ସୁନ୍ଦରୀ ନାଁଟା ଶୁଣିଲେ ଦେହ ଶିହରି ଉଠେ। ମନରେ ଆସକ୍ତି ଜନ୍ମେ। ହୃଦୟ ନିବିଡ଼ତା ଚାହେଁ । ଅନ୍ତର ଆଲିଙ୍ଗନ ଖୋଜେ । ନାଁ’ଟାର ଏତେ ଆକର୍ଷଣ ଚେହେରାଟି ନିଶ୍ଚୟ ଡଉଲ ଡାଉଲ ହୋଇଥିବ । ଅଫୁରନ୍ତ ଯୌବନରେ ସେ ଉଲ୍ଲସିତ ହେଉଥିଲା । ତା' ଦେହରେ ବି ଅମାପ ଆକର୍ଷଣ ଥିଲା । ମନରେ ବି ଅନେକ ସ୍ୱପ୍ନ । ସୁନ୍ଦରୀ ତା' ମନମତାଣିଆ ଜିନିଷ ପାଇବ । ସୁଖରେ ସଂସାର କରିବ । ପଶୁ ହେଲେବି ତାର ମନଟିଏ ତ ଅଛି । ଯେଉଁଥିପାଇଁ ସେ ଧାଇଁ ଆସିଥିଲା ସୁଦୂର ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଓଡ଼ିଶାର ସାତକୋଶିଆକୁ । ମୁଁ କହୁଛି, ବାଘୁଣୀ ସୁନ୍ଦରୀ କଥା । ଓଡ଼ିଶାରେ ଚିନ୍ତାଜନକ ଭାବେ ବାଘସଂଖ୍ୟା ହ୍ରାସ ପାଉଥିବାରୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଓଡ଼ିଶା ରାଜ୍ୟ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ ୨୦୧୮ ମସିହାରେ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନ୍ତାନ୍ତରୀକରଣ ପ୍ରକଳ୍ପ ଜରିଆରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀକୁ ଆଣିଥିଲେ । ସେହି ସାତକୋଶିଆରେ ପୂର୍ବରୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଯୁବ ମହାବଳ ବାଘ ଏମ୍:ବି:୨କୁ ଆଣି ରଖାଇଥିଲେ, କିନ୍ତୁ କ୍ଷୋଭର ବିଷୟ ଯେ, ବାଘବଂଶ ବୃଦ୍ଧିହେବା ତ ଦୂରର କଥା, ଓଡ଼ିଶା ରାଜ୍ୟ ବନ୍ୟପ୍ରାଣୀ ବିଭାଗର ଅପରିଣାମଦର୍ଶିତା ଓ ଦିଶାହୀନ ପରିଚାଳନା ଯୋଗୁଁ ଏମ୍:ବି:୨ର ଅକାଳ ମୃତ୍ୟୁ ହେଲା । ଯାହାର କାରଣ ଆଜିପର୍ଯ୍ୟନ୍ତ ବି ରହସ୍ୟାବୃତ୍ତ ହୋଇ ରହିବା ସଙ୍ଗେସଙ୍ଗେ ବାଘୁଣୀ ସୁନ୍ଦରୀ ସାଥୀହରା ହୋଇ ମଣିଷ, ପଶୁ ଖାଇ ଯନ୍ତାରେ ପଡ଼ି ରୋଗିଣୀ ଅବସ୍ଥାରେ ପୁଣି ବାନ୍ଧବଗଡ଼ ଫେରିଗଲା ।
