କଟକ,୧୦/୦୪: ସର୍ବସାଧାରଣଙ୍କ ଜମି ଏକ ବୃହତ୍ତର ଗୋଷ୍ଠୀଙ୍କ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥାଏ । ଏଭଳି ଜମିକୁ କେବେହେଲେ ବ୍ୟକ୍ତିଗତ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇ ପାରିବ ନାହିଁ । ତେଣୁ ସର୍ବସାଧାରଣଙ୍କ ପାଇଁ ସଂରକ୍ଷିତ ଥିବା ଗୋଚର, ରକ୍ଷିତ ଜମି କୌଣସି ବ୍ୟକ୍ତିଙ୍କ ନାମରେ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି । ଯାଜପୁର ଜିଲ୍ଲାର ସନାତନ ନାୟକଙ୍କ ପକ୍ଷରୁ ଆଗତ ମାମଲାକୁ ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଏହି ରାୟ ଦେଇଛନ୍ତି ।
ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଅବଶ୍ୟ କିଛି କିଛି ବିଶେଷ ଘଟଣାରେ ଏଥିପାଇଁ ଅନୁମତି ଦିଆଯାଇପାରେ । ଯେଉଁମାନେ ପ୍ରକୃତରେ ଭୂମିହୀନ ବା ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଲୋକ ସେମାନଙ୍କୁ ଆବଶ୍ୟକସ୍ଥଳରେ ଏହି ଜମିକୁ ଲିଜ୍ ସୂତ୍ରରେ ଦିଆଯାଇପାରେ । ସେହିପରି ସମୂହ କାମରେ ଲାଗୁଥିବା ବିଦ୍ୟାଳୟ ଅବା ମେଡିକାଲ ନିର୍ମାଣ କ୍ଷେତ୍ରରେ ସର୍ବସାଧାରଣଙ୍କ ଜମି ବ୍ୟବହାର କରାଯାଇପାରିବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।
ମାମଲାରୁ ଜଣାଯାଇଛି , ଯାଜପୁର ଜିଲ୍ଲା ଦଶରଥପୁର ତହସିଲ୍ ଅନ୍ତର୍ଗତ କେଲେଙ୍ଗା ଗ୍ରାମରେ ଥିବା ଏକ ରକ୍ଷିତ ଅନାବାଦି ଜମିରେ ଆବେଦନକାରୀ ଏକ ଆଜବେଷ୍ଟସ୍ ଘର ନିର୍ମାଣ କରିଥିଲେ । ଏହି ଜାଗାକୁ ଗତ ୩୦ବର୍ଷ ଧରି ଆବେଦନକାରୀ ନିଜ କବ୍ଜାରେ ରଖି ଆସୁଥିଲେ । ୨୦୧୮ ମସିହାରେ ସ୍ଥାନୀୟ ଆରଆଇ ଏନେଇ ଆବେଦନକାରୀଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ପରେ ଜବରଦଖଲ ଉଚ୍ଛେଦ ପାଇଁ ତହସିଲ୍ଦାରଙ୍କ ପକ୍ଷରୁ ନୋଟିସ୍ କରାଯାଇଥିଲା । ଏହି ନୋଟିସ୍କୁ ଚାଲେଞ୍ଜ କରି ଆବେଦକାରୀ ପ୍ରଥମେ ଯାଜପୁର ଉପଜିଲ୍ଲାପାଳ ଏବଂ ପରେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ । କିନ୍ତୁ ସେଠାରେ ଏହି ଆବେଦନ ଖାରଜ ହୋଇଯାଇଥିଲା । ଏଥିସହ ତାଙ୍କୁ ୩୦ଦିନ ମଧ୍ୟରେ ଉକ୍ତ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଆଦେଶ ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ହାଇକୋର୍ଟ ମାମଲାର ରାୟ ପ୍ରକାଶ କରି କହିଛନ୍ତି ଯେ, ଆବେଦନକାରୀ ବେଆଇନ ଭାବେ ସରକାରୀ ଜମିକୁ ନିଜ ଦଖଲରେ ରଖିଛନ୍ତି । ଆର୍ଆଇ ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରେ ଏହି ଜମିଟି ରକ୍ଷିତ ବୋଲି ଉଲ୍ଲେଖ ହୋଇଛି । ଯେଉଁ ଜମିକୁ କାହାରି ବ୍ୟକ୍ତଗତ ନାମରେ କରାଯାଇ ପାରିବ ନାହିଁ । ଆହୁରି ମଧ୍ୟ ଆବେଦନକାରୀଙ୍କର ନିଜସ୍ୱ ଜମି ମଧ୍ୟ ରହିଛି । ତେଣୁ ଆବେଦନକାରୀଙ୍କ ପିଟିସନ୍ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ ଦେବା ସହ ପୂର୍ବରୁ ଜାରି କରିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି ।