ନୂଆଦିଲ୍ଲୀ : ମୁମ୍ୱାଇରେ ୨୦୦୮ ମସିହାରେ ହୋଇଥିବା ଆତଙ୍କୀ ହମଲାର ପୀଡ଼ିତା ତଥା ମାମଲାର ଶୁଣାଣି ବେଳେ ଆତଙ୍କବାଦୀ ଅଜମଲ କସାବକୁ ଚିହ୍ନଟ କରିଥିବା ମୁଖ୍ୟ ସାକ୍ଷୀ ଦେବିକା ରୋଟୱାନ , ଆଜି ମଧ୍ୟ ସେହି କାଳ ରାତିକୁ ଭୁଲି ପାରି ନାହାନ୍ତି, ଯେଉଁ ରାତି ତାଙ୍କ ଜୀବନକୁ ପୂରା ବଦଳାଇ ଦେଇଛି। ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲରେ ୨୬ ନଭେମ୍ୱର ୨୦୦୮ରେ ୯ ବର୍ଷିୟା ଦେବିକା ପୋଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିକାଣ୍ଡର ଶିକାର ହୋଇ ଥିଲେ। ଦେବିକାଙ୍କ ଗୋଡ଼ରେ ବାଜି ଥିବା ଗୁଳି ଆଜି ବି ତାଙ୍କୁ ସମସ୍ୟାରେ ପକାଉଛି। ବିଶେଷକରି ଥଣ୍ଡା ଋତୁରେ ଯନ୍ତ୍ରଣା ଆହୁରି ବଢିଯାଏ।
ଏବେ ୨୫ ବର୍ଷିୟା ଦେବିକା ମୁମ୍ୱାଇରେ ୨୬ ନଭେମ୍ୱରରେ ହୋଇଥିବା ଏହି ହମଲାର ୧୭ତମ ବର୍ଷ ପୂର୍ତ୍ତି ସନ୍ଧ୍ୟାରେ କହିଛନ୍ତି ,ମୁଁ ସେ ରାତିକୁ କେବେ ବି ଭୁଲି ପାରିବି ନାହିଁ । ଏ ଭିତରେ ୧୬ବର୍ଷ ବିତି ଗଲାଣି , ମୋର ଏବେବି ମନେଅଛି ମୁଁ କଣ କରୁଥିଲି , କୁଆଡ଼େ ଯାଉ ଥିଲି ଏବଂ ହମଲା କେମିତି ହେଲା।
ଦେବିକା ସେହି ରାତିକୁ ମନେପକାଇ କହିଛନ୍ତି , ୨୬ ନଭେମ୍ୱର ୨୦୦୮ର ରାତିରେ ସେ ,ତାଙ୍କର ପିତା ଓ ତାଙ୍କର ଭାଇ ପୁନେରେ ଥିବା ନିଜର ବଡ଼ ଭାଇଙ୍କୁ ଭେଟିବାକୁ ଯାଉଥିଲେ। ସେ କହିଛନ୍ତି , ଆମେ ବାନ୍ଦ୍ରାରୁ ସିଏସଏମଟିରେ ପହଞ୍ଚୁ ଥିଲୁ , ହଠାତ୍ ବୋମା ବିସ୍ଫୋରଣ ହେଲା ଏବଂ ଏହାପରେ ଗୁଳି ବର୍ଷା ଆରମ୍ଭ ହୋଇ ଗଲା। ସବୁ ବୟସର ଲୋକେ ଆହତ ହୋଇ ଗଲେ। ଦେବିକା ସେମାନଙ୍କ ମଧ୍ୟରୁ ଜଣେ ଥିଲେ, ଯାହାଙ୍କୁ କି ସେଣ୍ଟ ଜର୍ଜ ହସ୍ପିଟାଲ ନିଆଯାଇ ଥିଲା। ଲୋକଙ୍କର ଆଘାତ ଓ ଚିତ୍କାର ଦେଖି ଦେବିକା ସ୍ତବ୍ଧ ହୋଇ ଗଲେ। ପରେ ତାଙ୍କୁ ଜେଜେ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଗୋଡ଼ରୁ ଗୁଳି ବାହାର କରିବାକୁ ସର୍ଜରୀ କରାଯାଇ ଥିଲା।
ଦେବିକା କୁହନ୍ତି , ସେ କିଛି ସମୟ ପାଇଁ ଚେତା ହରାଇ ଦେଇଥିଲେ। ସେ ଠିକ୍ ହେବାରେ ଏକ ମାସରୁ ଅଧିକ ସମୟ ଲାଗି ଗଲା ଏବଂ ହସ୍ପିଟାଲରୁ ବାହାରିବା ପରେ ସେ ନିଜର ପୈତୃକ ରାଜ୍ୟ ରାଜସ୍ଥାନ ଫେରି ଗଲେ। କିନ୍ତୁ , ସେହି ରାତିର ଦୁଃଖ ତାଙ୍କ ମନରେ ଆଜି ବି ରହିଛି । ଯେତେବେଳେ ମୁମ୍ୱାଇ ଅପରାଧ ଶାଖା ତାଙ୍କ ପରିବାରକୁ ସଂପର୍କ କରି କୋର୍ଟରେ ସାକ୍ଷ୍ୟ ଦେବାକୁ ପଚାରିଲେ , ତୁରନ୍ତ ତାଙ୍କ ପରିବାର ସହମତି ପ୍ରକାଶ କରି ଥିଲେ।
ଦେବିକା କୁହନ୍ତି , ଆମେ ସାକ୍ଷ୍ୟ ପ୍ରମାଣ ଦେବାକୁ ପ୍ରସ୍ତୁତ ହୋଇ ଗଲୁ। କାରଣ ମୁଁ ଓ ମୋର ବାପା ଦୁହେଁ ସେହି ଆତଙ୍କବାଦୀକୁ ଦେଖି ଥିଲୁ। ମୁଁ ଅଜମଲ କସାବକୁ ଚିହ୍ନି ପାରି ଥିଲି, ଯିଏକି ମୋତେ ଏତେ ଯନ୍ତ୍ରଣା ଦେଇଥିଲା। କସାବ ମୋକଦମାରେ ଦେବିକାଙ୍କର ସାକ୍ଷ୍ୟ ପ୍ରମାଣ ମହତ୍ତ୍ୱପୂର୍ଣ୍ଣ ଥିଲା । କସାବକୁ ହମଲା ନେଇ ଦୋଷୀ ସାବ୍ୟସ୍ତ କରାଯାଇ ଥିଲା। ଦେବିକା ସେହି ରାତିକୁ ମନେପକାଇ କହିଛନ୍ତି , ମୁଁ ତାକୁ ମାରିବାକୁ ଚାହୁଁ ଥିଲି, କିନ୍ତୁ ସେତେବେଳେ ମୁଁ କେବଳ ୯ ବର୍ଷର ଥିଲି। ମୁଁ କୋର୍ଟରେ ତାକୁ ଚିହ୍ନିବା ବ୍ୟତୀତ କିଛି କରି ପାରୁ ନଥିଲି।