ଦାରିଙ୍ଗବାଡି,୨୦।୧(ଆପ୍ର): ଦାରିଙ୍ଗବାଡି ସ୍ଥିତ କିସୁବାଡ଼ିର ପାଟାବାନ୍ଦା ଜଳପ୍ରପାତଠାରେ କନ୍ଧମାଳ ନୂତନ ପେନସନ୍ ଭୁକ୍ତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ସମ୍ମିଳନୀ ଆୟୋଜନ ହୋଇଥିଲା । ଏହି ବୈଠକ ଅନେକ ସକାରାତ୍ମକ ଦିଗ ଉପରେ ଆଲୋଚନା କରାଯାଇଥିଲା l
ଶିକ୍ଷକଙ୍କ ଅନେକ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟିଭଙ୍ଗୀ କିପରି ସକାରାତ୍ମକ ରହିବ ଓ ପୂର୍ବ ସରକାର ସମୟରେ କରାଯାଇଥିବା ଶିକ୍ଷକ ଆନ୍ଦୋଳନର ମୁଖ୍ୟ ନ୍ୟାର୍ଯ୍ୟ ଦାବୀ ଯେପରି ଏହି ନୂତନ ସରକାରଙ୍କ ଦ୍ୱାରା କାର୍ଯ୍ୟକ୍ଷମ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରମୋସନ ପ୍ରକ୍ରିୟା କିପରି ତ୍ୱରାନ୍ୱିତ ହୋଇପାରିବ, ପ୍ରତ୍ୟେକ ବ୍ଲକରେ ଯେପରି ଶିକ୍ଷକ ସଂଗଠନର ସଭାଗୃହ ଯଥାଶୀଘ୍ର ନିର୍ମାଣ କରାଯିବ ସେ ନେଇ ଆଲୋଚନା ହେବା ସହ ଅନ୍ୟାନ୍ୟ ସମସ୍ୟା ବିଷୟରେ ଜିଲ୍ଲା ସଂଗଠନ ଉଚ୍ଚ କତ୍ତୃପକ୍ଷଙ୍କୁ କିପରି ଅବଗତ କରି ଏକ ସକାରାତ୍ମକ ପଦକ୍ଷେପ ପାଇଁ ଦୃଷ୍ଟି ଦେବେ ସେ ବିଷୟରେ ଆଲୋଚନା କରାଯାଇଥିଲା I
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଏନପିଏସ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୁମର ପରାସେଠ, କାର୍ଯ୍ୟକାରୀ ସଭାପତି ସରୋଜ ସେଠି, ସମ୍ପାଦକ ଶାନ୍ତନୁ ପ୍ରଧାନ, ଯୁଗ୍ମ ସମ୍ପାଦକ ଉତ୍କଳ କେଶରୀ ବିବାର, କୋଷାଧକ୍ଷ ସନାତନ ପରିଛା ,ଅରବିନ୍ଦ ମହାପାତ୍ର, ଅଜିତ ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ ।