ପ୍ରମୂଖ ଖବର
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଡ୍ରଗ୍ସ କବଳରେ ଓଡ଼ିଶା, ପଥଭ୍ରଷ୍ଟ ହେଉଛନ୍ତି ଯୁବପିଢ଼ି

ଭୁବନେଶ୍ୱର, ୨୬/୦୬ : ଡ୍ରଗ୍ସ କବଳରେ ଓଡ଼ିଶା । ଜିଲ୍ଲାରୁ ଜିଲ୍ଲାକୁ କ୍ୟାନ୍ସର ଭଳି ମାଡି଼ ଚାଲିଛି ଏହି ମାରାତ୍ମକ ଡ୍ରଗ୍ସ କାରବାର। ପଞ୍ଜାବ ଭଳି ଏଠାକାର ଯୁବପିଢ଼ି ବ୍ରାଉନ୍‌ସୁଗର୍‌, ଅଫିମ, କଫ୍‌ ସିରପ୍‌ ଭଳି ମାରାତ୍ମକ ନିଶା ଖାଇ ମତୁଆଲା ହେଉଛନ୍ତି । ନାନା ଅପରାଧ ଭିଆଉଛନ୍ତି । ଖୋଦ୍‌ ରାଜ୍ୟ ସରକାରଙ୍କ ତଥ୍ୟ ଦର୍ଶାଉଛି, ଗଲା ୧୦ ବର୍ଷରେ ଓଡି଼ଶାରୁ ପ୍ରାୟ ୯୧ କେଜି ବ୍ରାଉନସୁଗର୍‌ ଜବତ ହୋଇଛି । କେବଳ ଗଲା ୩ ବର୍ଷରେ ପାଖାପାଖି ୭୩ କେଜି ଧଳାଜହର ମିଳିଛି । ଏଥିରୁ ଅନୁମେୟ କିଭଳି ବେଆଇନ ଡ୍ରଗ୍ସ ଓଡ଼ିଶାକୁ ଗିଳି ଚାଲିଛି । 

ଆଜି ସାରା ବିଶ୍ୱ ଆନ୍ତର୍ଜାତିକ ଡ୍ରଗ୍ସର ଅପବ୍ୟବହାର ଏବଂ ବେଆଇନ କାରବାର ନିରୋଧ ଦିବସ ପାଳନ କରୁଥିବାବେଳେ ଡ୍ରଗ୍ସ କାରବାର ରୋକିବାରେ ଓଡି଼ଶା ସରକାର କିନ୍ତୁ ଫେଲ୍‌ ମାରିଛନ୍ତି । କାରଣ ଗଲା କିଛି ବର୍ଷରେ ଓଡି଼ଶାର ପ୍ରତିଟି ଜିଲ୍ଲାରେ ଡ୍ରଗ୍ସ କାରବାର ଠାବ କରିଛି ପୁଲିସ । ଯୁବପିଢ଼ି ମାରାତ୍ମକ ନିଶା ଖାଇ ବିପଥଗାମୀ ହେଲେଣି । ଏମିତିକି ବେଆଇନ୍‌ ବେପାରରେ ବି ମାତୁଛନ୍ତି । ଗଲା କେଇ ବର୍ଷରେ ଅନେକ କଲେଜ ପଢ଼ୁଆଙ୍କୁ ପୁଲିସ ଗିରଫ କରିଛି । ୨୦୧୩ ମସିହାରୁ ୨୦୨୦ ଯାଏଁ କାଁ ଭାଁ ବ୍ରାଉନସୁଗର୍‌ ଜବତ ହେଉଥିଲା । ୨୦୨୦ ମସିହା ପରଠୁ ଅଚାନକ ଏହି ଗ୍ରାଫ୍‌ ଉପରମୁହାଁ ହୋଇଛି । ଗତ ଫେବ୍ରୁଆରୀରେ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁସାରେ, ୨୦୧୩ରୁ ୨୦୨୩ ମସିହା ମଧ୍ୟରେ ରାଜ୍ୟରେ ମୋଟ ୯୧.୦୯୦ କେଜିର ବ୍ରାଉନସୁଗର୍‌ ଜବତ ହୋଇଛି । ୨୦୧୪ ମସିହାରେ ୭୭୫ ଗ୍ରାମ, ୨୦୧୫ରେ ୮୯୮ ଓ ୨୦୧୬ରେ ୭୮୮ ଗ୍ରାମ ବ୍ରାଉନ୍‌ସୁଗର ଜବତ ହୋଇଥିଲା । କିନ୍ତୁ ୨୦୨୧ରେ ୧୧ କେଜି ୬୬୩ ଗ୍ରାମ, ୨୦୨୨ରେ ୩୨ କେଜି ଓ ୨୦୨୩ରେ ୨୮ କେଜି ବ୍ରାଉନ୍‌ସୁଗର୍‌ ମାଲଖାନାରେ ପଶିଥିଲା । 

ପଶ୍ଚିମବଙ୍ଗ ମୁର୍ସିଦାବାଦର ଲାଲ୍‌ଗୋଲାରୁ ପୁଳାପୁଳା ମାତ୍ରାରେ ବ୍ରାଉନ୍‌ସୁଗର୍‌ ବାଲେଶ୍ୱରର ଜଳେଶ୍ୱରକୁ ଆସୁଛି । ସେଠାରୁ ଓଡି଼ଶାର ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଛି । ହେଲେ ଏହି ସାମ୍ରାଜ୍ୟର ଚେର ଉପାଡି଼ବାରେ ପୁଲିସ ଓ ଅବକାରୀ ଟିମ୍‌ ଫେଲ୍‌ ମାରିଛି । କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ମଧ୍ୟ ସାମ୍ରାଜ୍ୟକୁ ରୋକିବାରେ ଆଣ୍ଠେଇଛି । ସେହିପରି ଗଲା କେଇ ବର୍ଷ ଭିତରେ ପଶ୍ଚିମ ଓଡି଼ଶାର ବିଭିନ୍ନ ସହରରେ କଫ୍‌ ସିରପ୍‌ କାରବାର ଧସେଇ ପଶିଛି । ୨୦୧୩ରୁ ୨୦୧୯ ଯାଏଁ ଗୋଟିଏ ବି କପ୍‌ସରପ ବୋତଲ ପୁଲିସ ହାତରେ ଲାଗିନଥିଲା । କିନ୍ତୁ ଗତ ୪ ବର୍ଷରେ ରାଜ୍ୟରୁ ୪୮୪୨ ଲିଟର କଫ୍‌ ସିରଫ ଜବତ ହୋଇଛି । ଏହାବାଦ୍‌ ବିଭିନ୍ନ ସହରରେ ଗତ ୧୦ ବର୍ଷରେ ପାଖାପାଖି ୨୭୫ କେଜି ଅଫିମ ଜବତ ହୋଇଛି । ଏହାସହ ପପି ଷ୍ଟ୍ର’ ୩୩୪୧ କେଜି ଜବତ କରାଯାଇଛି । 

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ୨୦୧୫ରୁ ୨୦୨୩ ମଧ୍ୟରେ ୧୧ ହଜାର ୪୪୫ ଜଣ ନିଶାଗ୍ରସ୍ତଙ୍କୁ ଚିହ୍ନଟ କରାଯାଇଛି । ଗଞ୍ଜାମରେ ସର୍ବାଧିକ ୧୯୯୩ ନିଶାଡି଼ଙ୍କୁ ଚିହ୍ନଟ କରାଯାଇଥିବା ବେଳେ କଟକରେ ୧୯୧୬, କେନ୍ଦୁଝରରେ ୧୬୭୨ ଓ ବଲାଙ୍ଗିରରେ ୧୪୫୯ ଜଣଙ୍କୁ ନିଶା କବଳରୁ ମୁକ୍ତ କରାଯାଇଛି । ଏକ ଅନ୍ତର୍ଜାତିକ ସଂସ୍ଥାର ତଥ୍ୟ ଅନୁସାରେ, ଭୁବନେଶ୍ୱରରେ ୩୭ ପ୍ରତିଶତ ଲୋକ ନିଶାଦ୍ରବ୍ୟ ଖାଉଛନ୍ତି ଯାହାକି ଉଦ୍‌ବେଗର ବିଷୟ । କମିଶନରେଟ୍‌ ପୁଲିସର ‘ଅପରେସନ ହ୍ୱାଇଟ୍‌ ସ୍ପାଇଡର୍‌’ ପ୍ରାରମ୍ଭରୁ ଧଳାଜହର କାରବାର ରୋକିବାରେ ବେଶ୍‌ ସହାୟକ ହୋଇଥିଲା । କିନ୍ତୁ ଧୀରେ ଧୀରେ ଏହି ଅପରେସନ ଧୀମେଇ ଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.