ଦେଶରେ ଉଭୟ ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ଏକାଠି ୫ବର୍ଷରେ ଥରେ କରାଇବା ଦିଗରେ ନରେନ୍ଦ୍ର ମୋଦି ସରକାର ଏକ ବଡ଼ ପଦକ୍ଷେପ ଇତିମଧ୍ୟରେ ନେଇଛନ୍ତି । ଏହି ପ୍ରସଙ୍ଗରେ ରାମନାଥ କୋବିନ୍ଦ କମିଟି ଯେଉଁ ରିପୋର୍ଟ ଦେଇଛନ୍ତି ତାହାକୁ ମୋଟାମୋଟି ଗ୍ରହଣ କରିଛନ୍ତି ଏବଂ ସଂସଦରେ ଆବଶ୍ୟକୀୟ ବୈଧାନିକ ସଂଶୋଧନ ଜରିଆରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆପାତତଃ ସ୍ଥିର କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ‘ଅସମ୍ଭବକୁ ସମ୍ଭବ’ କରାଇବା ଲାଗି ସାହସ ଦେଖାଇବାର ଅସାଧାରଣ ସାମର୍ଥ୍ୟ ରହିଛି । ଅର୍ଥାତ୍ ଯେଉଁ ବ୍ୟାପାରଟି ନିହାତି ଜଟିଳ ମନେହେଉଥିବ ତାହାକୁ ସ୍ୱୀକାର କରି ସରଳ କରାଇବାରେ ସେ ଆଗୁଆ । ସମ୍ବିଧାନର ଧାରା-୩୭୦ ଉଚ୍ଛେଦ ହେଉ ଅବା ନାଗରିକତା ସଂଶୋଧନ ଆଇନ ଲାଗୁ, ଏହିପରି ଏକାଧିକ ଦୃଢ଼ ଜଟିଳ ନିଷ୍ପତ୍ତି ନେବାରେ ତାଙ୍କର ଦୃଢ଼ତା ପ୍ରତିପାଦିତ । ଦେଶରେ ଏକକାଳୀନ ନିର୍ବାଚନ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟର ଆଉ ଏକ ଉଦାହରଣ ।
ଗତ ଲୋକସଭା ନିର୍ବାଚନ ପରେ ମୋଦିଙ୍କ ଦଳର ଶକ୍ତି ୨୪୦କୁ ଖସିଆସିଛି । ତାଙ୍କ ସରକାର ଅନ୍ୟ ଦଳଗୁଡ଼ିକ ଉପରେ ନିର୍ଭରଶୀଳ । ରାଜନୈତିକ ବିରୋଧୀମାନେ ଅନୁମାନ କରୁଥିଲେ ମୋଦି ପୂର୍ବାପେକ୍ଷା ସରକାର ଚଳାଇବାବେଳେ ମାପିଚୁପି କାମ କରିବେ । ମାତ୍ର ଏକକାଳୀନ ନିର୍ବାଚନ କରାଇବା ଭଳି ଅତି ଜଟିଳ ପ୍ରସଙ୍ଗକୁ ନେଇ ମୋଦି ସରକାର ଆଗେଇବା ବିରୋଧୀଙ୍କୁ ଚକିତ କରିଛି ।
