ନୂଆଦିଲ୍ଲୀ,୨୭/୧୧:ଆମେରିକାରେ ଲାଞ୍ଚ ଦେଇଥିବା ଅଭିଯୋଗକୁ ଖଣ୍ଡନ କଲା ଆଦାନୀ ଗ୍ରୁପ । ଭାରତୀୟ ଶିଳ୍ପପତି ତଥା ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀ ଓ ତାଙ୍କ କମ୍ପାନୀ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ଆଦାନୀ ଗ୍ରୀନ ଏନର୍ଜୀ । ତେବେ ଆମେରିକାରେ ଲାଞ୍ଚ ଅଭିଯୋଗ ସହ ଜଡିତ ସମସ୍ତ ଖବର ଭୁଲ ବୋଲି କହିଛି କମ୍ପାନୀ ।
ତେବେ ଆଦାନୀ ଗ୍ରୀନ୍ ଏନର୍ଜି କହିଛି ଯେ, ଗୌତମ ଆଦାନୀ,ସାଗର ଆଦାନୀ ଏବଂ ବିନୀତ ଜୈନ ଆମେରିକୀୟ ବୈଦେଶିକ ଦୁର୍ନୀତି ଆଚରଣ ଅଧିନିୟମ (ଏଫସିପିଏ)ର ଉଲ୍ଲଂଘନ କରିଛନ୍ତି ବୋଲି କୁହାଯାଉଛି। ହେଲେ ଏହି ଅଭିଯୋଗ ଖବରର କୌଣସି ସତ୍ୟତା ନାହିଁ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଦାନୀ ଗ୍ରୁପ୍ର କାର୍ଯ୍ୟନିର୍ବାହୀ -ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ ବରିଷ୍ଠ ନିର୍ଦ୍ଦେଶକ ବିନୀତ ଜୈନ୍ଙ୍କ ବିରୋଧରେ ଆମେରିକାର ବୈଦେଶିକ ଦୁର୍ନୀତି ଅଭ୍ୟାସ ଅଧିନିୟମ ଅନୁଯାୟୀ ଲାଞ୍ଚ ଏବଂ ଦୁର୍ନୀତି ଅଭିଯୋଗ ଆସିଥିଲା। ଯାହା ସମ୍ପର୍ଣ୍ଣ ମିଥ୍ୟା ଅଟେ। ଏଫସିପିଏରେ ଏହି ୩ଜଣଙ୍କ ବିରୋଧରେ କୌଣସି ଲାଞ୍ଚ ଅଭିଯୋଗ କରାଯାଇ ନାହିଁ ବୋଲି ଆଦାନୀ ଗ୍ରୀନ ଏନର୍ଜି ସ୍ପଷ୍ଟ କରିଛି। କମ୍ପାନୀ ଜୋର ଦେଇ କହିଛି ଯେ କେବଳ ଆଜ୍ୟୁର ପାଓ୍ବାର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜଣେ କାନାଡ଼ୀୟ ନିବେଶକଙ୍କ ଉପରେ ହିଁ ଲାଞ୍ଚ ଅଭିଯୋଗ ରହିଛି। ଏଥିରେ ଆଦାନୀ ଗ୍ରୁପର କୌଣସି ବି ଅଧିକାରୀଙ୍କ ନାମ ନାହିଁ।