ନୂଆଦିଲ୍ଲୀ,୨୭/୧୧:ବିବାହ ଭୋଜିରୁ ଫେରିବା ସମୟରେ ଅଘଟଣ। ଡିଭାଇଡରକୁ ପିଟି ଟ୍ରକ ସହ ଧକ୍କା ହେଲା କାର୍ । ଫଳରେ ଚାଲିଗଲା ୫ଜଣ ଡାକ୍ତରଙ୍କ ଜୀବନ । ତେବେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ କନ୍ନୌଜରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ,ସୈଫଇ ମେଡିକାଲ କଲେଜର ୫ଜଣ ଡାକ୍ତର ମଙ୍ଗଳବାର ଦିନ ଏକ ବିବାହରେ ଯୋଗ ଦେବାକୁ ଲକ୍ଷ୍ନୌ ଯାଇଥିଲେ । ସେଠାରେ ଯୋଗ ଦେଇ ଆଜି ଭୋରୁ ଫେରିବା ସମୟରେ ସକାଳ ପ୍ରାୟ ୩ ଟା ୪୩ ମିନିଟରେ ଏହି ଦୁର୍ଘଟଣା ହୋଇଥିଲା। କାରଟି ନିୟନ୍ତ୍ରଣ ହରାଇ ଡିଭାଇଡରକୁ ପିଟିଥିଲା । ଫଳରେ ଡିଭାଇଡର ଭାଙ୍ଗି ଆଗ୍ରାରୁ ଲକ୍ଷ୍ନୌ ଆଡକୁ ଆସୁଥିୂବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ ।ତେବେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।