ଦେଶରେ ସମାନ୍ତରାଳରେ ନିର୍ବାଚନଗୁଡ଼ିକ କରିବା ପକ୍ଷରେ ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ କମିଟି ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା କରିଛନ୍ତି । ବିଭିନ୍ନ ରାଜନୈତିକ ଦଳଠାରୁ ଆରମ୍ଭ କରି ବିଚାରପତି, ପ୍ରଶାସକ, ନିର୍ବାଚନ ପ୍ରକ୍ରିୟା ସହିତ ଜଡ଼ିତ ବ୍ୟକ୍ତିବିଶେଷ ଇତ୍ୟାଦି ଇତ୍ୟାଦି ପ୍ରତ୍ୟେକ ଅଂଶୀଦାରଙ୍କ ସହ ଜଣ ଜଣ କରି ଅବା ଗୋଷ୍ଠୀଗତ ଭାବେ ମତାମତ ନେଇଛନ୍ତି । ତେବେ ମତାମତ ଦେବାବେଳେ ଏକାଧିକ ରାଜନୈତିକ ଦଳ ଏକକାଳୀନ ନିର୍ବାଚନର ସଫଳତାକୁ ନେଇ ସଂଶୟ ପ୍ରକାଶ କରିଥିଲେ । ମାତ୍ର ଅଧିକାଂଶ ଜାତୀୟ ଅନୁଷ୍ଠାନ ଏହାକୁ ନେଇ ସକାରାତ୍ମକ ମତ ଦେଇଛନ୍ତି ।
କୋବିନ୍ଦ କମିଟିଙ୍କ ଉଲ୍ଲେଖ ଅନୁଯାୟୀ ୧୯୮୩ ମସିହାରେ ଭାରତୀୟ ନିର୍ବାଚନ କମିଶନ ତାଙ୍କ ବାର୍ଷିକ ରିପୋର୍ଟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମୂହ ସମାନ ସମୟରେ କରାଯିବା ସପକ୍ଷରେ ଯୁକ୍ତି ରଖିଥିଲେ । ନିର୍ବାଚନ କମିଶନ ଯେଉଁ ସମୟରେ ଏହି ସୁପାରିସ କରିଥିଲେ, ସେତେବେଳେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ ଏବଂ କଂଗ୍ରେସ ପାର୍ଟିକୁ ସଂସଦରେ ବିପୁଳ ସଂଖ୍ୟାଗରିଷ୍ଠତାର ସୌଭାଗ୍ୟ ପ୍ରାପ୍ତ ଥିଲା । ଦେଶର ଲ’ କମିଶନ ମଧ୍ୟ ୧୯୯୯ରେ ତାଙ୍କର ୧୭୦ତମ ରିପୋର୍ଟରେ ସମକାଳୀନ ନିର୍ବାଚନକୁ ଦୃଢ଼ ସମର୍ଥନ ଜଣାଇଥିଲେ । ପୁଣି ୨୦୧୫ରେ ସମାନ ସୁପାରିସ କଲେ । ୨୦୧୮ ଚିଠା ରିପୋର୍ଟରେ ମଧ୍ୟ ନିଜର ସମର୍ଥନ ପ୍ରକାଶ କଲେ । ଲ’ କମିଶନଙ୍କ ମତ ଥିଲା ‘ସଂଗତିବିହୀନ ନିର୍ବାଚନର ଚକ୍ରବ୍ୟୂହ ମଧ୍ୟରୁ ସରକାରୀ କର୍ତ୍ତୃପକ୍ଷ, ରାଜନୈତିକ ଦଳ ସର୍ବୋପରି ଭାରତୀୟ ନାଗରିକଙ୍କୁ ମୁକ୍ତି କରିବା ପାଇଁ’ ନିର୍ବାଚନଗୁଡ଼ିକୁ ଏକାଠି କରିବାର ଆବଶ୍ୟକତା ରହିଛି । .
