ପୁରୀ, ୦୪/୦୩: ଆସନ୍ତା ରଥଯାତ୍ରାରେ ଭକ୍ତଙ୍କ ଭିଡ଼ ବଢ଼ିବା ଆଶଙ୍କା ରହିଛି । ଏଣୁ ଗତ ରଥଯାତ୍ରାରେ ଯେଉଁ ସବୁ ତ୍ରୁଟି ଯୋଗୁଁ ପ୍ରଶାସନ ସମାଲୋଚନାର ଶିକାର ହୋଇଥିଲା ତାକୁ ସୁଧାର । ସୋମବାର ସର୍କିଟ ହାଉସ୍ରେ ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଶ୍ରଦ୍ଧାଳୁଙ୍କୁ ରଥଯାତ୍ରା ସମୟରେ ସମନ୍ୱିତ ସୁବିଧା ଓ ସୂଚନା ଦେବା ନିମନ୍ତେ ଏକ ‘ଆପ୍’ ପ୍ରସ୍ତୁତ କରାଯିବା ସମ୍ପର୍କରେ ଆଲୋଚନା ହୋଇଛି । ଶ୍ରଦ୍ଧାଳୁମାନେ ଯେପରି ଟ୍ରେନ୍, ବସ୍, ବାଇକ୍, ଟ୍ୟାକ୍ସିରେ ନିର୍ଦ୍ଧାରିତ ମାର୍ଗରେ ଆସି ପାର୍କିଂରେ ପହଞ୍ଚିବେ ଓ ସେଠାରେ ଗାଡ଼ି ରଖିବା ପରେ ରଥଯାତ୍ରାରେ ସାମିଲ ହୋଇପାରିବେ ତାହାର ତତ୍କାଳ ସୂଚନା ଏହି ‘ଆପ୍’ରେ ରହିବ । ପ୍ରାଶାସନିକ ସମସ୍ତ ବିଭାଗ ବାବଦରେ ଏଥିରେ ସୂଚନା ରହିବ । ଗୋଟିଏ କ୍ୟୁଆର୍ କୋଡ୍କୁ ସ୍କାନ୍ କରିଲେ ଯେପରି ଶ୍ରଦ୍ଧାଳୁମାନେ ରଥଯାତ୍ରାର ଅପଡେଟ୍ ତଥ୍ୟ ପାଇପାରିବେ ତାହାକୁ ଲକ୍ଷ୍ୟରେ ରଖି ପ୍ରଶାସନ ଏହି ‘ଆପ୍’ ପ୍ରସ୍ତୁତ କରିବ । ସେହିପରି ଭିଡ଼ ନିମନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ନିମନ୍ତେ ‘ଏଆଇ’ କ୍ୟାମେରା ଲଗାଇବାକୁ ପ୍ରାଶାସନିକ ଯୋଜନା ହୋଇଛି ।
ପ୍ରୟାଗରାଜଠାରେ ମହାକୁମ୍ଭରେ ଯେପରି କୋଟି କୋଟି ଲୋକଙ୍କ ସମାଗମକୁସୁରକ୍ଷିତ ଓ ବ୍ୟବସ୍ଥିତ କରାଯାଇ ପାରିଲା ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସେଭଳି କରାଯିବା ଲାଗି ଯୋଜନା ଚାଲିଛି । ଏହାକୁ ବ୍ୟାପକ ପ୍ରଚାର ପ୍ରସାର କରିବା ସହିତ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି କରିବାକୁ ପ୍ରଶାସନ ଯୋଜନା କରିଛି ।
ଆସନ୍ତା ଜୁନ ୨୭ ତାରିଖରେ ରଥଯାତ୍ରା । ଏହି ଯାତ୍ରାର ଆଦ୍ୟ ପର୍ବ ଦେବସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ସମସ୍ତ କାମକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଏସ୍ପି ବିନୀତ ଅଗ୍ରୱାଲ ରଥଯାତ୍ରା ପାଇଁ ଆଇନଶୃଙ୍ଖଳା ରକ୍ଷାର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ପୁରୀ ବଡ଼ଦାଣ୍ଡ ଓ ଏହା ସଂଲଗ୍ନ ରାସ୍ତା ପାଶ୍ୱର୍ରେ ଥିବା ଅସୁରକ୍ଷିତ ବିଲ୍ଡିଂ ଚିହ୍ନଟ ଓ ସୁରକ୍ଷା ନିମନ୍ତେ କାର୍ଯ୍ୟାନୁଷ୍ଠାନ, ଅଗ୍ନି ନିର୍ବାପକ ବ୍ୟବସ୍ଥାର ସମୀକ୍ଷା ଇତ୍ୟାଦିକୁ ଯୁଗ୍ମ ତଦନ୍ତ ମାଧ୍ୟମରେ ତ୍ୱରାନ୍ୱିତ କରିବା ପାଇଁ ଏସ୍ପି ପରାମର୍ଶ ଦେଇଥିଲେ ।
ଏପ୍ରିଲ ୩୦ ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ, ଜୁନ ୧୧ରେ ଦେବସ୍ନାନ ପୂର୍ଣ୍ଣିମା, ଜୁନ ୨୭ରେ ରଥଯାତ୍ରା, ଜୁଲାଇ ୫ରେ ବାହୁଡ଼ା, ଜୁଲାଇ ୬ରେ ସୁନାବେଶ, ଜୁଲାଇ ୭ରେ ଅଧରପଣା ଓ ଜୁଲାଇ ୮ରେ ନୀଳାଦ୍ରି ବିଜେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି । ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀମାନେ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ରଖିଥିଲେ ।