ଭୁବନେଶ୍ୱର,୦୩/୦୧: ଶିଳ୍ପପତିଙ୍କୁ ବ୍ଲାକ୍ମେଲ୍ କରିବା ଘଟଣାରେ ହର୍ଷପ୍ରିୟା ମିଶ୍ର ଓରଫ୍ ହଂସିକା ଓ ତାଙ୍କ ସହଯୋଗୀ ଅନିଲ୍ ମହାନ୍ତିଙ୍କୁ ଗିରଫ କରିଥିଲା ଇନ୍ଫୋସିଟି ଥାନା ପୁଲିସ୍ । ଏହି ଗିରଫଦାରି ଏବେ ପୁଲିସ୍ ତଣ୍ଟିର କଣ୍ଟା ସାଜିଛି । ରାଜ୍ୟର ଅଧାରୁ ଅଧିକ ବଡ଼ ବ୍ୟବସାୟୀ ଓ ଶିଳ୍ପପତିଙ୍କୁ ହଂସିକା ଓ ଅନିଲ୍ ବ୍ଲାକ୍ମେଲ୍ କରିଥିବା ପ୍ରମାଣ ପାଇଛି ପୁଲିସ । କେଉଁଠୁ ତଦନ୍ତ ଆରମ୍ଭ କରିବ ତାକୁ ନେଇ ଏବେ ଚିନ୍ତାରେ କମିଶନରେଟ୍ ପୁଲିସ୍ । ଥାନାରୁ ଉକ୍ତ ମାମଲା ଅପସାରଣ କରାଯାଇ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍କୁ ଦିଆଯାଇଛି । ୧୫ ଦିନ ତଳେ ହଂସିକା ଓ ଅନିଲଙ୍କୁ ପଟିଆର ଜଣେ ପ୍ରତିଷ୍ଠିତ ଶିଳ୍ପପତି ନିଜ ସଂସ୍ଥାକୁ ଡାକି ସମ୍ବର୍ଦ୍ଧନା ଦେଇଥିଲେ । ଖାଲି ସେତିକି ନୁହେଁ ନିଜ ସଂସ୍ଥାର ସୋସିଆଲ୍ ମିଡିଆ ଆକାଉଣ୍ଟରେ ମଧ୍ୟ ଏମାନଙ୍କ ଫଟୋ ଅପ୍ଲୋଡ୍ କରିଥିଲେ । ହେଲେ କ’ଣ ହେଲା କେଜାଣି ସମ୍ବର୍ଦ୍ଧନା ଦେବାର ୫ ଦିନ ପରେ ଶିଳ୍ପପତିଙ୍କ ଜଣେ କର୍ମଚାରୀ ଏହି ଦୁଇ ଜଣଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ଡିସେମ୍ବର ୨୩ ତାରିଖ ଅଭିଯୋଗ ପରେ ୨୪ ତାରିଖରେ ମାମଲା ରୁଜୁ ହୋଇଥିଲା । ୨୭ ତାରିଖରେ ପୁଲିସ୍ ପଚରାଉଚରା ପାଇଁ ଡାକି ହଂସିକା ଓ ଅନିଲଙ୍କୁ ଅଟକ ରଖିଥିଲା ।
୨୮ ତାରିଖରେ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା ପୁଲିସ । ୨୯ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣା ସମ୍ପର୍କରେ ପୁଲିସ ଜଣାଇଥିଲା । ଅଭିଯୁକ୍ତମାନେ ଜେଲ୍ ଗଲା ପରେ ମଧ୍ୟ ପୁଲିସ୍ ତା’ର ଅସଲ ନାଁ ଜାଣି ପାରି ନ ଥିଲା । ହର୍ଷପ୍ରିୟା ମିଶ୍ର ଓ ହଂସିକାକୁ ନେଇ ପୁଲିସ୍ ଦ୍ୱନ୍ଦ୍ୱରେ ଥିଲା । ତେବେ ଅନେକ ଖୋଳତାଡ଼ ପରେ ଜଣାପଡ଼ିଲା ଯେ ତାଙ୍କ ବାପା ହେଉଛନ୍ତି ଅଶୋକ ଚାନ୍ଦ । ୮ ବର୍ଷ ତଳେ ହଂସିକାଙ୍କ ଅସଲ ନାମ ଥିଲା ବିଷ୍ଣୁପ୍ରିୟା ଚାନ୍ଦ । ଏବେ ତାଙ୍କର ୪ ଜଣ ସ୍ୱାମୀ ଅଛନ୍ତି । ପ୍ରଥମେ ସେ ଜଣେ ବିଧାୟକ ପ୍ରାର୍ଥୀଙ୍କୁ ବିବାହ କରିଥିଲେ । କାହାକୁ ସେ ଛାଡ଼ପତ୍ର ଦେଇ ନାହାନ୍ତି । ରଘୁନାଥପୁରରେ ଥିବା ଜେଡ୍ ଆପାର୍ଟମେଣ୍ଟରେ ଗୋଟିଏ ବ୍ଲକ୍ରେ ସେ ତୃତୀୟ ସ୍ୱାମୀଙ୍କ ସହ ରହୁଛନ୍ତି । ଉକ୍ତ ଆପାର୍ଟମେଣ୍ଟର ଆଉ ଏକ ବ୍ଲକ୍ରେ ଅନିଲ୍ ରହୁଛନ୍ତି । ଅନିଲ୍ଙ୍କର ଜେଡ୍ ଆପାର୍ଟମେଣ୍ଟରେ ୪ଟି ଫ୍ଲାଟ୍ ରହିଛି । ଗତକାଲି ପୁଲିସ୍ ରଘୁନାଥପୁର ସ୍ଥିତ ଉଭୟଙ୍କ କାର୍ଯ୍ୟାଳୟରୁ ଦୁଇଟି ହାର୍ଡଡିସ୍କ ଓ ୬ଟି ମୋବାଇଲ ଫୋନ୍ ଜବତ କରିଥିଲା । ସେଥିରୁ ବହୁ ସାଂଘାତିକ ତଥ୍ୟ ମିଳିଛି । ଆଉ କିଛି ଫାଇଲ୍ ସେମାନେ ପାସ୍ୱାର୍ଡ ପକାଇ ରଖିଛନ୍ତି । ସେହି ଫାଇଲଗୁଡ଼ିକୁ ଖୋଲିବା ଲାଗି ରାଜ୍ୟ ଫୋରେନସିକ୍ ଲାବୋରେଟୋରୀ (ଏଫ୍ଏସ୍ଏଲ୍) କୁ ପଠାଯାଇଛି । ଦୁଇ ଜଣଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବାକୁ ପୁଲିସ୍ ଆବେଦନ କରିଛି । କେତେ ଦିନ ରିମାଣ୍ଡ ମିଳିବ ତାହା ଶୁକ୍ରବାର ଜଣାପଡ଼ିବ । ହଂସିକା ଓ ଅନିଲଙ୍କ ସବୁ ଆକାଉଣ୍ଟର ତଥ୍ୟ ରିଜର୍ଭ ବ୍ୟାଙ୍କକୁ ମଗାଯାଇଛି । ଉକ୍ତ ରିପୋର୍ଟ ଆସିବା ପରେ ଟଙ୍କା ନେଣଦେଣ ବିଷୟରେ ଖୋଳତାଡ଼ କରିବ ପୁଲିସ ।
ଗାଙ୍ଗୁରାମ ବେପାରରୁ ଅନିଲ କେମିତି କୋଟି କୋଟି ଟଙ୍କାର ମାଲିକ ହେଲେ, ତା ପୁଣି ମାତ୍ର କିଛି ବର୍ଷରେ ତାକୁ ନେଇ ପୁଲିସ ଏବେ ଆଶ୍ଚର୍ଯ୍ୟ ହେଉଛି । ସେପଟେ କଳାହାଣ୍ଡି ନର୍ଲାରୁ ଭୁବନେଶ୍ୱର ଆସି ପ୍ରଥମେ ଏକ ସ୍ପା ଏବଂ ପରେ ବିଲ୍ଡର ସଂସ୍ଥାରେ କାମ କରୁଥିବା ହଂସିକା ଏବେ ଶହ ଶହ କୋଟିର ଡିଲ୍ କିଭଳି କରୁଛନ୍ତି ତାହା