ଭୁବନେଶ୍ୱର,୨୭/୧୧: ୨୦୨୫ ସୁଦ୍ଧା ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ ଏନଇପି । ଏଥିପାଇଁ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ରାଜ୍ୟରେ ଏନଇପି ଲାଗୁ କରିବା ପାଇଁ ଟାସ୍କ ଫୋର୍ସ କମିଟି ଗଠନ ହୋଇଛି । ଏହା ସହ ୬ ଟି ସବକମିଟି ମଧ୍ୟ ଗଠନ ହୋଇସାରିଛି । ସମସ୍ତ ସବକମିଟି ରେକମେଣ୍ଡେସନ୍ ଦେବେ। ଏହା ପରେ ସମସ୍ତଙ୍କ ମତାମତ ନେଇ ଏନଇପି ଲାଗୁ କରାଯିବ । ବିଗତ ଦିନରେ ରାଜ୍ୟରେ ଥିବା ଶିକ୍ଷକ ଅଭାବକୁ ପୂରଣ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଶିକ୍ଷା କ୍ଷେତ୍ରରେ ଯାହା ଆବଶ୍ୟକ ରହିଛି, ତାହା ପୂରଣ ପାଇଁ ବିଭାଗ ଦ୍ବାରା ଚେଷ୍ଟା କରାଯାଉଛି । ଏନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ ବୈକୁଣ୍ଠ ଧାମ ସ୍କୁଲ ଗଣଶିକ୍ଷା ବିଭାଗ ଜମିରେ ଥିବା ନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏସବୁ ଜିନିଷକୁ ଆମେ ଅନୁଧ୍ୟାନ କରୁଛୁ । ଆବଶ୍ୟକ ପଡ଼ିଲେ ଏହାର ତଦନ୍ତ କରାଯିବ । ପ୍ରକୃତ ଘଟଣା କ'ଣ ଜାଣିବା ପରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୁବନେଶ୍ଵରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ।