ଭୁବନେଶ୍ୱର,୨୭/୧୧: ଅର୍ଥାଭାବ ପାଇଁ ନିଜ ପିଲାକୁ ବିକ୍ରି କରିଦେଲେ ବାପା ମା । ୪୦ ହଜାର ଟଙ୍କାରେ ନିଜର ୪ ବର୍ଷର ପିଲାକୁ ବାପା ମା ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ରାଜଧାନୀ ଭୁବନେଶ୍ୱରର ବଡ଼ଗଡ଼ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଏକ ଦମ୍ପତି ବିହାରରୁ ଆସି ଭୁବନେଶ୍ବରରେ ଦିନ ମଜୁରିଆ କାମ କରୁଥିଲେ । ଏଠାରେ କିଛି ଦିନ ରହିବା ପରେ ତାଙ୍କର ଅର୍ଥାଭାବ ଦେଖା ଦେଇଥିଲା । ଶେଷରେ ନିଜ ୪ ବର୍ଷର ପିଲାକୁ ୪୦,୦୦୦ ଟଙ୍କାରେ ପିପିଲି କସରଦା ଅଞ୍ଚଳର ଦମ୍ପତିଙ୍କୁ ବିକ୍ରି କରିଦେଇଥିଲେ ବାପା ମା । ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଏହି ଘଟଣାରେ ୨ ଜଣ ମହିଳା ମଧ୍ୟସ୍ଥି ହୋଇ ପିଲା ବିକ୍ରି କରାଇଥିବା ନେଇ ପୋଲିସ ସୂଚନା ପାଇଛି । ବଡ଼ଗଡ଼ ପୋଲିସ ଉକ୍ତ ଶିଶୁକୁ ଉଦ୍ଧାର କରି ଘଟଣାରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ।