ଭୁବନେଶ୍ୱର, ୧୦/୧୦ : ଡାକରେ ଆଉ ଚିଠି ଆସୁନି କି ମନିଅର୍ଡର ଜରିଆରେ ଟଙ୍କା ଆସୁନି । ଜରୁରି ଖବର ପାଇବା ପାଇଁ ଆଉ କେହି ଟେଲିଗ୍ରାମକୁ ଅପେକ୍ଷା କରୁନି । ସମୟ ସହିତ ତାଳ ଦେଇ ବଦଳିଛି ଡାକସେବା । ଡିଜିଟାଲ୍ ଦୁନିଆରେ ସବୁଠି ସ୍ମାର୍ଟ ଛାପ । ସେଥିରେ ଭାରତୀୟ ଡାକର କାର୍ଯ୍ୟ ମଧ୍ୟ ସ୍ମାର୍ଟ ହୋଇଛି । ହାତଲେଖା ଚିଠି ନାହିଁ, ଡାକବାଲା ଡାକ ନେଇ ଗାଁରୁ ଗାଁ ବୁଲୁନି ସତ, କିନ୍ତୁ ଡାକସେବା ବଞ୍ଚିଛି । ଡାକ ବ୍ୟାଙ୍କ୍ ସେବା ସହ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇପାରୁଛି ଡାକ ଜରିଆରେ । ପୂର୍ବପରି ଲୋକଙ୍କ ବିଶ୍ୱାସ ଅତୁଟ ରହିଛି ଡାକସେବା ଉପରେ ।
୧୮୫୪ରେ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ହୋଇଥିବା ଭାରତୀୟ ଡାକ ସେବା ଏବେ ୧୭୦ ବର୍ଷରେ ପଦାର୍ପଣ କରିଛି । ଏବେବି ଲୋକଙ୍କ ସେହି ଭରସା ଓ ବିଶ୍ୱାସକୁ ବଜାୟ ରଖି କମନ୍ ସର୍ଭିସ୍ ସେଣ୍ଟର ଭାବେ ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛି ଡାକସେବା । ୧୧୧ ପ୍ରକାର ସେବାରେ ଗ୍ରାହକଙ୍କୁ ବାନ୍ଧି ରଖିଛି । ବନ୍ଧୁ ସମ୍ପର୍କୀୟ, ନିଜ ଲୋକଙ୍କ ଭଲମନ୍ଦ ବୁଝିବା ପାଇଁ ଚିଠି ଖଣ୍ଡିଏକୁ ଅପେକ୍ଷା କରାଯାଉଥିଲା । ଡାକ ଜରିଆରେ ମନିଅର୍ଡର କରି ବାହାରେ ରହୁଥିବା ଲୋକମାନେ ଘରକୁ ଟଙ୍କା ପଠାଉଥିଲେ । ଏବେ ଡାକରେ ଗଙ୍ଗାଜଳ, ଜାତୀୟ ପତାକା, ମହାପ୍ରସାଦ ବିକ୍ରିଠୁ ନେଇ ପାସ୍ପୋର୍ଟ ପର୍ଯ୍ୟନ୍ତ ସବୁ ସେବା ଯୋଗାଉଛି ଡାକଘର । ସମୟ ସହିତ ତାଳ ଦେଇ ଲୋକଙ୍କ ଆବଶ୍ୟକତାକୁ ଚାହିଁ ଡାକଘର ସଞ୍ଚୟ ଯୋଜନା, ଜୀବନ ବୀମା, ପୋଷ୍ଟାଲ୍ ଅର୍ଡର୍, ସ୍ପିଡ୍ପୋଷ୍ଟ, ଏକ୍ସପ୍ରେସ୍ ପାର୍ସଲ୍, ଇ-ପେମେଣ୍ଟ, ଇ-ବ୍ୟାଙ୍କିଙ୍ଗ୍ ସେବା ଭଳି ବହୁ ନୂତନ ସେବା ଯୋଗାଇ ଲୋକଙ୍କ ବିଶ୍ୱସ୍ତ ହୋଇଛିଡାକ ବିଭାଗ । ସମ୍ପୂର୍ଣ୍ଣ ଆଧୁନିକୀକରଣ ଓ କମ୍ପ୍ୟୁଟରୀକରଣ ହୋଇଛି ଡାକସେବା ।
ବର୍ତ୍ତମାନ ଓଡ଼ିଶା ସର୍କଲ୍ରେ ୮୯୧୨ଟି ଡାକଘର କାର୍ଯ୍ୟ କରୁଛି । ସେଥିରୁ ୩୫ଟି ପ୍ରଧାନ ଡାକଘର, ୩୫ଟି ମୁଖ୍ୟ ଡାକଘର, ୧୧୫୦ଟି ଉପ ଡାକଘର ଓ ୭୬୯୨ଟି ଶାଖା ଡାକଘର ରହିଛି । ଡିଜିଟାଲ୍ ପ୍ଲାଟ୍ଫର୍ମ ଜରିଆରେ ଡାକ ସେବା ଯୋଗାଇବାକୁ ସବୁ ଶାଖା ଡାକ ଘରେ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଦିଆଯାଇଛି । ଚିଠି ବାକ୍ସ କ୍ଲିଅରାନ୍ସ ଏବଂ ପାର୍ସଲ୍ ବୁକିଂ ସେବାକୁ ମଧ୍ୟ କମ୍ପ୍ୟୁଟରୀକରଣ କରାଯାଇଛି । ବିଭିନ୍ନ ଅନ୍ଲାଇନ୍ ସଂସ୍ଥା ସହ ଇଣ୍ଡିଆ ପୋଷ୍ଟ ଭଳି ଇ-କମର୍ସ ପ୍ଲାଟଫର୍ମ ସହ ସହଭାଗିତାରେ ଡାକ ବିଭାଗ ତୃଣମୂଳ ସ୍ତରରେ ଗ୍ରାହକଙ୍କ ସହ ଯୋଡ଼ି ହୋଇପାରିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାସ୍ପୋର୍ଟ ଅଫିସ୍କୁ ବାଦ ଦେଇ ଓଡ଼ିଶା ଡାକ ପରିମଣ୍ଡଳରେ ଥିବା ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ୨୦ଟି ପୋଷ୍ଟ ଅଫିସ୍ ପାସ୍ପୋର୍ଟ ସେବା କେନ୍ଦ୍ର କାର୍ଯ୍ୟ କରୁଛି । ଏସବୁ କେନ୍ଦ୍ରରେ ଲୋକେ ପାସ୍ପୋର୍ଟ ସେବା ପାଇ ପାରୁଛନ୍ତି ।