ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରରେ ବମ୍ପର ବିଜୟ ପରେ ମହାୟୁତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ। ଏକନାଥ ସିନ୍ଦେଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁନି ବୋଲି ସ୍ପଷ୍ଟ କରିଛି ଶିବସେନା । ସେପଟେ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି ବିଜେପି, ଏବେ ତାହାକୁ ନେଇ ଆରମ୍ଭ ହୋଇଛି କୋଲ୍ଡଓ୍ବାର। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ପରେ ଲାଗୁଛି ମହାୟୁତିରେ ଦେଖା ଦେଇପାରେ ମହାସଙ୍କଟ।
ଶିବସେନା ସଫା ସଫା ମନା କରିଦେଇଛି ଯେ, ସିନ୍ଦେଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦରେ ଆମେ କେବେ ସ୍ବୀକାର କରିବୁନି। ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଯାଉ। ବିଧାନସଭା ନିର୍ବାଚନ ସିନ୍ଦେଙ୍କ ନାଁ ନେଇ ଲଢାଯାଇଛି। ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାର ହକଦାର। ଆମେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ କେବେ ବି ସ୍ବୀକାର କରିବୁନି।
ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ କୁହାଯାଥିଲା ବିଧାନସଭାରେ ଯଦି ମହାୟୁତି ଆସେ ତେବେ ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ହେବେ। ହେଲେ ବିଜେପି ନେତାଙ୍କ କହିବା ଅନୁସାରେ, ପୂର୍ବରୁ ଧାର୍ଯ୍ୟ ହୋଇଥିଲା ଯେ, ନିର୍ବାଚନ ଫଳାଫଳ ପରେ ତିନି ଦଳର ନେତା ଏକାଠି ବସି ନିଷ୍ପତ୍ତି ନେବେ। ହେଲେ ମହାୟୁତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ହୋଇପାରୁନି ଫାଇନାଲ। ଏପରି ସ୍ଥଳେ ମେଣ୍ଟ ମଧ୍ୟ ଫାଟ ହେବାର ଆଶଙ୍କା ବଢିଯାଇଛି। ଜୁନ୍ ୨୦୨୨ ରେ ସିନ୍ଦେଙ୍କ ସହ ବହୁ ବିଧାୟକ ଅବିଭାଜିତ ଶିବସେନାଠାରୁ ଅଲଗା ହୋଇଥିଲେ। ସେତେବେଳେ ସିନ୍ଦେ ବିଜେପି ସହ ମିଶି ସରକାର ଗଠନ କରିଥିଲେ। ଏହାପରେ ସେ ହୋଇଥିଲେ ମୁଖ୍ୟମନ୍ତ୍ରୀ। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ କରାଯାଇଥିଲା ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ।