ନୂଆଦିଲ୍ଲୀ, ୨୩/୧୨ : ଦେଶ ସ୍ଵାଧୀନ ହେବାର ବିତିଯାଇଛି ୭୫ ବର୍ଷ। ଏହି ମଧ୍ୟରେ ହୋଇସାରିଛି ୪୦୦ରୁ ଅଧିକ ଲୋକସଭା ଓ ବିଧାନସଭା ନିର୍ବାଚନ। ଏଥିରେ ବିପୁଳ ଅର୍ଥ ଖର୍ଚ୍ଚ ହେବା ସହ ଅପଚୟ ହୋଇଛି ସମୟ। ତେଣୁ ପୃଥକ ନିର୍ବାଚନ ବଦଳରେ ଏକକ ନିର୍ବାଚନ କରାଇବାକୁ ବିଲ୍ ଆଣିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ସମ୍ଵିଧାନରେ ସଂଶୋଧନ ଦରକାର। ସଂସଦରେ ବି ସରକାରଙ୍କ ସପକ୍ଷରେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ନାହିଁ। ତେଣୁ କଷ୍ଟକର ହୋଇପଡ଼ିବ ବିଲ୍ ପାସ୍। ଯଦିଓ ଏହି ବିଲ୍ ଗୃହୀତ ହୋଇନାହିଁ, ତଥାପି ୨୦୩୪ ପୂର୍ବରୁ ଦେଶରେ ସମ୍ଭବ ନୁହେଁ ଏକକ ନିର୍ବାଚନ। ତା ପଛରେ ରହିଛି ଅନେକ କାରଣ ।
ସଂସଦରେ ବିଲ୍ ପାସ୍ ହେଲେ ଲାଗୁ ହେବ ଏକ ଦେଶ ଏକ ନିର୍ବାଚନ ନୀତି। ହେଲେ ଏନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ରାଜନେତା, ବିଶେଷଜ୍ଞ ଓ ବୁଦ୍ଧିଜୀବୀ। ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ, ଏକକ ନିର୍ବାଚନ ନୀତି ଲାଗୁ କରାଗଲେ କେବଳ ଇଭିଏମ୍ କିଣିବା ଲାଗି ଖର୍ଚ୍ଚ ହେବ ୧ କୋଟି ୫ ଲକ୍ଷ। ଏହି ପାରିମାଣ ଖୁବ୍ ଅଧିକା। କାରଣ ଚଳିତ ବର୍ଷ ଲୋକସଭା ନିର୍ବାଚନରେ ଖର୍ଚ୍ଚ ହୋଇଥିଲା ୧ ଲକ୍ଷ କୋଟି ଟଙ୍କା। ଯଦି ଏକକ ନିର୍ବାଚନ ହୁଏ ତେବେ କେବଳ ଇଭିଏମ୍ କିଣାରେ ଖର୍ଚ୍ଚ ହେବ ତାଠାରୁ ଅଧିକ ଅର୍ଥ। କେବଳ ସେତିକି ନୁହେଁ ଚଳିତ ନିର୍ବାଚନରେ ନିୟୋଜିତ ହୋଇଥିଲେ ୩ ଲକ୍ଷ ୪୦ ହଜାର କର୍ମଚାରୀ ଓ ଅଧିକାରୀ। କିନ୍ତୁ ଏକକ ନିର୍ବାଚନ ହେଲେ ଦୁଇଗୁଣ କରିବାକୁ ପଡିବ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ସଂଖ୍ୟା। ଅର୍ଥାତ୍ ଲୋଡା ପଡିବେ ପ୍ରାୟ ୭ଲକ୍ଷ କର୍ମଚାରୀ। ସେହିପରି ଏଥର ଲୋକସଭା ନିର୍ବାଚନ ବେଳେ ୨୦୧୯-୨୪ ମଧ୍ୟରେ ୫ ବର୍ଷରେ ୬୭୬ ଦିନ ଲାଗୁ ହୋଇଥିଲା ଆଦର୍ଶ ଆଚରଣ ବିଧି। ଯାହାଫଳରେ ପ୍ରଭାବିତ ହୋଇଥିଲା ବିକାଶ କାର୍ଯ୍ୟ।
ରାମନାଥ କୋବିନ୍ଦଙ୍କ କମିଟିର ରିପୋର୍ଟରେ କରାଯାଇଛି ଏଭଳି ଆକଳନ। ତେବେ କମିଟି ଏକ ସମୟରେ ନିର୍ବାଚନ କରିବା ସପକ୍ଷରେ କେତେକ ଯୁକ୍ତି ଦର୍ଶାଇଛନ୍ତି । ସେଥିରେ କୁହାଯାଇଛି କି ଭିନ୍ନଭିନ୍ନ ସମୟରେ ଭିନ୍ନ ରାଜ୍ୟରେ ନିର୍ବାଚନ ହେବା ଫଳରେ ରାଜନେତା, ରାଜନୈତିକ ଦଳ ଓ ସରକାରଙ୍କୁ ନିର୍ବାଚନ ଉପରେ ଧ୍ୟାନଦେବାକୁ ପଡୁଛି । ତେଣୁ ଏକସମୟରେ ନିର୍ବାଚନ ହେଲେ ସରକାରଙ୍କ ଧ୍ୟାନ ବିକାଶ ଓ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ଉପରେ ରହିବ । ନିର୍ବାଚନ ସମୟରେ ପୁଲିସ ଠାରୁ ଆରମ୍ଭ କରି ଅନ୍ୟ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କୁ ବହୁସଂଖ୍ୟାରେ ନିୟୋଜିତ କରିବାକୁ ପଡୁଛି । ଏକସମୟରେ ନିର୍ବାଚନ କରାଯିବା ଫଳରେ ବାରମ୍ବାର ନିୟୋଜିତ କରିବାର ଚିନ୍ତା ହଟିବ । ଫଳରେ ସରକାରୀ ଅଧିକାରୀମାନେ ନିଜର ମୂଳ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ଧ୍ୟାନ ଦେବେ । ବାରମ୍ବାର ନିର୍ବାଚନ ଯୋଗୁ ଆଚରଣ ବିଧି ଲାଗୁ ହେବା ଫଳରେ ବିକାଶ କାର୍ଯ୍ୟ ଅଟକି ରହୁଛି । କିନ୍ତୁ ଏକସମୟରେ ନିର୍ବାଚନ ଫଳରେ ବାରମ୍ବାର ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ପଡିବ ନାହିଁ । ସେହିଭଳି ଏକସମୟରେ ନିର୍ବାଚନ କରାଯିବା ଫଳରେ ଆର୍ଥିକ ବୋଝ ମଧ୍ୟ ହ୍ରାସ ପାଇବ । କାରଣ ବାରମ୍ବାର ନିର୍ବାଚନ ଯୋଗୁ ଲୋକବଳ, ଉପକରଣ ଓ ସୁରକ୍ଷା ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି । ରାଜନୈତିକମାନେ ଦଳ ମଧ୍ୟ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି ।