ଭୁବନେଶ୍ୱର,୦୧/୦୧: ଶୀତ କମ୍ । ଗରମ କମ୍ । କିନ୍ତୁ ବର୍ଷା ବେଶୀ । ଏମିତି ପାଣିପାଗ ନେଇ ଆସୁଛି ନୂଆ ବର୍ଷ ୨୦୨୫। ୨୦୨୩ରେ ପ୍ରଚଣ୍ଡ ଗରମର ସାମ୍ନା କରିଥିଲା ଓଡ଼ିଶା । ୨୦୨୪ ଆହୁରି ଜଳେଇଲା । ନିର୍ଘାତ୍ ତାତିରେ ଛଟପଟ ହେଲେ ଜନଜୀବନ । ମୌସୁମୀ ବର୍ଷା ପରିମାଣ ସ୍ୱାଭାବିକ ଥିଲା, ମାତ୍ର ଆରମ୍ଭରୁ କୁଆଡ଼େ ହଜିଗଲା । ବାକି ଯେତିକି ଫସଲ ବଞ୍ଚିଥିଲା, ବରବାଦ୍ କରିଦେଲା ଅଦିନିଆ ବର୍ଷା । ଏମିତି ସମୟରେ ଅନେକ ଆଶା, ଆଶଙ୍କାକୁ ଧରି ଆସୁଛି ୨୦୨୫ ।
ଏ ବର୍ଷ ପାଣିପାଗ କେମିତି ରହିବ, ତାହା ଉପରେ ସଭିଙ୍କ ନଜର ଅଟକି ରହିଛି । ତାତି ପ୍ରକୋପ ଆହୁରି ସାଂଘାତିକ ହେବ ନା ଆଶ୍ୱସ୍ତି ମିଳିବ । ମୌସୁମୀ ଠିକଣା ସମୟରେ ଆସି ଭଲ ବର୍ଷା ଦେବ ନା ନାହିଁ? ପୂର୍ବ ଦୁଇ ବର୍ଷ ଭଳି ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ବଳବତ୍ତର ରହିଲେ ଜନଜୀବନଙ୍କ ସ୍ଥିତି ଦୁର୍ବିସହ ହୋଇପଡ଼ିବ । ରାଜ୍ୟର ୬୦ ଭାଗ ଜନସଂଖ୍ୟା ପାଇଁ ମୌସୁମୀ ବର୍ଷା ଜୀବନ ରେଖା । ମୌସୁମୀ ବର୍ଷା ଅଧିକ ହେଲେ ବି ଚାଷ ଧୋଇଯିବ । ମଝିରେ ହଜିଗଲେ ବି ଚାଷୀ କାନ୍ଦିବ ।
ବିଶିଷ୍ଟ ପାଣିପାଗ ବିଶାରଦ ପ୍ରଫେସର ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ । ତାଙ୍କ ଆକଳନ ଅନୁସାରେ ଜାନୁଆରୀ ଓ ଫେବ୍ରୁଆରୀରେ ଥଣ୍ଡା କମ୍ ରହିବ । ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ହେବ । ବଡ଼ କଥା ହେଲା, ୨୦୨୩ କିମ୍ବା ୨୦୨୪ ଭଳି ପ୍ରଚଣ୍ଡ ତାତି ଅନୁଭୂତ ହେବନି ୨୦୨୫ରେ ।
ମାର୍ଚ୍ଚରୁ ମେ’ ମାସ ଯାଏ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବା ସମ୍ଭାବନା ଅଛି । ଆଶ୍ୱସ୍ତି ଆଣିବ କାଳବୈଶାଖୀ । ଏହା ପ୍ରଭାବରେ ଏହି ତିନି ମାସ ଅଧିକ ବର୍ଷା ହେବ । ବର୍ଷା ଯୋଗୁ ତାତିର ପ୍ରଭାବ କମିବ । ମାତ୍ର କାଳବୈଶାଖୀ ତାତିରୁ ଆଶ୍ୱସ୍ତି ଦେଲେ ବି କେତେ କ୍ଷୟକ୍ଷତି କରିବ ସେ ନେଇ ଏବେଠାରୁ ଆକଳନ କରି ହେବନି । ଆଉ ଏକ ବଡ଼ ପୂର୍ବାନୁମାନ ହେଲା, ୨୦୨୫ ଗ୍ରୀଷ୍ମରେ ବଙ୍ଗୋପସାଗରରେ ବାତ୍ୟା ଆସିପାରେ । ଏଭଳି କିଛି ସଙ୍କେତ ଦେଖାଉଛି ପାଣିପାଗର ସମ୍ଭାବ୍ୟ ସ୍ଥିତି । ପ୍ରଫେସର ପଶୁପାଳକଙ୍କ ଆକଳନ କହୁଛି, ୨୦୨୫ରେ ମୌସୁମୀ ବର୍ଷା ଭଲ ହେବ । ମାତ୍ର କେତେବେଳେ ହଜିଯିବ କି ନାହିଁ, ସେ ବାବଦରେ ଏବେଠାରୁ କହି ହେବନି ।
ପ୍ରଫେସର ପଶୁପାଳକଙ୍କ ପୂର୍ବାନୁମାନ ଅନୁସାରେ ଜାନୁଆରୀ, ଫେବ୍ରୁଆରୀରେ ଥଣ୍ଡା କମ୍ ରହିବ । ଜାନୁଆରୀରେ ବର୍ଷା ସ୍ୱାଭାବିକଠାରୁ କମ୍ ରହିବ । ମାତ୍ର ଫେବ୍ରୁଆରୀରେ ଅଧିକ ବର୍ଷା ହୋଇପାରେ । ମାର୍ଚ୍ଚରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ୪୦% । ଏପ୍ରିଲ ଓ ମେ ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ୪୦ରୁ ୬୦% ଅଛି । ବର୍ଷା ଯୋଗୁ ଗରମ ପ୍ରଭାବ ଅଧିକ ରହିବନି । ପଶ୍ଚିମା ଝଡ଼ ଓ କାଳବୈଶାଖୀ ପ୍ରଭାବରେ ମେ ମାସ ଯାଏ ବର୍ଷାର ପରିମାଣ ଅଧିକ ରହିବ । ମେ ମାସରେ କାଳବୈଶାଖୀ ପ୍ରଭାବରେ ଅଧିକ ବର୍ଷା ହୋଇପାରେ । ଏଭଳି ସମ୍ଭାବ୍ୟ ଚିତ୍ର ଦର୍ଶାଉଛି, ପୂର୍ବ ଦୁଇ ବର୍ଷ ଭଳି ଏଥର ଲମ୍ବା ଗ୍ରୀଷ୍ମ ଲହରୀ ରହିନପାରେ ।
ଏଲ୍ନିନୋ ସାଉଥର୍ଣ୍ଣ ଓସିଲେସନ୍ (ଇଏନ୍ଏସଓ)କୁ ବିଶ୍ଲେଷଣ କରି ପ୍ରଫେସର ପଶୁପାଳକ କହିଛନ୍ତି, ଏବେ ଲା-ନିନା ଦୁର୍ବଳ ସ୍ଥିତିରେ ଅଛି । ମାର୍ଚ୍ଚ ଓ ଏପ୍ରିଲବେଳକୁ ଏହା ନିଉଟ୍ରାଲ ସ୍ଥିତିକୁ ଆସିବ । ମୌସୁମୀ ଶେଷ ଯାଏ ଏହା ନିଉଟ୍ରାଲ ଅବସ୍ଥାରେ ରହିବ । ଏଲ୍-ନିନୋ ଅବସ୍ଥାକୁ ଆସିବାର ସମ୍ଭାବନା ନାହିଁ । ଆଗାମୀ ମୌସୁମୀ ସମୟରେ ଏଲ୍ ନିନୋ ସ୍ଥିତି ରହିବା ସମ୍ଭାବନା କମ୍ । କିନ୍ତୁ ଆଇଓଡି ଅବସ୍ଥା ଏବେଠାରୁ ଜଣାପଡ଼ିନି । ଏଥିପାଇଁ ମୌସୁମୀ ବର୍ଷାର ରୂପରେଖ ନେଇ ଏବେଠାରୁ ବିସ୍ତୃତ ଆକଳନ କରି ହେବନି ।
ପ୍ରଫେସର ପଶୁପାଳକ କହିଛନ୍ତି, ୨୦୨୪ ଉତ୍ତପ୍ତ ବର୍ଷ ଥିଲା । ଗ୍ରୀଷ୍ମ ପ୍ରବାହ ରେକର୍ଡ ଭାଙ୍ଗିବାରୁ ଅଧିକାଂଶ ଅଞ୍ଚଳ ଉତ୍ତପ୍ତ ପାଲଟିଥିଲା । ମୌସୁମୀ ବିଳମ୍ବରେ ଆସିଥିଲେ ବି ବର୍ଷା ପରିମାଣ ପ୍ରାୟତଃ ଠିକ୍ ଥିଲା । କିନ୍ତୁ ଶୀତ ଦିନେ ଅଦିନିଆ ବର୍ଷା ଫସଲ ଉଜାଡ଼ି ଦେଇଥିଲା । ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଥିଲା । ଡିସେମ୍ବର ମାସରେ ବାରମ୍ବାର ଲଘୁଚାପ ଆସିଲା । ଲଘୁଚାପ ପ୍ରଭାବରେ ବର୍ଷା ହେବା ସହିତ ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପୁଣି ଶୀତ ବିଳମ୍ବିତ ହୋଇଥିଲା । କମ୍ ଦିନ ପାଇଁ ଶୀତ ଅନୁଭୂତ ହୋଇଥିଲା । କିନ୍ତୁ ୨୦୨୫ର ପାଣିପାଗ ୨୦୨୪ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିବ ।
ସାଧାରଣତଃ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ସ୍ୱାଭାବିକ ଭାବେ ଅଧିକ ଶୀତ ଅନୁଭୂତ ହୁଏ । କିନ୍ତୁ ଏଥର ଜାନୁଆରୀ ଓ ଫେବ୍ରୁଆରୀରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଫଳରେ କମ୍ ଶୀତ ଅନୁଭୂତ ହେବ । ଶୀତ ଅବଧି ମଧ୍ୟ ଶୀଘ୍ର ଶେଷ ହୋଇଯିବ ।