ତାନ୍ତ୍ରିକମାନଙ୍କ ମତରେ ତନ୍ତ୍ରପୀଠର ପୀଠେଶ୍ୱରୀ ହେଉଛନ୍ତି ମା’ ବିମଳା । ମା’ ବିମଳା ହେଉଛନ୍ତି କ୍ଷେତ୍ରେଶ୍ୱରୀ ଓ ସ୍ୱୟଂ ଜଗନ୍ନାଥ କ୍ଷେତ୍ରେଶ୍ୱର । ଉଭୟ ଶ୍ରୀଚକ୍ର ଉପରେ ଆସୀନ । ତେଣୁ କ୍ଷେତ୍ରର ନାମ ଶ୍ରୀକ୍ଷେତ୍ର । ଏହି ପୀଠରେ ସତୀଙ୍କ ପାଦ ପଡ଼ିଥିବାରୁ ଏହା ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ।
ପ୍ରାଚୀନ ଯୁଗରୁ ଭାରତବର୍ଷରେ ଶାକ୍ତ ଉପାସନାର ପ୍ରଚଳନ ବହୁଳ ଭାବେ ପରିପୃଷ୍ଟ ହେଉଥିଲା । ଭାରତୀୟ ସଂସ୍କତି, ପରମ୍ପରା, ପର୍ବପର୍ବାଣିରୁ ଜଣାଯାଏ ଯେ, ଭାରତୀୟମାନେ ଶାକ୍ତ, ବୈଷ୍ଣବ, ଶୈବ, ଗାଣପତ୍ୟ ଓ ସୌର ଇତ୍ୟାଦି ଧର୍ମର ଉପାସକ ଭାବେ ରହି ଆସିଅଛନ୍ତି । ଏହି ଉପାସନା ମଧ୍ୟରେ ଶକ୍ତି ବା ଶାକ୍ତ ଧର୍ମର ଉପାସନା ଅଗ୍ରଗଣ୍ୟ । ନିଖିଳ ବ୍ରହ୍ମାଣ୍ଡର ସୃଷ୍ଟି, ସ୍ଥିତି ଓ ପ୍ରଳୟର ମୂଳଉତ୍ସ ହେଉଛନ୍ତି ମାତୃରୂପୀ ଶକ୍ତି । ବିଶ୍ୱର ସର୍ବପ୍ରାଚୀନ ଧର୍ମଗ୍ରନ୍ଥ ଋଗ୍ବେଦ୍ ଓ ସାମବେଦରେ ଦେବୀସୂକ୍ତରେ ଦୁର୍ଗା ଆରାଧନା ସମ୍ବନ୍ଧରେ ସମ୍ୟକ୍ ସୂଚନା ମିଳିଥାଏ । ଭାରତୀୟ ଶକ୍ତି ଉପାସନା ପରମ୍ପରାରେ ଦୁର୍ଗାପୂଜାର ପ୍ରାଧାନ୍ୟ ସର୍ବତ୍ର ଉପଲବ୍ଧ । ତ୍ରିଗୁଣାତ୍ମିକା ଆଦ୍ୟାଶକ୍ତି ସଚ୍ଚିଦାନ୍ଦ ପରଂବ୍ରହ୍ମଙ୍କ ଶକ୍ତିରୂପେ ସାରା ବିଶ୍ୱରେ ପରିବ୍ୟାପ୍ତ । ସୁତରାଂ ବୈଦିକ ଋଷିମାନେ ସସାଗରା ବିଶ୍ୱରେ ଦୈବୀ ଶକ୍ତିସତ୍ତାର ସ୍ଥିତି ଉପଲବ୍ଧି କରିଥିଲେ ।
ଖ୍ରୀଷ୍ଟପୂର୍ବ ତୃତୀୟ ଶତକରେ ରଚିତ ମାର୍କଣ୍ଡେୟ ପୁରାଣ ଅନୁସାରେ, ରାଜା ସୁରଥ ପ୍ରଥମେ ଉତ୍କଳରେ ଦୁର୍ଗାପୂଜା ଆରମ୍ଭ କରିଥିଲେ । ରାଜା ସୁରଥ ହେଉଛନ୍ତି ଚେଦି ବଂଶର ମହାମେଘବାହନ ଐରଖାରବେଳଙ୍କ ବଂଶଧର । ମାର୍କଣ୍ଡେୟ ପୁରାଣର ତ୍ରୟୋଦଶ ଅଧ୍ୟାୟରେ ବର୍ଣ୍ଣିତ ‘ଦେବୀ ମାହାତ୍ମ୍ୟ'ରେ ଦେବୀ ଚଣ୍ଡୀଙ୍କର ବହୁବିଧ ଶକ୍ତିର ସ୍ୱରୂପ ଉଦ୍ଘାଟିତ ହୋଇଛି । ଆଚାର୍ଯ୍ୟ ଶଙ୍କର ଶକ୍ତିଙ୍କ ଅସ୍ତିତ୍ୱ ବିଷୟରେ ବଖାଣିବାକୁ ଯାଇ ଉବ୍ଦାତ୍ତ କଣ୍ଠରେ ସ୍ତୁତି କରିଥିଲେ "ଶିବଃ ଶକ୍ତ୍ୟା ଯୁକ୍ତୋ ଯଦି ଭବତି ଶକ୍ତିଃ ପ୍ରଭବ ତୁଂ/ ନ ଚେ ଦେବଂ ଦେବୋ ନଖଳୁ କୁଶଳଃ ସ୍ପନ୍ଦିତୁ ମପି’ । ଅର୍ଥାତ୍, ଶିବ ଶକ୍ତିଯୁକ୍ତ ହେଲେ ସେ ଈଶ୍ୱରଙ୍କ କାର୍ଯ୍ୟ କରିବାକୁ ସମର୍ଥ ହୋଇଥାନ୍ତି । ତା' ନହେଲେ ତାଙ୍କର ସ୍ପନ୍ଦିତ ହେବାକୁ ସାଧ୍ୟ ରହେନାହିଁ । ଓଡ଼ିଶାରେ ଭୌମକର, କେଶରୀବଂଶ, ଗଙ୍ଗ, ସୂର୍ଯ୍ୟ ଓ ଭୋଇବଂଶ ରାଜାମାନଙ୍କ ରାଜସ୍ୱ କାଳରେ ଶକ୍ତି ପୂଜାର ପ୍ରାଧାନ୍ୟ ପ୍ରଜାମାନଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଆକର୍ଷିତ କରିଥିଲା । ସେତେବେଳେ ବିଭିନ୍ନ ସ୍ଥାନରେ ଅନେକ ଶକ୍ତିପୀଠ ପ୍ରତିଷ୍ଠିତ ହେବା ଜଣାଯାଏ । ତେବେ ଓଡ଼ିଶାର ପ୍ରସିଦ୍ଧ ଆଠଗୋଟି ଶକ୍ତିପୀଠ ମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ରର ବିମଳା, ବାଙ୍କୀର ଚର୍ଚ୍ଚିକା, ଯାଜୁପରର ବିରଜା, ବାଣପୁରର ଭଗବତୀ, କାକଟପୁରର ମଙ୍ଗଳା, ଝଙ୍କଡ଼ର ଶାରଳା, ତାଳଚେରର ହିଙ୍ଗୁଳା ଓ ସମ୍ବଲପୁରର ସମଲେଶ୍ୱରୀ ପୀଠ ଅନ୍ୟତମ । ଏହି ଦେବୀ ବିଗ୍ରହମାନେ ସ୍ଥଳବିଶେଷରେ ଦ୍ୱିଭୁଜା, ଚତୁର୍ଭୁଜା ଅନ୍ୟ କେଉଁଠି ଅଷ୍ଟଭୁଜା । ଏହି ଉଡ୍ଡୀୟାନ ପୀଠର ଅଧୀଶ୍ୱରୀ, ହରି ନିର୍ମାଲପ୍ରିୟା, ରାଜରାଜେଶ୍ୱରୀ, କ୍ଷେତ୍ରାଧିଶ୍ୱରୀ ହେଉଛନ୍ତି ସ୍ୱୟଂ କାତ୍ୟାୟନୀ ବା ମା' ବିମଳା ।