ମଧ୍ୟ ସମସ୍ତଙ୍କୁ ଚକିତ କରୁଛି । ଏହି ୨ ଜଣଙ୍କ କଳାଧନ ରହସ୍ୟର ଥଳକୂଳ ପାଉନି ପୁଲିସ । ୨୦୨୧ ଡିସେମ୍ବର ମାସରେ ଲିଙ୍ଗରାଜ ଥାନା ପୁଲିସ୍ ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗରେ ‘ର’ର ଜଣେ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଥିଲା । ସେତେବେଳେ ହଂସିକା ଏକ ଦାମୀ କାର୍ରେ ଥାନାକୁ ଯାଇଥିଲେ । ସେ ଲିଙ୍ଗରାଜ ଥାନା ପୁଲିସ୍କୁ ଜେଏନ୍ୟୁର ପ୍ରଫେସର ବୋଲି ପରିଚୟ ଦେଇଥିଲେ । ତାଙ୍କୁ ଛାଡ଼ିବା ପାଇଁ ଆଇଆଇସିଙ୍କୁ କହିଥିଲେ । ଏମିତି କି ସେ ସେତେବେଳେର ପାୱାର କରିଡର୍ରେ ଥିବା ଟାଣୁଆ ଅଫିସରମାନଙ୍କ ନାଁ ନେଇ ଆଇଆଇସିଙ୍କୁ ଧମକ ମଧ୍ୟ ଦେଇଥିଲେ । କିଛି ମାସ ତଳେ ଅନିଲ୍ ନିଶାସକ୍ତ ଅବସ୍ଥାରେ ପୋର୍ସେ କାର୍ ଚଳାଇ ଯାଉଥିଲେ । ଚେକିଂ ସମୟରେ ଇନ୍ଫୋସିଟି ଥାନା ପୁଲିସ୍ ତାଙ୍କୁ ଧରିଥିଲା । ତା’ପର ଦିନ ହଂସିକା ଥାନାକୁ ଯାଇ ପୁଲିସ୍ କମିଶନର ସଞ୍ଜୀବ ପଣ୍ଡାଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇ ଥାନା ଅଧିକାରୀଙ୍କୁ ଡରାଇଥିଲେ । ହେଲେ ପୁଲିସ୍ ଗାଡ଼ି ଛାଡି ନ ଥିଲା । ପୁଲିସ୍ ତାଙ୍କ ଦାମୀ କାର୍କୁ ଘୋଡ଼ାଇ ରଖିଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ହଂସିକା ଓ ଅନିଲ ରହୁଥିବା ଘରର କବାଟରେ ସେନ୍ସର ଲାଗିଛି । ସେମାନଙ୍କ ଘରକୁ ଯାଞ୍ଚ ଲାଗି ଯାଇଥିବା ପୁଲିସ ଖାଲି ହାତରେ ଫେରିଛି । ଘର କବାଟରେ ସେନ୍ସର ଲାଗିଥିବାରୁ ଭିତରକୁ ପୁଲିସ ପଶି ପାରିନଥିଲା । ଫଳରେ ଘରୁ ପ୍ରମାଣ ଯୋଗାଡ଼ ଆଶାରେ ଯାଇଥିବା ପୁଲିସ ଫେରି ଆସି ରିମାଣ୍ଡ ଅପେକ୍ଷାରେ ରହିଛି । ଅଭିଯୁକ୍ତ ଆସି ଫିଙ୍ଗରପ୍ରିଣ୍ଟ ଦେବା ପରେ ଘର କବାଟ ଖୋଲିବା ସହ ଆଉ କିଛି ନୂଆ ତଥ୍ୟ ମିଳିବ ବୋଲି ଆଶା କରାଯାଉଛ