ପ୍ରମୂଖ ଖବର
  • ବିଜେଡି ସଭାପତି ପଦ ପାଇଁ ଗୁରୁବାର ନାମାଙ୍କନ ଭରିବେ ନବୀନ, ୧୯ରେ ଘୋଷଣା
  • ||
  • ବଲାଙ୍ଗୀର : ଜଙ୍ଗଲରୁ ୨ କ୍ଷତାକ୍ତ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଗଜପତି : ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ
  • ||
  • ଢେଙ୍କାନାଳ : କଷ୍ଟ ସହି ନପାରି ରେଲ୍‌ ୱେ ଟ୍ରାକ୍‌ରେ ଜୀବନ ହାରିଲେ ପୂଜକ, ଉଦ୍ଧାର ହେଲା ମୃତଦେହ
  • ||
  • ଢେଙ୍କାନାଳ : ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ଏକକାଳୀନ ୯ଟି ସ୍ଥାନରେ ଚଢାଉ
  • ||
  • ବରଗଡ଼ : ହାତୀ ଆକ୍ରମଣରେ ଜଣେ ମହିଳା ମୃତ, ଜଣେ ଗୁରୁତର
  • ||
  • ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ, ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ଭୁବନେଶ୍ୱର : ଟ୍ରାକ୍ଟରକୁ ପିଟିଲା ଟ୍ରାଭେଲର୍, ୨ ଆହତ
  • ||

ବିଦ୍ରୋହୀଙ୍କୁ ଦମନ ପାଇଁ ପାକ୍‌ର ରଣନୀତ, ବେଲୁଚିସ୍ତାନରେ ପଶିବ ଆମେରିକା

Published By : Prameya | April 15, 2025 8:19 AM

ଇସଲାମବାଦ, ୧୫/୦୪ : ବେଲୁଚିସ୍ତାନରେ ବିଦ୍ରୋହୀଙ୍କୁ ଦମନ ପାଇଁ ନୂଆ ରଣନୀତି ଆପଣାଇଛି ପାକିସ୍ତାନ । ଏଠାରେ ଆମେରିକାର ପ୍ରବେଶ କରାଇବା ଲାଗି ନୂଆ ଯୋଜନା ହାତକୁ ନେଇଛି । ପାକ୍‌ ସେନା ମୁଖ୍ୟ ଆସିମ୍‌ ମୁନୀର ଆମେରିକାକୁ ଲିଜ୍‌ରେ ଖଣି ଦେବା ଲାଗି ବିଚାର କରୁଛନ୍ତି । ଏହି ପଦକ୍ଷେପ ଦ୍ୱାରା ପାକ୍‌ ଦୁଇଟି ଦିଗରୁ ଫାଇଦା ହାସଲ ପାଇଁ ଲକ୍ଷ୍ୟ ରଖିଛି । ପ୍ରଥମତଃ ଖଣିଜ ଉତ୍ତୋଳନରୁ ମୋଟା ଆର୍ଥିକ ଫାଇଦା ମିଳିବ ଏବଂ ଦ୍ୱିତୀୟରେ ବେଲୁଚ ବିଦ୍ରୋହୀଙ୍କୁ ସାବାଡ୍‌ କରାଯିବ । ଗତ ଶନିବାର ବିଳମ୍ବିତ ରାତିରେ ବେଲୁଚ ବିଦ୍ରୋହୀମାନେ ପାକିସ୍ତାନର ୮ ଜଣ କାର୍‌ ମେକାନିକ୍‌ଙ୍କୁ ଗୁଳିକରି ହତ୍ୟା କରିଥିଲେ । 

ସୂତ୍ର ମୁତାବକ, ପାକିସ୍ତାନର ଶାହବାଜ ସରକାର ଓ ସେନା ମୁଖ୍ୟ ଭାବୁଛନ୍ତି ଯେ ବେଲୁଚିସ୍ତାନରେ ଆମେରିକା ନିବେଶ କରିବା ଦ୍ୱାରା ବେଲୁଚ ବିଦ୍ରୋହୀଙ୍କ ଆକ୍ରମଣ ହ୍ରାସ ପାଇବ । କାରଣ ଆମେରିକା ନିଜ ଆଡ଼ୁ ସେମାନଙ୍କୁ ଦମନ କରିବାର ସାମର୍ଥ୍ୟ ରଖିଛି । ନିଜ ନିବେଶକୁ ସୁରକ୍ଷିତ ରଖିବା ଲାଗି ଆବଶ୍ୟକ ପଡ଼ିଲେ ଏହା ନିଜ ସେନା ମୁତୟନ ବି କରିପାରିବ । ସେନା ସୂତ୍ରରୁ କୁହାଯାଇଛି ଯେ ବେଲୁଚିସ୍ତାନରେ ଆମେରିକା ନିବେଶ କରିବା ଦ୍ୱାରା କେବଳ ଡଲାର ନୁହେଁ, ଡ୍ରୋନ୍‌ ବି ମିଳିବ । ଆମେରିକା ନିଜର ଶକ୍ତିଶାଳୀ ଡ୍ରୋନ୍‌ ଦ୍ୱାରା ବେଲୁଚ ବିଦ୍ରୋହୀଙ୍କ ଉପରେ ଅହରହ ନଜର ରଖି ସେମାନଙ୍କୁ ମୁହଁତୋଡ଼ ଜବାବ ଦେବ । ଏ ସଂକ୍ରାନ୍ତ ଚୁକ୍ତିକୁ ନେଇ ଆମେରିକାର କେନ୍ଦ୍ରୀୟ ଏସିଆ ବ୍ୟାପାର ବ୍ୟୁରୋର ବରିଷ୍ଠ ଅଧିକାରୀ ଏରିକ୍‌ ମେୟର ନିକଟରେ ପାକ୍‌ ସେନା ଓ ସରକାରୀ ଅଧିକାରୀଙ୍କ ସହ ରାଜଧାନୀ ଇସ୍‌ଲାମାବାଦରେ ବୈଠକ କରିଥିଲେ । ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା । 

ସମାନ ରଣନୀତିରେ ଚୀନ୍‌ର ପ୍ରବେଶ କରାଇଥିଲା ପାକିସ୍ତାନ । କିନ୍ତୁ ଗତ ୫ ବର୍ଷରେ ଚୀନ୍‌ ଉପରେ ଏହାର ନିର୍ଭରଶୀଳତା ଲଗାତର ବଢ଼ିବାକୁ ଲାଗିଛି । ୨୦୧୯ରୁ ୨୦୨୩ ମଧ୍ୟରେ ପାକିସ୍ତାନର ୮୧% ଅସ୍ତ୍ରଶସ୍ତ୍ର ଆମଦାନି ଚୀନ୍‌ରୁ ହୋଇଛି । ଏଥିସହ ଋଣ ପାଇଁ ମଧ୍ୟ ଚୀନ୍‌ ଉପରେ ପାକିସ୍ତାନର ନିର୍ଭରଶୀଳତା ବଢ଼ିଛି । ଦେଶର ମୋଟ ବିଦେଶୀ ଋଣରେ ଚୀନ୍‌ର ଅଂଶ ୭୨%ରୁ ଅଧିକ ରହିଛି । ଚୀନ୍‌ ସହ କ୍ରମବର୍ଦ୍ଧିଷ୍ଣୁ ବନ୍ଧୁତା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବୟାନବାଜି କାରଣରୁ ଆମେରିକା ସହ ପାକିସ୍ତାନର ସମ୍ପର୍କ ଦୁର୍ବଳ ହୋଇଥିଲା । ନୂଆ ଚୁକ୍ତି ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ପୁଣି ମଜଭୁତ ହୋଇପାରିବ । ପାକ୍‌ ସରକାର ବେଲୁଚିସ୍ତାନରୁ ବେଲୁଚ ବିଦ୍ରୋହୀଙ୍କୁ ତଡ଼ିବା ଲାଗି ବାରମ୍ବାର ସାମରିକ କାର୍ଯ୍ୟାନୁଷ୍ଠାନ ନେଉଛି । ପୂର୍ବରୁ ଏଠାରେ ଚୀନ୍‌ର ପ୍ରବେଶ ହୋଇଥିଲା । କିନ୍ତୁ ବିଦ୍ରୋହୀଙ୍କ ମୁହଁ ବନ୍ଦ କରିବାରେ ଏହା ଯଥେଷ୍ଟ ହେଉନାହିଁ । ଏହି ଅଞ୍ଚଳ ପାକିସ୍ତାନର ଦକ୍ଷିଣ-ପଶ୍ଚିମରେ ରହିଛି, ଯାହାର କ୍ଷେତ୍ରଫଳରେ ଇରାନ ଓ ଆଫଗାନିସ୍ତାନର ବି ଜମି ସାମିଲ ଅଛି । ଏହା ୩.୪୭ ଲକ୍ଷ ବର୍ଗକିମିରେ ବ୍ୟାପିଛି । ଦେଶର ୪୪% ଭୂଭାଗ ଏଠାରେ ହିଁ ରହିଥିବା ବେଳେ ଏତେ ବଡ଼ ଅଞ୍ଚଳରେ ପାକିସ୍ତାନର ମୋଟ ଜନସଂଖ୍ୟାର ମାତ୍ର ୩.୬% ବା ୧.୪୯ କୋଟି ଲୋକ ଏଠାରେ ବାସ କରୁଛନ୍ତି । ଏହାର ମାଟି ତଳେ ତମ୍ବା, ସୁନା, କୋଇଲା, ୟୁରାନିୟମ ଏବଂ ଅନ୍ୟ ମୂଲ୍ୟବାନ ଖଣିଜ ପଦାର୍ଥ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.