ପ୍ରମୂଖ ଖବର
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ମାତୃଶକ୍ତିର ଉପାସନା

ପ୍ରାଚୀନ ଶାକ୍ତ ସଂପ୍ରଦାୟ ଯାହାକି ଭାରତୀୟ ମୂଳ ଆଦିନିବାସୀମାନଙ୍କ ମଧ୍ୟରେ ପ୍ରକଟିତ ହୋଇଥିଲା ଓ ଯାହା ସଭ୍ୟତାର ପ୍ରାରମ୍ଭିକ ଅବସ୍ଥାରେ ମଧ୍ୟ ରହିଥିଲା, ତାହାହିଁ ସମୟ ସ୍ରୋତରେ ବିଭିନ୍ନ ରୂପରେ ରୂପାନ୍ତରିତ ହୋଇ କାଳାନ୍ତରରେ ବହୁ ଶାଖା ପଲ୍ଲବାଶ୍ରୟୀ ହୋଇପଡ଼ିଛି।

ମାତୃକା-ଶକ୍ତିକୁ ଦେବୀ ରୂପରେ ଉପାସନା କରିବାର ପରମ୍ପରା ଭାରତବର୍ଷରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି । ବିଶେଷତଃ ପ୍ରାଗ୍‌-ଐତିହାସିକ କାଳରୁ ଭାରତୀୟ ସଭ୍ୟତା ଓ ସଂସ୍କୃତିରେ ମାତୃଶକ୍ତିର ଉପାସନା କରାଯାଉଥିବାର ପୁରାତାତ୍ତ୍ୱିକ ପ୍ରମାଣମାନ ଉପଲବ୍ଧ ହୋଇସାରିଥିବାରୁ ଏହାର ପ୍ରାମାଣିକତା ସିଦ୍ଧ ହୋଇସାରିଛି । ଶକ୍ତି ଉପାସନା ଭାରତୀୟମାନଙ୍କର ସମ୍ପୂର୍ଣ୍ଣ ମୌଳିକ ଭାବନା ଅଟେ । ପୁରାତାତ୍ତ୍ୱିକ ଅନୁସନ୍ଧାନରୁ ପ୍ରାପ୍ତ ସିନ୍ଧୁ ଉପତ୍ୟକାର ଯୋନିପ୍ରତୀକାତ୍ମକ ମୂର୍ତ୍ତିରୁ ପ୍ରମାଣିତ ହୋଇଥାଏ ଯେ, ତାମ୍ରଯୁଗର ସିନ୍ଧୁପ୍ରଦେଶ ଅଞ୍ଚଳରେ ମାତୃଶକ୍ତିର ଉପାସନା ପ୍ରଚଳିତ ଥିଲା । ମାତୃଶକ୍ତିର ଉପାସନା ଧାରାକୁ ଆହୁରି ଅତୀତକାଳରେ ଅର୍ଥାତ୍‌ ନୂତନ ପ୍ରସ୍ତର ଯୁଗରେ ଠାବ କରାଯାଇପାରେ । ସମ୍ଭବତଃ ଏ ଯୁଗରେ ଭୂ-ଦେବୀ ଓ ଶସ୍ୟଦେବୀଙ୍କର ଉପାସନାର ଆରମ୍ଭ ହୋଇଥିଲା । ପବିତ୍ର ନବାନ୍ନ-ପୂଜା ମୂଳରେ ଏହି ସୂତ୍ର ହିଁ ସହସ୍ୟାବୃତ୍ତ ହୋଇ ରହିଛି । 

