ଭୁବନେଶ୍ବର,୨୭/୧୧: ଆଧାର କାର୍ଡରେ ନାହିଁ ନଥବା ତ୍ରୁଟି । କାହାର ନାଁରେ ବନାନ ଭୁଲ୍ ତ ଆଉ କାହାର ଜନ୍ମ ତାରିଖ । ଅଭିଭାବକଙ୍କ ନାଁରେ ମଧ୍ୟ ଏକାଧିକ ତ୍ରୁଟି । ଆଧାର କାର୍ଡରେ ଏଭଳି ତ୍ରୁଟି ହିଁ ଛାତ୍ରଛାତ୍ରୀଙ୍କ ଏକକ ପରିଚୟପତ୍ର ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି (ଅପାର)ରେ ସାଜିଛି ବାଧକ । ବହୁ ଅଭିଭାବକ ମଧ୍ୟ ଆଧାର ନମ୍ବର ଦେବାକୁ କୁନ୍ଥକୁନ୍ଥ । ସରକାର ଯେତେ ଉଦ୍ୟମ କଲେ ମଧ୍ୟ ‘ଆପାର’ ପଞ୍ଜୀକରଣ ଟାର୍ଗେଟ୍ ଛୁଇଁପାରୁନାହିଁ । ମଠେଇ ମଠେଇ ଚାଲିଛି । ପ୍ରକୃତ ସମସ୍ୟା ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅବଗତ ହେବା ପରେ କ୍ଲଷ୍ଟର ସ୍ତରରେ ଆଧାର ସଂଶୋଧନ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଖୋଲିବାକୁ ନିଷ୍ପତ୍ତି ନେଇଛି ।
ଏହି କ୍ୟାମ୍ପ ଜରିଆରେ ଆଧାରରେ ସଂଶୋଧନ ହୋଇପାରିବ । ଯାହାକି ଅଧିକ ସଂଖ୍ୟକ ପଞ୍ଜୀକରଣରେ ସହାୟକ ହେବ ବୋଲି ବିଭାଗ ଆଶାବାଦୀ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଛାତ୍ରଛାତ୍ରୀଙ୍କ ଏକକ ଆଇଡି କାର୍ଡ (ଅପାର) କରିବାକୁ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ନିଷ୍ପତ୍ତି ନେଇଛି । ଗୋଟିଏ ଦେଶ ଗୋଟିଏ ପରିଚୟପତ୍ର ଭାବେ ଏହା ୧୨ ଅଙ୍କ ବିଶିଷ୍ଟ ନମ୍ବରର ହେବ । ‘ଅପାର’ରେ ଆଧାର କାର୍ଡ ସଂଯୁକ୍ତ ହେବ । ପ୍ରାଥମିକରୁ ଉଚ୍ଚଶିକ୍ଷା ଯାଏଁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ସଫଳତା ବାବଦରେ ସଂପୂର୍ଣ୍ଣ ତଥ୍ୟ ଏଥିରେ ଅପଲୋଡ୍ ହେବ । ନାମଲେଖାରୁ ଆରମ୍ଭ କରି ନିଯୁକ୍ତିକ୍ଷେତ୍ରରେ ଏହା କାର୍ଯ୍ୟ କରିବ । ମାତ୍ର ଏହି ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ । ଶିକ୍ଷାର୍ଥୀ ଓ ପିତାମାତାଙ୍କ ଆଧାର କାର୍ଡରେ ତ୍ରୁଟି ଥିବାରୁ ପଞ୍ଜୀକରଣ ହୋଇପାରୁନି ।
ଅଭିଭାବକମାନେ ମଧ୍ୟ ଆଧାର କାର୍ଡ ସଂଶୋଧନରେ ଢିଲା ମାରୁଛନ୍ତି । ଫଳରେ ପଞ୍ଜୀକରଣ ଧିମେଇଛି । ଏହାକୁ ଦୃଷ୍ଟିରେ ରଖି ଆଧାର ସଂଶୋଧନ କ୍ୟାମ୍ପ ପ୍ରତି କ୍ଲଷ୍ଟରରେ ଖୋଲିବାକୁ ଓକାକ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ । ଏହି କ୍ୟାମ୍ପରେ ଆଧାର କାର୍ଡରେ ତ୍ରୁଟି ଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସଂଶୋଧନ କରିପାରିବେ । ରାଜ୍ୟରେ ଗତମାସରୁ ଅପାର ଆଇଡି କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ଆଇଡି ପଞ୍ଜୀକରଣ ପାଇଁ ବହୁ ଅଭିଭାବକ ଅମଙ୍ଗ ହେଉଛନ୍ତି । ଆଧାର କାର୍ଡ ତଥ୍ୟ ପ୍ରଦାନ କରିବାକୁ ରାଜି ହେଉନାହାନ୍ତି । ଆଧାର କାର୍ଡରେ ତଥ୍ୟ ଭୁଲ୍ ମଧ୍ୟ ପ୍ରତିବନ୍ଧକ ଆଣିଛି । ଅଭିଭାବକ ଓ ଶିକ୍ଷାର୍ଥୀଙ୍କ ଆଧାର କାର୍ଡ ସହ କୌଣସି ଭୁଲ୍ ତଥ୍ୟ ମିଳିଲେ ଅପାର ପଞ୍ଜୀକରଣରେ ସମସ୍ୟା ସୃଷ୍ଟି ହେଉଛି । କିଛି ଛାତ୍ରଛାତ୍ରୀଙ୍କର ଆଧାର କାର୍ଡ ନାହିଁ । ଯାହା ବଡ଼ ସମସ୍ୟା ଛିଡ଼ା କରାଇଛି । ଉଚ୍ଚମାଧ୍ୟମିକ ସ୍ତରରେ ପଞ୍ଜୀକରଣ ସ୍ଥିତି ୧୦ ପ୍ରତିଶତ ଡେଇଁନି । ଗଞ୍ଜାମ, କୋରାପୁଟ, ମୟୂରଭଞ୍ଜ ଜିଲ୍ଲାରେ ସବୁଠୁ କମ୍ ପଞ୍ଜୀକରଣ ହୋଇଛି ।
ସାମ୍ସ ପୋର୍ଟାଲ୍ ସୂଚନା ଅନୁଯାୟୀ ଉଭୟ ଏକାଦଶ ଓ ଦ୍ୱାଦଶରେ ମୋଟ ୮ ଲକ୍ଷ ୪୧ ହଜାର ୭୧୮ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଏଯାଏ ମାତ୍ର ୮୪ ହଜାର ୬୭୭ ଶିକ୍ଷାର୍ଥୀ ‘ଅପାର’ରେ ପଞ୍ଜିକୃତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ମାତ୍ର ୫ ପ୍ରତିଶତ ପିଲାଙ୍କର ଅପାର ଆଇଡି ପଞ୍ଜୀକରଣ ହୋଇଛି । ସେହିପରି କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରେ ଯୁକ୍ତ ୨ରେ ପଢ଼ୁଥିବା ପିଲାଙ୍କ ମଧ୍ୟରୁ ମାତ୍ର ୩ରୁ ୪ ପ୍ରତିଶତ ପିଲା ଅପାର ଆଇଡି କରିଛନ୍ତି । ବାଲେଶ୍ୱର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କମ୍ ଅପାର ପଞ୍ଜୀକରଣ ହୋଇଛି । ସର୍ବାଧିକ ଝାରସୁଗୁଡ଼ା ଜିଲ୍ଲାରେ ୪୧ ପ୍ରତିଶତ ଓ ଅନୁଗୁଳ ଜିଲ୍ଲାରେ ୨୨ ପ୍ରତିଶତ ଆଇଡି ତିଆରି ହୋଇଛି ।
କେନ୍ଦୁଝର, କଳାହାଣ୍ଡି, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରେ ଅପାର ଆଇଡି ପଞ୍ଜୀକରଣରେ ବି ଉନ୍ନତି ହେଉନି । ସୂଚନାଯୋଗ୍ୟ, ପିଲାଙ୍କର ‘ଅପାର’ ଆଇଡି ଥରେ ହେଲା ପରେ ସ୍କୁଲ କିମ୍ବା କଲେଜ ପରିବର୍ତ୍ତନ କଲେ ମଧ୍ୟ ଏହି ଅପାର କାର୍ଡରେ କୌଣସି ପରିବର୍ତ୍ତନ ହେବ ନାହିଁ । ଛାତ୍ରଛାତ୍ରୀଙ୍କର ପ୍ରତ୍ୟେକ ଥରର ସୂଚନା ଅପାର ଆଇଡିରେ ଅପଡେଟ୍ କରାଯିବ । ଏହା ଡିଜି ଲକର ଭଳି କାର୍ଯ୍ୟ କରିବ । ଡିଜିଟାଲ୍ରେ ସବୁ ତଥ୍ୟ ଗଚ୍ଛିତ ରହିବ । ପିଲା କେଉଁ ଶ୍ରେଣୀରେ ପଢ଼ୁଛି? କେଉଁ ଶ୍ରେଣୀ ଯାଏଁ ପଢ଼ିଛି? ତାକୁ କେଉଁ ପୁରସ୍କାର ମିଳିଛି? କଣ ଡିଗ୍ରୀ ରହିଛି? ଛାତ୍ରବୃତ୍ତି ସଂପର୍କିତ ସୂଚନା ସହ କେଉଁ ଶ୍ରେଣୀରେ କେତେ ମାର୍କ ପାଇଛି? ଏସମସ୍ତ ତଥ୍ୟ ଏହି କାର୍ଡରେ ରହିବ ।