ଓଡ଼ିଶାର ସର୍ବପ୍ରାଚୀନ ପୀଠଶକ୍ତି ଦେବୀ ବିମଳା ହେଉଛନ୍ତି ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ପ୍ରାଚୀନତମ ଦେବୀ । ଶାକ୍ତାଗମ ଅନୁସାରେ "ତାରା ସାକ୍ଷାତ୍ ଶୂଳପାଣି ସୁଭଦ୍ରା ଭୁବନେଶ୍ୱରୀ ନୀଳାଦ୍ରୌ ତୁ ଜଗନ୍ନାଥଃ ସାକ୍ଷାତ୍ ଦକ୍ଷିଣେକାଳିକା’ । ଶ୍ରୀକ୍ଷେତ୍ରର ଶାକ୍ତ ଉପାସନା ସମ୍ବନ୍ଧରେ ଆଲୋଚନା କଲେ ଜଣାଯାଏ ଯେ, ପୁରୁଷୋତ୍ତମଙ୍କର ଆଦ୍ୟଭାଗରେ ରାଜା ଗାଲମାଧମ ଶାକ୍ତ ଥିଲେ ଓ ଇନ୍ଦ୍ରଦ୍ୟୁମ୍ନ ଥିଲେ ପରମ ବୈଷ୍ଣବ । ଉଭୟଙ୍କ ମତବାଦର ସମନ୍ୱୟରେ ଉଡ୍ଡୀୟାନ ପୀଠର ବୈଶିଷ୍ଟ୍ୟ ଘଟିଛି । ମାଦଳାପାଞ୍ଜିରୁ ଜଣାଯାଏ ଯେ, କେଶରୀ ବଂଶର ରାଜା ଯଯାତି କେଶରୀ ୩୮ହାତର ମନ୍ଦିର ଶ୍ରୀଜଗନ୍ନାଥଙ୍କ ପାଇଁ ଓ ୧୮ହାତ ଉଚ୍ଚତାର ମନ୍ଦିର ମା' ବିମଳାଙ୍କ ନିମିତ୍ତ ନିର୍ମାଣ କରିଥିଲେ । ଏହି ବଂଶର ଅନ୍ୟତମ ରାଜା ବଟକେଶରୀ ବଡ଼ଦାଣ୍ଡରେ ଦେବୀ ଅର୍ଦ୍ଧାଶନୀ ଦେବୀଙ୍କ ମନ୍ଦିର ନିର୍ମାଣ କରିଥିଲେ । ତନ୍ତ୍ର ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କୁ ଦକ୍ଷିଣକାଳିକା, ଶ୍ରୀବଳଭଦ୍ରଙ୍କୁ ତାରା, ଦେବୀ ସୁଭଦ୍ରାଙ୍କୁ ଭୁବନେଶ୍ୱରୀ, ଶ୍ରୀସୁଦର୍ଶନଙ୍କୁ ଷୋଡ଼ଶୀ ଏବଂ ରତ୍ନସିଂହାସନକୁ ଶ୍ରୀଯନ୍ତ୍ର ରୂପେ ବର୍ଣ୍ଣନା କରାଯାଇଛି । କାଳିକାପୁରାଣ ଅନୁସାରେ ଏଠାରେ କାତ୍ୟାୟନୀ (ବିମଳା) ଓ ଶ୍ରୀଜଗନ୍ନାଥ ଉପାସ୍ୟ ଦେବତା । ଦେବୀ ଭାଗବତରେ "ଗୟାୟାଂ ମଙ୍ଗଳା ପ୍ରୋକ୍ତା ବିମଳା ପୁରୁଷୋତ୍ତମେ’ ବୋଲି ଉଲ୍ଲେଖ ଅଛି । ତାନ୍ତ୍ରିକମାନଙ୍କ ମତରେ ତନ୍ତ୍ରପୀଠର ପୀଠେଶ୍ୱରୀ ହେଉଛନ୍ତି ମା' ବିମଳା ।
ମା' ବିମଳା ହେଉଛନ୍ତି କ୍ଷେତ୍ରେଶ୍ୱରୀ ଓ ସ୍ୱୟଂ ଜଗନ୍ନାଥ କ୍ଷେତ୍ରେଶ୍ୱର । ଉଭୟ ଶ୍ରୀଚକ୍ର ଉପରେ ଆସୀନ । ତେଣୁ କ୍ଷେତ୍ରର ନାମ ଶ୍ରୀକ୍ଷେତ୍ର । ଏହି ପୀଠରେ ସତୀଙ୍କ ପାଦ ପଡ଼ିଥିବାରୁ ଏହା ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ । ଏହି ପାଦପୀଠ ପରମ ଗୋପନୀୟ ସିଦ୍ଧତନ୍ତ୍ର ପୀଠ ଓ ଦେବୀ ବିମଳା ତାନ୍ତ୍ରିକ ଦେବୀମାନଙ୍କ ମଧ୍ୟରେ ଶ୍ରେଷ୍ଠା ବୋଲି ଦେବୀ ଭାଗବତ, କାଳିକାପୁରାଣ ଓ ବିଭିନ୍ନ ଶାକ୍ତଗ୍ରନ୍ଥରେ ବର୍ଣ୍ଣନା ରହିଛି । "ବିମଳା ସପର୍ଯ୍ୟା’ ପୋଥିର ରଚୟିତାଙ୍କର ମନ୍ତ୍ରରେ ବିମଳାଙ୍କର ମନ୍ତ୍ର (ଏକାକ୍ଷରୀ) ହ୍ରାଁ, ଏହାହିଁ ମାୟାବୀଜ ଓ ମନ୍ତ୍ରଶାସ୍ତ୍ର' ମତରେ ଏହା ବିରଜା ବୀଜ ଅଟେ । ବିମଳାଙ୍କ ମନ୍ଦିରର ଦକ୍ଷିଣ ଦିଗରେ କାତ୍ୟାୟିନୀ ବା ଶୂଳୀଦୁର୍ଗା ଅଷ୍ଟଭୁଜା ଖଡ୍ଗାଧାରେଣୀ ଚଣ୍ଡିଗାତିନୀ ଅଟନ୍ତି । ପଶ୍ଚିମପଟର ପାଶ୍ୱର୍ଦେବୀ ହେଉଛନ୍ତି ନୃତ୍ୟକାଳୀ ବିଗ୍ରହ । ଏହା ‘ନାଟ ଚାମୁଣ୍ଡା' ନାମରେ କଥିତ । ଉତ୍ତର ଦିଗରେ ଥିବା ମୂର୍ତ୍ତିଟି ଅପହୃତ ହୋଇଯାଇଛି । ଏହି ମୂର୍ତ୍ତିଟି ‘ଗୋରୀ' ଦେବୀ ଭାବେ ସୁପରିଚିତ ।
ପ୍ରାବନ୍ଧିକ ଡକ୍ଟର ଭାସ୍କର ମିଶ୍ରଙ୍କ ରଚିତ "ଶ୍ରୀମନ୍ଦିର ବେଢ଼ାସ୍ଥ ଦେବଦେବୀ’ ପୁସ୍ତକରେ ଉଲ୍ଲେଖ ପ୍ରକାରେ, ଶ୍ରୀମନ୍ଦିର ଭିତର ବେଢ଼ାର ରୋହଣୀକୁଣ୍ଡ ସମ୍ମୁଖସ୍ଥ ଦକ୍ଷିଣ-ପଶ୍ଚିମ କୋଣ (ନୈରୁତ କୋଣ)ର ପ୍ଲଟ ନଂ.୭୨ରେ ମା' ବିମଳାଙ୍କ ମନ୍ଦିର ଅବସ୍ଥିତ । ପ୍ରାୟ ୬୦ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରଟି ତିନିଭାଗ ବିଶିଷ୍ଟ ରୂପେ ଦୃଶ୍ୟମାନ ହେଉଛି । ବିମଳା ମନ୍ଦିର ଗର୍ଭଗୃହର ମଧ୍ୟଭାଗରେ ପ୍ରସ୍ତର ନିର୍ମିତ ଶକ୍ତି ପୀଠରେ ଦଣ୍ଡାୟମାନ ଭଙ୍ଗୀରେ ମା' ବିମଳା ପ୍ରସ୍ଫୁଟିତ ଶ୍ୱେତପଦ୍ମ ଉପରେ ଦଣ୍ଡାମାନ ଚତୁର୍ଭୁଜବିଶିଷ୍ଟ ମା'ଙ୍କର ତ୍ରିନେତ୍ର ରହିଛି । ପ୍ରାୟ ୫ଫୁଟ ଉଚ୍ଚତାବିଶିଷ୍ଟ ଦେବୀ ବିଗ୍ରହଙ୍କର ଦକ୍ଷିଣ ପାଶ୍ୱର୍ରେ ମାୟା ଓ ବାମପାଶ୍ୱର୍ରେ ଛାୟା ଦେବୀ ବିରାଜିତା । ଦେବୀଙ୍କର ହସ୍ତରେ ଆୟୁଧ ରୂପେ ଅକ୍ଷମାଳା, ପାଶ, ସୁଧାକଳସ ଓ ଅଭୟମୁଦ୍ରା ସୁଶୋଭିତ । ଐତିହାସିକ ଚକ୍ରଧର ମହାପାତ୍ର ବିମଳା ଦେବୀଙ୍କ ମୂର୍ତ୍ତି ଲାକ୍ଷା ଏବଂ ୬ଷ୍ଠ ଶତାଦ୍ଦୀରେ ଶଙ୍କରାଚର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତା ବୋଲି ପ୍ରତିପାଦିତ କରିଛନ୍ତି । ଇମିଳା ମନ୍ଦିରର ନାଟମଣ୍ଡପର କାନ୍ଥରେ ଷୋଡ଼ଶ ମାତୃକା ଓ ଯୋଗିନୀଗଣଙ୍କର ଚିତ୍ର ପ୍ରତିମା ରହିଅଛି । ମା' ବିମଳାଙ୍କର ଭୋଗ ତିଆରି ପାଇଁ ଶ୍ରୀମନ୍ଦିର ବେଢ଼ା ପରିସରରେ ସ୍ୱତନ୍ତ୍ର ରୋଷଘର ନାହିଁ । ଶ୍ରୀମନ୍ଦିରର ବଲ୍ଲଭ ଭୋଗ ଓ ଅନ୍ୟାନ୍ୟ ଧୂପ (ରାଜଭୋଗ) ସମାପନ ପରେ ଏହି ମନ୍ଦିର ଠାରେ ସମର୍ପଣ ହେବାର ବିଧି ରହିଛି । ପରମ୍ପରା ପ୍ରକାରେ ବଳଭଦ୍ରଙ୍କ ବାଡ଼ର ବଲ୍ଲଭ ପିଙ୍ଗଣ ଏଠାକୁ ସମର୍ପଣ ନିମିତ୍ତ ଆସିବା ସହିତ ବଳଭଦ୍ର ଦେବଙ୍କର ଲାଗି ପ୍ରସାଦ ପଦକ ଓ ଅଧର ମାଳାଦି ବିମଳାଙ୍କୁ ଲାଗି କରାଯାଇଥାଏ । ଧୂପ ସମୟରେ ଥାଳି ଖେଚେଡି ମହାପ୍ରସାଦ ବିମଳାଙ୍କୁ ସମର୍ପଣ ହୋଇଥାଏ । ବିମଳା ଦେବୀଙ୍କର ପହୁଡ଼ ନୀତିରେ କୋଠରୁ ଏକ ଗୋଟି ପଇଡ଼ ଓ ଘଷାଜଳ ଯୋଗା ଯାଇଥାଏ ।
ଶ୍ରୀଜଗନ୍ନାଥାଦି ଦେବ ବିଗ୍ରହମାନଙ୍କର ପହୁଡ଼ ନୀତି ପରେ ଶୟନ ଠାକୁରଙ୍କ ଚନ୍ଦନ ଓ ପୁଷ୍ପ ସମର୍ପଣ ପରେ ମା' ବିମଳାଙ୍କ ପହୁଡ଼ ହୋଇଥାଏ । ଏହି ମନ୍ଦିରର ଦୈନନ୍ଦିନ ନୀତି ମଧ୍ୟରେ ବିମଳାଙ୍କ ପୂଜକଙ୍କ ଦ୍ୱାରା ସକାଳ ସମୟରେ ମଙ୍ଗଳ ଆଳତି, ମଇଲମ, ସ୍ନାନ, ମାଜଣା, ବେଶ ଇତ୍ୟାଦି ସମାହିତ ହୋଇଥାଏ । ବିମଳାଙ୍କର ବିଶେଷ ନୀତି: ପରମ ବୈଷ୍ଣବୀ ମା' ବିମଳାଙ୍କର ଶ୍ରେଷ୍ଠ ତଥା ମୁଖ୍ୟ ପର୍ବ ଆଶ୍ୱିନ ମାସରେ ପାଳନ କରାଯାଇଥାଏ । ଏହା ଷୋଡ଼ଶ ଦିନାତ୍ମକ ପୂଜା ଭାବରେ ପ୍ରସିଦ୍ଧ ଅଟେ । ଏହି ଅବସରରେ ସହସ୍ର କୁମ୍ଭାଭିଷେକ ଓ ଦୁର୍ଗା ମାଧବଙ୍କର ଏକତ୍ର ଅବସ୍ଥାନ ଓ ପୂଜା ଅନୁଷ୍ଠିତ ହୁଏ । ପୁରୀ ଜିଲ୍ଲାର ବୀର ନରସିଂହପୁର ବ୍ରାହ୍ମଣ ଶାସନର ରଥ ସାମନ୍ତ ସଂଜ୍ଞାଧାରୀ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ଷୋଡ଼ଶ ଉପଚାରରେ ମା' ବିମଳାଙ୍କ ପୂଜା ଏହି ସମୟରେ କରିଥାନ୍ତି । ଅତୀତରେ ରୋଡଙ୍ଗ ବକ୍ସିଙ୍କ ପୁରୋଧା ସାମନ୍ତ ତହିଁର ତତ୍ତ୍ୱାବଧାନ କରିବା ଦାୟିତ୍ୱରେ ରହୁଥିଲେ । ବିମଳା ଠାକୁରାଣୀଙ୍କର ସହସ୍ର କୁମ୍ଭାଭିଷେକ ଓ ଷୋଡ଼ଶ ପୂଜାର ଆରମ୍ଭ ୧୨ଦିନ ଗଣତିରେ ଆଶ୍ୱିନ କୃଷ୍ଣପକ୍ଷ ସପ୍ତମୀ ବା ଅଷ୍ଟମୀ ଦିନଠାରୁ ଆରମ୍ଭ ହୋଇଥାଏ । ପୂଜା ଶେଷକରି ଧୂପ ଦୀପ ଦେଇ ଟେରା ପଡ଼ିବାପରେ ଭିତରେ ଆଚାର୍ଯ୍ୟ ନୈବେଦ୍ୟ ସମର୍ପଣ କରି ପାଣିଛଡ଼ାନ୍ତି । ଟେରା ଫିଟିଲେ କର୍ପୂର ଆଳତି ଓ ଏକୋଇଶି ବତୀ ବନ୍ଦାପନା ହୁଏ । ଏହାପରେ ଦୁର୍ଗା ମାଧମ ବିମଳାଙ୍କ ମନ୍ଦିର ଖଟ ଉପରେ ବିଜେ ହୁଅନ୍ତି । ଏଠାରେ ଭିତରଛୁ ମହାପାତ୍ର ରୂପା ପିଙ୍ଗଣରେ କର୍ପୂର ଜଳ ଲାଗି କରାନ୍ତି । ଶୀତଳ ଭୋଗ ମଣୋହି ଓ ବନ୍ଦାପନା ହୁଏ ।
ମା' ବିମଳାଙ୍କ ନିକଟରେ ତିନିଧୂପ ଶେଷହେବା ପରେ ରାତ୍ରରେ ଚନ୍ଦନ ଲାଗିହୁଏ । ଦୁର୍ଗାମାଧବଙ୍କର ରୁନ୍ଧା ଷୋଳଦିନ ପର୍ଯ୍ୟନ୍ତ ରହି ଶେଷରେ ଦଶହରା ଦିନ ଫିଟାଯାଏ । ଦୁର୍ଗାମାଧବ ପ୍ରଥମ ଆଠଦିନ ବିମଳାଙ୍କ ମନ୍ଦିରରେ ଉପବେଶନ କରୁଥିବା ବେଳେ ଶେଷ ଆଠଦିନ ଦୋଳମଣ୍ଡପ ସାହିସ୍ଥ ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି । ଆଶ୍ୱିନ ଶୁକ୍ଳ ମହାସପ୍ତମୀ, ମହାଅଷ୍ଟମୀ ଓ ମହାନବମୀ ତିନିଦିନ ଧରି ଶ୍ରୀଜଗନ୍ନାଥାଦି ଦେବ ବିଗ୍ରହଙ୍କର ପହୁଡ ନୀତି ସରିବା ପରେ ଦେବୀ ବିମଳାଙ୍କୁ ହୋମ, ତର୍ପଣ, ମାର୍ଜନ ବିଧି ସମେତ ଆମିଷ ସହିତ ସଙ୍ଖୁଡ଼ି ଭୋଗ କରାଯାଏ । ଏହି ପୂଜା ବିମଳା ଦେବୀଙ୍କର ୧୧ଟି ବେଶ ବଦାନ୍ୟ ବ୍ୟକ୍ତି, ସେବକ ଓ ଧାର୍ମିକ ଅନୁଷ୍ଠାନମାନଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ଜଣାଯାଏ । ତନ୍ମଧ୍ୟରେ ବନଦୁର୍ଗା, ଭୁବନେଶ୍ୱରୀ, ନାରାୟଣୀ, ବଗଳା, ଜୟଦୁର୍ଗା, ଉଗ୍ରତାରା, ମାତଙ୍ଗିନୀ, ଦଶଭୁଜା, ରାଜରାଜେଶ୍ୱରୀ, ହରଚଣ୍ଡୀ ଓ ସିଂହବାହିନୀ ବେଶ ଅନ୍ୟତମ । ପରମ୍ପରାକ୍ରମେ ଶ୍ରୀମନ୍ଦିରର କେତେକ ସୁଆରବଡୁ ସେବକ ଓ ଲୋକନାଥ ମନ୍ଦିରର ସେବକ ବିମଳା ଦେବୀଙ୍କ ସେବାପୂଜା ଦାୟିତ୍ୱରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମନ୍ଦିରରେ ଅନ୍ୟାନ୍ୟ ଦେବଦେବୀଙ୍କର ବାହାର ଦେଉଳି ଭୋଗର ବନ୍ଦୋବସ୍ତ ଥିବାବେଳେ ମା' ବିମଳାଙ୍କର ଏଠାରେ ବ୍ୟବସ୍ଥା ନାହିଁ । ଶ୍ରୀଜଗନ୍ନାଥାଦି ଦେବ ବିଗ୍ରହଙ୍କର ନୈବେଦ୍ୟାନ୍ନ ଦେବୀଙ୍କୁ କେବଳ ସମର୍ପଣ କରାଯିବାର ବିଧି ରହିଛି । ସ୍କନ୍ଦପୁରାଣରେ କୁହାଯାଇଛି ଯେ, ଅଷ୍ଟଶକ୍ତି ମଧ୍ୟରେ ପ୍ରଥମା ଶକ୍ତି ବିମଳାଙ୍କୁ ଦର୍ଶନ ଓ ବନ୍ଦନା କଲେ ଅଶ୍ୱମେଧ ଫଳପ୍ରାପ୍ତି ହୋଇଥାଏ । ଭାରତର ବିଭିନ୍ନ ଅଞ୍ଚଳରୁ ଆଗମନ କରୁଥିବା ତାନ୍ତ୍ରିକ, ସାଧାରଣ ଭକ୍ତ ମା' ବିମଳାଙ୍କୁ ଦର୍ଶନ କରି ଅଶେଷ କୃପାଲାଭପୂର୍ବକ ନିଜକୁ କୃତାର୍ଥ ମଣିଥାନ୍ତି ।