ଏ ଘଟଣା ରାଜ୍ୟବାସୀଙ୍କ ମନରୁ ଲିଭିନଥିଲା ବେଳେ ଏବେଏବେ ପୁଣି ଓଡ଼ିଶା ରାଜ୍ୟ ବନ ବିଭାଗ ଓ ରାଜ୍ୟ ବନ୍ୟପ୍ରାଣୀ ବିଭାଗ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟରେ ବାଘସଂଖ୍ୟା ବଢ଼ାଇବା ଲାଗି । ସର୍ବଭାରତୀୟ ବାଘ ଗଣନା ରିପୋର୍ଟ ଅନୁଯାୟୀ, ୨୦୨୩-୨୪ ବର୍ଷରେ ସମଗ୍ର ଓଡ଼ିଶାରେ ସର୍ବମୋଟ ୩୦ଟି ବାଘ ଅଛନ୍ତି । ଯେଉଁଥିରୁ ଶିମିଳିପାଳ ଅଭୟାରଣ୍ୟରେ ୨୭ଟି ଏବଂ ଅନ୍ୟାନ୍ୟ ଜାଗାମାନଙ୍କରେ ଆଉ ୩ଟି ବାଘ ଅଛନ୍ତି । ଏହି ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ୨୦୨୨ ମସିହାରେ ଓଡ଼ିଶାରେ ୨୦ଟି ବାଘ ଥିଲେ, ଏବେ ଏହା ୩୦କୁ ବୃଦ୍ଧିପାଇଛି । ଶିମିଳିପାଳ ୨୭ଟି ବାଘ ମଧ୍ୟରୁ ୧୪ଟି ବାଘୁଣୀ, ୧୩ଟି ବାଘ । ଗତ ୧୨ବର୍ଷ ଭିତରେ ଶିମିଳିପାଳ ୭୫ଟି ବାଘ ହରାଇଛି । ଆମ ଓଡ଼ିଶା ରାଜ୍ୟ ବାଘ ଓ ବାଘୁଣୀମାନଙ୍କ ଦେହର ରଙ୍ଗ ହଳଦୀ ମାଟିଆ ହୋଇ ଦେହସାରା ଗାଢ଼ କଳାରଙ୍ଗର ପଟାଳିଆ ଦାଗମାନ ରହିଛି । ଆନୁବଂଶିକୀ ଓ ପ୍ରଜନନ ବିଜ୍ଞାନ ତଥ୍ୟ କୁହେ ଶିମିଳିପାଳରେ ବାଘସଂଖ୍ୟା କମ୍ ମାତ୍ରାରେ ବଢ଼ିବାର କାରଣ ହେଉଛି ଏଠିକାର ଏକାଭଳି ଦେଖାଯାଉଥିବା ବାଘ ଓ ବାଘୁଣୀଙ୍କ ମଧ୍ୟରେ ପ୍ରଜନନ ଯୋଗୁଁ । ଯାହାକି ନିକଟ ସମ୍ପର୍କୀୟଙ୍କ ଦ୍ୱାରା ଶାବକ ଉତ୍ପାଦନ ପ୍ରଣାଳୀରେ ସମ୍ଭବ ହେଉଛି, କିନ୍ତୁ ବାଘବଂଶ ବୃଦ୍ଧିକୁ ଏହା ତ୍ୱରାନ୍ୱିତ କରିପାରୁନି । ଏ ପରିପ୍ରେକ୍ଷୀରେ ବାରିପଦା ବନଖଣ୍ଡ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀଙ୍କ ସଦ୍ୟ ପ୍ରକାଶିତ ତଥ୍ୟ ପ୍ରଣିଧାନଯୋଗ୍ୟ । ଶିମିଳିପାଳରେ ବାଘବାଘୁଣୀଙ୍କ ମଧ୍ୟରେ "ଇନ୍ବ୍ରିଦିଙ୍ଗ' (ନିକଟ ସମ୍ପର୍କୀୟଙ୍କ ଦ୍ୱାରା ଶାବକ ଉତ୍ପାଦନ) କୁ ରୋକି ବାଘସଂଖ୍ୟା ବୃଦ୍ଧି କରିବା ଲାଗି ଅସମତ୍ୱ, ବିଜାତୀୟ ବାଘବାଘୁଣୀଙ୍କଠୁଁ ଉଦ୍ଭଦ ଶୁକ୍ରାଣୁ ଓ ଡିମ୍ବାଣୁର ମିଳନରୁ ଜାତ ବିସମାଙ୍ଗ (ହେଟେରୋଜାଇଗୋସ୍) ବାଘ ବା ବାଘୁଣୀ ବଂଶ ବୃଦ୍ଧିକୁ ତ୍ୱରାନ୍ୱିତ କରିପାରିବେ । ଗୋଗିନେନୀଙ୍କ ମତରେ, ଦୀର୍ଘସୂତ୍ରୀ ବ୍ୟାଘ୍ର ପ୍ରଜନନ ପ୍ରକ୍ରିୟା ନିମନ୍ତେ ନିକଟ ସମ୍ପର୍କୀୟଙ୍କ ଦ୍ୱାରା ଶାବକ ଉତ୍ପାଦନ ପ୍ରଣାଳୀ ଭବିଷ୍ୟତରେ ଅନ୍ତରାୟ ସୃଷ୍ଟି କରିପାରେ । ଅସମତ୍ୱ, ବିଜାତୀୟ ବାଘବାଘୁଣୀଙ୍କ ମଧ୍ୟରେ ପ୍ରଜନନ ବାଘ, ବାଘୁଣୀଙ୍କ ବଂଶବୃଦ୍ଧିରେ ବେଶ୍ ସହାୟକ ହେବ ।