୧୯୫୨, ୧୯୫୭, ୧୯୬୨ ଏବଂ ୧୯୬୭ରେ ଏକସମୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହୋଇଥିଲା । ଏହା ପରଠାରୁ ଶୃଙ୍ଖଳା ଭାଙ୍ଗିଲା । ଏପରି ହେବା ପଛର ବିଭିନ୍ନ କାରଣ ଥିଲା । ପ୍ରମୁଖ ହେଲା- ରାଜ୍ୟପାଳମାନଙ୍କ ଦ୍ୱାରା ରାଜ୍ୟ ବିଧାନସଭା ଭଙ୍ଗ ଏବଂ ଧାରା-୩୫୬ ଲାଗୁ କରି ରାଷ୍ଟ୍ରପତି ଶାସନ ଲଦିବା । ପ୍ରତି ୫ବର୍ଷରେ ଥରେ ଉଭୟ ଲୋକସଭା ଏବଂ ସମସ୍ତ ବିଧାନସଭା ନିର୍ବାଚନ କରିବାକୁ ଏକ ଆଇନ ହେଉ ବୋଲି ଲ’ କମିଶନ ପ୍ରସ୍ତାବ ରଖିଥିଲେ । ଚିଠା ରିପୋର୍ଟରେ ଲ’ କମିଶନ ଉଲ୍ଲେଖ କରିଥିଲେ- ଏକାବେଳକେ ନିର୍ବାଚନ କରାଇବା ଦ୍ୱାରା ସମ୍ବିଧାନର ମୌଳିକ ଢାଞ୍ଚାରେ ହସ୍ତକ୍ଷେପ ହେବ ବୋଲି ‘କଳ୍ପନା କରାଯାଇନପାରେ’ ।
୨୦୦୨ରେ ବି ନିର୍ବାଚନ ପ୍ରସଙ୍ଗ ଉପରେ ଅନୁଧ୍ୟାନ ହୋଇଥିଲା । ପୂର୍ବତନ ପ୍ରଧାନ ବିଚାରପତି ଏମ. ଏନ. ଭେଙ୍କଟଚେଲେୟାଙ୍କ ଅଧ୍ୟକ୍ଷତାରେ ଗଠିତ ‘ନ୍ୟାସନାଲ କମିଶନ ଟୁ ରିଭ୍ୟୁ ଦି ୱାର୍କିଂ ଅଫ୍ ଦି କନଷ୍ଟିଚ୍ୟୁସନ’ ଅନୁ୍ଧ୍ୟାନ କରି ଦେଶରେ ଏକସମୟରେ ନିର୍ବାଚନ କରାଇବାକୁ ମତ ଦେଇଥିଲେ । ଏହି ୧୧ଜଣିଆ କମିଶନରେ ଅତି ଅନୁଭବୀ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରେ ଥିଲେ- ଜଷ୍ଟିସ ବି.ପି. ଜୀବନ ରେଡ୍ଡୀ, ଜଷ୍ଟିସ ଆର.ଏସ. ସରକାରିଆ, ସୋଲି ସୋରାବଜୀ, କେ. ପ୍ରସନ୍ନା, ଲୋକସଭାର ପୂର୍ବତନ ବାଚସ୍ପତି ପୂର୍ଣ୍ଣୋ ସାଙ୍ଗମା ପ୍ରମୁଖ । କେବଳ ଏତିକି ନୁହେଁ, ପର୍ସୋନେଲ୍, ପବ୍ଲିକ୍ ଗ୍ରିଭେନ୍ସେସ୍, ଲ’ ଆଣ୍ଡ ଜଷ୍ଟିସ ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ୨୦୧୫ରେ ଏହି ପ୍ରସ୍ତାବ ଉପରେ ବିଚାର କରିଥିଲେ । ‘ଭାରତକୁ ଉନ୍ନତ ଆର୍ଥିକ ବିକାଶ ପଥରେ ଆଗେଇ ନେବାକୁ’ ହେଲେ ସମକାଳୀନ ନିର୍ବାଚନ ଆବଶ୍ୟକ ବୋଲି କମିଟି ଦର୍ଶାଇବା ସହିତ ଏହାର ଅନେକ କାରଣ ରଖିଥିଲେ । ଯେପରି ବାରମ୍ବାର ନିର୍ବାଚନ ଫଳରେ ଦେଶର ପ୍ରଚୁର ଅର୍ଥ ବ୍ୟୟ ହେଉଛି । ଏଣୁ ଖର୍ଚ୍ଚକାଟ ପାଇଁ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାଠି ହେବା ଜରୁରି । ବିଚ୍ଛିନ୍ନ ଭାବେ ନିର୍ବାଚନ ହେବାଦ୍ୱାରା ଦେଶରେ ନୀତି ଅଚଳାବସ୍ଥା ଦେଖାଦେଉଛି । ଦେଶର ବିକାଶ ବାଧାପ୍ରାପ୍ତ ହେଉଛି ।
ଯେତେବେଳେ କି ଆମେ ଦେଖୁଛେ, ଦେଶର ବିଶିଷ୍ଟ ବିଚାରପତିଙ୍କ ଠାରୁ ଆରମ୍ଭ କରି ସାଂସଦ, ସଂସଦୀୟ ବିଶେଷଜ୍ଞଗଣ, ପ୍ରଶାସକମାନେ ଏକ ଦେଶଏକ ନିର୍ବାଚନ ଲାଗି ଦୃଢ଼ ମତ ଦେଇଆସିଛନ୍ତି, କଂଗ୍ରେସ କିନ୍ତୁ ବିରୋଧ କରୁଛି । କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ନେତାମାନେ ଆପତ୍ତି ଉଠାଇଛନ୍ତି । ଏକାବେଳକେ ନିର୍ବାଚନ ଅର୍ଥ ଗଣତନ୍ତ୍ର ଏବଂ ସମ୍ବିଧାନ ପ୍ରତି ‘ଧୋକାବାଜି’ ବୋଲି ଖଡ୍ଗେ କହିଛନ୍ତି । ଦେଶର ସଂଘୀୟ ବ୍ୟବସ୍ଥାକୁ ଏକକାଳୀନ ନିର୍ବାଚନ ନଷ୍ଟ କରିଦେବ ବୋଲି କଂଗ୍ରେସର ଆଉ ଏକ ଆଶଙ୍କା । ତେବେ ଆମର ଏଠି ପ୍ରଶ୍ନ- ଯଦି ଦେଶର ସଂଘୀୟ ସିଦ୍ଧାନ୍ତ ଏକକାଳୀନ ନିର୍ବାଚନ ଦ୍ୱାରା ବ୍ୟାହତ ହେବ, ତେବେ ଜବାହାରଲାଲ ନେହରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡ. ବି.ଆର. ଆମ୍ବେଦକର ପ୍ରମୁଖ ଏ ବ୍ୟବସ୍ଥାକୁ ଗ୍ରହଣ କରିଥାନ୍ତେ କି? ‘ଏକ ଦେଶ-ଏକ ନିର୍ବାଚନ’ ପଦ୍ଧତି ଗଣତନ୍ତ୍ର, ସମ୍ବିଧାନ ବିରୋଧରେ ଷଡ଼ଯନ୍ତ୍ର ଏବଂ ଏହା ରାଜ୍ୟଗୁଡ଼ିକର ସ୍ୱାୟତ୍ତତା ଉପରେ ଆକ୍ରମଣ ବୋଲି ମଧ୍ୟ ଅଭିଯୋଗ କରୁଛି କଂଗ୍ରେସ । ଏପରି ନାଟକୀୟ ବୟାନବାଜି କରିବା ପ୍ରବୃତ୍ତିର ଶିକାର ରାହୁଲ ଗାନ୍ଧୀ ଏବଂ ଅନ୍ୟମାନେ ଲୋକଙ୍କୁ ନିହାତି ବୁଝାଇବା ଆବଶ୍ୟକ ଯେ ସମ୍ବିଧାନ ପ୍ରଣୟନ ବେଳେ ଯେବେ ନିର୍ବାଚନ ପ୍ରକ୍ରିୟାର ଢାଞ୍ଚା ପ୍ରସ୍ତୁତ ହେଲା, ବିଶିଷ୍ଟ ନେତାମାନେ ‘ଏକ ଦେଶଏକ ନିର୍ବାଚନ’ ବ୍ୟବସ୍ଥ୍ାକୁ କାହିଁକି ସ୍ଥାନ ଦେଲେ?
