ନୂଆଦିଲ୍ଲୀ : ବିହାରର ଚାରୋଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ,ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟି ଥିବା ପ୍ରଶାନ୍ତ କିଶୋର (ପିକେ)ଙ୍କର ଜନ ସୁରାଜ ପାର୍ଟି ଖାଲି ହାତରେ ରହିଛି। ଜନ ସୁରାଜ ପାର୍ଟିର ପ୍ରାର୍ଥୀଙ୍କୁ କୈମୂର ଜିଲ୍ଲାର ରାମଗଡ ବିଧାନସଭା ସିଟ୍ରେ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ଥିବା ବେଳେ, ବାକି ୩ଟି ସିଟ୍ରେ ପିକେଙ୍କ ପ୍ରାର୍ଥୀ ୩ୟ ସ୍ଥାନରେ ରହିଛନ୍ତି। ପ୍ରଥମ ନଜରରେ ଉକ୍ତ ଫଳାଫଳ ପିକେଙ୍କ ପାର୍ଟିର ପ୍ରଭାବହୀନ ଷ୍ଟାର୍ଟର କାହାଣୀ ବୟାନ କରୁଛି, କିନ୍ତୁ ତଥ୍ୟର ଅଙ୍କ ଗଣିତ କ୍ଷମତାଧାରୀ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ (ଏନଡିଏ) ଓ ବିରୋଧୀ ମହାଗଠବନ୍ଧନ, ଉଭୟ ହିଁ ଗଠବନ୍ଧନରେ ସାମିଲ ଦଳର ଟେନସନ ବଢାଇବାରେ ଲାଗିଛି।
ଗୟା ଜିଲ୍ଲାର ଇମାମଗଞ୍ଜ ବିଧାନସଭା ସିଟ୍ରେ ଜନ ସୁରାଜର ପ୍ରାର୍ଥୀ ଜିତେନ୍ଦ୍ର ପାସୱାନଙ୍କୁ ୩୭ ହଜାର ୧୦୩ ଭୋଟ୍ ମିଳିଛି। ବେଲାଗଞ୍ଜରେ ଜନ ସୁରାଜର ମହମ୍ମଦ ଅମଜଦ ୧୭ ହଜାର ୨୮୫ ଭୋଟ୍ ପାଇବାରେ ସଫଳ ରହିଛନ୍ତି। ତରାରି ସିଟ୍ରେ ଜନ ସୁରାଜର କିରଣ ସିଂହଙ୍କୁ ୫୬୨୨ ଓ ରାମଗଡ଼ରେ ସୁଶୀଲ କୁମାର ସିଂହଙ୍କୁ ୬୫୧୩ ଭୋଟ୍ ମିଳିଛି। ଜନ ସୁରାଜର ୪ଜଣ ପ୍ରାର୍ଥୀଙ୍କୁ ମିଳିଥିବା ମୋଟ ଭୋଟ ୬୬ ହଜାର ୫୨୩ରେ ପହଞ୍ଚିଛି। ହାରାହାରି କଥା ଯଦି କହିବା ତ, ଜନ ସୁରାଜକୁ ନିଜର ନିର୍ବାଚନୀ ଡେବ୍ୟୁରେ ମିଳି ଥିବା ଭୋଟ୍ର ହାରାହାରି ପ୍ରତି ସିଟ୍ରେ ୧୬ ହଜାର ୬୩୧ଭୋଟ୍ର ନିକଟତର।
'ଜନ ସୁରାଜ ପାର୍ଟି' ଯଦିଓ ବିଧାନସଭାରେ ନିଜର ଉପସ୍ଥିତି ସୁନିଶ୍ଚିତ କରିବାରେ ବିଫଳ ହୋଇଛି, ହେଲେ ସେ ଏହା ସାବ୍ୟସ୍ତ କରିବାରେ ସଫଳ ରହିଛି ଯେ, ୨ୟ ଦଳ ଦ୍ୱାରା ତିଆରି ଗେମ୍କୁ ବିଗାଡ଼ି ପାରେ। ରାମଗଡ ଓ ଇମାମଗଞ୍ଜର ଫଳାଫଳ ତ, ଏହା ଦର୍ଶାଉଛି। ଲାଲୁ ଯାଦବଙ୍କ ପରିଚାଳନାରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଗଡ଼ କୁହାଯାଉ ଥିବା ରାମଗଡ଼ ବିଧାନସଭା ସିଟ୍ରୁ ରାଜ୍ୟ ଅଧ୍ୟକ୍ଷ ଜଗଦାନନ୍ଦ ସିଂହଙ୍କ ପୁଅ ଅଜିତ ସିଂହ ୩ୟ ନମ୍ୱରରେ ରହିଛନ୍ତି। ଏହି ସିଟ୍ରେ ବିଜେପିର ଅଶୋକ କୁମାର ସିଂହ ବହୁଜନ ସମାଜ ପାର୍ଟିର ସତିଶ କୁମାର ସିଂହ ଯାଦବଙ୍କୁ ୧୩୬୨ ଭୋଟରେ ପରାସ୍ତ କରିଛନ୍ତି।
ରାମଗଡ଼ରେ ଜନ ସୁରାଜ ପ୍ରାର୍ଥୀଙ୍କୁ ୬ହଜାରରୁ ଅଧିକ ଭୋଟ୍ ମିଳି ଥିଲା। ଏହିପରି ଇମାମଗଞ୍ଜରେ କେନ୍ଦ୍ରୀୟ ମନ୍ତ୍ରୀ ଜିତନରାମ ମାଂଝିଙ୍କ ବୋହୂ ଦୀପା ମାଂଝିଙ୍କର ବିଜୟର ଅନ୍ତର ୫୯୪୫ ରହିଛି ଏବଂ ଜନ ସୁରାଜ ପ୍ରାର୍ଥୀଙ୍କୁ ୩୭ ହଜାରରୁ ଅଧିକ ଭୋଟ୍ ମିଳିଛି। ଏହି ଦୁଇ ସିଟ୍ରେ ଜନ ସୁରାଜର ଉପସ୍ଥିତି ଆରଜେଡିକୁ କ୍ଷତି ପହଞ୍ଚାଇଛି ଏବଂ ଯଦି ନିର୍ବାଚନୀ ରଣରେ ପିକେଙ୍କର ଦଳ ନଥାନ୍ତା ତ ଫଳାଫଳ ଆଉ କିଛି ମଧ୍ୟ ହୋଇ ପାରିଥାନ୍ତି।
ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଯେଉଁ ଜନ ସୁରାଜ ପାର୍ଟିର ସୂତ୍ରଧର, ତାହା ୪ଟି ସିଟ୍ର ଉପନିର୍ବାଚନରେ ୩ୟ ନମ୍ୱରରୁ ଆଗକୁ ଯାଇ ପାରିନାହିଁ। କିନ୍ତୁ ଏହି ପ୍ରଦର୍ଶନ ମାଧ୍ୟମରେ ମଧ୍ୟ ଜନ ସୁରାଜ ପୁରୁଣା ପାର୍ଟିଙ୍କ ଟେନସନ ବଢାଇ ଦେଇଛି ।