ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମେଣ୍ଟକୁ ବଡ଼ ବିଜୟ ମିଳିଛି । ଏହା ପରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଛକାପଞ୍ଝା ଜାରି ରହିଛି । ବିଜେପି ନେତାମାନେ କହୁଛନ୍ତି ଦେବେନ୍ଦ୍ର ଫଡ଼ନାଭିସ୍ ମୁଖ୍ୟମନ୍ତ୍ରୀ ହେବେ । ସେହିଭଳି ଶିବସେନା କାର୍ଯ୍ୟକର୍ତ୍ତା ଦାବି କରୁଛନ୍ତି, ପୁଣି ଥରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଚୌକିରେ ବସିବାର ଯଥାର୍ଥତା ରହିଛି । କିନ୍ତୁ ଏବେ ମିଳିଥିବା ସୂଚନା ଅନୁସାରେ, ଦେବେନ୍ଦ୍ର ଫଡ଼ନାଭିସଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଯାଇପାରେ । ଯଦି ଫଡ଼ନାଭିସ୍ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଏକନାଥ ସିନ୍ଦେଙ୍କୁ କଣ ମିଳିବ ?
ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଏହା ସହ ତାଙ୍କୁ ସହରୀ ବିକାଶ ମନ୍ତ୍ରଣାଳୟର ମନ୍ତ୍ରୀ ପଦ ମିଳିପାରେ । ସେପଟେ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ରହିବା ସହ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ବ ସମ୍ଭାଳିପାରନ୍ତି। ଦେବେନ୍ଦ୍ର ଫଡ଼ନାଭିସ୍ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ବେଳେ ସେ ୫ ବର୍ଷ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ । ବିଜେପି ମୁଖ୍ୟମନ୍ତ୍ରୀ ଚୌକି କାହା ସହିତ ଶେୟାର କରିବାକୁ ରାଜି ନଥିବା କୁହାଯାଉଛି ।
ଦେବେନ୍ଦ୍ର ଫଡ଼ନାଭିସ୍ ଦୀର୍ଘ ଅଢ଼େଇ ବର୍ଷ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଆଉ ଏବେ ଫଡ଼ନାଭିସଙ୍କ ନେତୃତ୍ବରେ ଏକନାଥ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଅନ୍ୟପଟେ ଏକନାଥ ସିନ୍ଦେଙ୍କ ପାଖରେ ବିକଳ୍ପ ରହିଛି । ସେ ନିଜେ ଉପମୁଖ୍ୟମନ୍ତ୍ରୀ ନହୋଇ ତାଙ୍କର ବିଶ୍ବସ୍ତଙ୍କୁ ଏହି ଚୌକି ଦେଇପାରନ୍ତି । ଏସବୁ ଭିତରେ ଅନ୍ୟ ଏକ ଚର୍ଚ୍ଚା ମଧ୍ୟ ହେଉଛି ।
ଆଗାମୀ ରାଜ୍ୟସଭା ନିର୍ବାଚନରେ ସାମିଲ ହୋଇ ଦିଲ୍ଲୀ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ସିନ୍ଦେ । କିନ୍ତୁ ଜାତୀୟ ରାଜନୀତିରେ ସିନ୍ଦେ ପ୍ରବେଶ କରିବାର ଅଧିକ ସମ୍ଭାବନା ନାହିଁ । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବାଲେ କହିଥିଲେ, ଯେବେ ଦେବେନ୍ଦ୍ର ଫଡ଼ନାଭିସ୍ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ସିନ୍ଦେ ଜାଣିଲେ ସେ ଦୁଃଖି ହୋଇଥିଲେ । ଏହାକୁ ମୁଁ ବୁଝିପାରୁଛି । କିନ୍ତୁ ବିଜେପିକୁ ୧୩୨ଟି ଆସନ ମିଳିଛି ଏବଂ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ଦରକାର । ସେପଟେ ଏକନାଥ ସିନ୍ଦେ ଯଦି ଉପମୁଖ୍ୟମନ୍ତ୍ରୀ ହୋବକୁ ଇଚ୍ଛୁକ ନୁହେଁ ତେବେ ତାଙ୍କୁ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ରମନ୍ତ୍ରୀ କରାଯାଇପାରେ ।’