ଭୁବନେଶ୍ୱର,୦୫/୦୧: ପ୍ରବାସୀ ଭାରତୀୟ ଦିବସ ସମାରୋହ ଆରମ୍ଭ ହେବ ଆସନ୍ତା ୮ ତାରିଖରୁ । ଦେଶ ବିଦେଶରୁ ଭୁବନେଶ୍ୱରକୁ ହଜାର ହଜାର ଅତିଥି ଆସିବେ । ତ୍ରିନିଦାଦ ଓ ଟବାଗୋର ରାଷ୍ଟ୍ରପତି, ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଭୁବନେଶ୍ୱର ପହଞ୍ଚିବେ । ଏହି ମହା ଆୟୋଜନ ପାଇଁ ବିମାନ ସଂଖ୍ୟା ବଢ଼ିବ । ବର୍ତ୍ତମାନ ଭୁବନେଶ୍ୱରକୁ ଦୈନିକ ୫୩ ବିମାନ ଯା’ଆସ କରୁଥିବା ବେଳେ ଆଗକୁ ଏ ସଂଖ୍ୟା ଢେର ବଢ଼ିଯିବ । ଅନେକ ଭିଭିଆଇପି ସ୍ୱତନ୍ତ୍ର ବିମାନ ଯୋଗେ ବି ପହଞ୍ଚିବେ । ଏଥିପାଇଁ ବିମାନବନ୍ଦରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ବିମାନ ଆସିଲେ ପାର୍କିଂ ପାଇଁ ବିମାନବନ୍ଦରରେ ଥିବା ଅତିରିକ୍ତ ବେ’ (ବିମାନ ପାର୍କିଂ ସ୍ଥାନ) ବ୍ୟବହାର ହେବ ।
ବର୍ତ୍ତମାନ ଦୈନିକ ୬ରୁ ୭ଟି ବେ’ରେ ବିମାନ ପାର୍କିଂ ହେଉଛି । ଅବଶିଷ୍ଟ ୧୧ଟି ବେ’ରେ ବାହାରୁ ଆସିବାକୁ ଥିବା ଅଣସିଡ୍ୟୁଲ୍ ବିମାନଗୁଡ଼ିକ ପାର୍କିଂ କରାଯିବ । ଆବଶ୍ୟକ ହେଲେ ପୁରୁଣା ରନ୍ ୱେରେ (ମଧୁସୂଦନ ପାର୍କରୁ ନବୀନ ନିବାସ ପାଶ୍ୱର୍ ପର୍ଯ୍ୟନ୍ତ) ଥିବା ଖାଲି ଜାଗାରେ ବିମାନ ପାର୍କିଂ କରାଯାଇ ପାରିବ । ନିହାତି ଆବଶ୍ୟକ ହେଲେ ବିମାନବନ୍ଦରରେ ଥିବା ଅବ୍ୟବହୃତ ପାରାଲାଲ୍ ଟାକ୍ସି ଟ୍ରାକ୍ (ସମାନ୍ତରାଳ ରନ୍ୱେ)କୁ ବ୍ୟବହାର କରାଯାଇପାରିବ । କିଛି ବିମାନ ଭୁବନେଶ୍ୱରରେ ଅତିଥିଙ୍କୁ ଛାଡ଼ିବା ପରେ ଏଠାରୁ ଅନ୍ୟତ୍ର ଚାଲିଯିବେ। ନିକଟରେ ନୌସେନା ଦିବସ ପାଳନ ଅବସରରେ ୨୦ରୁ ଅଧିକ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ସୁଚାରୁ ରୂପେ ପାର୍କିଂ କରାଯାଇଥିଲା ।
ଉତ୍ସବ ପାଇଁ ଭୁବନେଶ୍ୱରକୁ ବିମାନ ଟିକେଟ ବୁକିଂ ବଢ଼ୁଛି । ଏଥିପାଇଁ ଇଣ୍ଡିଗୋ ଓ ଭିସ୍ତାରା ଆଦି ଏୟାରଲାଇନ୍ସ ନିଜ ବିମାନର ଯାତ୍ରୀ କ୍ଷମତା ବଢ଼ାଇଛନ୍ତି । ପୂର୍ବରୁ ୧୮୦ ଆସନ ବିଶିଷ୍ଟ ବିମାନ ଚଳାଚଳ କରୁଥିବା ବେଳେ ଏବେ ୨୨୩ ଆସନ ବିଶିଷ୍ଟ ବିମାନ ଚଳାଚଳ କରିବ । ଏଥିପାଇଁ ଏୟାର ବସ୍-୩୨୧ ଆଣୁଛନ୍ତି ଏୟାରଲାଇନ୍ସ । ପ୍ରବାସୀ ଭାରତୀୟ ଦିବସ ପାଇଁ ଅତିରିକ୍ତ ଭାବେ କେତେ ଅଣସିଡ୍ୟୁଲ୍ ବିମାନ ଆସିବ, ତାହା ଏଯାଏ ଚୂଡ଼ାନ୍ତ ହୋଇନାହିଁ । ଯାତ୍ରୀଙ୍କ ସୁବିଧା ପାଇଁ ବିମାନବନ୍ଦରରେ ହେଲ୍ପ ଡେସ୍କ ଖୋଲିଛି । ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି ।