ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଶନିବାର) ଦେଶର କୋଟି କୋଟି ଗରିବ ଲୋକଙ୍କୁ ଦିପାବଳୀ ଉପହାର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ଅଧୀନରେ ଦେଶର କୋଟି କୋଟି ଗରିବ ଲୋକଙ୍କୁ ସରକାର ରାସନ ଯୋଗାଇ ଦେଇଥାନ୍ତି । ଏବେ ଏହି ଯୋଜନାକୁ ଆଗାମୀ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ତେବେ ଦିପାବଳୀ ପୂର୍ବରୁ ମୋଦି ସରକାରଙ୍କ ପକ୍ଷରୁ ଏହା ଦେଶବାସୀଙ୍କ ପାଇଁ ଏକ ବଡ ଉପହାର ବୋଲି କୁହାଯାଉଛି ।
ଛତିଶଗଡର ଦୁର୍ଗରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବା ସମୟରେ ଏହି ଘୋଷଣା କରିଥିଲେ । ଚଳିତ ମାସରେ ଛତିଶଗଡରେ ନିର୍ବାଚନ ହେବାକୁ ଯାଉଛି । ୯୦ ଆସନ ବିଶିଷ୍ଟ ଛତିଶଗଡ ବିଧାନସଭା ପାଇଁ ଭୋଟ୍ ନଭେମ୍ବର ୭ ଏବଂ ନଭେମ୍ବର ୧୭ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଘୋଷଣା ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିବା କୁହାଯାଉଛି ।
କରୋନା ମହାମାରୀ ପରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ । କରୋନା ମହାମାରୀ ପରେ ଲକଡାଉନ୍ ସମେତ ଅନେକ ପ୍ରତିବନ୍ଧକ ଲଗାଯାଇଥିଲା । ଏହି କାରଣରୁ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା । ବିଶେଷକରି ଗରିବ ଲୋକ ଖାଦ୍ୟ ଓ ପାନୀୟ ସଙ୍କଟର ସମ୍ମୁଖୀନ ହୋଇଥିଲେ । ଆଉ ଏଭଳି ପରିସ୍ଥିତିରେ ପିଏମ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗରିବ ଜନସଂଖ୍ୟାକୁ ସାହାଯ୍ୟ କରିବା ପାଇଁ ମାଗଣା ରାସନ ଯୋଜନା ଆରମ୍ଭ କରିଥିଲେ । କୁହାଯାଉଛି ଯେ ୮୦ କୋଟି ଦେଶବାସୀ ଏହି ଯୋଜନାର ଲାଭ ନେଉଛନ୍ତି ।
ଏହି ଯୋଜନା ଅଧୀନରେ ହିତାଧିକାରୀ ମାନେ ପାଞ୍ଚ କିଲୋଗ୍ରାମ ଗହମ କିମ୍ବା ଚାଉଳ ପାଆନ୍ତି । ହିତାଧିକାରୀ ମାନେ ଏହି ଶସ୍ୟକୁ ମାଗଣାରେ ପାଆନ୍ତି । କେନ୍ଦ୍ର ସରକାର ପ୍ରଥମେ ଏହାକୁ ୩୦ ଜୁନ୍ ୨୦୨୦ ରେ ଆରମ୍ଭ କରିଥିଲେ । ଏହା ପରେ ଏହାକୁ ଅନେକ ଥର ବୃଦ୍ଧି କରାଯାଇଛି । ବର୍ତ୍ତମାନ ଏହି ଯୋଜନା ଡିସେମ୍ବର ୨୦୨୩ ଅର୍ଥାତ୍ ଆସନ୍ତା ମାସରେ ଶେଷ ହେବାକୁ ଯାଉଥିଲା । ଆଉ ଏବେ ୫ ବର୍ଷର ସମ୍ପ୍ରସାରଣ ପରେ, ଲୋକମାନେ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ଏହି ଯୋଜନାର ଲାଭ ପାଇବେ ।