କଟକ, ୨୭/୧୧ : କଟକରୁ ଉଦ୍ଧାର ହୋଇଥିବା ବାଂଲାଦେଶୀ ନାବାଳିକାଙ୍କର ମିଳିଲା ବାର୍ଥ୍ ସାର୍ଟିଫିକେଟ୍। ଜନ୍ମ ପ୍ରମାଣପତ୍ରରୁ ନାବାଳିକାଙ୍କୁ ଏବେ ୧୭ ବର୍ଷ ବୋଲି ଜଣାପଡ଼ିଛି। ନାବାଳିକାଙ୍କ ବାପା-ମା ଝିଅର ପରିଚୟ ପତ୍ର ଏବଂ ଜନ୍ମ ପ୍ରମାଣ ପତ୍ର ପୋଲିସକୁ ପଠାଇଛନ୍ତି। ପୋଲିସ ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି। ତେବେ ନାବାଳିକା ଜଣଙ୍କ କିଭଳି ଏବଂ କେଉଁ ପରିସ୍ଥିତିରେ ବାଂଲାଦେଶରୁ ଆସି କଟକରେ ପହଞ୍ଚିଲେ ତାର ଖୋଳତାଡ଼ ଚାଲିଛି। ଏବେ କେବଳ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚାଲିଥିବା ଡିସିପି କହିଛନ୍ତି।
ପୋଲିସକୁ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଦଲାଲ୍ମାନେ କମିଶନ ରଖି ନାବାଳିକାଙ୍କୁ ଦେହ ବ୍ୟବସାୟରେ ନୟୋଜିତ କରୁଥିବା ଜଣାପଡ଼ିଛି। ଏବେ ଯାଏ ଗିରଫ ହୋଇଥିବା ୩ ଜଣ ବ୍ୟକ୍ତି କମିଶନ ନେଇ ଦଲାଲ୍ କାମ କରୁଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କଟକ ଏବଂ ଭୁବନେଶ୍ଵରର ବୋଲି ଜଣାପଡ଼ିଛି। ଏବେବି ଅନେକ ଦଲାଲ୍ ଫେରାର୍ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ ଅପରେସନ ଜାରି ରଖିଛି। ତେବେ ଏହି କାରବାରର ମାଷ୍ଟରମାଇଣ୍ଡ୍ କିଏ ତାହା ଏବେବି ଅସ୍ପଷ୍ଟ ରହିଛି।