ଭଣ୍ଡାରିପୋଖରୀ,୨୭/୦୩: ରାଜ୍ୟରେ ଶାସନ ପରିବର୍ତ୍ତନ ସହ ତାଳ ଦେଇ ଊଣା ଅଧିକେ ସମସ୍ତ ବ୍ଲକସ୍ତରୀୟ ଅଧିକାରୀଙ୍କ ବଦଳି ହୋଇ ସାରିଥିଲେ ବି ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ ଅଧିକାରୀମାନେ ସୁରକ୍ଷିତ ଅଛନ୍ତି । ବ୍ଲକ, ଥାନା, ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ ଆଦି ବିଭାଗର ଅଧିକାରୀମାନେ ବଦଳିକୁ ଏଡାଇବାରେ ସକ୍ଷମ ହୋଇଛନ୍ତି । ତହସିଲଦାର ନିଜଆଡୁ ଦରଖାସ୍ତ ଦେଇ ବଦଳି ହୋଇଛନ୍ତି । ହେଲେ ତହସିଲର ଜନୈକ ଅଧିସ୍ତନ କର୍ମଚାରୀ ଅଖଣ୍ଡ କ୍ଷମତା ଉପଭୋଗ କରି ଜନସାଧାରଣଙ୍କୁ ଶୋଷଣ କରୁଥିବା ଜାଣି ସୁଦ୍ଧା ତାଙ୍କର ବଦଳି ହେଉନାହିଁ । ସେହିପରି ଗୋଷ୍ଠୀଶିକ୍ଷା ଅଧିକାରୀଙ୍କ ବଦଳି ଗତ ଏକମାସ ପୂର୍ବରୁ ହୋଇସାରିଥିଲେ ବି ଭଣ୍ଡାରିପୋଖରୀ ଛାଡୁ ନାହାନ୍ତି ।
ଜନସାଧାରଣଙ୍କ ପ୍ରତ୍ୟକ୍ଷ ଭାବେ ଜଡିତ ରହୁଥିବା ବ୍ଲକରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ ବିଡିଓଙ୍କ ବଦଳି ପାଇଁ ବିଜେପି ଅତୀତରେ ଆନ୍ଦୋଳନ କରୁଥିଲା ଏବେ ସେହି ବିଡିଓ ସୁରକ୍ଷିତ ରହି ବିଜେପି ନେତାମାନଙ୍କ ଗେହ୍ଲାପୁଅ ପାଲଟିଛନ୍ତି । ବ୍ଲକର ବହୁ ଯନ୍ତ୍ରୀ ଓ ଡେପୁଟେସନରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଦୀର୍ଘ ବର୍ଷ ଧରି ସୁରକ୍ଷିତ ଭାବେ ରହିଛନ୍ତି । ବ୍ଲକର ଆଉଟସୋର୍ସିଂ କର୍ମଚାରୀଙ୍କ ଯାତନା ଜନସାଧାରଣଙ୍କ ପାଇଁ ଦୁର୍ବିସହ ହୋଇପଡ଼ିଛି । ଥାନାର ଅଧିକାଂଶ କର୍ମଚାରୀ ୪ ବର୍ଷ ପୂରଣ କରି ସାରିଥିଲେବି ବଦଳିକୁ ରୋକିବାରେ ସକ୍ଷମ ହୋଇଛନ୍ତି । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନୁରୂପ କାରଣ ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡିଛି । ଦୀର୍ଘ ୧୪ ବର୍ଷ ଧରି ଏଠାରେ କାର୍ଯ୍ୟ କରିଆସୁଥିବା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ବଦଳି ପାଇଁ ଜିଲ୍ଲାପାଳ ସିଡିଏମଓଙ୍କୁ ଆଦେଶ ଦେଇଥିଲେ ବି ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ । ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଏବେ ୩ଟି ଗୋଷ୍ଠୀରେ ବିଭକ୍ତ ହୋଇ ପରସ୍ପରକୁ ଅକଳରେ ପକାଇବାକୁ ଉଦ୍ୟମ କରୁଥିବାରୁ ରୋଗୀସେବା ବାଧାପ୍ରାପ୍ତ ହୋଇଛି ।
ସେହିପରି ବ୍ଲକର ୪ଟି ମୁଖ୍ୟ ରାସ୍ତା ନିର୍ମାଣ ଦାଇତ୍ୱରେ ଥିବା ପୂର୍ତ୍ତ ବିଭାଗର ବାରିକପୁର କାର୍ଯ୍ୟାଳୟକୁ କୌଣସି ଯନ୍ତ୍ରୀ ଆସୁନଥିବା ଯୋଗୁଁ ଜନ ଅଭିଯୋଗ ବିଭାଗ ନିକଟରେ ପହଞ୍ଚି ପାରୁନାହିଁ । ରାଜ୍ୟରେ ଶାସନ ପରିବର୍ତ୍ତନ ସହ ଅଧିକାରୀଙ୍କ ବଦଳିର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ମାତ୍ର ବିଜେପିର ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ପତିଆରା ପ୍ରତିଯୋଗିତାର ଫାଇଦା ଉଠାଇ ସଂପୃକ୍ତ ଅଧିକାରୀମାନେ ପୂର୍ବଭଳି ନିଜ ନିଜ ସ୍ଥାନରେ ସୁରକ୍ଷିତ ରହିଥିବାରୁ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି । ସରକାରୀ ନିୟମ ପାଳନ ଓ ଯୋଜନା ରୂପାୟନରେ ବାଧକ ସାଜିଥିବା ସଂପୃକ୍ତ ଅଧିକାରୀଙ୍କୁ ବଦଳି କରିବା ଦାଇତ୍ୱ ସାଧାରଣତଃ ଶାସକ ଦଳର ରହିବା କଥା । ମାତ୍ର ଶାସକ ଦଳରେ କୌଣସି ଅଧିକାରୀଙ୍କୁ ବଦଳି କରିବାକୁ ସୁପାରିଶ କରିବା ମାତ୍ରେ ଅନ୍ୟ କିଛି ନେତା ସେହି ଅଧିକାରୀଙ୍କ ବଦଳି ନକରିବାକୁ ଲବି କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ପ୍ରତିବନ୍ଧକ ସାଜିଥିବା ଯୋଗାଡିଆ ଅଧିକାରୀମାନେ ନିଶ୍ଚିନ୍ତରେ ପଦବିକୁ ସୁରକ୍ଷିତ କରିପାରୁଛନ୍ତି । ଫଳରେ ପୂର୍ବ ସରକାର ଅମଳରେ ଅଧିକାରୀମାନେ କରିଥିବା ଦୋଷତୃଟିର କଳଙ୍କ ଅଯଥାରେ ବିଜେପି ମୁଣ୍ଡାଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।