ବରଗଡ଼,୨୯/୧୨: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଉପଭୋଗ କରିବେ ରାଜ୍ୟବାସୀ । ଏଲ୍ଇଡି ସ୍କ୍ରିନ୍ରେ ମୁକ୍ତାକାଶ ରଙ୍ଗମଞ୍ଚର ପ୍ରତିଟି ଝଲକ୍ର ସିଧା ପ୍ରସାରଣ ହେବ । ଏଥିଲାଗି ଜିଲ୍ଲା ମୁଖ୍ୟାଳୟ ସମେତ ପ୍ରମୁଖ ସ୍ଥାନରେ ଏଲ୍ଇଡି ସ୍କ୍ରିନ୍ ଲାଗିବ । ମହୋତ୍ସବ ପାଇଁ ସମର୍ପିତ ସ୍ୱତନ୍ତ୍ର ୱେବ୍ସାଇଟ୍ ବ୍ୟବସ୍ଥା ହେବ । ଧନୁଯାତ୍ରାକୁ ବିଶ୍ୱ ଐତିହ୍ୟରେ ସାମିଲ୍ କରିବା ଲାଗି ମଧ୍ୟ ଉଦ୍ୟମ ଚାଲିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନୁଯାତ୍ରାକୁ ଆକର୍ଷଣୀୟ କରିବା ଲାଗି ଏକାଧିକ ଘୋଷଣା କରିଛନ୍ତି । ଧନୁଯାତ୍ରାକୁ ମିଳୁଥିବା ଅନୁଦାନ ରାଶିକୁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଯାତ୍ରାରେ ଅଂଶଗ୍ରହଣ କରୁଥିବା ୧୭୦ ପ୍ରମୁଖ କଳାକାରଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୧୦ ହଜାର ଟଙ୍କା ଲେଖାଏ ସମ୍ମାନ ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ଶନିବାର ରାଜ୍ୟ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଭିଡିଓ କନ୍ଫରେନ୍ସରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସଭାପତିତ୍ୱ କରି ପ୍ରସ୍ତୁତି ଓ ଅଗ୍ରଗତି ସମୀକ୍ଷା କରିଛନ୍ତି । ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡ଼ତିୟା, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ, ଧନୁଯାତ୍ରା ସମ୍ପାଦକ ସୁରେଶ୍ୱର ଶତପଥୀ ପ୍ରମୁଖ ଏଥିରେ ଯୋଡ଼ି ହୋଇଥିଲେ । ଧନୁଯାତ୍ରାକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଏଲ୍ଇଡି ସ୍କ୍ରିନ୍ ଲଗାଯାଇ ଲାଇଭ୍ ଟେଲିକାଷ୍ଟ କରାଯିବ । ବିଦେଶୀ ପର୍ଯ୍ୟଟକଙ୍କ ଯେପରି ଯାତ୍ରାର ମଜା ନେଇପାରିବେ³ ସେଥିଲାଗି ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସ୍ପଷ୍ଟ କରିଛନ୍ତି । ଅପରାହ୍ନରୁ ଯାତ୍ରା ଆରମ୍ଭ ହୋଇ ରାତିଯାଏ ଚାଲିବ । ଦିନବେଳା ବରଗଡ଼ ନିକଟବର୍ତ୍ତୀ ପର୍ଯ୍ୟଟନସ୍ଥଳୀ, ଦର୍ଶନୀୟ ସ୍ଥାନକୁ ସ୍ୱତନ୍ତ୍ର ବସ୍ ଚଳାଚଳ କଲେ ପର୍ଯ୍ୟଟକ ମନୋରଞ୍ଜନ କରିପାରିବେ । ଏଥିସହ ପର୍ଯ୍ୟଟକଙ୍କ ରାତ୍ରରହଣି ପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ବସଷ୍ଟାଣ୍ଡ, ରେଲୱେ ଷ୍ଟେସନରେ ଅସ୍ଥାୟୀ କ୍ୟାମ୍ପ, ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ସୂଚନା କେନ୍ଦ୍ର ସ୍ଥାପନ କରିବାକୁ ବିଧାୟକ ଶ୍ରୀ ଷଢ଼ଙ୍ଗୀ ଦାବି କରିଥିଲେ । ଏଦିଗରେ ସରକାର ଯାହା ଆବଶ୍ୟକ ସେସବୁ ପଦକ୍ଷେପ ନେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପୂର୍ବରୁ ଗତ ଶୁକ୍ରବାର ୭୭ତମ ଧନୁଯାତ୍ରାରେ ଯୋଗଦେବାକୁ ଯାତ୍ରା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରାଯାଇଛି । ନିମନ୍ତ୍ରଣପତ୍ର ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝଷ ଧନୁଯାତ୍ରାରେ ବରଗଡ଼ ଆସିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଶୁଭସ୍ତମ୍ଭ ସ୍ଥାପନ ପରେ ନାଟ୍ୟାଭ୍ୟାସ ଜୋର୍ ଧରିଛି । ସଂଳାପରେ କମ୍ପୁଛି ଆଖଡ଼ା ସ୍ଥଳ । କୃଷ୍ଣ ଭୂମିକାରେ ଅଭିନୟ କରୁଥିବା ସ୍ୱପ୍ନିଲ ମହାପାତ୍ର ଓ ବଳରାମ ଭୂମିକାରେ ଅଭିନୟ କରୁଥିବା ଦିବ୍ୟାଂଶୁ ବିର୍ତ୍ତିଆ ଶନିବାର ସ୍ଥାନୀୟ କଲ୍ୟାଣ ମଣ୍ଡପରେ କଂସ ମାମୁ ଭୁବନେଶ୍ୱର ପ୍ରଧାନଙ୍କ ସହିତ ଅଭିନୟ ଅଭ୍ୟାସ କରିଥିଲେ ।
ଝାଡ଼ଖଣ୍ଡ ବିଜୟ ପରେ ବିହାରରେ ନିର୍ବାଚନ ଲଢ଼ିବ ଜେଏମଏ...