ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ବାଧୀନ ମହାବିକାଶ ଅଘାଡ଼ିର ପରାଜୟ ପରେ ଇଣ୍ଡି ମେଣ୍ଟରେ ବିଦ୍ରୋହ ଆରମ୍ଭ ହୋଇଛି । ପ୍ରଥମେ ତୃଣମୂଳ କଂଗ୍ରେସ (ଟିଏମସି) ଏହି ପରାଜୟକୁ ନେଇ ପ୍ରଶ୍ନ କରିଛି । ରାହୁଲ ଗାନ୍ଧୀ ଜଣେ ଦୁର୍ବଳ ନେତା ବୋଲି ମଙ୍ଗଳବାର ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି । ନ୍ୟୁଜ ଏଜେନ୍ସି ଏଏନଆଇକୁ ପ୍ରତିକ୍ରିୟା ଦେଇ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ, ‘କଂଗ୍ରେସ ମହାରାଷ୍ଟ୍ର ଏବଂ ହରିୟାଣାରେ ଆଶାନୁରୂପ ଫଳ ପାଇନାହିଁ । କଂଗ୍ରେସ ପାଖରୁ ବହୁତ ଆଶା ଥିଲା । ଭଲ ପରିଣାମ ପାଇବାରେ କଂଗ୍ରେସ ବିଫଳ ହୋଇଛି ।’
ସେ ଆହୁରି କହିଛନ୍ତି ବର୍ତ୍ତମାନ ବିଜେପି ବିରୋଧରେ ଲଢ଼ିବାକୁ ହେଲେ ଇଣ୍ଡି ମେଣ୍ଟ ମଜଭୁତ ହେବା ଦରକାର । ଏହାକୁ ମଜଭୁତ କରିବା ଲାଗି ଜଣେ ଭଲ ନେତାର ଆବଶ୍ୟକତା ରହିଛି । ସେହି ନେତା ଜଣଙ୍କ କିଏ ? ଏବେ ଏହା ସବୁଠୁ ବଡ଼ ପ୍ରଶ୍ନ । କଂଗ୍ରେସ ସବୁ ପ୍ରକାର ଚେଷ୍ଟା କରି ମଧ୍ୟ ବିଫଳ ହୋଇଛି ।
ଏହା ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଦ୍ବାରା ଆୟୋଜିତ ଇଣ୍ଡି ମେଣ୍ଟ ବୈଠକରେ ସାମିଲ ହୋଇନଥିଲା ଟିଏମସି । କୋଲକାତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ନେତା ବ୍ୟସ୍ତ ଥିବା ଦର୍ଶାଇ ବୈଠକରେ ଅନୁପସ୍ଥିତ ଥିଲା ମମତା ବାନାର୍ଜୀଙ୍କ ଦଳ । ସଂସଦ ଅଧିବେଶନ ସଂପର୍କରେ ଜାଣି ମଧ୍ୟ ଟିଏମସି ଇଣ୍ଡି ମେଣ୍ଟର ବୈଠକରେ ସାମିଲ ହୋଇନଥିଲା । ସେପଟେ ଇଣ୍ଡି ମେଣ୍ଟର ନେତା ଭାବରେ ମମତା ବାନାର୍ଜୀଙ୍କୁ ଚୟନ କରିବା ଆବଶ୍ୟକ ବୋଲି କଲ୍ୟାଣ ବାନାର୍ଜୀ କହିବା ପରେ ଜୋର ଧରିଛି ଚର୍ଚ୍ଚା ।
ସାଂସଦ କଲ୍ୟାଣ ବାନାର୍ଜୀ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି । ‘ଅହଂକାର ତ୍ୟାଗ’ କରିବାକୁ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଣ୍ଡି ମେଣ୍ଟର ମୁଖ୍ୟ ଚେହେରା ଭାବେ ସ୍ବୀକାର କରିବାକୁ କଂଗ୍ରେସକୁ ପରାମର୍ଶ ଦେଇଛନ୍ତି କଲ୍ୟାଣ ବାନାର୍ଜୀ । ବାରମ୍ବାର ପରାଜୟ ପରେ କାହିଁକି କଂଗ୍ରେସ ନିଜ ଅହଂକାର ତ୍ୟାଗ କରୁନାହିଁ ? କାହିଁକି ମମତା ବାନାର୍ଜୀଙ୍କୁ ଦାୟିତ୍ବ ଦିଆଯାଉ ନାହିଁ ? ସେ ହିଁ କେବଳ ବିଜେପିକୁ ମାତ୍ ଦେଇପାରିବେ ବୋଲି ଲୋକସଭାରେ ଟିଏମସିର ମୁଖ୍ୟ ସଚେତକ କଲ୍ୟାଣ ବାନାର୍ଜୀ ଦାବି କରିଛନ୍ତି ।