ଏହି ପରିପ୍ରେକ୍ଷୀରେ ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଜରିଆରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସରକାରଙ୍କୁ ଦିଆଯାଇ ଓଡ଼ିଶାକୁ ଦୁଇଟି ବାଘୁଣୀ ଦିଆଯିବା ଲାଗି ଅନୁରୋଧ କରାଯିବ । ମଧ୍ୟପ୍ରଦେଶର ବାନ୍ଧବଗଡ଼, କାହ୍ନା ଓ ମହାରାଷ୍ଟ୍ରର ତଡ଼ବ୍ୱା ଅଭୟାରଣ୍ୟରୁ ଏହି ବାଘୁଣୀ ଆସିବାକୁ ପ୍ରସ୍ତାବ ଦିଆଯିବ । ଗୋଗିନେନୀ ଆହୁରି ମଧ୍ୟ ଦର୍ଶାଇଛନ୍ତି ମହାରାଷ୍ଟ୍ରର ତଡ଼ବ୍ୱା ଅଭୟାରଣ୍ୟର ବାଘଙ୍କ ଆନୁବଂଶିକୀ ଓଡ଼ିଶା ବାଘଙ୍କ ଆନୁବଂଶିକୀ ସହିତ ମେଳ ଖାଉଥିବାରୁ ଏମାନେ ଶିମିଳିପାଳରେ ଏକ ଶାନ୍ତିପୂର୍ଣ୍ଣ ସହାବସ୍ଥାନରେ ଓଡ଼ିଶା ବାଘଙ୍କ ସହିତ ରହିପାରିବେ । ଓଡ଼ିଶା ଜଙ୍ଗଲମାନଙ୍କରେ ତୃଣଭୋଜୀଙ୍କ ଆଶାତୀତ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏକ ସନ୍ତୁଳିତ ପରିବେଶ ଓ ଏହାର ସୁରକ୍ଷା ନିମନ୍ତେ ଚିନ୍ତାଜନକ ଭାବେ ହ୍ରାସପାଉଥିବା ବାଘଙ୍କ ସଂଖ୍ୟା ବୃଦ୍ଧି ଏକାନ୍ତ ଜରୁରି । ଏଥିପାଇଁ ଓଡ଼ିଶାରେ ସରକାରୀ ସ୍ତରର ଏ ଉଦ୍ୟମ ଖୁବ୍ ସ୍ୱାଗତଯୋଗ୍ୟ ଓ ଏହା ବାଘବଂଶ ବୃଦ୍ଧି ପାଇଁ ଏକ ସମୟୋପଯୋଗୀ ପଦକ୍ଷେପ । ଦୁଇଟି ବାଘୁଣୀଙ୍କ ମଧ୍ୟରୁ ମହାରାଷ୍ଟ୍ର ତଡ଼ବ୍ୱା ଜଙ୍ଗଲରୁ ସୁନ୍ଦରୀ ଆସୁ କି ମଧ୍ୟପ୍ରଦେଶର ବାନ୍ଧବଗଡ଼ କାହ୍ନା, କି ଆଉ କେଉଁଠାରୁ ସୁନ୍ଦରୀ ଆସୁ ।
୨୦୧୮ ମସିହା "ସୁନ୍ଦରୀ ଉପାଖ୍ୟାନ'ରୁ ହାସଲ କରିଥିବା ଉପଲବ୍ଧିକୁ ସମୟୋଚିତ୍ତ ସଦୁପଯୋଗ କଲେ ସଫଳତା ନିଶ୍ଚୟ ମିଳିବ ଏଥିରେ ସନ୍ଦେହର ଅବକାଶ ନାହିଁ । ଅବଶ୍ୟ ଏଥିପାଇଁ ଶିମିଳିପାଳରେ ପ୍ରବାସୀ ସୁନ୍ଦରୀମାନଙ୍କ ପାଇଁ ଯଥାଯୋଗ୍ୟ ଥଇଥାନର ବ୍ୟବସ୍ଥା କରି ଅତି କମ୍ରେ ଆସିବା ଦିନଠାରୁ ବର୍ଷେ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ସେମାନଙ୍କର ଚାଲିଚଳନ, ଆହାର ବ୍ୟବହାର, ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁ ପଡ଼ିବ । କୌଣସି ବି ଅବହେଳା କି ଅନୁଚିତ୍ ପଦକ୍ଷେପ ଭୟଙ୍କର ଓ ଅତ୍ୟନ୍ତ ନିରୁତ୍ସାହଜନକ ପରିସ୍ଥିତି ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପୁଣି ଓଡ଼ିଶା ରାଜ୍ୟ କୋଷାଗାରକୁ ଅପବ୍ୟୟରେ ପକାଇବ।