ଭୁବନେଶ୍ୱର,୧୬/୦୪ : ସବୁ କାମ ଧନ୍ଦା ଛାଡ଼ି ରାଜ୍ୟ ପୁଲିସ୍ ଏବେ ବାଲି ଗାଡ଼ି ପଛରେ ପଡ଼ିଛି। ଟ୍ରାକ୍ଟର ଠାରୁ ଆରମ୍ଭ କରି ହାଇୱା ପର୍ଯ୍ୟନ୍ତ ସବୁ ଗୋଡ଼ାଇ ଧରୁଛି । ପୁଲିସ୍ ଥାନା କାମ ଛାଡ଼ି ବାଲି ଗାଡ଼ି ଧରିବା ଦିଗରେ ଅଧିକ ପ୍ରାଧାନ୍ୟ ଦେଉଛି । ଯେଉଁଥିପାଇଁ ରାଜ୍ୟରେ ଚୋରି, ଲୁଟ୍, ଡକାୟତି, ହତ୍ୟା ଓ ବଳାତ୍କାର ଭଳି ଘଟଣା ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି ।
ବାଲି ମାଫିଆମାନେ ରାଜ୍ୟରୁ ବେଆଇନ୍ ଭାବେ ବାଲି ଉତ୍ତୋଳନ କରି ଚାଲାଣ କରୁଛନ୍ତି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ । ବାଲି ଖାଦାନ ପରିଚାଳନା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର ବା ଏସ୍ଓପି ଜାରିକଲେ । ଲଘୁ ଖଣିଜ ନିର୍ଦ୍ଦେଶାଳୟ ପକ୍ଷରୁ ଏସ୍ଓପି ଜାରି ମଧ୍ୟ ହେଲା । ସେହି ଅନୁଯାୟୀ ବାଲି ପରିଚାଳନା ପାଇଁ ପ୍ରତି ଜିଲ୍ଲାରେ କମିଟି ଗଠନର ବ୍ୟବସ୍ଥା ରହିଲା । ଏହି କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିବେ । କେଉଁ ଖାଦାନରୁ ବାଲି ଉତ୍ତୋଳନ ହେବ, ତାହା ଚୟନ କରିବ ଏହି କମିଟି । ଏଥିରେ ସଦସ୍ୟ ଭାବେ ଉପଜିଲ୍ଲାପାଳ, ଏସ୍ପି/ଡିସିପି, ଜିଲ୍ଲା ବନଖଣ୍ଡ ଅଧିକାରୀ (ଡିଏଫଓ), ଜିଲ୍ଲା ଉନ୍ନୟନ ଅଧିକାରୀ, ରାଜସ୍ୱ ବିଭାଗ ଏଡିଏମ୍, ଜିଲ୍ଲା ଖଣି ଅଧିକାରୀ ରହିବେ ବୋଲି ନିଷ୍ପତ୍ତି ହେଲା । ୨ ଜଣ ବିଡିଓ ଏବଂ ୨ ଜଣ ତହସିଲଦାର ମଧ୍ୟ ସଦସ୍ୟ ରହିବେ ଯେଉଁମାନଙ୍କୁ ଜିଲ୍ଲାପାଳ ମନୋନୀତ କରିବେ । ଏହି କମିଟିର ଆବାହକ ରହିବେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ । ଏହି ପରିପ୍ରେକ୍ଷୀରେ ଡିଜିପି ୱାଇ.ବି ଖୁରାନିଆ ଚୋରା ବାଲି ଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଳା ଏସ୍ପିମାନଙ୍କୁ କହିଲେ । ଡିଜିପିଙ୍କ ଠାରୁ ଏଭଳି ନିର୍ଦ୍ଦେଶ ଆସିବା ପରେ ଚାତଳ ଭଳି ଚାହିଁ ରହିଥିବା ଥାନା ଗୁଡିକ ସବୁ କାମ ଭୁଲି ରାତିଦିନ ବାଲି ଗାଡ଼ି ଗୋଡ଼ାଇ ଗୋଡ଼ାଇ ଧରିଲେ । ବେଆଇନ ଭାବେ ଚାଲାଣ କରୁଥିବା ଗାଡ଼ି ସାଙ୍ଗକୁ ଲିଜ୍ଧାରୀଙ୍କ ଗାଡ଼ିକୁ ମଧ୍ୟ ପୁଲିସ୍ ଧରିଲା ।
ସ୍ଥିତି ଏମିତି ହେଲା ପୁଲିସ୍ ଭୟରେ ଲିଜ୍ଧାରୀମାନେ ବାଲି ଘାଟକୁ ଯିବାକୁ ଡରିଲେ । ପୁଲିସ୍ର ମୁଖ୍ୟ କାମ ହେଉଛି ଅପରାଧ ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବ । ହେଲେ ପୁଲିସ୍ ସବୁ ଭୁଲି ଅପରାଧ ଓ ଆଇନଶୃଙ୍ଖଳାକୁ ବାଲି ଗାଡ଼ି ଭାବି କାମରେ ଲାଗି ପଡ଼ିଛି । ରାସ୍ତାରେ ଯେଉଁ ଗାଡ଼ି ଦେଖିଲା ପୁଲିସ୍ ତାକୁ ଅଟକାଇ ଥାନାକୁ ନେଲା । ରାସ୍ତାରେ ଯଦି ପୁଲିସ୍ ସହ ବାଲି ଗାଡ଼ି ଚାଳକ ସେଟେଲ୍ମେଣ୍ଟ ନ କଲେ ତା’ହେଲେ ବେଳା ଖରାପ । ପୁଲିସ୍ ମାମଲା ରୁଜୁ କରି ଗାଡ଼ି ଜବତ କରିଦିଏ । ଗାଡି ମାଲିକକୁ ଥାନାରୁ ଗାଡି ରିଲିଜ୍ କରିବାକୁ ମାସ ମାସ ଲାଗିଯାଏ । କୋର୍ଟରୁ ରିଜିଲ୍ ଅର୍ଡର ନେଇ ଥାନାରୁ ପହଞ୍ଚିଲା ବେଳକୁ ଥାନା ଆଗରେ ଥୁଆ ହୋଇଥିବା ଗାଡ଼ିରୁ ବ୍ୟାଟେରୀ ଗାଏବ ହୋଇଯାଇଥାଏ । ପୁଲିସ୍ର ଏଭଳି କାର୍ଯ୍ୟ ପାଇଁ ସାଧାରଣ ଲୋକ ଅଧିକ ସମସ୍ୟାରେ ପଡୁଛନ୍ତି । ୧୨ରୁ ୧୫ ହଜାର ଟଙ୍କାରେ ମିଳୁଥିବା ବାଲି ଗାଡ଼ି ଏବେ ୨୦ ହଜାର ପାର ହୋଇଯାଇଛି । ଖାଲି ପୁଲିସ୍ ନୁହେଁ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଖଣି ଅଧିକାରୀମାନେ ଚେକିଂ ନାଁରେ ନାହିଁ ନଥିବା ସମସ୍ୟାରେ ପକାଉଛନ୍ତି । ଲୋକମାନେ ଘର ପାଇଁ ଏବେ ବାଲି କିଣିବାକୁ ଡରୁଛନ୍ତି ।