ଜୟପୁର,୨୭/୦୪: କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅଞ୍ଚଳରେ ରହୁଛନ୍ତି ଜଣେ ପାକିସ୍ତାନୀ ମହିଳା। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ତାଙ୍କୁ ଦେଶ ଛାଡ଼ିବାକୁ ନୋଟିସ୍ ଦେଇଛି ଜିଲ୍ଲା ପୁଲିସ ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ମହିଳାଙ୍କ ପରିଚୟ ଦେବାକୁ ମନା କରାଯାଇଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କୋଟପାଡ଼ ଥାନା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ସହ ଜଣେ ପାକିସ୍ତାନୀ ମହିଳାଙ୍କ ବିବାହ ହୋଇଥିଲା । ବିବାହ ପରେ ମହିଳାଜଣଙ୍କ କୋଟପାଡ଼ ଅଞ୍ଚଳରେ ରହି ଆସୁଛନ୍ତି । ଇତିମଧ୍ୟରେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇସାରିଛି । ଜାମ୍ମୁ କାଶ୍ମୀର ପହଲଗାମରେ ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିବା ପରେ ଏକ୍ସନ ମୁଡରେ କେନ୍ଦ୍ର ସରକାର ରହିଛି । ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଅମିତ ଶାହା । ରାଜ୍ୟରେ ରହୁଥିବା ପାକିସ୍ତାନୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ମୋଟ ୧୨ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲା କୋଟପାଡ ଥାନା ଅଞ୍ଚଳରେ ଜଣେ ପାକିସ୍ତାନୀ ମହିଳାଙ୍କୁ ଚିହ୍ନଟ କରାଯାଇଛି।