ଦେଶ ପ୍ରଥମ ଗଣତନ୍ତ୍ର ଦିବସ ପାଳନ କରିବାର ପୂର୍ବଦିନ ଅର୍ଥାତ ୧୯୫୦ ଜାନୁଆରୀ ୨୫ରେ ଭାରତୀୟ ନିର୍ବାଚନ କମିଶନ ଗଠିତ ହୋଇଥିଲା । ନିର୍ବାଚନ କମିଶନଙ୍କୁ ନିର୍ବାଚନ ପ୍ରକ୍ରିୟାର ଦିଶା ନିର୍ଦ୍ଧାରଣ, ନିୟନ୍ତ୍ରଣ ତଥା ପରିଚାଳନା କରିବା ଇତ୍ୟାଦି ସମସ୍ତ ଦାୟିତ୍ୱ ସମ୍ବିଧାନ (ଅନୁଚ୍ଛେଦ ୩୨୪) ଦେଇଥିଲା । ଏହା ପରେ ପରେ ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ ହେଲେ ଏବଂ ସଂସଦରେ ଜନପ୍ରତିନିଧିତ୍ୱ ନିୟମ-୧୯୫୦ ଅନୁମୋଦନ ଲାଭ କଲା । ଜନପ୍ରତିନିଧିତ୍ୱ ନିୟମ ଦ୍ୱାରା ନିର୍ବାଚନ ପ୍ରକ୍ରିୟାର ଆମୂଳଚୂଳ ପଦ୍ଧତି ସ୍ଥିରୀକୃତ ହୋଇଥିଲା । ନିର୍ବାଚନ କମିଶନ ତୁରନ୍ତ ନିର୍ବାଚକ ବା ଭୋଟର ତାଲିକା ପ୍ରସ୍ତୁତ କରିବାରେ ଲାଗିପଡିଥିଲେ । ୧୯୫୧-୫୨ରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା ।
ଏଥିରେ ଲୋକସଭାକୁ ସଦସ୍ୟ ନିର୍ବାଚିତ ହେବା ସହିତ ପ୍ରାୟ ଦୁଇ ଡଜନ ରାଜ୍ୟ ବିଧାନସଭାକୁ ସଦସ୍ୟ ନିର୍ବାଚିତ ହେଲେ । ପରବର୍ତ୍ତୀ ସମୟରେ ୧୯୬୭ ଯାଏ ଅନୁଷ୍ଠିତ ନିର୍ବାଚନ ହୋଇଥିଲା ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ । ସେସବୁ ନିର୍ବାଚନରେ କଂଗ୍ରେସ ପ୍ରାୟତଃ ସବୁ ଆସନ ପୋଛି ନେବା ସହିତ କମ୍ୟୁନିଷ୍ଟ ପାର୍ଟି, ସମାଜବାଦୀ ପାର୍ଟି ଏବଂ ଜନସଂଘ ତଥା ପ୍ରଜା ସୋସାଲିଷ୍ଟ ପାର୍ଟି ପରି କ୍ଷୁଦ୍ର ରାଜନୈତିକ ଦଳଗୁଡ଼ିକୁ ଏକପ୍ରକାର ମୂଳପୋଛ କରିଦେଇଥିଲା । ଏହି ଛୋଟ ଦଳଗୁଡିକ ସେତେବେଳେ ଦେଶର ଭୋଟ ରାଜନୀତିରେ ନିଜ ପାଦ ରଖିବାକୁ ଚେଷ୍ଟା କରୁଥିଲେ । କହିବାକୁ ଗଲେ, ଦେଶରେ ଏକଦଳୀୟ ଶାସନ ହିଁ ଚାଲିଥିଲା । ନେହରୁ ହୁଅନ୍ତୁ ଅବା ଅନ୍ୟ କୌଣସି କଂଗ୍ରେସ ନେତା ସେତେବେଳେ କାହିଁକି ହୃଦୟଙ୍ଗମ କରିପାରିନଥିଲେ ଯେ ବିରୋଧୀ (ଏକପ୍ରକାର ସମ୍ପୂର୍ଣ୍ଣ) ପକ୍ଷର ଅନୁପସ୍ଥିତି ଦ୍ୱାରା ସମ୍ବିଧାନର ସଂଘୀୟ ନୀତି ବ୍ୟାହତ ହେଉଛି! ଏଣୁ କଂଗ୍ରେସ ଅଧ୍ୟକ୍ଷ ଖଡ୍ଗେ ଅବା ରାହୁଲ ଗାନ୍ଧୀଙ୍କ ତୁଣ୍ଡରୁ ସଂଘୀୟ ଢାଞ୍ଚା ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇବା ଆଶ୍ଚର୍ଯ୍ୟଜନକ ।