ସାର ଜନ୍‌ ମାର୍ଶାଲ ଯଥାର୍ଥରେ କହିଛନ୍ତି "ଅତ୍ୟନ୍ତ ପ୍ରାଚୀନ କାଳରୁ ଭାରତବର୍ଷରେ ପ୍ରଚଳିତ ହୋଇଆସୁଥିବା ଶକ୍ତି ଉପାସନାର ଧାରା ମାତୃ-ମହାଦେବୀଙ୍କ ଉପାସନାରୁ ହିଁ ଉଦ୍ଭବ ହୋଇଛି ଓ ଶୈବମତ ସହ ଏହାର ଆତ୍ମୀୟ ସମ୍ବନ୍ଧ ରହିଛି' । ପୃଥିବୀର ବହୁ ଅଞ୍ଚଳରେ ଭାରତୀୟ ଶକ୍ତି ଉପାସନାର ପ୍ରତିଫଳନ ପ୍ରାଚୀନ ଯୁଗରୁ ପରିବ୍ୟାପ୍ତ ହୋଇ ରହିଆସିଛି । ସୁଦୂର ଏସିଆ ମାଇନର, ମିଶର, ଫିନିଶିୟା ଓ ୟୁନାନ୍‌ ଆଦି ଭୂଖଣ୍ଡରେ ଏବେ ମଧ୍ୟ ଭାରତୀୟ ଶକ୍ତି ଉପାସନାର ଅସ୍ତିତ୍ୱ କୌଣସି ନା କୌଣସି ରୂପରେ ରହିଛି । କେବଳ ବାହ୍ୟ ଉପାସନା ମାତ୍ର ନୁହେଁ, ଏ ଦେଶମାନଙ୍କ ମତବାଦ ସମୂହର ପ୍ରମୁଖ ସିଦ୍ଧାନ୍ତଗୁଡ଼ିକ ସହ ଭାରତୀୟ ଶକ୍ତିବାଦର ମତ ଓ ତାତ୍ତ୍ୱିକ ସାମଞ୍ଜସ୍ୟ ଅତି ଘନିଷ୍ଠ ଅଟେ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଅନ୍ତତଃ ତାମ୍ରଯୁଗ ବେଳକୁ ଭାରତବର୍ଷ ସମେତ ସମଗ୍ର ପଶ୍ଚିମ ଏସିଆ ଏକ ବୃହତ୍ତମ ସାଂସ୍କୃତିକ ଏକକ କ୍ଷେତ୍ର ଥିଲା । ଏ କ୍ଷେତ୍ରରେ ମାତୃଶକ୍ତି ଉପାସନା ରୂପରେ ଶାକ୍ତ ସଂସ୍କୃତିର ସର୍ବମୟ ସ୍ୱାକ୍ଷର ରହିଥିଲା । ଭାରତୀୟ ଧର୍ମସାହିତ୍ୟରେ କୀର୍ତ୍ତିତ ଶାକ୍ତ ମତବାଦ ଖ୍ରୀ.ପୂ. ୫୦୦୦-୪୦୦୦ ବର୍ଷ ଅତୀତରୁ ପ୍ରଚଳିତ ଥିବାର ସ୍ପଷ୍ଟ ପ୍ରମାଣ ପୁରାତାତ୍ତ୍ୱିକ ଗବେଷଣାରୁ ମିଳୁଛି । ପ୍ରାଚୀନ କାଳରେ ମାତୃଶକ୍ତିର ଉପାସନା ସମଗ୍ର ବିଶ୍ୱ ମଧ୍ୟରେ ପରିବ୍ୟାପ୍ତ ଥିଲା ଓ ଏହି ଉପାସନା ମୂଳରେ ଏକ ବ୍ୟାପକ ସଂସ୍କୃତି ହିଁ ବିଦ୍ୟମାନ ଥିଲା । ବୈଦିକ ଆର୍ଯ୍ୟ ସଭ୍ୟତା ସରସ୍ୱତୀ ଓ ଦ୍ରୁଶଦ୍‌ବତୀ ନଦୀକୂଳରେ ଗଢ଼ି ଉଠିଥିଲା ଏବଂ ବୃହତ୍ତର ଭାରତଖଣ୍ଡରେ ତାହା କ୍ରମେ ବିକାଶଲାଭ କରିଥିଲା । 

