲାରେ ତାଙ୍କୁ ସଜ୍ଜା ହୋଇଛି । ରାନ୍ୟାଙ୍କୁ ଗୋଟିଏ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି । ବୈଦେଶିକ ବିନିମୟ ସଂରକ୍ଷଣ ଏବଂ ଚୋରା ଚାଲାଣ କାର୍ଯ୍ୟକଳାପ ନିରାକରଣ ଅଧିନିୟମ ଅଧୀନରେ ପରାମର୍ଶଦାତା ବୋର୍ଡ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଯେଉଁଥିରେ ରାନ୍ୟାଙ୍କ ସମେତ ଅନ୍ୟ ଅଭିଯୁକ୍ତ ସାମିଲ ଅଛନ୍ତି ।
ଆଦେଶ ଅନୁସାରେ, ସୁନା ଚୋରା ଚାଲାଣ ମାମଲାରେ ରାନ୍ୟାଙ୍କ ସମେତ ୩ ଜଣଙ୍କୁ ବର୍ଷେ ଜେଲ୍ ଦଣ୍ଡ ହୋଇଛି । ଜାମିନ୍ ପାଇଁ ଆବେଦନ କରିଥିଲେ ବି ତାଙ୍କୁ ମିଳିନଥିଲା । ବର୍ଷେ ଜେଲ୍ କାରାଦଣ୍ଡ ଭିତରେ ବି ଜାମିନ୍ ଆବେଦନ କରିପାରିବେ ନାହିଁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାନ୍ୟାଙ୍କ ବିରୋଧରେ ପ୍ରିଭେନ୍ସନ ମନି ଲଣ୍ଡିଂ ଆକ୍ଟ ଅଧୀନରେ ଇସିଆଇଆର ରୁଜ୍ଜୁ କରିଥିଲେ । ଜୁଲାଇ ୪ରେ ଇଡି ରାନ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ବାସଭବନ, ଜମି ଜବତ କରିଥିଲା । ଏହି ମୋଟ୍ ସମ୍ପତ୍ତି ମୂଲ୍ୟ ୩୪.୧୨ କୋଟି ଟଙ୍କା ହେବ ।
କହି ରଖୁଛୁ କି, ମାର୍ଚ୍ଚ ୩ରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀମାନେ ବେଙ୍ଗାଲୁରୁ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାନ୍ୟା ରାଓଙ୍କୁ ଗିରଫ କରିଥିଲେ । ତାଙ୍କ ପାଖରୁ ଦୁବାଇରୁ ଅଣାଯାଇଥିବା ପ୍ରାୟ ୧୪.୮ କିଲୋଗ୍ରାମ ସୁନା ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୨.୬୫ କୋଟି ଟଙ୍କା ଥିଲା । ଏହାପରେ ରାନ୍ୟାଙ୍କ ବାସଭବନରେ ଚଢାଉ ହୋଇଥିଲା । ୨.୦୬ କୋଟି ଟଙ୍କାର ସୁନା ଅଳଙ୍କାର ସହ ୨.୬୭ କୋଟି ନଗଦ ଟଙ୍କା ଜବତ ହୋଇଥିଲା । ରାନ୍ୟା ୨୦୨୩ରୁ ୨୦୨୫ରେ ୩୪ ଥର ଦୁବାଇ ଯାଇଥିଲେ । ରାନ୍ୟା ଫିଲ୍ମ 'ମାଣିକ୍ୟୟ'ରେ କନ୍ନଡ ସୁପରାଷ୍ଟାର ସୁଦୀପଙ୍କ ସହିତ ଅଭିନୟ ପାଇଁ ଜଣାଶୁଣା ଥିଲେ ।