ଭୁବନେଶ୍ୱର, ୨୭ ।୧୧ (କୁମାର ବିମଳ): ୧୯୮୭ ମସିହା ଅକ୍ଟୋବର ୨୦ ତାରିଖରେ ମଧୁମିତା ଓ ଅଶୋକ ଚନ୍ଦ୍ର ବସ୍ତିଆଙ୍କର ପୁତ୍ର ସନ୍ତାନଟିଏ ଜନ୍ମ ହୋଇଥିଲା । ଉଭୟ ବେଶ ଖୁସି ହୋଇଥିଲେ । କିନ୍ତୁ ଏ ଖୁସି ସେମାନଙ୍କର ବେଶି ସମୟ ରହିନଥିଲା, ଯେତେବେଳେ ଜଣା ପଡ଼ିଲା ପିଲାଟି ପୋଲିଓରେ ଆକ୍ରାନ୍ତ । ପୁଅର ଭବିଷ୍ୟତକୁ ନେଇ ସେମାନେ ଚିନ୍ତିତ ହୋଇ ପଡ଼ିଲେ । ଅଭାବୀ ପରିବାର, ଦୁଃଖ ସୁଖରେ ଚଳୁଥିଲା । ପିଲାଟି ଧୀରେ ଧୀରେ ବଡ଼ ହେଲା, ପାଠ ପଢ଼ିଲା, କିନ୍ତୁ ଅଭାବ ଯୋଗୁ ଦଶମ ଶ୍ରେଣୀ ପରେ ବସ୍ତାନିରେ ଡୋର ବନ୍ଧା ହେଲା । ରୋଜଗାର ଆଶାରେ ପିଲାଟି ଭୁବନେଶ୍ୱର ଆସି ଅଟୋ ଚଳାଇଲା । ପାରାମାଉଣ୍ଟ କ୍ଲବ୍ର ପିଲାମାନଙ୍କ ଖେଳ ଦେଖି କ୍ରିକେଟ୍ ଖେଳିବାର ମନ ବଳାଇଲା । ବାସ୍, ସେଇଠୁ ଆରମ୍ଭ ହେଲା ଅଭ୍ୟାସ । ଦୃଢ଼ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମ ବଳରେ ନିଜର ସ୍ୱତନ୍ତ୍ର ପରିଚୟ ପାଇଲା ।
ସେ ଦିନର ସେହି ପୋଲିଓ ଆକ୍ରାନ୍ତ ପିଲା ଜଣକ ହେଲେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ କ୍ରିକେଟ୍ ଖେଳାଳି ବଳରାମ ବସ୍ତିଆ । ବଳରାମ ଦିବ୍ୟାଙ୍ଗ କ୍ରିକେଟ୍ ଖେଳି ବହୁ ସୁନାମ ଅର୍ଜନ କରିଛନ୍ତି ସତ କିନ୍ତୁ ତାଙ୍କର ଆର୍ଥିକ ସ୍ଥିତିରେ କିଛି ସୁଧାର ଆସି ନାହିଁ । ପୂର୍ବଭଳି ଅଟୋ ଚଳାଉଛନ୍ତି । ହଁ, ପୂର୍ବରୁ ଭଡ଼ାରେ ଅଟୋ ଚଳାଉଥିଲେ, ଏବେ ଋଣ କରି ନିଜର ଏକ ଡାଲା ଅଟୋ କରିଛନ୍ତି । ଦୁଇ ଓଳି କ୍ରିକେଟକୁ ସମୟ ଦେବା ପରେ ଯାହା ସମୟ ବଳେ ସେହି ସମୟରେ ଗାଡ଼ି ଚଳାନ୍ତି । ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ । ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ ସୁବୁଦ୍ଧିପଡ଼ା ଗ୍ରାମରେ ବଳରାମଙ୍କର ଜନ୍ମ । ଭୁବନେଶ୍ୱରରେ ସେ ବିଜେବି ନଗରରେ ରହୁଛନ୍ତି । ନିୟମିତ ପାରାମାଉଣ୍ଟ କ୍ଲବରେ ଅଭ୍ୟାସ କରନ୍ତି । ୨୦୧୮ ମସିହାରେ ସେ ଆଫଗାନିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଥିଲେ । ପୁଣି ଥରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିବା ତାଙ୍କର ଇଚ୍ଛା । ଆସନ୍ତା ୩୦ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଜୟପୁରରେ ଆୟୋଜିତ ହେବ ଜାତୀୟ ଦିବ୍ୟାଙ୍ଗ ଚ୍ୟାଲେଞ୍ଜର ଟ୍ରଫି କ୍ରିକେଟ୍ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶାରୁ ୨ ଜଣ କ୍ରିକେଟରଙ୍କ ମଧ୍ୟରେ ବଳରାମ ସାମିଲ ରହିଛନ୍ତି ।
ପ୍ରୋତ୍ସାହନ ନାହିଁ
ସଂଘର୍ଷର ଅନ୍ୟମାନ ସଫଳତା । ବଳରାମ ୨୦୦୯ରୁ ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳି ଆସୁଛନ୍ତି । ରାଜ୍ୟ ପାଇଁ ବହୁ ସଫଳତା ଆଣିଛନ୍ତି । କିନ୍ତୁ ତାଙ୍କୁ ଏ ପର୍ଯ୍ୟନ୍ତ କୌଣସି ପ୍ରୋତ୍ସାହନ କିମ୍ବା ନିଯୁକ୍ତି ମିଳିପାରି ନାହିଁ । ସେମିତି ପୂର୍ବଭଳି ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି। ଖେଳୁଛନ୍ତି, କିନ୍ତୁ ଭବିଷ୍ୟତକୁ ନେଇ କ’ଣ ଭାବିଛନ୍ତି ବୋଲି ପଚାରିଲେ ନିରବ ରହନ୍ତି । ବଳରାମ କହନ୍ତି, ‘ଦେଢ଼ ଦଶନ୍ଧିରୁ ଊର୍ଦ୍ଧ୍ଵ ସମୟ ହେଲା କ୍ରିକେଟ୍ ଖେଳୁଛି । ପାରାମାଉଣ୍ଟ କ୍ଲବର ସଭାପତି ପ୍ରତାପ ଜେନା ସାର୍, କୋଚ୍ ମହମ୍ମଦ ଆଝାର ଓ ରାଖାଲ କୁମାର ସେଠୀଙ୍କ ସହଯୋଗ ଓ ସମର୍ଥନରେ ହିଁ ମୁଁ ଏତେ ବାଟ ଆସି ପାରିଛି । ନିଜେ ରୋଜଗାର କରୁଛି ଏବଂ ନିଜ ପଇସାରେ ବ୍ୟାଟ୍ ଓ ଅନ୍ୟାନ୍ୟ ସାମଗ୍ରୀ କିଣିଥାଏ । ସେଭଳି ଘରୋଇ କିମ୍ବା ସରକାରୀ ପ୍ରୋତ୍ସାହନ ମିଳିନି । ହୁଏତ ସେମିତି ସହଯୋଗ ମିଳିଥିଲେ ଖେଳକୁ ନେଇ ବହୁ ଆଗକୁ ଯାଇପାରିଥାନ୍ତି । ନିଜ ଭବିଷ୍ୟତକୁ ନେଇ କିଛି ବି ଭାବିନାହିଁ । ଯେତେଦିନ ଖେଳି ପାରିବି ଖେଳିବି କିନ୍ତୁ ଆଉ ଥରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିବା ମୋର ଲକ୍ଷ୍ୟ । ଚ୍ୟାଲେଞ୍ଜର ଟ୍ରଫିରେ ଯଦି ଭଲ ପ୍ରଦର୍ଶନ କରିବି ହୁଏତ ମୋତେ ଜାତୀୟ ଦଳରେ ସୁଯୋଗ ମିଳିପାରିବ ।’ ସ୍ୱଳ୍ପ ରୋଜଗାର ‘ପୂର୍ବରୁ ଭଡ଼ାରେ ଅଟୋ ଚଳାଉ ଥିଲି, ଏବେ ନିଜର ଗୋଟେ ଡାଲା ଅଟୋ କିଣିଛି । ସ୍ୱଳ୍ପ ରୋଜଗାର । ସକାଳେ ଓ ଅପରାହ୍ଣରେ ଅଭ୍ୟାସ ପରେ ଯେତିକି ସମୟ ମିଳୁଛି, ସେହି ସମୟରେ ଗାଡ଼ି ଚଳାଉଛି । ୫୦୦ରୁ ୭୦୦ ଟଙ୍କା ରୋଜଗାର କରେ । ହୁଏତ ଅଧିକ ସମୟ ଦେଲେ ଅଧିକ ଟଙ୍କା ହୋଇପାରନ୍ତା । କିନ୍ତୁ ଅଭ୍ୟାସ ପରେ ଆଉ ସମୟ ଦେଇ ପାରୁନି । ଗାଁରେ ବାପା, ମା’ । ମୁଁ ବିବାହ ବି କରିଛି । ମୋ ସାନ ଭାଇ ଘର ଚଳାଇବାରେ ସହଯୋଗ କରୁଛି । ତେଣୁ ମୋ ଉପରେ ଏତେ ଚାପ ରହୁ ନାହିଁ ବୋଲି ସେ କହିଛନ୍ତି ।
ବଳରାମ ପୁଣି କହିଛନ୍ତି ଯେ, ‘୨୦୧୮ ୱାଦେକର ଟ୍ରଫିରେ ଆଫଗାନିସ୍ତାନ ବିପକ୍ଷରେ ମୁମ୍ବାଇରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲି । ପୁଣି ଥରେ ଦଳକୁ ଫେରିବାକୁ ଚାହେଁ । ଖେଳ ଛାଡ଼ିବା ପୂର୍ବରୁ ଅର୍ନ୍ତଜାତୀୟ ମ୍ୟାଚ୍ ଖେଳିବା ମୋର ଲକ୍ଷ୍ୟ । ଏତେ ବର୍ଷ କ୍ରିକେଟ୍ ଖେଳିଲିଣି କିନ୍ତୁ କେବଳ ଖେଳରେ ହିଁ ସୀମିତ ରହିଛି । ନିଯୁକ୍ତି କିମ୍ବା ଅନ୍ୟାନ୍ୟ ସୁବିଧା ପାଇନି । ଅଭାବ ଯୋଗୁ ପାଠ ବି ଅଧିକ ପଢ଼ି ପାରିନି (ଦଶମ) । ସରକାର ଯଦି କିଛି ସୁବିଧା ସୁଯୋଗ ଯୋଗାଇ ଦିଅନ୍ତି ତେବେ ଉପକୃତ ହୁଅନ୍ତି ବୋଲି ବଳରାମ କହିଛନ୍ତି । ୨୦୦୯ରୁ ବଳରାମ ଓଡ଼ିଶା ଦଳରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି । ପୂର୍ବାଞ୍ଚଳ ଦିବ୍ୟାଙ୍ଗ କ୍ରିକେଟ୍ ସହ, ଅଜିତ ୱାଦେକର ଟ୍ରଫି-୨୦୧୯, ଅଟଳ ଅଜିତ ସ୍ମାରକୀ ଟ୍ରଫି-୨୦୧୯, ପଣ୍ଡିତ ରଞ୍ଜିତ ଝା କପ୍ ୨୦୧୮, ଏଲ୍ଆଇସି ଟ୍ରଫି-୨୦୧୭ ଏବଂ ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୧୪ ଭଳି ୨୦ରୁ ଊଦ୍ଧ୍ୱର୍ ପ୍ରତିଯୋଗିତାରେ ସେ ପ୍ରତିନିଧିତ୍ୱ କରିଛନ୍ତି।