୧୯୬୦ର ଶେଷଭାଗ ଆଡ଼କୁ ଭାରତୀୟ ରାଜନୀତିରେ ଅବଶ୍ୟ ‘ଆୟା ରାମ୍, ଗୟା ରାମ୍’ ଜୋର ଧରିଥିଲା । ଯେଉଁ କାରଣରୁ କେତେକ ରାଜ୍ୟ ବିଧାନସଭାରେ ଅସ୍ଥିରତା ଦେଖାଦେଇଥିଲା । କିନ୍ତୁ ଏକକାଳୀନ ନିର୍ବାଚନ କରାଇବାର ଶୃଙ୍ଖଳାରେ ଯେଉଁ ଫାଟ ସୃଷ୍ଟି ହେଲା ସେଥିପାଇଁ କଂଗ୍ରେସକୁ ହିଁ ନିଜକୁ ଦାୟୀ କରିବାକୁ ପଡ଼ିବ । କାରଣ ନିର୍ଦ୍ଧାରିତ ନିର୍ବାଚନ ସମୟର ବର୍ଷକ ପୂର୍ବରୁ ୧୯୭୧ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ସାନି ଲୋକସଭା ନିର୍ବାଚନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଫଳରେ ୫ବର୍ଷରେ ଥରେ ନିର୍ବାଚନର ଯେଉଁ ଧାରା ପଡ଼ିଆସିଥିଲା ତାହା ଲାଇନଚ୍ୟୁତ ହୋଇଯାଇଥିଲା । ସେଥରକ ବିଧାନସଭା ନିର୍ବାଚନ, ଲୋକସଭା ନିର୍ବାଚନର ବର୍ଷକ ପରେ ୧୯୭୨ରେ ହୋଇଥିଲା । ତା’ପରଠାରୁ ଆଉ କେହି ବି ଦେଶରେ ଏକକାଳୀନ ନିର୍ବାଚନ କରାଇବାକୁ ସକ୍ଷମ ହୋଇପାରିନାହାନ୍ତି । କଂଗ୍ରେସ ଦ୍ୱାରା ଅନୁଚ୍ଛେଦ- ୩୫୬ର ଦୁରୁପଯୋଗ କାରଣରୁ ଏହି ସମସ୍ୟା ଆହୁରି ବଢ଼ିଯାଇଥିଲା । ଏଥିପାଇଁ ମଧ୍ୟ ‘ଏକ ଦେଶ-ଏକ ନିର୍ବାଚନ’ ଉପରେ ଖଡ୍ଗେଜୀ ଏବଂ ରାହୁଲ ଗାନ୍ଧୀଙ୍କ ଆପତ୍ତି ହାସ୍ୟାସ୍ପଦ ମନେହୁଏ ।
କୋବିନ୍ଦ କମିଟି ରିପୋର୍ଟରେ ଦର୍ଶାଇଛନ୍ତି ଯେ ‘ଏକ ଦେଶ-ଏକ ନିର୍ବାଚନ’ ନିୟମ ଗ୍ରହଣ କରିବା ଦ୍ୱାରା ୫ବର୍ଷ ଧରି ବିନା ଝିଞ୍ଜଟରେ ଶାସନ ପ୍ରକ୍ରିୟା ଜାରି ରହିପାରିବ । ଏହା ମଧ୍ୟ ନିର୍ବାଚନ ପ୍ରକ୍ରିୟାଜନିତ କ୍ଳାନ୍ତି ଦୂର କରିବାକୁ ସକ୍ଷମ ହେବ । ନିର୍ବାଚନୀ ଖର୍ଚ୍ଚ ମଧ୍ୟ କମିଯିବ। ସର୍ବୋପରି ଦେଶରେ ପ୍ରତି ୫ବର୍ଷରେ ଥରେ ନିର୍ବାଚନ ପ୍ରକ୍ରିୟା ଧାରାଗତ ହୋଇଯିବ ।
ମୋଦି ସରକାର ଆଦୌ କୁଣ୍ଠାବୋଧ ନକରି ଏହି ସୁବିଚାରକୁ କାର୍ଯ୍ୟକାରୀ କରିବାକୁ ତତ୍ପର ହେବା ନିତାନ୍ତ ଆବଶ୍ୟକ । ଏକ ଦେଶ- ଏକ ନିର୍ବାଚନ ପ୍ରକ୍ରିୟାକୁ ଚାଲେଞ୍ଚ କରିବାର ଆଇନଗତ କ୍ଷମତା କଂଗ୍ରେସର ଥିବାର ଦେଖାଯାଉନାହିଁ । ବରଂ କଂଗ୍ରେସ ଅଭିଯୋଗଗୁଡ଼ିକୁ ମୋଦି ସରକାର ଅବମାନନା ଭାବେ ଗ୍ରହଣ କରିପାରିବେ । କଂଗ୍ରେସ ଏଥିପାଇଁ ହକ୍ଦାର ମଧ୍ୟ ।