ସିନ୍ଧୁ ସଭ୍ୟତାର ସାଂସ୍କୃତିକ ନିଦର୍ଶନ ବୈଦିକ ଆର୍ଯ୍ୟ ସଂସ୍କୃତିର ମତବାଦଠାରୁ ଭିନ୍ନ ବା ସ୍ୱତନ୍ତ୍ର ନୁହେଁ । ତେଣୁ ବୃହତ୍ତର ସତ୍ୟ ଦୃଷ୍ଟିରୁ ବୈଦିକ ଆର୍ଯ୍ୟ ସଭ୍ୟତାକୁ ସିନ୍ଧୁ ସଭ୍ୟତା ପରିବର୍ତ୍ତେ ସରସ୍ୱତୀ-ସଭ୍ୟତା କୁହାଯିବା ଯୁକ୍ତିଯୁକ୍ତ ଅଟେ । ସାଂପ୍ରତିକ କାଳର ବିଶିଷ୍ଟ ଐତିହାସିକ ତଥା ନୃତତ୍ତ୍ୱବିଦ୍‌ ମୋରପନ୍ତ ପିଙ୍ଗଳେଙ୍କ ପରି କେତେକ ବିଦ୍ୱାନମାନଙ୍କ ଦ୍ୱାରା ପ୍ରଦତ୍ତ ଏ ସିଦ୍ଧାନ୍ତ ସଂପର୍କୀୟ ଯୁକ୍ତିଗୁଡ଼ିକ ବେଶ୍‌ ପ୍ରାସଙ୍ଗିକ ଓ ପ୍ରଣିଧାନଯୋଗ୍ୟ । ସରସ୍ୱତୀ ନଦୀ ଆଜି ଲୁପ୍ତ । ଏହି ନଦୀ ମାଳୟର ଶିବାଲିକ୍‌ ପର୍ବତରୁ ନିଷ୍କ୍ରାନ୍ତ ହୋଇ ଆଧୁନିକ ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଗୁଜୁରାଟ ଦେଇ ପ୍ରଭାସ-ପତ୍ତନ ଠାରେ ସାଗର ସଙ୍ଗମ ଲାଭ କରିଥିଲା । ଐତିହାସିକ ଅନୁସନ୍ଧାନ ଓ ଅଧ୍ୟୟନ ହିଁ ଏହା ପ୍ରମାଣ କରୁଛି ଯେ, ସିନ୍ଧୁ ଉପତ୍ୟକାର ସାଂସ୍କୃତିକ ଅଭିବ୍ୟକ୍ତି ଭାରତୀୟ ସଭ୍ୟତାର ମହନୀୟତାକୁ ପ୍ରକଟିତ କରିଥାଏ । ସିନ୍ଧୁ ସଭ୍ୟତାରୁ ମିଳିଥିବା ମୂର୍ତ୍ତି ସଙ୍କେତଗୁଡ଼ିକରେ ପ୍ରଚ୍ଛନ୍ନ ଥିବା ଯୋଗତାତ୍ତ୍ୱିକ ପୃଷ୍ଠଭୂମିରୁ ମଧ୍ୟ ଏହା ପ୍ରମାଣିତ ହୋଇଥାଏ । ଭାରତୀୟ ଦର୍ଶନ ସାହିତ୍ୟ ଓ ପୁରାଣାଦିରୁ ମିଳୁଥିବା ପ୍ରମାଣରୁ ସ୍ପଷ୍ଟ ଜଣାପଡ଼ିଥାଏ ଯେ, ଧର୍ମୀୟ ଚିନ୍ତନ ପ୍ରଣାଳୀରେ ଯୋଗପ୍ରକ୍ରିୟାର ଯେଉଁପ୍ରକାର ସ୍ୱରୂପଗତ ବିକାଶକ୍ରମ ଘଟିଛି ତାହା ଶକ୍ତିବାଦର ସମନ୍ୱୟରେ ଅଗ୍ରଗାମୀ ହୋଇଛି । ଏଥିରେ ଯୋଗେଶ୍ୱର ଓ ଯୋଗେଶ୍ୱରୀ ଯୁଗନଦ୍ଧ ରୂପେ ରହିଛନ୍ତି । ଭାରତୀୟ ଶାସ୍ତ୍ର ଓ ପୁରାତତ୍ତ୍ୱ ଉଭୟରେ ଏହାର ସ୍ୱାକ୍ଷର ମର୍ମରିତ । ନାମକ ସନ୍ଦର୍ଭ ଗ୍ରନ୍ଥର ଲେଖକ ଏହାର ବିଷଦ ଆଲୋଚନାପୂର୍ବକ ଦର୍ଶାଇଛନ୍ତି ଯେ, ସିନ୍ଧୁ ସଭ୍ୟତାରୁ ଉପଲବ୍ଧ ମୂର୍ତ୍ତିଗୁଡ଼ିକରେ ଯୋଗମୁଦ୍ରାର ଯେଉଁ ସ୍ୱରୂପସକଳ ପରିଦୃଷ୍ଟ ହୋଇଥାଏ, ତାହା ଅବିକଳ ଭାବେ ବାୟୁ ମହାପୁରାଣ ବର୍ଣ୍ଣିତ ଯୋଗର ପାଶୁପତ ସ୍ୱରୂପ ହିଁ ଅଟେ । ପୁରାଣୈତିହାସ ଅଧ୍ୟୟନରୁ ଏହି ସୂଚନା ମିଳୁଛି ଯେ, ଏକଦା ଧର୍ମୀୟ ସାଧନାରେ "କର୍ମ' ଅପେକ୍ଷା "ଯୋଗ'ର ପ୍ରାଧାନ୍ୟକୁ ମହତ୍ତ୍ୱ ପ୍ରଦାନ କରାଯାଉଥିଲା ଓ ତଦାନୁପାତରେ "ଯୋଗାଭ୍ୟାସ'କୁ ପ୍ରାଥମିକତା ଦିଆଯାଉଥିଲା । ବାସ୍ତବରେ କର୍ମବାଦର ଆବିର୍ଭାବ ମଧ୍ୟ ଯୋଗରୁ ହିଁ ହୋଇଛି । ଉଲ୍ଲେଖନୀୟ ଯେ, ଭାରତୀୟ ଶାସ୍ତ୍ର ପୁରାଣାଦିରେ ବର୍ଣ୍ଣିତ ଯୋଗତାତ୍ତ୍ୱିକ ପ୍ରଣାଳୀ ଓ ଯୋଗାଭ୍ୟାସ ହେଉଛି ଧର୍ମୀୟ ଅଭ୍ୟାସର ଏକ ପ୍ରାଚୀନ ପରମ୍ପରା ଓ ତାମ୍ରଯୁଗୀୟ ସିନ୍ଧୁ ସଭ୍ୟତା ଓ ସଂସ୍କୃତି ସମ୍ଭବତଃ ଏହି କାଳୀନ ଭାରତୀୟ ଧାର୍ମିକ ଓ ଦାର୍ଶନିକ ଇତିହାସର ପ୍ରାଞ୍ଜଳ ଚିତ୍ର ପ୍ରଦାନ କରିଥାଏ । ଯୋଗସଂପ୍ରଦାୟର ଗୂଢ଼ସିଦ୍ଧାନ୍ତ ସମୂହକୁ ବିଶ୍ଳେଷଣ କଲେ ଆମେ ସିନ୍ଧୁ ସଭ୍ୟତାର ମାତୃଶକ୍ତି ଉପାସନା ଓ ଶିବ ଉପାସନାର ରହସ୍ୟକୁ ଅନାବରଣ କରିପାରିବା, ଅନ୍ୟଥା ନୁହେଁ । ଶିବଶକ୍ତି ଉପାସନାର ମୂଳାଧାର ଏକ ହିଁ ଅଟେ ଓ ଏହା ଯୋଗପିଣ୍ଡିତ । ଶକ୍ତି ବିନା ଶକ୍ତିମାନର ଅସ୍ତିତ୍ୱ ରହେନାହିଁ । ଶକ୍ତିବିହୀନ ଶିବ ଶବ ହିଁ ଅଟନ୍ତି । ତେଣୁ ଏକ ମୂଳାଧାରରୁ ଶିବଶକ୍ତି ଉପାସନାର ବିକାଶ କ୍ରମରେ ଯୋଗ ପ୍ରମୁଖ ଅନ୍ତଃଶକ୍ତି ଭାବେ ସହାୟକ ହୋଇଛି । ଯୋଗର ଛଅଟି ଅଙ୍ଗ ହେଉଛି- ମୂଳାଧାର, ସ୍ୱାଧୀଷ୍ଠାନ, ମଣିପୁରକ, ଅନାହତ, ବିଶୁଦ୍ଧ ଓ ଆଜ୍ଞା । 

ଏହି ଯୋଗଷଡ଼ାଙ୍ଗ ମଧ୍ୟରେ ଆଜ୍ଞା ହେଉଛି "ଶକ୍ତି'ର ପ୍ରତୀକ । ଯୋଗର ମୂଳପ୍ରକ୍ରିୟା ବା ପ୍ରାଣାୟାମକୁ ଅଭ୍ୟାସ କରୁଥିବା ଯୋଗୀମାନେ ଏହି ଭିନ୍ନ ଭିନ୍ନ ଯୋଗାଙ୍ଗର ରହସ୍ୟ ଓ କ୍ରିୟାତ୍ମକ ସିଦ୍ଧାନ୍ତକୁ ଉପଲବ୍ଧି କରିଥାନ୍ତି । ଏହା ଅନୁଭବସିଦ୍ଧ ଯେ, ଶକ୍ତିର ପ୍ରତୀକ ଆଜ୍ଞା ବିନା ଅନ୍ୟ ଯୋଗ ପଞ୍ଚାଙ୍ଗ ଅନୁରୂପ ଭାବରେ କ୍ରିୟାଶୀଳ ହୋଇପାରନ୍ତି ନାହିଁ । ଯୋଗପ୍ରକ୍ରିୟାରେ ଶକ୍ତିବିହୀନ ଶକ୍ତିମାନ ବା ପୁରୁଷ ସ୍ୱୟଂ ସକ୍ରିୟ ହୋଇପାରେ ନାହିଁ । ଶକ୍ତିମାନକୁ କ୍ରିୟାଶୀଳ କରିବାପାଇଁ ଯେଉଁପ୍ରକାର ଶକ୍ତିର ଆବଶ୍ୟକ ହୋଇଥାଏ ତାହା ମାତୃଶକ୍ତି ଯୋଗୁଁ ହିଁ ସମ୍ଭବ ହୁଏ । ଏ ପ୍ରକାର ଭାବରେ ଭାରତୀୟ ପ୍ରାଚୀନ ମୁନି-ଋଷିଗଣ ଯୋଗକୁ ସିଦ୍ଧ କରି ଭବ-ବନ୍ଧନରୁ ମୁକ୍ତ ହେବାପାଇଁ ଏହି ପ୍ରକ୍ରିୟାର ଅଭ୍ୟାସକୁ ସଂସାର ମଧ୍ୟରେ ପ୍ରଚାର କରିଥିଲେ । ଯୋଗେଶ୍ୱରୀ ଚାମୁଣ୍ଡା ତତ୍ତ୍ୱ ଏହି ରହସ୍ୟକୁ ହିଁ ବିମୋଚନ କରିଥାଏ । ପ୍ରୋକ୍ତ ଯୋଗପ୍ରକ୍ରିୟାକୁ ବେଦାନ୍ତିକ ସାଂଖ୍ୟବାଦୀମାନେ ପୁରୁଷ ଓ ପ୍ରକୃତି ତତ୍ତ୍ୱର ସମ୍ମିଳିତ ପ୍ରକ୍ରିୟା ବୋଲି ବର୍ଣ୍ଣନା କରିଛନ୍ତି । ସମାନ ପୃଷ୍ଠଭୂମିରୁ ଉଦ୍ଭବ ହୋଇଥିବାରୁ ଶୈବ ସଂପ୍ରଦାୟ ଓ ଶାକ୍ତ ସଂପ୍ରଦାୟ ଆଦୌ ଭିନ୍ନ ନୁହନ୍ତି, ଅଧିକନ୍ତୁ ଯୋଗସାଧନା ନିମିତ୍ତ ଶିବଶକ୍ତି ଦ୍ୱୟର ଅଭିନ୍ନ ଆବଶ୍ୟକତା ଅନିବାର୍ଯ୍ୟ ଅଟେ । ଏହିପରି ଭାବରେ ସତ୍ୟପଦ୍ଧତିର ଅଧ୍ୟୟନ ମାଧ୍ୟମରେ ଭାରତୀୟ ସଭ୍ୟତା ଓ ସଂସ୍କୃତିର ଧାର୍ମିକ ସିଦ୍ଧାନ୍ତ ସମୂହକୁ ଆମେ ଉପଲବ୍ଧି କରିବା ଉଚିତ୍‌ । 

ଜଗଦ୍ଧାତ୍ରୀ ଜଗଜ୍ଜନନୀ ଦେବୀଙ୍କ ଉପାସନା ଓ ଶାକ୍ତମତର ମୂଳାଧାର ଏକ ହିଁ ଅଟେ । ଏଠାରେ ଉଲ୍ଲେଖନୀୟ ଯେ ଆଲୋଚ୍ୟ ଶକ୍ତିବାଦ ସେପରି ନୁହେଁ, ଯେପରି ଏହାକୁ ଆଗମାଦିରେ ବହୁବିଧ କର୍ମକାଣ୍ଡ ସମନ୍ୱିତ କରି ବର୍ଣ୍ଣନା କରାଯାଇଛି । ପ୍ରାଚୀନ ଶାକ୍ତ ସଂପ୍ରଦାୟ ଯାହାକି ଭାରତୀୟ ମୂଳ ଆଦିନିବାସୀମାନଙ୍କ ମଧ୍ୟରେ ପ୍ରକଟିତ ହୋଇଥିଲା ଓ ଯାହା ସଭ୍ୟତାର ପ୍ରାରମ୍ଭିକ ଅବସ୍ଥାରେ ମଧ୍ୟ ରହିଥିଲା, ତାହାହିଁ ସମୟ ସ୍ରୋତରେ ବିଭିନ୍ନ ରୂପରେ ରୂପାନ୍ତରିତ ହୋଇ କାଳାନ୍ତରରେ ବହୁ ଶାଖା ପଲ୍ଲବାଶ୍ରୟୀ ହୋଇପଡ଼ିଛି । ବିଦ୍ୱାନମାନେ ଏହି ଶାଖା ଓ ପଲ୍ଲବଗୁଡ଼ିକ ଉପରେ ଆପଣା ଆପଣା ଗବେଷଣାକୁ ସୀମିତ ନରଖି ମୂଳଗଣ୍ଡିର ସୂତ୍ର ଧରି ମୂଳବୀଜକୁ ଗତି କରିଯିବା ଉଚିତ । ଏହି ଭାରତୀୟ ମୌଳିକ ସାଧନା ବିଦ୍ୟାକୁ ଅଧ୍ୟୟନ କରି ଏହାର ପରମ ସତ୍ୟକୁ ଉପଲବ୍ଧି କରିବାକୁ ହେଲେ, ଏହା ଅନିବାର୍ଯ୍ୟ ଅଟେ । ଦାର୍ଶନିକ ଦୃଷ୍ଟିରେ ପ୍ରତ୍ୟକ୍ଷ ରୂପରେ ଓ ଅପ୍ରତ୍ୟକ୍ଷ ରୂପରେ ଶକ୍ତି ଓ ମୂଳପ୍ରକୃତି ଏକ ହିଁ ଅଟନ୍ତି ଓ ସମଗ୍ର ବିଶ୍ୱ ଏହି ଶକ୍ତିର ବିବୃତି ମାତ୍ର ଅଟେ । ତେଣୁ ଶକ୍ତିବାଦ ନିଶ୍ଚିତ ଭାବରେ ସର୍ବମୟ, ସାର୍ବଜନୀନ ଓ ସର୍ବପ୍ରାଚୀନ ।




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.